Unknown

 

 

 

 

 

 

 

 

 

ମାଟିର ମଣିଷ

କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ପରିଚ୍ଛେଦ ଏକ

 

ଆମର ଏହି ଅତି ଜଣାଶୁଣା ଅତିପୁରୁଣା ସୂର୍ଯ୍ୟପରି କୋଟି କୋଟି ସୂର୍ଯ୍ୟ ବିଶ୍ୱବ୍ରହ୍ମାଣ୍ଡ ଭିତରେ ନିତି ଉଇଁ ନିତି ଅସ୍ତ ଯାଏ । ଗୋଟିଏ ଗୋଟିଏ ସୂର୍ଯ୍ୟ ଚାରିପାଖେ କୋଟି କୋଟି ଗ୍ରହ ଉପଗ୍ରହ ଚକା-ଚକା ଭଉଁରି ଖେଳେ–ଦିନ ରାତି ଋତୁ ମାସ ବର୍ଷ ତିଆରି କରେ । ସେମାନଙ୍କ ମଧ୍ୟରୁ ଗୋଟିଏ ଅତି ଛୋଟ ଗ୍ରହ ଆମର ଏହି ବହୁକାଳର ପୃଥିବୀମାତା, ତାହା ଭିତରେ ଭାରତବର୍ଷ ଆଉରି ଛୋଟ ଗୋଟିଏ ଦେଶ- ତା’ ଭିତରେ ଓଡ଼ିଶା- ସେଥିରେ ଥିବା କଟକ ଜିଲ୍ଲାର ବିରୂପାକୂଳର ପଧାନପଡ଼ା–ଅତିଛୋଟ, ଅତିନଗଣ୍ୟ ମଣିଷଜାତିର ବସ୍ତିଖଣ୍ଡେ ! ଶାମ ପଧାନର ବକଟେବୋଲି କୁଡ଼ିଆଖଣ୍ଡେ ସେହି ଗାଁ ଭିତରେ ! ତା’ର ଥାନ ବିଶ୍ୱବ୍ରହ୍ମାଣ୍ଡରେ କଅଣ–ଅଣୁ ନା ପରମାଣୁ–କିଏ କଳିବ !

 

ସେ ଭୂଇଁରେ କେଉଁ ପୁରୁଷ ଆଗ ଆସି ପାଦ ଦେଲା, ତାହାର ପାଦଚିହ୍ନ ନାହିଁ । ସେ ମାଟିରେ କିଏ ଆଗ ଆସି ମଞ୍ଜି ପୋତିଲା, ଫଳ ଖାଇଲା, ସେ କଥା ଅବା ଏହି ବିରୁପା ନଈ କହିବ- ଏହି ଚନ୍ଦ୍ର-ସୂର୍ଯ୍ୟ କହିବେ ! କିନ୍ତୁ ଆଜି ସେ ମାଟି ଧାନ–ଛଣପଟରେ ହସୁଛି, ସେ ଭୂଇଁ ଆଜି ମଣିଷ–କୋଳାହଳରେ ଜୀଇଁ ଉଠିଛି । ସେ ଦାଣ୍ଡରେ କେତେପିଲା ଖେଳ ଖେଳି ଯାଇଛନ୍ତି–ଶାମ ପଧାନ ଆଉ ତାହାର ବାପଅଜା ସାତ ପୁରୁଷ । ବିରୂପାକୂଳରେ ଗାଁ ଓଷେଇତିମାନଙ୍କର ଆନନ୍ଦ ହୁଳହୁଳି ବାଜି ଉଠିଛି, ଗାଁ ଭିତରର କେତେ ଗଲା ମଣିଷଙ୍କ ଚିତା ଜଳି ଉଠିଛି, ପ୍ରେତକ୍ରିୟାରେ ଗାଧୋଇବାକୁ ଆସି କେତେ ବିଧବାଙ୍କର ବିକଳ କାନ୍ଦଣାରେ ବିରୂପା ଭିତରେ ଏହି ଶୁଖିଲା ବାଲି ଲୁହରେ ଓଦା ହୋଇଯାଇଛି–କେତେ କାଳ ଧରି, ତାହା କିଏ ଜାଣେ !

 

ଶାମ ପଧାନର କେଉଁ ପୁରୁଷ ପଧାନପଡ଼ାରେ ବସତି କଲେ, କାହାର ଇତିହାସ ନାହିଁ-। କେତେ ରାଜା ଗଲେଣି, ରାଜତ୍ୱ ଗଲାଣି- ହିନ୍ଦୁ, ମୁସଲମାନ, ମରହଟ୍ଟା ! ଏହି ପୃଥିବୀ ଉପରେ କେତେ ଧର୍ମର ଢେଉ ବହିଗଲାଣି–ହିନ୍ଦୁ, ବୌଦ୍ଧ, ମୁସଲମାନ, ଖିରସ୍ତାନ ! କିନ୍ତୁ ପଧାନପଡ଼ା କାହାରି ଚିହ୍ନ ରଖି ନାହିଁ । ସେ ଯେମିତି ସବୁ କାଳର ନୂଆଣିଆ ଦୂବଘାସ–ଜଞ୍ଜା ବତାସରେ ମହା ମହା ଦ୍ରୁମ ଟଳିପଡ଼େ, ତାହା ପାଖରେ କିନ୍ତୁ ସେ ଖବର ପହଞ୍ଚେ ନାହିଁ । ଶାମ ପଧାନର ମାଟିକୁଡ଼ିଆଟି ମଧ୍ୟ ସେହିପରି–କାହାରି ରାଜତ୍ୱରେ ତାହାର ପଥର ପାହାଚ ହୋଇ ନାହିଁ, କାହାରି ରାଜତ୍ୱରେ ତା’ଘରୁ କେହି ମଉଜ ମଜଲିସରେ ପଚିଶ ଟଙ୍କା ଉଡ଼ାଇ ଦେଇ ନାହିଁ, ଖମାର ମହାଜନି କରି ହଜାରେ ଟଙ୍କା ସାଇତି ରଖି ନାହିଁ ।

 

ପଧାନପଡ଼ାର ଧର୍ମଯାକ ଆଦି କାଳରୁ ସେହି ମନ୍ଦାରମୂଳ ମୁଗୁନି ପଥରର ମଙ୍ଗଳା ମାଆଙ୍କଠାରେ ଠୁଳ ହୋଇଛି । ଗାଆଁରେ ହଇଜା ବସନ୍ତ ପାଇଁ ସେହି ମଙ୍ଗଳା, ବାହା ପୁନିଅଁ ହାଣ୍ଡି-ମଙ୍ଗୁଳାରେ ସେହି ମଙ୍ଗଳା, କାହାର ଗଛ ଫଳିଲା ନାହିଁ, କାହା ପିଲା ସବୁବେଳେ ରୋଗିଣା ହେଲା, କି ସପନ ଦେଖିଲା, କାହା ବାଡ଼ିରେ ନୂଆ କଦଳୀକାନ୍ଦି ଫଳିଲା, ନୂଆ ଜହ୍ନିକଷିଟାଏ ହେଲା–କାଳେ କାଳେ ଏହି ମଙ୍ଗଳା ମା’ ଗାଆଁଟିର ସବୁ ଖବର ରଖେ, ଗାଆଁଟିର ସବୁ ସୁଖଦୁଃଖ ଭଲମନ୍ଦ ଶୁଣେ । କେତେ କାଳ ଧରି ଚୁଆ ସିନ୍ଦୂରରେ ତା’ ଦେହରେ ଥାନ ଧରେ ନାହିଁ ।

 

ଏହିପରି ପୁରୁଣା ପଧାନପଡ଼ାଟି, ଏହିପରି ଛୋଟ–ଏହିପରି ସାମନ୍ୟ ।

 

ପଡ଼ା ଭିତରେ ଯେତେ ଘର ଅଛି, ସବୁଠାରୁ ଶାମ ପଧାନ ଘରଟି ବେଶି ଜଣାଶୁଣା- ନ ହେଲା ବା ତାହାର ପଥର ପାହାଚ, ନ ହେଲା ବା ତା’ର ଇଟା କାନ୍ଥ !

 

ପୁରୁଷ ପୁରୁଷ ଧରି କେତେଥର ସେ ଘର ଭାଙ୍ଗିଯାଇଛି । ଥରେ ତୋଳା ହେଲେ ଦଶବର୍ଷ ଗଲେ ଖୁବ୍‌ ହେଲା–ମାଟି କାନ୍ଥିନି ଚାଳଛପର ଘର–କେତେଦିନ ପାଣି ପବନ ସହିବ ? ଶାମ ପଧାନ ତା’ ବାପ, ବଡ଼ବାପଙ୍କୁ ଦେଖି ଆସିଛି–ଷଣ୍ଢା ଷଣ୍ଢା ମଣିଷୁଟାମାନ ! ଘର ଥରେ ଭାଙ୍ଗିଗଲେ ଦି’ଦିନରେ ପୁଣି କାଦୁଅ ଚକଟି କାମୁଡ଼ା ଭିଡ଼ି ନୂଆଘର ଠିଆ କରିଦିଅନ୍ତି । ଚକେ ଗଲେ ବାର ହାତ–ଫେର୍‌ ଚାଲିଲା ଦଶ ବରଷ । ଶାମ ପଧାନ ଅମଳରେ ବି ସେ ସେମିତି ନିଜ ହାତରେ ସବୁ କରିଛି । ତା’ ଦିହକରେ ତିନିଥର ସେ ଘର ଭାଙ୍ଗିଯାଇଛି, ତିନିଥର ପୁଣି ତୋଳା ହୋଇଛି ।

 

ଘରଟାର ବଡ଼ିମା ପାଇଁ ନୁହେଁ, ମୁରବୀର ମଣିଷପଣିଆ ଯୋଗୁ ଶାମ ପଧାନ ଘରଟା ପଧାନପଡ଼ାର ଆଖପାଖ ସବୁ ଲୋକଙ୍କ ଗୋଚର । ଗାଁ ଭିତରକୁ ଯୋଗୀ ଭିଖାରି ଆସିଲେ ଲୋକେ ଶାମ ପଧାନ ଘରକୁ ତାଙ୍କୁ ଦେଖାଇ ଦେଉଥିଲେ । ଗାଁ ଭିତରେ କି ବାହାରେ କଜିଆ ଗୋଳ ହେଲେ ଶାମ ପଧାନକୁ ଡାକ, କାହାରି ଦିହଦୁଃଖ ହେଲା କି ବିପଦ ଆପଦ ପଡ଼ିଲା, ଶାମ ପଧାନକୁ ଡାକ । ଶାମ ପଧାନ ଲୋକଟାର ପାଠଶାଠ ଭାଗବତ ବୋଲି ଜାଣିବା ଛଡ଼ା ଅଧିକ କିଛି ନ ଥିଲା । ସେ ଆଇନକାନୁନ ଜାଣେ ନାହିଁ, ଓଷଧମଷୁଧି ଜାଣେ ନାହିଁ, ହିସାବପତ୍ରରେ ସେମିତି କିଛି ପାରଗ ନୁହେଁ ।

 

ତେବେ ସବୁ କାମରେ ତା’ଠାରୁ ଗୋଟାଏ ବଡ଼ ହୋବ ମିଳେ । ରାତି ଅଧରେ କୋଉଠି ନିଧି ବଇଦକୁ ଡକରା ହେବ, କୋଉଠୁ ବାସଙ୍ଗ ଛେଲି ଆସିବ, କୋଉଠି ବାଜାବଜନ୍ତରି ବରଯାତ୍ରୀ ଖାଇବେ, ଶାମ ପଧାନ ଏଇଥିରେ ଲାଗିପଡ଼ିଥିବ । ଲାଭ କାଣିକଉଡ଼ିଟାଏ ବି ନୁହେଁ । ଏହିସବୁ କଥାରେ ସେ ଲାଭ ଖୋଜିବ ? ଛି, ଛି, ତାକୁ କ’ଣ ପେଟପୂରା କରି ଖାଇବାକୁ ଗଣ୍ଡେ ମିଳୁନାହିଁ ! କାହାର ଯେବେ କେତେବେଳେ ଆପଦ ବିପଦ ହେଲା, ସେ ଶାମ ପଧାନକୁ ଡାକି ନାହିଁ, ତେବେ ଶୁଣିବା ମାତ୍ରେ ଦଉଡ଼ି ଯାଇ କହିବ, କହିଁକିରେ ? ଶାମ କ’ଣ କଲାନି କି ? ତା’ ଘରକୁ ଲାଗି ଏତେକଥା ଘଟିଯିବ, ସେ ଟିକିଏ ଶୁଣିପାରିବ ନାହିଁ । ଧିକ୍‌ ତାକୁ !

 

ଗାଆଁରେ ଦି’ପକ୍ଷରେ କଳିତକରାଳ ଲାଗିଛି । ମୁଣ୍ଡ ଫଟାଫଟି ହୋଇ ମାଲିମକଦ୍ଦମାରେ ଦି’ଟା ଘର ଉଚ୍ଛନ୍ନ ହୋଇଯିବେ । ଶାମ ପଧାନ ମଝିରେ ପଶି ୟା ଓଠ ଧରିବ, ହାତ ଧରିବ, ତା’ ଗୋଡ଼ ଧରିବ, ଅଖିଆ ଅପିଆ ଦିନ ଦି’ପହର ଯାଏ ବସି ରହିବ–ନା ! ଶାମ ପଧାନ ମଲେ ସବୁ କର, ମାଲି କର, ମକଦ୍ଦମା କର–ସେ ବଞ୍ଚିଥିବାଯାଏ ଗାଁ ଭିତରେ ଏହା ହେବ ନାହିଁ ।

 

କାଇଁକି ? କେତୁଟା ଦିନରେ ଭାଇ ! ଆମ ବାପ ଅଜା ସାତପୁରୁଷ ତ ସେଇ ବସୁଧା ତାଡ଼ି, କଳିକଜିଆ କରି ଗଲେଣି; ସେ ମାଟି ଯେମିତି ସେମିତି ପଡ଼ିଚି–ମାଣକ ଜମି ତ ଦି’ ମାଣ ହେଇନି । ସେମିତି ଆମେ ଯିବା, ଆମ ପୁଅନାତି ବି ଯିବେ । ଏ ବିଲବାଡ଼ିସବୁ ଏମିତି ପଡ଼ି ରହିବ-। ବିରୂପାବାଲିରେ ଏମିତି ବରଷକୁ ବରଷ ହାଣ୍ଡିଖପରା ଦି’ଖଣ୍ଡ, ଦରପୋଡ଼ା କାଠ ଖଣ୍ଡେ ପଡ଼ି ରହିବ । ବଢ଼ି ଆସିଲେ ସବୁ ସାଫ୍–ଚିହ୍ନଭିନ୍ନ କିଛି ନାଇଁ ।

 

ପେଟ ଭିତରେ ଗୋଟାଏ କଥା ରଖି ମୁହଁରେ ଗୋଟାଏ କଥା କହିବାର ଲୋକ ସେ ନୁହେଁ । ରଜାପୁଅ ହେଉ ପଛେ, ସେ ଯାହା ଠିକ୍ ବୁଝୁଥିଲା, ଆଗ ପଛ ନ ବିଚାରି ସଫା ସଫା ତାହା ମୁହେଁ ମୁହେଁ କହି ଦେଉଥିଲା । ତା’ ଆରଦିନ ପୁଣି କାନ୍ଧ ଲଗାଇ ଦେଇ ତା’ର ଘର ଟେକିବା ପାଇଁ ଖମ୍ବ ଡେରି ଦେଉଥିଲା । ତା’ ଭାରିଯାର ଗର୍ଭକଷ୍ଟ ହେଲେ ପାଞ୍ଚଗାଁ ବୁଲି ଔଷଧ ଯୋଗଉଥିଲା । ସେଥିପାଇଁ ସମସ୍ତେ ତାହା କଥାକୁ ମାନୁଥିଲେ, ଏକାବେଳକେ ‘ବେଦର ଗାର’ ପରି । ପଚିଶ ଜଣ ପଛେ ଗୋଟାଏ କଥା କହିଥିବେ, ଶାମ ପଧାନ ଯଦି ଆଉ ଗୋଟାଏ କଥା କହିଲା, ତେବେ ସେହି କଥାଟା ସାର ହେବ ।

 

ଶାମ ପଧାନ ଯାହାକୁ ହାତ ଧରି ବାହା ହୋଇଥିଲା, ସେ ବି ଭାରି ଭଲ ମଣିଷ । ଚଷାଘର ଝିଅ ହେଲେ କ’ଣ ହବ, ମନଟା ତା’ର ଛୋଟ ନୁହେଁ । ସାଇ ପଡ଼ିଶାରେ କାହାର କେବେ ଭାବ ଅଭାବ ହେଲେ ସେ ଆଗ ପଧାନ ଘରକୁ ଆସୁଥିଲା; କାହିଁକି ନା, ଘରେ କିଛି ନ ଥାଉ ପଛେ ପଧାନ ଘରଣୀ ଘୁମ ମାଠିଆ ଦରାଣ୍ଡି କୁଆଡ଼ୁ ହେଲେ ସେରେ ପାଏ ଆଣି ତା’ ଅଣ୍ଟିରେ ପୂରାଇ ଦେଇ ତାକୁ ଘରକୁ ପଠାଇଦେବ–‘‘କିଲୋ ଝୁଅ । ଘରେ ମୋର କିଛି ନ ଥାଉ, ତୋ ପିଲାଙ୍କୁ ମୁଁ ଚାହିଁଲେ ମୋ ପିଲାଙ୍କୁ ତ ସେମିତି କିଏ ହେଲେ ଚାହିଁବ !’’

 

ତା’ର ଘରକରଣା ବି ଗାଁମାଇପଙ୍କ ଭିତରେ ପୁରାଣ ପରି ବୋଲାହୁଏ । ପଧାନ ବୁଢ଼ୀ-! ଧନ୍ୟ କହିବା ଲୋ ତାକୁ ! ସେଇ ଖଲୁରୀ ଘରଟି କେତେ ଘଡ଼ି, କେତେ କୁଞ୍ଚା, ହାଣ୍ଡି ମାଠିଆ ଘୁମ ସଜାଡ଼ି କରି ରଖିଛି । କାହିଁରେ ଅରୁଆ ପୁଞ୍ଜିଏ, କାହିଁରେ ଉଷୁନା ପୁଞ୍ଜିଏ, କାହିଁରେ ଖୁଦ ଗଣ୍ଡାଏ, କାହିଁରେ ମୁଗ, କାହିଁରେ ବିରି, କାହିଁରେ ସୋରିଷ । ସେଇ ବୋଲି ସୁକୁଟୀ ଗାଈ ବକଟେ–କେଯାଏ ଦୁଧ ବା ଦେଉଚି ! ସେଥିରୁ ସେ ଦହି ଗୋଳେଇ, ଲହୁଣି ମାରି ଛୋଟ ଠେକିଟିରେ ଘିଅ ଟିକିଏ ଟିକିଏ ସାଇତି ରଖିଥିବ- କୁଣିଆଁ ମଇତ୍ର, ଭଲ ଲୋକ, ମନ୍ଦ ଲୋକଙ୍କ ପାଇଁ ।

 

ଶରଦୀ ବୋଉ କହେ, ‘‘ସେକାର ମଣିଷ ଆଉ ଏବକୁ ଦେଖିବାକୁ ମିରିବେ ନାଇଁ ମ ! ବୋହୂ ଦି’ଟା ଘରେ ଶୋଇଥିବେ, ବୁଢ଼ୀ କାରି ଅନ୍ଧାରୁ ଉଠି ଘରଦୁଆର ଲିପିପୋଛି ଏମିତି ନିଚିପଡ଼ କରିଥିବ ଯେ ତଳେ କୁଢ଼େଇ ଭାତ ଖାଇଗଲେ ତୁମକୁ ଅସୁକୁ ଲାଗିବ ନାଇଁ ।’’

 

ସେବତୀ କହେ, ‘‘କ’ଣ ସେତିକି ? ଯେଉଁ ବରଷ ଭାରି ଆମ୍ବ ହୋଇଥିଲା ମ–ଗୋରୁ ଚରିଗଲେ–ସେଇ ବରଷରୁ ପରା ସେ ବୁଢ଼ୀ ଆଚାର କରି ସାଇତିଚି–ଟିକିଏ ଜିଭରେ ମାଇଲେ ପୋଖତୀ ମାଇପର ଦି’ ଦିନରେ ଅରୁଚା ଛାଡ଼ିଯିବ ।’’

 

ବୁଢ଼ୀ କେତେ ଦିଅଁ ଦେବତା ପୂଜି, କେତେ ଓଷା ଉପାସ କରି ଦିଓଟି ବୋଲି ପୁଅ ପାଇଛି–ବରକୁ ଆଉ ଛକଡ଼ି । ହେଲେ ବୁଢ଼ୀ ଦି’ପୁଅଙ୍କର କାହାରି ନାଁ ଧରି ଡାକେ ନାହିଁ । ହଁ–ସେହିଗୁଡ଼ାଏ ମଣିଷ, ତାଙ୍କର ଗୋଟାଏ ନାଁ ହେବ, ଲୋକେ ତାକୁ ଧରି ଡାକିବେ ! ବୁଢ଼ୀ ବଡ଼ପୁଅକୁ ଡାକେ ‘ଶାଶୂଖିଆ’, ସାନକୁ ଡ଼ାକେ ‘ଚଗଲା’ ।

 

ବୁଢ଼ୀ ପୁଅ ଦିହିଙ୍କ ଯେମିତି ଦେଖି ପାରୁଥିଲା, ବୋହୂ ଯୋଡ଼ିଙ୍କୁ ସେମିତି ଦେଖିପାରୁ ନ ଥିଲା–ମାଇପି ଜନମ ଅତି ହୀନଛାକରା ଜନମ–ମାଡ଼ ଖାଇବେ, ଗାଳି ଖାଇବେ, ସବୁ ସହି ପଡ଼ି ରହିବେ–

 

ତାଙ୍କର ପୁଣି ଖାଇବା କ’ଣ, ପିନ୍ଧିବା କ’ଣ ! ମରଦଙ୍କ ପାଇଁ ପିଲାଛୁଆଙ୍କ ପାଇଁ ତ ତାଙ୍କ ଜୀବନ–ସେଇ ତ ତାଙ୍କର ଭଲମନ୍ଦ । ସ୍ତିରୀଜନମର ସୁଖ କ’ଣ ଖୋଜିବା–ଅଏସ କ’ଣ କରିବା !

 

ବୁଢ଼ୀ ତା’ ଦିହକରେ ସେମିତି ଭୋଗି ଆସିଚି । କେତେ ପାପ କଲେ ଯେ ସ୍ତିରୀଜନମ ପାନ୍ତି, ବୁଢ଼ୀ ତାହା ଅନୁମାନ କରିପାରେ ନାହିଁ; ବୋହୂ ଦୁହେଁ କେତେବେଳେ କେମିତି ଥେଣ୍ଟାଥେଣ୍ଟି ଲଗେଇଲେ ବୁଢ଼ୀ କହେ, ‘‘ଆଲୋ ମା’, ସ୍ତିରୀଜନମ ଅତି ପାପୀଜନମ–କଜିଆ କରିବ, ଗୋର କରିବ, ଶେଷକୁ ଘର ଭାଙ୍ଗିବ, ଏଇୟା ତ ? କାହିଁକି ଦେଖିଲ ଭଲା, ସେ ପରା ଦି’ଟା ଭାଇ, କେତେ କଜିଆ କରୁଛନ୍ତି ? ତାଙ୍କର କ’ଣ ଘର ନୁହେଁ, ତମରି ଖାଲି ଘର ?’’

 

ମଝିରେ ମଝିରେ ପଦେ ଅଧେ ନ କହିଲେ, ବୋହୂ ଦି’ଟା ମିଳିମିଶି ଚଳିବେ କିମିତି ? କାହା ବାପଘର କଣ୍ଟାପଡ଼ା ହେଲେ କାହା ବାପଘର ନରଦା; ସେ କ’ଣ ବରଜୁ ଛକଡ଼ିଙ୍କ ପରି ଏକା ପେଟରୁ ବାହାରିଛନ୍ତି ଯେ ୟା କଥା ସେ ବୁଝିବ, ତା କଥା ଏ ବୁଝିବ ?

 

ହେଲେ କ’ଣ ହବ, ବୁଢ଼ୀ ଆଉ ଶାଶୂଙ୍କ ପରି ବୋହୂ ଦି’ଟାଙ୍କୁ ଅନିଭୋଗ ଦେଉ ନ ଥିଲା । ପରଘର ଝୁଅ–ସେ ଖାଇଲେ କି ନାହିଁ, ଲଗେଇଲେ କି ନାହିଁ, ସେକଥା ବୁଢ଼ୀ ଦେଖିବନି ତ ଆଉ କିଏ ? ତା’ବୋଲି ତ ଆଉ ବରଜୁ ଛକଡ଼ିଙ୍କଠଉଁ ସେ ଅଧିକ ନୁହଁନ୍ତି !

 

କଥାରେ ତ ଅଛି, ଆଗ ପୁଅ ପଛେ ଦିଅଁ । ସେଥିପାଇଁ ବରଜୁ ସକାଳୁ ଉଠି ବିଲକୁ ଗଲାବେଳକୁ ଯେବେ ତୋରାଣି ମୁନ୍ଦାଏ ତାକୁ କେହି ବାଢ଼ି ନ ଦେଲା, ଛକଡ଼ି କୁଆଡ଼ୁ ଆସି ଗାଧୋଇ ଯିବା ପାଇଁ ଯେବେ ଦି’ଥର ତେଲ ମାଗିଲା–ତେଲ କାଞ୍ଚୁଲିଟା ତା’ ଆଗରେ କେହି ଥୋଇ ନ ଦେଲା, ତେବେ ବୁଢ଼ୀ ରାଗିଯାଇ କହେ, ‘‘କିଲୋ, ତମେ ଆଉ ମୋର କ’ଣ କରିବ କି-? ତୁମକୁ ଖାଲି ସାଆନ୍ତାଣୀ କରିବାକୁ ମୁଁ ଘରକୁ ଆଣିଚି କି ?’’

 

ଦି’ବୋହୂଙ୍କ ଭିତରେ ସାନ ଉପରେ ବୁଢ଼ୀର ନଜର ଟିକିଏ ବେଶି ଥାଏ । ତା’ର କାରଣ ଆଉ କିଛି ନୁହେଁ–ସେ ଖାଲି ସାନ ବୋଲି । ସଂସାରରେ ଯେ ଛୋଟ, ଯାହାର ବଳ ନାହିଁ, ତାକୁ ଲୋକେ ଟିକିଏ ବେଶୀ ଦୟା କରନ୍ତି । ସେଥିପାଇଁ ସାନବୋହୂ ଗାଧୋଇଲା କି ନାହିଁ, ଖାଇଲା କି ନାହିଁ, ମୁଣ୍ଡ ବାନ୍ଧିଲା କି ନାହିଁ, ହଳଦୀ ଲଗାଇଲା କି ନାହିଁ, ବୁଢ଼ୀ ବିଚାରୀ ସବୁବେଳେ ସେହି କଥା ଦେଖୁଥିବ । ବଡ଼ବୋହୂ ଦିହରେ ଏଗୁଡ଼ାକ ଯାଏ ନାହିଁ; ଚାରିଟି ପିଲାର ମା’ ବୋଲି ଗର୍ବରେ ତା’ ଗୋଡ଼ ତଳେ ଲାଗେ ନାହିଁ । ଶାଶୂ ଶଶୂର ସ୍ୱାମୀ ସମସ୍ତଙ୍କ ପାଖରେ ବେଶି ଗେଲବସର ହେବାକୁ ସେ ଦାବି କରେ । ସେଥିପାଇଁ ଶାଶୂ ଯେତେବେଳେ ସାନବୋହୂକୁ କହେ, ‘‘ଆଲୋ ଆସିବୁଟି, ତୋ ମୁଣ୍ଡଟା ଝୋଟ ପରି ହେଇଚି, ତିନି ଦିନ ହେଲା ତେଲ ଟିକିଏ ବାଜି ନାଇଁ, ବସିବୁଟି ଟିକିଏ କୁଣ୍ଡେଇ ଦିଏଁ,’’ ବଡ଼ବୋହୂ କହେ, ‘‘ମଲା, କ’ଣ ପିଲାଛୁଆ ହେଇଛନ୍ତି କି ଏତିକି ବସି ତାଉତ କରୁଥିବ’’ ।

 

ବୁଢ଼ୀ ହସି ହସି କହେ, ‘‘କିଲୋ ଖଣ୍ଡେଇତୁଣୀର ଝିଅ, ତତେ କ’ଣ କିଛି କରି ନ ଥିଲି, ମନକୁ ପଚାରିଲୁ ?’’

 

‘‘ହଁ, ଆମେ ତ ଗରିବ ଘର ଝୁଅ, ଆମର କାହିଁକି କିଏ କ’ଣ କରିବ ମ ?’’ ଗର ଗର ହୋଇ ବଡ଼ବୋହୂ ନିଜ କାମରେ ମନ ଦିଏ ।

 

ଶାଶୂ କହେ, ‘‘ଆଲୋ ଏଇଟା କେଡ଼େ ଅପନିନ୍ଦୀ ମ–ପିଲା ବୋହୂଟା ଆସିଚି ଯେ ଦିନେ ତ ସେ କ’ଣ ଖାଇଲା, କ’ଣ ଲଗେଇଲା, ପଚାରିବୁ ନାଇଁ–ମୁଣ୍ଡ ତ ତା’ର ଝୋଟ ପରି ଅଡ଼ୁଆ ହୋଇଥିବ ଯେ ଦିନେ କହିବୁ ନାଇଁ–ଆସିବୁଟି ଲୋ, ମୁଣ୍ଡଟା ତୋର ବାନ୍ଧିଦିଏଁ, ଆଉ ଖାଲି କଥା କହିଲା ବେରକୁ ମାଡ଼ି ପଡ଼ୁଚି !’’

 

ନାଗ ସାପ ଲାଞ୍ଜରେ କେଳା ହାତ ମାରିଦେଲେ ସେ ଯେମିତି ଲେଉଟି ଫଣା ଟେକେ, ବଡ଼ବୋହୂ ସେମିତି ଲେଉଟି ପଡ଼ି କହେ, ‘‘କାହିଁକି ମ ! ପିଲାବୋହୂ ! ମୋ’ ହାରା ସୁନାଙ୍କଠଉଁ ପିଲା ? ମନେକରେ ଦୁଧ ଖାଇ ଶିଖୁଥିବ ! ମୋ ପିଲା ତ ଭୋକ ଉପାସରେ ପାଟୁ ପାଟୁ ହଉଥିବ ଯେ, ତାଙ୍କ ପାଇଁ ଦିନେ କେହି ବଢ଼ାଭାତ ଗଣ୍ଡାଏ ରାନ୍ଧିଦିଏ ନାଇଁ, ପଖାର ମୁଠାଏ ଚିପୁଡ଼ି ବାଢ଼ିଦିଏ ନାଇଁ–ମୋର କାଇଁକି ଧାଁ ଧାଁ ପଡ଼ିଚି, ବାର ଲୋକଙ୍କର ହିସମତ କରିବାକୁ ମ ।’’

 

‘‘ଆଲୋ ସାନ ଯା’ଟା ଉପରେ ବାଦ କରୁଚୁ–ତୁ ଯେମିତି ଶିଖାଇବୁ, ସେ ସିନା ସେମିତି ହବ ।’’

 

‘‘ହଁ, ମୋରି କଥା ଶିଖିବାକୁ ତ ଲୋକେ ଚାହିଁ ବସିଛନ୍ତି । କାଇଁକି–ତମେ ଶିଖାଉନା–ତମ କଥା ଭଲା କିଏ କେତେଥର କରି ପକାଉଚି ?’’

 

ଶାଶୂର ରାଗ ହୁଏ–‘‘ମୁଁ ତତେ ଶିଖେଇ ଶିଖେଇ କଅଣ ହେଇ ପଡ଼ିଲା, ଆଉ ତାକୁ ଶିଖେଇ ହବ କଅଣ ମ ? ତମ ଇଚ୍ଛା ଯାହା, ତାହା କର–ମୋ ବାଡ଼ିରେ ଶାଗପଟାରି ଅଛି, ସଜନା ଗଛ ଅଛି–ମତେ କିଛି କରିବାକୁ ମୁଁ କହୁନାଇଁ ମୋ ମା’ ।’’

 

ଶାଗପଟାଳି ଖଣ୍ଡି ବୁଢ଼ୀର ସଞ୍ଜସକାଳର ପୁରାଣପୋଥି- ଯେତେବେଳେ ଦେଖିବ, ମୁଣ୍ଡା ଦା’ଟାଏ ଧରି ସେ ସେହି ଶାଗପଟାଳିରେ କୁଜୀ ହୋଇ ବସି ଶାଗ କାଟୁଥିବ । ନାତିନାତୁଣୀଙ୍କୁ ଧରି ଗପ କହିବା, ଦି’ ବୋହୂଙ୍କ ଉପରେ ମୁରବିପଣିଆ କରିବା, ଆଉ ଶାଗ କାଟିବା ଛଡ଼ା ବୁଢ଼ୀର ସଂସାରରେ ଅଧିକା କିଛି କାମ ନ ଥିଲା ।

 

ତେବେ, ବୁଢ଼ୀର ମୁରବିପଣିଆଟା ବହୁତ ପରିମାଣରେ ବଡ଼ବୋହୂ ହାତକୁ ଆସିଛି । ସେ ଘରର ଗଲାଅଇଲା ସବୁ ବୁଝେ । ମୁରବିପଣିଆଟା ବେଶି ଜାରି କରେ ସାନ ଯା’ ଉପରେ । ସାନବୋହୂ ଶାଶୂକୁ କଥା କହେ ନାହିଁ–ଚୁଁ ମାରେ । ସବୁ କଥା ସେ ତୁନି ତୁନି ଶୁଣେ ।

 

ଗୋରୁ ଗାଈ, ଆଉ ଆଉ ଜୀବଜନ୍ତୁ କଥା କହିପାରନ୍ତି ନାହିଁ । ବୋବା ମଣିଷ ମଧ୍ୟ କଥା କହିପାରେ ନାହିଁ । ସେଥିପାଇଁ ଲୋକେ ବିଚାରନ୍ତି, ସେ କିଛି ବୁଝେ ନାହିଁ । କାରଣ ଅକାରଣରେ ତାକୁ କେତେ ମାଡ଼ ସହିବାକୁ ହୁଏ, କେବେ ସେ ଅନ୍ୟାୟରେ ପାଟି ଫିଟାଇ ପାରେ ନାହିଁ । ସାନବୋହୂ ବିଚାରୀର ଅବସ୍ଥା ସେମିତି । ସେ ସବୁ ତୁନି ହୋଇ ଶୁଣେ, କିନ୍ତୁ ମୁହଁ ଫିଟାଇବାର ଉପାୟ ନାହିଁ । ତାହା ପାଇଁ କେତେବେଳେ କିମିତି କହିଲେ କହେ ଶାଶୂବୁଢ଼ୀ । ଯେତେହେଲେ ତ ବୁଢ଼ୀ ମଣିଷ, ଘରକଥା ଆଉ କେତେ ବୁଝିସୁଝି ପାରିବ ? ତେବେ, ଘର ତ ତା’ର । ବୋହୂ ଦି’ଟାଙ୍କ ପାଇଁ ସେ ଘରଟା କେବେ ଅବା ଭାଙ୍ଗିଯିବ ବୋଲି ବୁଢ଼ୀ ମନଟା ମଝିରେ ମଝିରେ ଖରାପ ହୁଏ ।

Image

 

ପରିଚ୍ଛେଦ ଦୁଇ

 

‘‘ସକାର ପହରୁ ଧାନ ଗଣ୍ଡାଏ ଖରାରେ ପଡ଼ିଚି ଯେ, ଟିକିଏ ଲେଉଟେଇ ଦେବାକୁ କାହା ହାତ ଚରୁନି କି ଗୋଡ଼ କରୁନି । କାଇଁକି ମ–ମୁଁ କଅଣ ଏକା ଖାଇ ଯାଉଚି କି–ଆଉ କାହାରି ମୁହଁକୁ ଭାତ ରୁଚୁ ନାହିଁ !’’

 

‘‘ଛିଆ ଲୋ, ସବୁବେରେ ଖାଲି ସେଇ ଭାଗବଣ୍ଟରା, ସବୁବେଳେ ଖାଲି ଘରଭଙ୍ଗା କଥା-।’’

 

‘‘ହଁ, ତମର ଆଉ କଅଣ ବୁଝାମଣା କି ? ମୁଇଁ ଧାନ ଉଷେଇଁବି, ମୁଇଁ ଧାନ କୁଟିବି, ମୁଇଁ ତ ପୁରି ଘର ଭାଙ୍ଗିବି । ସବୁ ଦୋଷ ତ ମୋରି । ଆଉମାନେ ତ ଗୋଟିପଣେ ତୁରସୀ ।’’

 

ଆଉମାନେ କେହି ନୁହନ୍ତି, ସାନବୋହୂ । ସେ ସର୍ବରାକାରର ଝିଅ–ଗୋଟିଏ ବୋଲି ଝିଅ–ଟିକିଏ ଗେଲବସରିଆ ହୋଇ ବଢ଼ିଚି । ଶାଶୂଘରକୁ ଆସିଲାବେଳେ ଯେତେ ଜିନିଷ ଆଣିଥିଲା, ସାଇ ପଡ଼ିଶା ସମସ୍ତେ ଦେଖି ଆଖି ଖୋଷି ଦେଲେ । ଝିଅମାନେ ବାପଘର ଉପରେ ରାଗିଲେ । ବୋହୂମାନେ ମନେ ମନେ ବଡ଼ ଲାଜ ପାଇଲେ । ଶାଶୂଯାକ ବୋହୂଙ୍କୁ ଆକଟ କଲାବେଳେ ତା’ରି କଥାକୁ ଉଲୁଗୁଣା ଦେଇ କହିଲେ, ‘‘କିଲୋ ନିଅଁଶୀଘର ଝୁଅ–କ’ଣ ପଧାନଘର ବୋହୂପରି ଖଡ଼ୁ ବଳା ପାହୁଡ଼ ନୋଥ ଅଳକା ଆଣି ମୋ ଘରାଯାକ ଭରତି କରିଦେଇଚୁ କି, ଏଡ଼େ ବଡ଼େଇ କରିବୁ ?’’

 

ସାନବୋହୂକୁ କିଛି ଗୋଟାଏ ବୋଲ ନ ବତେଇଲେ ସେ ଆବୁରିପଡ଼ି କରିପାରେ ନାହିଁ, ସମସ୍ତଙ୍କୁ ଲୁଚି ଲୁଚି ଚଳେ । ନୂଆ ହୋଇ ଆସିଚି । ଶାଶୂ ଶଶୂର ଅଛନ୍ତି–କେମିତି ପଦାକୁ ବାହାରିବ, କେମିତି କାହାକୁ କଥା କହିବ ?

 

ଶାଶୂ ଆଉ ବଡ଼ବୋହୂର କଥାରେ କଥା କହେ ନାହିଁ । ତାକୁ ଫେର୍‌ କଥାରେ ବଳିଯିବ କିଏ ? ପୁଣି ତ ଗୋଟାଏ ବିଚାର ଅଛି ? ସତକୁ ସତ, ସେ ଗୋଟାଏ ମଣିଷ–ସବୁ କରୁଛି । ଏ ଖାଲି ନୂଆବୋହୂ ହୋଇ ବସିଛି । କୁଟା ଖଣ୍ଡକୁ ଦି’ଖଣ୍ଡ କରୁ ନାହିଁ ।

 

ଶାଶୂ ଡାକିଲା, ‘‘ଆସିବୁଟି ଲୋ ନେତି, ହାରାକୁ ମୁଁ ହରଦୀ ଲଗେଇ ଦେଉଚି, ତୁ ଟିକିଏ ଧାନରେ ଗୋଡ଼ ମାରିଦେଇ ଯିବୁଟି ।’’

 

ବଡ଼ବୋହୂ ମୁରୁକି ହସି ଧୀରେ ଧୀରେ ଶାଶୂକୁ କହିଲା, ‘‘ଆଉ ଟିକିଏ ଅନଁରେଇ କରି ଡାକ ମ ?’’

 

ସାନବୋହୂର ନାଁ ନେତ୍ରମଣି । ନେତ୍ରମଣି ଆସି ମୁହଁଟାକୁ ବୋଝେ ଭାରୀ କରିଦେଇ ଧାନ ଘାଣ୍ଟିଦେଲା । ଶାଶୂ ଆଗୁଟାରେ ଆଉ କହିବ କ’ଣ ? ଶାଶୂ ନାତୁଣୀକି ହଳଦୀ ଲଗେଇ ଦେଇସାରି ବାଡ଼ିଆଡ଼କୁ ଗଲାରୁ ଦେଖେଇ ଦେଖେଇ କହିଲା, ‘‘ମଲାରେ, କେତେ ବିଚାର ମୋ ନାଁରେ ପଡ଼ୁଛି । କାହିଁକି ମ, ମୁଁ କ’ଣ କାହାର ଖାଏ ନା ଧାରେ ? ମୋରି ଉପରେ ଚଟୁ ଚଲେଇାକୁ ସମସ୍ତେ ସବୁବେରେ ଚାହିଁ ବସିଛନ୍ତି । କିଆଁ ମ-’’

 

ବଡ଼ବୋହୂ ତରବର ହୋଇ ଶାଶୂକୁ ଯାଇ ଡାକି ଆଣିଲା, ‘‘ଆସିବଟି, ତମ ଗୁଣର ବୋହୂପରା ମାଛିକି ମ ବୋଲି କହେନାଇଁ !’’

 

ଶାଶୂ ଆସି ସାନବୋହୂକୁ ଆକଟ କରି କହିଲା, ‘‘ତୁନି ହ, ତୁନି ହ, ବଡ଼ ଯା ସେ, ତା’ କଥାରେ କଥା କହନ୍ତି ?’’

 

ସାନବୋହୂ ତୁନି ହୋଇଗଲା, ଯେତେହେଲେ ତ ଶାଶୂ ଶଶୂରର ଘର; ଲୋକେ କହିବେ ବୋହୂ ଆସିବାର ବରଷେ ହୋଇନି, ଗୁଣ ଶୁଣିବ କ’ଣ ?

 

ସାନବୋହୂ ସେଠାରେ ସିନା ତୁନି ହୋଇଗଲା; କିନ୍ତୁ ଛକଡ଼ି ଆଗରେ ଆସି ଜିରାରୁ ଶିରା କାଢ଼ି ଗୋଟି ଗୋଟି ସବୁ କଥା କହିଲା । ସେଥିରେ ନିଜର ବି ପଦେ ଅଧେ ମିଶାଇ ଦେଲା । ନିଆଁଟା ଭିତରେ କୁହୁଳି ଦିନେ ହେଲେ ତ ଫୁଟି ବାହାରି ପଡ଼ିବ । କେତେଦିନ ତାକୁ ଚପେଇ ରଖିବ ?

 

ଛକଡ଼ି ଟୋକାଟା କାନ୍ଧରେ ପାକଲା ଗାମୁଛା ପକେଇ କାନରେ ଦକ୍ଷିଣୀ ନୋଳି ପିନ୍ଧି ଓ ଦାନ୍ତରେ ସୁନାଖିଲ ମାରି ଗାଁଯାକ ବୁଲେ । କାଖରେ ରୁପାଭୁଣ୍ଡିର ବଟୁଆ ଯାକି, ଧଳା କମିଜ ଉପରେ କଳା ଉଆସ କୋଟ ଖଣ୍ଡେ ଲଗାଇ କଲିକତା ଫେରନ୍ତି ଗାଁର ସାଙ୍ଗମାନଙ୍କ ସାଥିରେ ଯାତ୍ରା ମେଳଣ ଦେଖେ । ଠିକ୍ ଖାଇବାବେଳକୁ ଘରେ ପହଞ୍ଚି ଭାତ ମାଗେ- ଡେରି ହେଲେ ହାଣ୍ଡି କୁଣ୍ଢେଇ ପିଟେ । ବୁଢ଼ା ଶାମ ପଧାନ ଭାବେ, ‘‘ଚଗଲା ଟୋକାଟା, କାନ୍ଧରେ ଜୁଆଳୀ ପଡ଼ିଲେ ବଳେ ମଣ ହୋଇଯିବ ।’’ ଦାଣ୍ଡ ଦୁଆରେ ତା’ ପାଟି ଶୁଣିଲେ ବୁଢ଼ୀ ବୋହୂମାନଙ୍କୁ ସାବଧାନ କରିଦିଏ–‘‘ଆଲୋ, ସେ ଚଗଲା ଆଇଲାଣି । ବେଗ ବେଗ କରି ତା’ ପାଇଁ କ’ଣ ଦି’ଟା ସନ୍ତୁରି ଦିଅ-। ନଇଲେ କ’ଣ ବୋଲି କ’ଣ କରିବ ।’’

 

ସେ ଦିନ ସୁନାଯୋଡ଼ି ମେଲଣ–ବଡ଼ ମେଲଣ । ଛକଡ଼ି ପିସା ଖେଳି, ଘୋଡ଼ାଚକ୍ରରେ ବୁଲି, ରାମଲୀଳା ଦେଖି ଫେରିଲା ଯାଇ ରାତି ଅଧକୁ । ପଧାନ ଘର ପିଲାଗୁଡ଼ାକ ଆଉ ଦିନ ହୋଇଥିଲେ ସଞ୍ଜ ବୁଡ଼ୁ ବୁଡ଼ୁ ଶୋଇ ସାରେନ୍ତେଣି । ଆଜି ଚାହିଁ ବସିଛନ୍ତି–ଦାଦି ଯାତରୁ କ’ଣ ଆଣିବ ! ଖାଲି ସବାସାନ ପୁଅଟି ଶୋଇ ପଡ଼ିଛି । ତେବେ, ଶୋଇବା ଆଗରୁ ମା’ ଭଉଣୀମାନଙ୍କୁ ତାଗଦା କରିଦେଇଛି, ଦାଦି ପହଞ୍ଚିଲେ ତାକୁ ଯେମିତି ସାଙ୍ଗେ ସାଙ୍ଗେ ଉଠାଇ ଦିଆଯାଏ । ବୁଢ଼ା, ବଡ଼ପୁଅ ଖାଇସାରି ଖୋଇଲେଣି । ବୁଢ଼ୀ ଚାହିଁ ବସିଛି, ସାନପୁଅ ଆସିଲେ ଖାଇବ । ବୋହୂ ଦି’ଟା ଆଉ କ’ଣ ଶାଶୂ ନ ଖାଉଣୁ ଖାଇବେ ? ସେ ବି ଉପାସରେ ପଡ଼ିଛନ୍ତି । ସୁନା, ହାରା ବସି ବୁଢ଼ୀମା’ଠଉଁ ଗପ ଶୁଣୁଛନ୍ତି–

 

‘‘ଟୁବି ଗଡ଼ିଆରେ ଟୁବି ଗଡ଼ିଆ

ଟୁବି ଗଡ଼ିଆର ପାଣି

ଛ’ ଦେଢ଼ଶୁରେ ଛଅ ସାଆନ୍ତ

ଛଅ ଯାଆ ସାଆନ୍ତାଣୀ ।

ମୋ ପ୍ରହୁ ହୋଇବେ କନକ ରଜା-’’

 

‘‘ବୋଉ–ହେ ବୋଉ !’’ ଦାଣ୍ଡଦୁଆରେ ଛକଡ଼ିର ଡାକ ଶୁଣାଗଲା । ‘‘ଆଲୋ ଆଲୋ, ଚଗଲା ଆଇଲାଣି ଲୋ’’ କହି ବୁଢ଼ୀ ଧଡ଼ପଡ଼ କବାଟ ଫିଟାଇ ଦେବାକୁ ଗଲା । ହାରା, ସୁନା, ଦାଦି କ’ଣ ଆଣିଛି ବୋଲି ବୁଢ଼ୀ ପଛେ ପଛେ ଧାଇଁଲେ । ସବା ସାନ ଭଉଣୀ ଭାଇକି ଉଠେଇ ଦେବାକୁ ଗଲା ।

 

ଛକଡ଼ି କୋରାଖଇ, ପାନଗୁଆ, ଆଳୁ ପିଆଜ, ଜହ୍ନି ଭେଣ୍ଡି କେତେ ସଉଦା ଘେନି ଆସିଛି । ବୁଢ଼ୀ ଆଗ ପିଲାଙ୍କ ହାତରେ ଗଣ୍ଡେ ଗଣ୍ଡେ କୋରାଖଇ ଧରେଇ ଦେଲା; କିନ୍ତୁ ସେତିକିରେ ଛୁଆଙ୍କ ମନ କୋଉଠି ବୋଧ ହୁଏ ? ସମସ୍ତେ ଜଳ ଜଳ କରି ଚାହିଁଛନ୍ତି, ଦାଦି ଆଉ କ’ଣ ଆଣିଛି । ସାନ ପୁତୁରା ବି ନିଦରୁ ଉଠି ଆଖି ମଳି ଆସି ଦାଦି ପାଖରେ ଘଷି ହୋଇ ବସିଲାଣି ।

 

ଦାଦି ମୁରବିପଣିଆ ଦେଖେଇ କହିଲେ–‘‘କିରେ ପିଲେ, କୋରାଖଇ ତ ଖାଇଲ, ଆଉ କାହିଁକି ଚାହିଁଚ ? ଯାଅ, ଶୋଇବ ଯାଅ ।’’ ଯେତେହେଲେ ପିଲାଏ ଛାଡ଼ନ୍ତି କେତେକେ ? ସେ ଜାଣନ୍ତି ଦାଦି ନିଶ୍ଚେ ହେଲେ କିଛି କୁଣ୍ଢେଇ ଖେଳନା ଆଣିଥିବ । ତେବେ କେହି ଆଉ ମୁହଁ ଫିଟାଇ ସେକଥା କହୁ ନାହିଁ ।

 

ଏତିକିବେଳେ ଦାଦିଙ୍କ ପକେଟରୁ ନାଲି ହୋଇ ଗୋଟିଏ କ’ଣ ବାହାରିଲା । ଚାରୋଟି ଲୋଭପୂର୍ଣ୍ଣ ଆଖି ଦାଦିଙ୍କ ହାତ ଭିତରର ସେଇ ଜିନିଷଟି ଉପରେ ପଡ଼ିଲା । ଦାଦି ଆଣି ଆଲୁଅରେ ତାକୁ ଧରିଲେ । ଛୋଟ କୁଣ୍ଢେଇଟିଏ, ହଂସ ପରି ଦିଶୁଛି; ଆରେ ଏ ଫେର୍‌ କ’ଣ ମ–ଚିପି ଦେଲାକ୍ଷଣି କୁଁ କୁଁ ବୋବାଉଛି ! ଦାଦି ଯେତେବେଳେ ‘‘କିଏ ନେବ ?’’ କହି କୁଣ୍ଢେଇଟିକୁ ଉପରକୁ ଟେକି ଧରିଲେ, ଚାରିଟି ପିଲାଙ୍କ ଆଠଟି ହାତ ଏକା ସାଙ୍ଗରେ ଲମ୍ୱ ହୋଇ ଆସିଲା, ଚାରିଟି ମୁହଁରୁ ଏକାବେଳେ କଥା ବାହାରିଲା, ‘‘ଦାଦି ମତେ, ଦାଦି ମତେ ।’’ କିନ୍ତୁ ସେଇଟି ଦିଆଗଲା ସବା ସାନ ପୁତୁରାକୁ । ତା’ପରେ ଗୋଟି ଗୋଟି ହୋଇ ବୋକଚା ଓ ପକେଟରୁ ବାହାରି ଆସିଲା–ବେଙ୍ଗି ବାଇଦ, ସପ୍ତସ୍ୱର, ପେଁକାଳି ।

 

କିଏ କାନ୍ଦିଲା ବାଇଦ ପାଇଁ, କିଏ କୁଣ୍ଢେଇ ପାଇଁ–ଏହି କାନ୍ଦ ଭିତରେ ପୁଣି କିଏ ବଜାଇଲା ପେଁକାଳି । ଘର ଗୋଟାକ ଫାଟି ପଡ଼ିଲା ।

 

ଶାମ ପଧାନ ବୁଢ଼ାର ନିଦ ଭାଙ୍ଗିଗଲା । ବିରକ୍ତ ହୋଇ ସେ କହିଲା, ‘‘ଘର ଭିତରେ ପାଦ ଦେଲା କି ନ ଦେଲା, ପିଲାଗୁଡ଼ାଙ୍କୁ ଧରି ଆଗେ କେଁ କଟର ଲଗାଇଲା । ଯା, କାଳିମାଟି ଯିବୁ କି କଲିକତା ଯିବୁ, କୁଆଡ଼େ ଯିବୁ ଯା । ଇଏ କାଳିମାଟି ଯିବ, କଲିକତା ଯିବ- ରୋଜଗାର କରି ମତେ ପୋଷିବ !’’

 

ଛକଡ଼ି ବିଚରା କଲିକତିଆଙ୍କ ଟେରିକଟା ମୁଣ୍ଡ ଦେଖି, ଲୁହା ବାକ୍‌ସ ଲଟକ’ଣ ଦେଖି, ବିଦେଶ ଯିବାକୁ ବାପକୁ କେତେଥର କହିଛି । ବାପ କହେ, ‘‘କାହିଁକିରେ, ଗାଁ ମାଟି କ’ଣ ଗନ୍ଧେଇଲାଣି କି ? ବାପ ତେଲ ବିନେ ଲଣ୍ଡା ନା, ପୁଅ ବୁଲେଇ ବେଣ୍ଟି ରଖୁଚି ! ବାପ ଅଜା ସାତ ପୁରୁଷ ତ ଏଇଥିରେ ଗଲେଣି । ଆଉ ତୁ ବାକି ଗୁଡ଼ାଏ ବେଶି ରୋଜଗାର କରି ପଥରଚାନ୍ଦିନୀ କରିବୁ !’’ ଛକଡ଼ିର କିଛି କୁଆଡ଼ୁ ଦୋଷ ଦେଖିଲେ, ବାପ ସେହି କଥା ତା’ର ମନେ ପକାଇ ଦିଏ ।

 

ଖାଇସାରି ଛକଡ଼ି ଶୋଇବା ଘରକୁ ଗଲା । ଛୋଟ ଶୋଇବା ଘରଟିଏ । ସେଥିରୁ ପୁଣି ଅଧକରେ ପୁଞ୍ଜାଏ ବଡ଼ ବଡ଼ କୋଳଥ ଥୁଆ ହୋଇଛି । ଖଟ ଖଣ୍ଡେ ବି ନାହିଁ । ତଳେ ହେଁସଟାଏ ପାରି ତା’ ଉପରେ ଚିରା କନ୍ଥା ଖଣ୍ଡେ ଦି’ଖଣ୍ଡରେ ଶେଯ ତିଆରି ହୋଇଛି । ଛୋଟ କାନ୍ଥକୁରାଟିରେ ପୁନାଗ ତେଲର ଦୀପଟାଏ ଜଳୁଛି–ତାହା ତଳଟି ତେଲ ଚିକିଟା, ଉପରଟି ଦୀପଶିଖାରେ କଳା । ଚାଳରେ ଝୁଲୁଛି ଦୁଇଟା ଧାନମେଣ୍ଟା, ତା’ ଉପରେ ଛୋଟ ଛୋଟ ଧାନପୋକ ଉଡ଼ୁଛନ୍ତି । ଗୋଟିଏ ପାଖରେ ଦି’ଟି ଶିକା ଟଙ୍ଗା ହୋଇଛି । ଦି’ଶିକାରେ ଯୋଡ଼ିଏ ହାଣ୍ଡି, ହାଣ୍ଡି ଉପରେ ପଲମ ଗୋଟିଏ ଗୋଟିଏ । ଗୋଟିଏ ହାଣ୍ଡିରେ ପଧାନ ଘରଣୀ ଆମ୍ୱୁଲଗୁଡ଼ିଏ ସାଇତିଛି, ଆର ହାଣ୍ଡିରେ ଗମରା ସୋରିଷ ପୁଞ୍ଜିଏ । ତଳେ ବେତର ଗୋଟିଏ ପେଡ଼ି, ଗୋଟାଏ ପେଟରା, ଖଣ୍ଡେ ଆମ୍ୱପଟାର ଭାଡ଼ି ଉପରେ ଥୁଆ ହୋଇଛି । ପାନରେ ଚୂନ ଲଗାଇଯାଇ ପେଟରା ଉପରେ ହାତ ପୋଛାଯାଏ । ସେଥିପାଇଁ ଚୂନରେ ପେଟରା ଉପରଟା ଠାଏ ଠାଏ ଧଳା ହୋଇ ଯାଇଛି ।

 

କାନ୍ଥ କ’ଣରେ ବୁଢ଼ିଆଣୀ ଜାଲ ବାନ୍ଧିଛି । ଉପରେ ଦି’ଟା ଚେମିଣି ଚଢ଼େଇ ଫର ଫର ହୋଇ ଭିତରୁ ବାହାରକୁ, ବାହାରୁ ଭିତରକୁ ଉଡ଼ି ମଶା ପୋକ ଖାଉଛନ୍ତି । ଓଳିଆ ତଳେ ମୂଷା କର୍‌ର କର୍‌ର କରି ମାଟି ଖୋଳୁଚି । ମୋଟ ଉପରେ ଦେଖିବାକୁ ଗଲେ ଘର ଗୋଟାକ ଖାଲି ଜିନିଷପତ୍ର, ଜନ୍ତୁଜୁନ୍ତାଙ୍କର । ମଣିଷକୁ ଦୟାକରି ସେମାନେ ଯେମିତି ସେଥିରୁ ଚାରିହାତ ଛାଡ଼ି ଦେଇଛନ୍ତି । ଛକଡ଼ିର ଶୋଇବା ଘର ଯାହା, ବରଜୁର ଓ ବୁଢ଼ା ପଧାନର ସେଥିରୁ ଆହୁରି ଖରାପ । ଛକଡ଼ି ଘରେ ତ ହେଲେ ରାଧାକୃଷ୍ଣ ଫଟ ଦି’ଖଣ୍ଡ ଟଙ୍ଗା ହୋଇଛି । ତାଙ୍କ ଘରେ ସବୁ କେଉଁ କ’ଣରେ ମୂଷାମାଟି ତ କେଉଁ କ’ଣରେ ଚେମିଣିନଣ୍ଡି । ସେସବୁ ରୋଜିନା ଯେମିତି ଜମା ହୁଏ, ସେମିତି ବି ସଫା ହୁଏ ।

 

ଛକଡ଼ି ବିଚାରର କପାଳକୁ ଏମିତି ଘର ମିଳିଛି । କଅଣ କରିବ ? ବଖରାଏ ଭଲକରି ଘର କରିବାକୁ ତା’ର ଉପାୟ କାହିଁ ? ଘରର ସବୁ ଆୟ ବ୍ୟୟ ତ ବାପ ଭାଇଙ୍କ ହାତରେ, ତାକୁ ପଚାରୁଛି କିଏ ? ଭଲ କରି ଖଣ୍ଡେ ଲଟକ’ଣ ସେ କରିପାରିଲା, ନା ବାକ୍‌ସ ଖଣ୍ଡେ କରିପାରିଲା । ବାପ ବୁଢ଼ା ତ ସବୁକଥା ଭାଙ୍ଗିଲା–ବିଦେଶ କରିବ ନାହିଁ କି ପରଦୁଆରେ ଚାକିରି କରିବ ନାହିଁ । ଭାଇ ବି ତା’ ଆଡ଼କୁ ପଦେ କହିଲା ନାହିଁ । ମନେ ମନେ ଛକଡ଼ିର ବାପ ଭାଇଙ୍କ ଉପରେ ଭାରି ରାଗ ହେଲା ।

 

ବଳା ପାହୁଡ଼ ଝମଝମ କରି ଛକଡ଼ିର ଘରଣୀ ନେତ୍ରମଣି ଘରକାମ ସାରି ଶୋଇବା ଘରକୁ ଆସିଲା । ଛକଡ଼ିକି ଚାହିଁଲା ନାହିଁ କି କିଛି କହିଲା ନାହିଁ । କବାଟ ପାଖରେ କାନିଟି ପାରି ଶୋଇ ପଡ଼ିଲା । ଛକଡ଼ି ବୁଝିଲା, ଆଜି ଗୋଟାଏ କ’ଣ କଜିଆଗୋଳ ହେଇଚି ।

 

ସେ ମୁରୁକି ହସି ପଚାରିଲା ‘‘କି ହୋ, ଆଜି କ’ଣ ହେଲା କି ?’’

 

ଘରଣୀ ଜବାବ ଦେଲା ନାହିଁ । ଛକଡ଼ି ସ୍ତ୍ରୀର ହାତ ଧରି ଉଠାଇବାକୁ ଗଲା । ଘରଣୀ ହାତ ଛିଞ୍ଚାଡ଼ି ଦେଇ କହିଲା, ‘‘ଯା ଭାରି, ସେ ଶୁଖିଲା ସୁଆଗଗୁଡ଼ାକ ତୋ ଭାଇ ଭାଉଜ ଝିଆରୀ ପୁତୁରାକୁ ଦେଖେଇବୁ ।’’

 

‘‘ଆରେ କଥା ନାଇଁ, ବାରତା ନାଇଁ–ଏମିତି ଗୁଡ଼ାଏ ହେଲେ କ’ଣ ହବ ?’’

 

‘‘କ’ଣ କଥା କହିବି ବା–ଧାନଗଣ୍ଡାଏ ଶୁଖେଇ ଦେବାକୁ ହାତ ଛିଡ଼ିପଡ଼ିଚି, ଗୋର ଛିଡ଼ିପଡ଼ିଚି, ପୋଡ଼ିଯାଉଚନ୍ତି, ଜରି ଯାଉଚନ୍ତି- କାଇଁକି ମ ? କୋଉ ରାଣ୍ଡୀର ମୁଁ କ’ଣ ଖାଏ ନା ଧାରେ ? ନିଆଁ ଲାଗିଯିବାକୁ ମତେ କାଇଁକି ସମସ୍ତେ କହିବେ ମ ?’’

 

‘‘କାଇଁକି, ତୁ ସେମିତି କହୁନୁ !’’

 

‘‘ମୁଁ କ’ଣ କହିବି ମ । ମୁଁ କହିଲେ ତ ବଉଁଶଯାକ ଖାଇ ଗୋଡ଼ାଇବ । ତତେ ଯେବେ କିଛି କହି ନ ଆସେ; ତେବେ ହାତଧରି ବାହା ଦେଇଥିଲୁ କିଆଁ ?’’

 

ଛକଡ଼ି ଅଛୁତପୁରିୟା ଗୁଆକାତି ଖଣ୍ଡକରେ ଠକ ଠକ କରି ଗୁଆ ଭାଙ୍ଗୁ ଭାଙ୍ଗୁ କଅଁଳ କରି କହିଲା, ‘‘ଆଲୋ, ସେଉଟା କିଏ–ଭୋଇଆଣୀ ନା ଭଣ୍ଡାରୁଣୀ ? ଏ ଘର କ’ଣ ତା’ର ? ସେ ଯେମିତି ଗୋଟାଏ, ତୁ ବି ସେମିତି ଗୋଟାଏ–ତତେ କହିବାକୁ ସେ କିଏ ?’’

 

ସାନବୋହୂ ମୁହଁ ମୋଡ଼ିଦେଇ କହିଲା, ‘‘ଆଖିରେ ପକେଇ ନାକରେ ଶୁଙ୍ଘି ଶେଷକୁ ହେଲା ସଇନ୍ଧବ ଲୁଣ- ଶୁଣିଲୁ ତ ସେ ବାରଅନା କରି କହୁଚି, ଫେର୍‌ ଆଉ ପଚାରୁଚୁ କ’ଣ ?’’

 

‘‘ଆରେ, ତୁ ଆଗ ପଦକୁ ପଦେ ଜବାବ ଦେ–ତେଣିକି ଆମେ ସବୁ ବୁଝିବା ନି ?’’

 

‘‘ହଁ, ତୁ ତ ଖାଲି ବୁଝିପକେଇବାକୁ ଖମ୍ୱଆରୁ । ଏତେ କରି ପରା କହିଥିଲି, ତୁ ତା’ ପିଲାଙ୍କୁ ଛୁଇଁବୁ ନାଇଁ ବୋଲି–’’

 

‘‘କିଲୋ, ବୁଢ଼ା ପରା ପଇସା ଦେଇଥିଲା ତାଙ୍କ ପାଇଁ କଣ୍ଢେଇ କୋରା ଖଇ ଆଣିବାକୁ-! ମୁଁ କ’ଣ ହାତରୁ ଦେବାକୁ ଯାନ୍ତି ।’’

 

‘‘କାଇଁକି ମ–ଗାଁ ଭିତରୁ ଆଉ କ’ଣ କେହି ଯାତରା ଦେଖିବାକୁ ଯାଉ ନ ଥିଲେ କି ?’’

 

‘‘ଆରେ, ଘର ଭିତରୁ ଯେତେବେଳେ ଜଣେ ଯାଉଚି, ପର ହାତରେ କିଏ ପଇସା ଦିଏ-?’’

 

ଛକଡ଼ି ନିର୍ବିକାର ଚିତ୍ତରେ ଏ ମିଛ କଥାଗୁଡ଼ାକ କହି ଚାଲିଗଲା । ମାଇପିଲୋକ, ମିଛ ନ କହିଲେ ସେ କ’ଣ ବୁଝିବ ? ଭାଇ ଭାଉଜ ସିନା ଭଗାରି–ପିଲାଗୁଡ଼ାକ କି ଦୋଷ କରିଛନ୍ତି ? ଛକଡ଼ି ବିଚରା କ’ଣ କରିବ, ଯେତେ ପର ବୋଲି ସେ ତାଙ୍କୁ ବିଚାରିଲେ ବି କେଜାଣି କାହିଁକି, ମନଟା ତାର ପିଲାଗୁଡ଼ାକ ପାଇଁ ଛଟପଟ ହୁଏ । ସେଥିପାଇଁ ଘରଣୀକୁ ନୁଚେଇ ନୁଚେଇ ତାଙ୍କୁ ଟିକିଏ ଗେଲ କରିଦିଏ, କାଖେଇ ପକାଏ–କୋରାଟିଏ କି କଣ୍ଢେଇଟାଏ କିଣି ଆଣେ–ନୁଚେଇ ନୁଚେଇ ତାଙ୍କ ହାତରେ ଦିଏ । ସାବଧାନ କରି ଦିଏ–ଖୁଡ଼ୀ ଆଗରେ କହିଲେ ଆଉ ଦିନେ ଦେବି ନାହିଁଟି !

Image

 

ପରିଚ୍ଛେଦ ତିନି

 

ଜୀବନ... ମରଣ । ଜାଗରଣ... ସ୍ୱପ୍ନ । ଦୁଇ ଦୁଇଟା ଅଲଗା ଅଲଗା ଜଗତ । ତେବେ ଦୁଇଟା ଭିତରେ ଫାଁକ୍‌ ନାହିଁ–ପାଖ ପାଖ ଲାଗି ରହିଛି । ମଣିଷ କରାମତ ଦେଖାଏ, କାଟଣ ହୁଏ ଗୋଟାକ ଉପରେ–ଆରଟା ବେଳକୁ ବୁଦ୍ଧି ଦିଶେ ନାହିଁ । ଘର ସଂସାର ସ୍ତିରୀ ପିଲା ଝିଲା ସମସ୍ତଙ୍କୁ ଛାଡ଼ି ମଣିଷକୁ ଜୀବନକୁ ମରଣକୁ ଯିବାକୁ ହୁଏ । ତଲବ ! କାହାର ସାଧ୍ୟ ଏଡ଼ିଦେବ ? ମଣିଷ ? ଇସ୍‌, ଦି’କଡ଼ାର ପ୍ରାଣୀ !

 

ବରଜୁ ପଧାନ ଘରକୁ ଆଜି ସେହି ତଲବ ଆସିଛି–ପହିଲେ ବୁଢ଼ୀ ଉପରେ । ଭଲ କଥା–ପୁରୁଣା ପୁଣି ନୂଆ ହେବ, ପାକଲା ବାଳ କଳା ହେବ, ପଡ଼ି ରହିବ କାହିଁକି ? ଦି’ ବୋହୂ ଗୋଡ଼ ଆଉଁସି ଦେଉଛନ୍ତି, ନାତି ନାତୁଣୀ ମୁଣ୍ଡ ଆଉଁସି ଦେଉଛନ୍ତି–ଛକଡ଼ି ବସି ଭାଗବତ ବୋଲୁଛି-

 

ଦୀପ ମିଞ୍ଜି ମିଞ୍ଜି ଜଳୁଛି । ଘର ଭିତରଟିର ଅଧାଅଧି ଆଲୁଅ, ବାକିତକ ଅନ୍ଧାର । ଜୀବନର ଦୀପ–ତେଲ ସରିଗଲେ ସେ ବି ଏହିପରି ମିଞ୍ଜ ମିଞ୍ଜି ଜଳେ ।

 

ଦୀପ ଦପ ଦପ ହୋଇ ଉଠିଲା–ଘରଟି ଭିତରେ ଲମ୍ୱା ଲମ୍ୱା ଛାଇ ନାଚିଲା । ବୁଢ଼ୀର ମାଣକ ପୂରିଗଲା ।

 

ନାତି ନାତୁଣୀ, ପୁଅ ବୋହୂ, ସ୍ୱାମୀ ସଂସାର ସମସ୍ତେ ପଛକୁ କହିଗଲେ–ସବୁ ମାୟା ତୁଟିଗଲା–ଘର, ବାରି, ଶାଗପଟାଳି । ବୁଢ଼ୀ ଚାଲିଗଲା । ଛୋଟ ପଧାନପଡ଼ାଟିରେ ସେ ଖବର ଘରେ ଘରେ ପହଞ୍ଚିବାକୁ ଉଛୁର ହେଲା ନାହିଁ । ଲୋକଙ୍କ ମୁହଁରେ ଶୁଣାଗଲା- ବୁଢ଼ୀର ସେମିତି ପୁଣ୍ୟ ନ ଥିଲେ, ସେ କ’ଣ ଅହିଅ-ଶଙ୍ଖା, ପାକଲା କାଳରେ ସୂନ୍ଦର ନାଇ ବଡ଼ ଏକାଦଶୀ ପାଇଥାନ୍ତା !

 

ବୁଢ଼ୀ ମରିଯିବାରେ ଶାମ ପଧାନକୁ କେହି କାନ୍ଦିବାକୁ ଦେଖି ନାହିଁ । ଶବ ପଛରେ ଖଣ୍ଡେଦୂର ଲିଆ କଉଡ଼ି ବିଞ୍ଚି ଆସି ସେ କୁଆଡ଼େ କହିଲା, ‘‘ମୋର ଆଉ କେତେଦିନ କି ! ବରଷେ ଛ ମାସରୁ ତ ବେଶି ନୁହେଁ ! କେତୁଟା ଦିନ ପାଇଁ ବୁଢ଼ୀକି ଛାଡ଼ି ପରବାସରେ କ’ଣ ରହିପାରିବି ନାହିଁ ?’’

 

ବୁଢ଼ୀ ଚାଲିଗଲା । ଦୁନିଆଟା କାହିଁ କେଉଁଠି ବଦଳିଲା ନାହିଁ, ସୂତାଏ ବି ନୁହେଁ । ନିତିଦିନିଆ ସୂର୍ଯ୍ୟ ଚାରିପାଖେ ଆମର ଏହି ଅତି ପୁରୁଣା ପୃଥିବୀ ସମାନ ଗତିରେ ବୁଲିବାକୁ ଲାଗିଲା । ବିରୂପା ନଈରେ ସେହିପରି ପାଣିସୁଅ ବୋହିଗଲା–କ୍ଷଣକ ପାଇଁ ହେଲେ କିଛି ବନ୍ଦ ହେଲା ନାହିଁ । ପଧାନପଡ଼ାରେ ଚାଷଲଗୁତି, ଆୟଆମଦାନି, ଗଛବୃଛ, ବିଲବାଡ଼ି, ସବୁ ସେମିତି ରହିଲା ।

 

ଶାମ ପଧାନ ବରଜୁକୁ ଡାକି କହିଲା, ‘‘ଆରେ ବାପା, ମୋର ତ ଆଉ ବେଶୀଦିନ ନୁହେଁ, ତୁ ଏତେବେଳେ ଚାକିରି କରି ବାରଆଡ଼େ ବୁଲିବୁ, କେତେବେଳେ କୋଉ କଥା, ଗଲାବେଳକୁ ତୋତେ ଟିକିଏ ଦେଖିପାରିବି କି ନାହିଁ....’’

 

ବରଜୁ ଲୋକଟାର ପାଠପଢ଼ା ବେଶି ନ ଥିଲା । ଗାଁ ଚାହାଳିରେ ସେ ଯେତେଦୂର ପଢ଼ିଥିଲା, ସେଥିରେ ଜମିଦାରି ଗୁମାସ୍ତା, କି ଓକିଲ ମୋହରିର, ଖୁବ୍ ବେଶି ବନ୍ଦୋବସ୍ତ ଅମିନ ହେବ ଛଡ଼ା ବଡ଼ ପାହିଆ ଆଉ କିଛି ଚାକିରି ତାକୁ ମିଳନ୍ତା ନାହିଁ । ସେ ଜାଗାଏ ଦି’ ଜାଗାରେ ଗୁମାସ୍ତେ କାମ କରିସାରି ଏବେ ହୋଇଛି ବନ୍ଦୋବସ୍ତ ଅମିନ । ବାପ କେତେଥର କହିଲାଣି ଚାକିରି ଛାଡ଼ିବାକୁ–ଦରକାର କ’ଣ ? ଆମେ ଅଳପକ ଲୋକ, ଆମର ଏତେ ଆଡ଼ମ୍ବର କାହିଁକି ? ମାଟି ତାଡ଼ି ତାଡ଼ି ତ ବାପ ଅଜା ସାତପୁରୁଷ ଗଲେଣି, ଲଙ୍ଗଳମୁଣ୍ଡା ଛାଡ଼ି କଲମ ଧରିଲେ ଆମେ କେଉଁ ସ୍ୱର୍ଗକୁ ଉଠିଯିବୁଁ ।

 

ବରଜୁ ମଧ୍ୟ ବୁଝିଛି–ଜଣକର ନୌକରି କରି, ଜଣକର ତଳିପା ଚାଟି, ଆଉ ଜଣକ ମୁଣ୍ଡରେ ଗୋଡ଼ ଥୋଇବା, ହାକିମି କରିବା, କେଡ଼େ ଅଲାଜୁକପଣିଆ ! ତେବେ ଘରସଂସାର, ବାଳବଚା ତ ଅଛନ୍ତି ! ତାଙ୍କ ପାଇଁ ତ ମଣିଷ ସବୁ କରୁଛି । ବାପ ଚାକିରି ଛାଡ଼ିବାକୁ ଯେତେଥର କହେ, ସବୁଥର ସେ ‘ହଁ ଛାଡ଼ିବି’ କହି କିଛିଦିନ ମଟାଳିଦିଏ । ଚାକିରି ତାଳଗଛ ଛାଇ, କ୍ଷଣକେ ଅଛି କ୍ଷଣକେ ନାହିଁ । ତାକୁ ଗୋଟାଏ ଚାହିଁ ବସିବ ? ତେବେ ଟିକିଏ ବାପା ସାଙ୍ଗରେ ତରକ କରି ସେ କହିଲା–

 

‘‘ଛାଡ଼ିଦେଲେ ତ ଦଣ୍ଡକେ ଛାଡ଼ି ହୋଇଯିବ । ତେବେ ଯାହା କରିବା, ଟିକିଏ ବୁଝି ବିଚାରି ସିନା କରିବା ? ଚାକିରି ଖଣ୍ଡ ଛାଡ଼ିଦେଲେ ବରଷକୁ ବରଷ ଯାହା ଗୁଣ୍ଠେ ପାଏ ଖରିଦ ହେଉଚି, ସେତକ ତ ଆଉ ହେବ ନାହିଁ ।’’

 

ପଧାନ- ବୁଢ଼ା ପୁଅର ବୋକାପଣିଆ ଦେଖି ହସି ହସି କହିଲା, ‘‘ଆରେ ପାଗଳା, ଧନ ସଞ୍ଚିବାଟା ଖାଲି ପାଗଳାମି । କଥାରେ ଅଛି, ପୁଅ ଯୋଗ୍ୟ ହେଲେ ଧନ କାହିଁକି ସଞ୍ଚୁ ? ପୁଅ ଅଯୋଗ୍ୟ ହେଲେ ଧନ କାହିଁକି ସଞ୍ଚୁ ? ଧନ ସଞ୍ଚିବାଟା କେତେବେଳେ ହେଲେ ନୁହେଁ !’’

 

ପୁଅ କହିଲା–‘‘ଧନ ସଞ୍ଚିବାଟା କ’ଣ ପାପ ?’’

 

‘‘ଖାଲି ପାପ ନୁହେଁ–ମହା ଅପରାଧ । ଧନ ସଞ୍ଚିବାଟା ଖାଲି ଚୋରିରେ ବାପ, ଖାଲି ଡକାଇତି–ଆମ ଗାଁରେ ହରି ମିଶ୍ରଙ୍କୁ ଦେଖୁନୁ ? କେତେ ରାଣ୍ଡୀଖଣ୍ଡୀଙ୍କ ତଣ୍ଟି ଚିପି ସମ୍ପତ୍ତି କରିଚନ୍ତି-? ସେ କ’ଣ ସମ୍ପତ୍ତିରେ ବାପ–ଖାଲି ତତଲା ନିଶ୍ୱାସ ! ପୋଡ଼ି ଦବରେ ପୋଡ଼ି ଦେବ–ଦୁନିଆଟାକୁ ବି ଜାଳି ପାଉଁଶ କରିଦେବ ! ବନ୍ଦୋବସ୍ତ ପଇସା ଚାକିରି ପଇସା–ଏଇ ତତଲା ପିଣ୍ଡର ପଇସା, ହଳାହଳ ସେ–ଯୋଉଠି ପଡ଼ିବ, ସେଠି ଜଳିବ !’’

 

ବରଜୁ ଯେଉଁ ଅମିନଗିରିଟି କରେ, ସେଥିରେ ଦରମାଟି ଛାଡ଼ି ଗୋଟିଏ ପଇସା ଅଧିକ ହୋଇ ତା’ ହାତକୁ ଆସେ ନାହିଁ । ଲୋକେ କାବା ହୋଇ କହନ୍ତି–‘‘ଲଙ୍କାରେ ହରି ଶବଦ–ଅମିନ ହୋଇ ଫେର୍‌ ପଇସା ନ ଖାଇବ- ଦି’ ଦି’ଟା ବନ୍ଦୋବସ୍ତ ଆମେ ଦେଖି ଆସିଲୁଁ–ଏକଥା କାନ ଶୁଣି ନ ଥିଲା, ଆଜି ଆଖି ଦେଖିଲା ।’’ ସତକୁ ସତ ବରଜୁ ଲୋକଟା ଭାରି ସଚ୍ଚୋଟ । କାହାଠାରୁ ବାଇଗଣ କଷିଟାଏ ପାଇଁ ସେ ଲୋଭ କରି ନାହିଁ, କେଉଁ ଗାଁରେ ପଡ଼ି ଗଣ୍ଡାଏ ପାଇଁ ଦାବି କରିନାହିଁ ।

 

ସେ ଟିକିଏ ଜୋର୍‌ କରି କହିଲା, ‘‘ଚାକିରି କରି ଦି’ପଇସା ରିସ୍‌ପତ ଯେ ଖାଇବ, ତା’ର ସିନା ଅପରାଧ । ଯେ ନିଜ ଦରମା ଗଣ୍ଡାକରୁ ପାହୁଲାଏ ଅଧିକା ପାଇଁ ଆଶା ରଖିବ ନାହିଁ-’’

 

‘‘ହଁରେ ବାପ, ସବୁ ଜଣାଅଛି । ଚାକିରି କରୁଚ, ଦରମା ପାଉଛ–ରିସ୍‌ପତ୍ ଖାଉ ନାହଁ । ସେ ଦରମାଟି ପୁଣି କିଏ ଦଉଚି ? ତମ ବାପ କ’ଣ କୋଉଠି ଥାତି ଥୋଇଥିଲା ! ଦରମା ଦରମା, ବାବୁ ବାବୁ, ହାକିମ ହାକିମ । କାହା ପଇସାରେ ଏଡ଼େ ବଡ଼େଇ ମ ? ମଳିମୁଣ୍ଡିଆଁଙ୍କ ପଇସାରେ ? ଏ ବାବୁଗିରି, ହାକିମି, ବଡ଼ଲୋକି–କାହା ଯୋଗରୁ ମ ? ଓଳିଏ ଖାଇ ଯେ ତିନି ଓଳି ଉପାସ ଶୁଅନ୍ତି, ତାଙ୍କରି ଯୋଗରୁ ? ଏ କଳକାରଖାନା, ରେଳଜାହାଜ, କୋଠାବାଡ଼ି- କିମିତି ହେଲା ? ଆମରି ଗରିବଙ୍କ ରକତ ଚିପୁଡ଼ା ହୋଇ ସିନା ତିଆରି ହୋଇଚି ନା, ଦି’ପୁଞ୍ଜା ବାବୁ ହାକିମ ଯାଇ ତିଆରି କରିଦେଲେ ?’’ ପଧାନ ବୁଢ଼ାର ଆଖି ଦି’ଟା ଜଳ ଜଳ ହୋଇ ଉଠିଲା । ତା’ ଛାତି ଫୁଲି ଉଠିଲା–ସେ ଯେମିତି ଦୁନିଆର ଗରିବ ଦୁଃଖୀଙ୍କ ପାଇଁ, ପୀଡ଼ିତ ପଦଦଳିତଙ୍କ ପାଇଁ ଚିତ୍କାର କରି ପୃଥିବୀ ଆଗରେ ଏହି କଥା ଘୋଷଣା କରୁଚି !

 

ବରଜୁର ଲହୁ ଟବଟବ ହୋଇ ଫୁଟି ଆସିଲା । ବାପଠାରୁ ଆଉ ଦି’ପଦ କଥା ଶୁଣିବାକୁ ସେ କହିଲା–‘‘ହାକିମ, ସିପେଇ, ଓକିଲ, ବଡ଼ଲୋକ, ଜମିଦାର କ’ଣ ଆମର କିଛି ଭଲ କରନ୍ତି ନାହିଁ ?’’

 

‘‘ହଁ, ହଁ, ଭଲ କରୁନାହାନ୍ତି କ’ଣ ? କେତେ ଚୋର, ଡକାଇତ, ଗଣ୍ଠିକଟା, ତଣ୍ଟିକଟାଙ୍କ ହାତରୁ ଆମକୁ ରଖୁଛନ୍ତି ତ ! କିଏ ଗୋଟାଏ ପାପକର୍ମ କଲା ତ ତା’ର ଉଚିତ ଦଣ୍ଡ ହେଉଚି । କିଏ ବଳୁଆ ପଡ଼ି ଆଉ ଜଣକ ଜମି ଚାଷ କରିଗଲା ତ ଉଚିତ ଅଦାଲତରେ ସେ କଥା ବିଚାର ହେଉଚି-। ତେବେ ଏ ଯେ ଚୋର, ଗଣ୍ଠିକଟା, ତଣ୍ଟିକଟା–ଏ ତ ଆମରି ଭିତର ମଣିଷ । ଆମେ ପାପୀ, ଆମେ ଦୋଷୀ ବୋଲି ତ ଏତେ ମୋହରିର, ଓକିଲ, ହାକିମ, ଅମଲା, ସିପେଇ, ଚପରାସି-! ଆମେ ସିନା ୟାଙ୍କୁ ତିଆରି କରିଥାଇଁ । ସେଥିପାଇଁ ମୁଁ କହିଚି–ସେମାନେ ଆଉ କିଛି ନୁହନ୍ତି ଆମରି ମନ୍ଦ କର୍ମର ଅଭିଶାପ, ଆମରି ପାପର ଫଳ । ଆମ ପାପ ଯେତେ ବେଶୀ ହେଉଚି, ଚାକିରିଆ ଓକିଲ ସେତିକି ବଢ଼ୁଚନ୍ତି ସିନା । ଆମେ ଭଲ ହେଲେ ଏତେ ହାକିମ କାହିଁକି, ପୁଲିସ, ଓକିଲ, ମୁକ୍ତାର କାହିଁକି ? ଏତେ ଜେଲଖାନା କ’ଣ ହୁଅନ୍ତା, ଏତେ ନାଲିପଗଡ଼ି କ’ଣ କରନ୍ତେ !’’

 

ପୁଅ କହିଲା, ‘‘ଆମର ତେବେ ଆଉ ପୁଣ୍ୟ କାହୁଁ ହେବ ? ଧନସମ୍ପତ୍ତି ତ ଲୋଡ଼ା ନାହିଁ–ଯେଉଁ ଆଣ୍ଠୁ ପକେଇ ବିଲ ବାଛୁଥିଲେ, ସେଇ କଥା ତ ରହିଲା–ବଡ଼ବଡ଼ିଆଯାକ ଆମକୁ ପେଡ଼ିବେ, ପେଷିବେ ନାହିଁ ତ, ଆଉ କାହାକୁ ?’’

 

ବୁଢ଼ା ହସି ହସି କହିଲା, ‘‘ଧନ ସମ୍ପତ୍ତିରେ ସବୁ କିଣା ହୁଏରେ ବାପ, ପୁଣ୍ୟ କିଣା ହୁଏ ନାହିଁ । ଟଙ୍କା ଦେଇ ଟିକିଟି କିଣି କରି ବୈକୁଣ୍ଠକୁ ଯିବାର ଉପାୟ ନାହିଁ । ପୂଣ୍ୟ କିଣେ ଖାଲି ମଣିଷପଣିଆରେ ବାପ ! ଯୋଉଠି ଯେତେ ମଣିଷପଣିଆ କମ୍‌ତି, ସେଠି ପାପ ସେତିକି ବେଶି ।’’

 

ଏ ସତ କଥା । ବରଜୁ ତା’ ଅମଳରେ ଯାହା ଦେଖି ଆସିଚି, ନୌକରି କଲେ ଏଇ ମଣିଷପଣିଆଟିକ କିମିତି ଆସ୍ତେ ଆସ୍ତେ ଶେଷ ହୋଇଯାଏ- ଆଉ ମଣିଷ ଭିତରେ ପିଶାଚ କିପରି ଚନ୍ଦ୍ରକୁ ରାହୁ ପରି ଚାହୁଁ ଚାହୁଁ ଗିଳିପକାଏ । ଗରିବ ଦିନମଜୁରିଆ କାମିକା ଲୋକ–ସେ ସଂସାରରେ କ’ଣ ନ କରେ ! ଦୁନିଆର ଖାଇବା ପିନ୍ଧିବା–ଦି’ଟା ବଡ଼ କଥା ଯୋଗାଏ ସେହି ତ ! ମଣିଷ ପବନ ପିଇ ବଞ୍ଚେ, ଏକଥା ସେ ଦିନରେ କେତେଥର ଭାବେ ? ସେମିତି ଏଇ ଗରିବ ମଜୁରିଆଙ୍କୁ ପିଇ ଯେ ସଂସାର ବଞ୍ଚେ, ସେ କଥା କହିବେ ନାହିଁ ।

 

ବରଜୁ ଠିକ୍ କଲା ... ଚାକିରି କରିବ ନାହିଁ । ମାଟିତଡ଼ା ତ ତା’ର ବେଉଷା ସାତପୁରୁଷର, ସେଇୟା କଲେ ତା’ର କୋଉ ମାନହାନି ହୋଇଯାଉଛି !

 

ପଧାନ–ବୁଢ଼ା ଯାହା କହିଥିଲା, ବୁଢ଼ୀ ମରିବାର ବରଷେ ନ ପୂରୁଣୁ ତାକୁ ବି ଆସିଲା ତଲବ । ବୁଢ଼ା ପରଉଆନା ପାଇ ମୁରୁକିହସା ଦେଇ ବରଜୁକୁ କହିଲା, ‘‘ବାପାରେ, ମୋର ହୋଇଗଲା, ଏଣିକି ତମ କଥା ତମର । ଗୋଟାଏ କଥା, ତମେ ତ ଯୋଡ଼ିଏ ଭାଇ–ବିଲ ମଝିରେ ହିଡ଼ ନ ପଡ଼େ କି ଘର ମଝିରେ ପାଚିରି ନ ଉଠେ । ଏଥିପାଇଁ ତୁ ଜଗିଥିବୁ ।’’

 

ବଡ଼ବୋହୂ ପିଲାମାନଙ୍କୁ ଶିଖାଇଦେଲା । ସେମାନେ ଯାଇ ବୁଢ଼ା ପାଖରେ ଅଳିକଲେ, ‘‘ଜେଜେ, ଆମପାଇଁ କୋଉଠି କ’ଣ ରଖିଚ ?’’ ବୁଢ଼ା ପୁଣି ଦୁଇ ଥର ଆଖି ଫିଟାଇ କାହାକୁ ଖୋଜିଲା ପରି ଜଳ ଜଳ କରି ଚାହିଁଲା, ପୁଣି ଆଖି ବନ୍ଦ କରିଦେଲା । ବଡ଼ ନାତୁଣୀ ହାରା ପାଟି କରି ଡାକିଲା, ‘‘ଜେଜେ, ଆମ ପାଇଁ କ’ଣ ରଖିଚ ?’’ ବୁଢ଼ା ପୁଣି ଆଖି ମେଲା କରି ଚାହିଁଲା–ଏ ଶବ୍ଦ ଯେମିତି ବହୁ ଦୂରରୁ ଶୁଣାଯାଉଛି ! ଛକଡ଼ି ମୁଣ୍ଡ ଆଉଁସି ଦେଉଥିଲା, ଆଉ ଥରେ ବୁଝାଇ କହିଦେଲା । ବୁଢ଼ା ବୁଢ଼ାମାନେ ମରିଯିବାବେଳକୁ ଟଙ୍କା କଉଡ଼ି ସାଇତି ରଖିଯାଇଥାନ୍ତି, ପିଲାଝିଲାଙ୍କୁ ଶେଷରେ ଦେଇଯିବା ପାଇଁ । ବୁଢ଼ାପଧାନ ରଖିଚି କ’ଣ ? ସେ ଟିକିଏ ମୁରୁକି ହସି ଗୋଟିଏ ଆଙ୍ଗୁଠି ଉପରକୁ ଟେକି ଦେଇ କହିଲା, ‘‘ତୁମ ପାଇଁ–ଧର୍ମ ! ଧର୍ମ !’’

 

ଆଖି ବନ୍ଦ ହୋଇଗଲା, ଆଉ ଫିଟିଲା ନାହିଁ ! ପୁଅ, ବୋହୂ, ନାତି ନାତୁଣୀ ଭୋ ଭୋ କାନ୍ଦି ଉଠିଲେ । ବଡ଼ପୁଅ ବରଜୁ ପଧାନ ଯେତେବେଳେ ମୁର୍ଦ୍ଦାରଘରୁ ଫେରିଆସିଲା, ସେତେବେଳେ ତା’ ଆଖିରୁ ଥପ ଥପ ହୋଇ ଚାରି ଛଅ ଟୋପା ଲୁହ ଗଡ଼ିପଡ଼ଲା । ଗାମୁଛାରେ ଆଖି ପୋଛି ଦେଇ ସେ ବାପର ଅନ୍ତ୍ୟେଷ୍ଟିକ୍ରିୟାରେ ମନଦେଲା ! ଭାଇଭଉଣୀମାନଙ୍କୁ ବୁଝାଇ କହିଲା, ‘‘ବେଶ୍ ତ–ଆଉ କ’ଣ ଅଛି ? ଜୀବନ ମରଣ ତ ସଂସାର !’’

 

ପଧାନ ବୁଢ଼ାର ମରିଯିବା ଖବର ଗାଁ ଆଖପାଖ ଚାରିଆଡ଼େ ଚାହୁଁ ଚାହୁଁ ଖେଦିଗଲା । ସମସ୍ତଙ୍କ ଘର ଅବା ମୁରବୀଶୂନ୍ୟ ହୋଇଗଲା । ଆହା ମଣିଷଟାଏ ଥିଲା ଏକା–ହଜାର ମଣିଷରେ ମଣିଷୁଟାଏ ! ସାତ ଚାଖଣ୍ଡ ମାଟି ତ ସମସ୍ତେ କିଣିଚନ୍ତି । ତମ୍ୱା ବାନ୍ଧି କିଏ ଆସିଚି କି ! ହେଲେ ଏଇ ମାଟିରୁ ବି ସୁନା ହେଉଚି । ଏଇ ମାଟି ଉପରେ ସେ ସୁନା କଣିକାଏ ଥିଲା ।

 

‘‘ଜୀବର ଭଲ ମନ୍ଦ ବାଣୀ,

ମରଣକାଳେ ତାହା ଜାଣି ।’’

 

ବରଜୁ ଭାରି ଖାରା ଲୋକ ବୋଲି ଗାଁଯାକ ସମସ୍ତେ ଜାଣନ୍ତି । ସେଥିପାଇଁ ଶାମ ପଧାନ ମଲାପରେ ଲୋକେ କହିଲେ, ବାପର ନାଁ ରଖିଲେ ରଖିବ ବରଜୁ । ଯାହାର ବାପ ଚଢ଼େ ଘୋଡ଼ା, ତାର ପୁଅ ଚଢ଼େ ଥୋଡ଼ା ଥୋଡ଼ା । ବାପ ପରି ବରଜୁ ସେମିତି ମଜଭୁତିଆ, ପଞ୍ଚହତା ମର୍ଦ୍ଦଟାଏ–ମୁଣ୍ଡରେ ଠେକାଟାଏ ଭିଡ଼ି ସକାଳ ପହରୁ ଛାଇ ଲେଉଟିଲା ଯାଏ ବିଲବାଡ଼ି ବାଗବଗିଚା ବସିଆଡ଼ ବୁଲୁଥିବ । ଘରକୁ ଆସିଲେ ଦି’ଗୋଡ଼ରେ ତେଲ ମାଲିସ କରି ଶୁଏ । ବାପ କହିଛି, ‘‘ମୁଣ୍ଡରେ ଠେକା, ପାଦରେ ତେଲ, ବଇଦ ସଙ୍ଗତେ କରିବ ଗେଲ ।’’

 

ସତକୁ ସତ ଲୋକଟାର ମୁଣ୍ଡ ବଥେଇବାର କେହି ଜାଣି ନାହିଁ । କି ଖରା, କି ବର୍ଷା କି ଶୀତ–ସବୁ ଋତୁରେ ଏହିପରି ବିଲବାଡ଼ି କାମ କରି ଆସେ । ଧାନହଳା ଭାର କରି କାନ୍ଧରେ ଥୋଇଦେଲେ ଦି’ଜଣ ମଣିଷ ତଳୁ ଉଠାଇ ପାରିବେ ନାହିଁ । ପାଣି ବୋହି ବସିଲେ ଚାରି ଜଣ ବୋହି ବୋହି ହଟିଯିବେ, ସେ ସେମିତି ଶେଣାଟାକୁ ଧରି ଖୁଣ୍ଟ ପରି ଠିଆ ହୋଇଥିବ !

 

ଲୋକେ ସବୁଠାରୁ ତାକୁ ବେଶି ଖାତିର କରନ୍ତି, ତା’ ସଚ୍ଚୋଟପଣିଆ ଯୋଗୁଁ । ତମର ସୁନାମୁଣ୍ଡା ପଡ଼ିଥିଲେ ସେ ଚାହିଁବ ନାହିଁ । କଣିକାକଉଡ଼ିଟାଏ ତା’ ଉପରେ ଥିଲେ ଯାଚି କରି ଦେଇଯିବ । ପାହୁଲାଏ କାହାର ଖାଇବ ନାହିଁ । ସେଥିପାଇଁ ଗାଁଲୋକେ କହନ୍ତି, ବରଜୁଆ ପଇସା ତ ବାଉଁଶ ଅଗରେ ଥୁଆ । ଜଗନ୍ନାଥଙ୍କ ନୀତି ବଦଳି ଯିବ, ବରଜୁ ପଧାନର କଥା ଯାହା ମୁହଁରୁ ବାହାରିଥିବ, ଜୀବନ ଚାଲିଗଲେ କେତେ, ମୁଣ୍ଡ କଟିଗଲେ କେତେ–ସେଇ କଥା, ହେବ ।

 

ହେଲେ କ’ଣ ହେବ, ବରଜୁର ଘରଣୀ ତା’ ନିଜ ଲାଖି ହେଲା ନାହିଁ । ସେ କଥା କଥାକେ କଜିଆ କରିବସେ । ଚାରିଟି ପିଲାର ମା’ ବୋଲି ଗର୍ବରେ ତା’ ଗୋଡ଼ ତଳେ ଲାଗେ ନାହିଁ-। ସମସ୍ତଙ୍କ ପାଖରେ ବେଶି ଆଦର ପାଇବାକୁ ଦାବି କରେ । ସେହି କାରଣରୁ ବରଜୁ ସାଙ୍ଗରେ ଥରକୁଥର ତା’ର ମନ ଅମେଳ ହୁଏ ।

 

ହେଲେ, ଏତେ ମେଳ ଅମେଳ ଆଦର ସୁଆଗ ପାଇଁ ବରଜକୁ ତର କାହିଁ ? ଦିନ ଭିତରେ ତ ଘଡ଼ିଏ ତର ମିଳେ ନାହିଁ, ଘର ଭିତରର ହାଲ ବୁଝିବାକୁ । ରାତି ହେଲେ ଗଣ୍ଡାଏ ଖାଇଦେଇ ପଡ଼ିଯାଏ । ବଡ଼ବୋହୂ ଘର କାମ ସାରି ଯାଇ ସ୍ୱାମୀକୁ ମୋଡ଼ି ବସେ । ବରଜୁର ନିଦ ଭାଙ୍ଗିଗଲେ ଭୁଟୁରୁ ଭୁଟୁରୁ କରି ସାନବୋହୂ କଥା, ଦିଅର କଥା ଆରମ୍ଭ କରେ–‘‘ଶାଶୂ ଥିଲେ, ଶଶୂର ଥିଲେ, ସବୁ କଥା ଚପି ରହୁଥିଲା । ଏବୁକୁ ଏବୁକୁ ସମସ୍ତଙ୍କ ମୁହଁ ଫିଟିଲା । ଏ ପୁଣି ମାଙ୍କଡ଼ ଟୋକାଟାଏ ଯେ ସେ ମୋତେ କହିବ ଖାନିକୀ ! କାହିଁକି ବା- ତୁଟା କିଏରେ ! ତୁ ପୁଣି ମତେ କହିବୁ ?- ବାଘର ଘରେ ମିରିଗର ନାଟ ? ଭେଣ୍ଡାଟାଏ ତ ହେଲୁଣି ଯେ ଗୋରୁ କୋଉଠି ଧାନ ଖାଇଲେ, ବିଲ କେଉଁଠି ଉଜୁଡ଼ି ଗଲା, ଦିନେ କିଛି ବୁଝିବୁ ନାଇଁ- ଗୋଟାଏ ମଣିଷ ସବୁ କଥାକୁ ଦଉଡ଼ି ଦଉଡ଼ି କଣ୍ଟା ହେଲାଣି । ବାର ଦୁଆର ଶୁଣ୍ଢିପିଣ୍ଡା ହେଇ ଦି’ଓଳି ଦି’ବଖତ ଖାଇବାବେଳକୁ ଆସିବୁ । ତା’ ଉପରେ ମତେ ପୁଣି କହିବୁ- ଖାନିକୀ ! ମାଇପୁଟାଏ ଯେ କୁଟା ଖଣ୍ଡକ ତ ଦି’ ଖଣ୍ଡ କରିବ ନାଇଁ-ଚାଉଳ କିମିତି ଚୁଲିମୁଣ୍ଡକୁ ଆସେ, ଜାଣିବ ନାଇଁ । ଖାଲି କଥା କହିଲାବେଳକୁ ଘଇତା ମାଇପ ବାଘପରି ମିଶି ଆସିବ–ସେ କହିବ, ରାଣ୍ଡ ଆଣ୍ଠୁକୁଡ଼ୀ, ଏ କହିବ ଖାନିକୀ । ଭଲାରେ–ମୁଁ କ’ଣ ଛତରଖାଇର ପତରଗୋଟେଇ ହେଇଚି କି–ମୋର କ’ଣ କେହି ନାହାନ୍ତି କି !’’

 

କିନ୍ତୁ ତା’ର ଯେ, ସେ କେତେବେଳୁ ନିଦରେ ଶୋଇ ଘୁଙ୍ଗୁଡ଼ି ମାରିଲାଣି । ବଡ଼ବୋହୂ କଥା ଗପି ଗପି ଶେଷରେ ନିରାଶ ହୁଏ ।

 

ତେବେ ଭାଗବତ ଅଧ୍ୟାୟକ ପାର୍ବତୀ ଶୁଣି ନ ପାରିଲେ କ’ଣ ହେଲା, ଶୁକଦେବ ଶୁଣନ୍ତି-। ସାନବୋହୂ କାନ୍ଥ ପାଖରେ କାନପାରି ସବୁ ଶୁଣି, ଆସି ଛକଡ଼ି ଆଗରେ ବୟାନ କରେ–

 

‘‘ବଡ଼ଭାଇ ବଡ଼ଭାଇ ହଉଥିଲ ପରା, ଏବେ ଶୁଣି ଆସି । ମାଇପିଟା ତାଙ୍କର ନ ହେଇ ତମେ ତାଙ୍କର ହବ ? ମାଇପ କେତେ ମିଛ ସତ କରି ଲଗେଇ କହୁଚି, ଘଇତା ସେଥିରେ ପୁଣି କେମିତି କହୁଚି–କାହିଁକି, ଘର ପାଇଟି ସେ ସବୁ କରିବନି, ଖାଲି ବସିକରି ଗୋଟାଏ ମଣିଷ ଖାଇବ କି ? ବସେଇ ଏ ମତେ ଖାଇବାକୁ ଦଉଚି ! ଧାନଉଷୁଆଁ ଠଉଁ ଭାତରନ୍ଧା, ଭାତବଢ଼ା, କିଏ ସବୁ କରେ ମ ? ଏଥର ମୋର ଗରଜ ପଡ଼ିଚି; କେମିତି ରାନ୍ଧିବାଢ଼ି କରି ଦେବ ଦଉ ରାଣ୍ଡୀ ।’’

 

ଏତେଗୁଡ଼ାଏ କଥା, ସବୁ ଏକାବେଳେ ତୁଚ୍ଛା ମିଛ ବୋଲି ଛକଡ଼ି ବୁଝିପାରେ ନାହିଁ । ବଡ଼ଭାଇକି ଲୋକେ ବାହାରେ ଯାହା କହନ୍ତି, ଭିତରେ ତେବେ ସେ ତାହା ନୁହେଁ ! ହରି ମିଶ୍ରେ ଯାହା କହୁଥିଲେ ସତ କଥା–ବରଜୁଙ୍କର ଖାଲି ଉପରେ ଦେଖିବାକୁ କଥାଟି ସରୁ !

 

ହରି ମିଶ୍ରେ ପଞ୍ଚାୟତ ପ୍ରେସିଡେଣ୍ଟ, ବରୁଜୁକୁ ଲୋକେ ଯେମିତି ଭଲ ପାଆନ୍ତି, ତାହା ସେ ଦି’ ଆଖିରେ ଦେଖିପାରନ୍ତି ନାହିଁ । ସେଥିପାଇଁ କଥାକଥାକେ ବରଜୁର ନିନ୍ଦାତକ ଗାଇ ବୁଲନ୍ତି-। ଛକଡ଼ି ଭାଇର ନିନ୍ଦା ଘରଣୀଠାରୁ ଶୁଣେ, ତାଙ୍କଠାରୁ ଶୁଣେ । କିନ୍ତୁ ମୁହଁ ଫିଟାଇ ଭାଇ ଆଗରେ କହିପାରେ ନାହିଁ ।

 

ବଡ଼ଭାଇ ତା’ଠାରୁ ବୟସରେ ଅନେକ ବଡ଼, ଦଶ ବର୍ଷରୁ ବେଶି । ଆଖପାଖ ପାଞ୍ଚଖଣ୍ଡି ଗାଁରେ ଜାଣନ୍ତି ବରଜୁ ପଧାନର ଘର । ଛକଡ଼ି ବିଚରାର ନାଁ ହେଲେ କୋଉଠି ପଡ଼େ ନାହିଁ । ବାପ ମରିଯିବା ପରେ ଛକଡ଼ି ଦେଖିଲା, ସେ ବଡ଼ ହୀନିମାନ ହୋଇ ପଡ଼ିରହିଚି । ଖୁଣ୍ଟା ଦେବା ପାଇଁ ପୁଣି ଘରଣୀ ସବୁବେଳେ ଠିକ ଅଛି ।

 

କେଉଁ ଦିନ ଛକଡ଼ି ତାସ ଖେଳି ଆସିଲାବେଳକୁ ଦୁଧ ନ ଥିଲା, ତରକାରି କମ୍‌ ଥିଲା, ଭାତ ତଳତଳିଆ ପେଜୁଆ ହୋଇଥିଲା । ଭାରିଯା ମନକୁ ଏସବୁ ବଡ଼ ବୋଧେ । ‘‘କାହିଁକି ମ ! ମୋର କ’ଣ ଛ’ଟା ନ’ଟା ଅଛନ୍ତି କି–ଗୋଟାଏ ବୋଲି ମଣିଷ । ସେ ଗଣ୍ଡେ ମନବୋଧକରି ଖାଇପାରିବ ନାହିଁ । ଦରକାର ନାଇଁ, ମୁଁ ଏଠି ରହି କରି କାହାର କ’ଣ କରିବି କି ? ତମ ଭାଇଭାଉଜଙ୍କୁ ଘିନିକରି ତମେ ଚଳ । ମୋର ତ ବାପଘର ପଡ଼ିଚି, ପାଞ୍ଚୁଟା ଉପୁରି ମଣିଷ ରୋଜିନା ଖାଇଯାଉଛନ୍ତି । ମୋ ପେଟ କ’ଣ ଅପୋଷା ରହିବ କି ?’’

 

ଛକଡ଼ିକୁ ଯେଉଁସବୁ କଥା ଆଗେ ଆଗେ ଖରାପ ଲାଗୁଥିଲା, ପରେ ଆସ୍ତେ ଆସ୍ତେ ସେସବୁ ଅଭ୍ୟାସରେ ପଡ଼ିଗଲା । ସତେ, ମାଇଚିଆଟା ପରି କେତେ କାଳ ଏମିତି ସେ ପଡ଼ି ରହିବ-? ନାଥ ଖଟେଇ, ହାଲୁ ସାଉ ଏବେ ଭାଇମାନଙ୍କଠଉଁ ଭିନ୍ନେ ହୋଇଗଲେ । ସେ କ’ଣ ଚଳୁ ନାହାନ୍ତି ? ଆଉରି ତ ଭଲ ଚଳୁଛନ୍ତି । ଦୋକାନ ଖଣ୍ଡେ ଖଣ୍ଡେ କରି ହାତରେ ପାଞ୍ଚ ପଇସା କରି ଏଛୁଣି ତ ତାଙ୍କ ପରି ସେ । ଭାଇ ପାଖରେ ରହି ଛକଡ଼ିକୁ ଏବେ କ’ଣ ଗୁଡ଼ାଏ ମିଳିପଡ଼ୁଚି ? କିନ୍ତୁ ଭିନ୍ନେ ହେବ କେମିତି ? କିଏ ସେ କଥା ଆଗ କରି ଉଠେଇବ ?

Image

 

ପରିଚ୍ଛେଦ ଚାରି

 

ଚାରିପାଖରେ ଧାନକ୍ଷେତ ସବୁଜ ହୋଇ ପଡ଼ିଚି । ଉପରେ ଅଶିଣ ମାସର ନେଳି ଆକାଶ- ଟାଇଁଟାଇଁଆ ଖରା ତାଳୁ ଫଟେଇ ଦେଉଛି । ମଝିରେ ମଝିରେ ଖଣ୍ଡେ ଖଣ୍ଡେ ଧଳା ବଉଦ ସଫରୀପଣ ଦେଖାଇ ସୂର୍ଯ୍ୟ ଆଗରେ ଭାସିଗଲାବେଳେ ତାରି ଛାଇ ବିଲ ପରେ ବିଲ ଡେଇଁ ଚାଲିଯାଉଛି । ବହୁତ ଦୂରରେ ଗଛ ଗହଳରେ ଗାଁଗୁଡ଼ିକ ଲୁଚି ରହିଚି । ପବନ ଅଛି ଅଛି ବହିଯାଉଚି । ଏଇ ସବୁଜ କିଆରି ଉପରେ ତା’ର ଗତି । ଆକାଶ କେଡ଼େ ଉଚ୍ଚା, କେଡ଼େ ନେଳି । ପୃଥିବୀ ଉପରେ ମଣିଷ ହାତର ଏହି କାରିଗରି ଦେଖି ଯେମିତି କି ସେ କାବା ହୋଇ ଚାହିଁ ରହିଛି ।

 

ଏହି ଶୋଭା ଭିତରେ ଠାଏ ଠାଏ ବିଲ ମଝିରେ କେତେଗୁଡ଼ିଏ କଳା କଳା ଜନ୍ତୁ ନଇଁପଡ଼ି କ’ଣ କାମରେ ଲାଗିଛନ୍ତି । କୋଉଠି ପଞ୍ଝାଏ ବଗ, କୋଠି ପଲେ ଶୁଆ–ଏ ବିଲରୁ ଉଠି ସେ ବିଲରେ ପଡ଼ୁଛନ୍ତି, ସେ ବିଲରୁ ଉଠି ଦୂର ଗାଁ ତଳେ... ମିଶିଯାଉଛନ୍ତି । ଏହି ଧାନ ଗଛମୂଳେ ନଇଁ ପଡ଼ିଥିବା କଳା କଳା ଜନ୍ତୁଗୁଡ଼ିଙ୍କର କୁଆଡ଼ୁକୁ ନଜର ନାହିଁ । ସେ ବି ଯେମିତି ଏହି ବିଲବାରି ଚଢ଼େଇଙ୍କ ପରି, ଏହି ସୂର୍ଯ୍ୟ ଆକାଶ ପରି ନିତିଦିନିଆ- ପୁରୁଣା । ଖରା ନାହିଁ, ବର୍ଷା ନାହିଁ, ଶୀତ ନାହିଁ, କାକର ନାହିଁ–ବାର ମାସ ଛଅ ଋତୁ, ତିନିଶ ପଁଷଠି ଦିନ ଏହି ଏକାଭାବରେ ସେ ଚାଲିଛନ୍ତି । କାଳ କାଳ ବିତିଗଲାଣି, ଆଜିଯାଏ ସେ ଦିହ ପାଇଁ ଖଣ୍ଡେ ଅଙ୍ଗା ମିଳିଲା ନାହିଁ, ଘୋଡ଼େଇ ହେବାକୁ–ଛ-ହାତି ଗାମୁଛା ଆଠ ହାତ ହୋଇପାରିଲା ନାହିଁ, ଭଲକରି ଟିକିଏ ପିନ୍ଧିବାକୁ । ସେଥିପାଇଁ ସେ ମଣିଷ ନୁହନ୍ତି, ଜନ୍ତୁ । ଖାଲି ମାଟି, ମାଟି-ମାଟି ତାଙ୍କର ବେଉଷା–ଜନମଠାରୁ ମରଣଯାଏ । ମାଟିରେ ଜନମ, ମାଟିରେ ଶୁଆ, ଉଠା, ବସା, ମାଟିରେ ଘର–ମାଟି ତାଡ଼ିଲେ ପେଟ ପୋଷା–ମାଟିର ମଣିଷ ... !

 

ଏହି ଜନ୍ତୁଗୁଡ଼ିକ ଭିତରୁ ବରଜୁ ପଧାନ ଗୋଟିଏ–ଅଣ୍ଟାରେ ଖଣ୍ଡେ ମସିଆ ଗାମୁଛା ଘେରେଇ ଦେଇଛି, ମୁଣ୍ଡରେ ଠେକାଟାଏ ଭିଡ଼ ଧାନଗଛମୂଳେ ଆଣ୍ଠେଇ ପଡ଼ିଛି । କାଳ କାଳ ଧରି କେତେ ବରଜୁ ଏମିତି କାଦୁଅ ଚକଟି ପିଠିରେ ଖରାତାପ ସହି ମଣିଷ ଜାତି ପାଇଁ ଆହାର ବାଢ଼ିଗଲେଣି–ଆଶା ନାହିଁ–ଭାଷା ନାହିଁ-ଆଖି ଥାଉଁ ଥାଉଁ ଦେଖିପାରନ୍ତି ନାହିଁ, କାନ ଥାଉଁ ଥାଉଁ ଶୁଣିପାରନ୍ତି ନାହିଁ, ଜିଭ ଥାଇ କଥା ପଇଟେ ନାହିଁ–କାଲ, ଅନ୍ଧ, ମୂକ । ନିଜ ଦୁଃଖ ନିଜେ ବୁଝନ୍ତି ନାହିଁ, ନିଜ କଥା କହିପାରନ୍ତି ନାହିଁ–ଅବିକଳ ଗୋଟିଏ ଗୋଟିଏ ଗୋରୁ । କାରଣରେ ଅକାରଣରେ ପିଠିରେ ପଛେ ପାଞ୍ଚଣ ପାହାର ପଡ଼ୁ, ଗାଳି ଫଇଜ୍ଜତି ହେଉ, ତିନି ଓଳି ମୁନିବ ଖାଇବାକୁ ନ ଦେଉ–କାହିଁରେ ଆପତ୍ତି ନାହିଁ । ଯଦୁ ଦଳେଇ ବରଜୁର ପଡ଼ିଶା–ଭାଇ ଲେଖା ହେବ–ପାଖ ବିଲରେ ବିଲ ବାଛୁଛି, ସେମିତି ଆଣ୍ଠୁ ମାଡ଼ି । ଦି’ଜଣଙ୍କ ଭିତରେ ଗପସପ ହେଉଛି । ଆଉ ଚଷାମାନେ ଯେଝା ଯେଝାର କଥା, ବିଲବାରି କଥା ଗପ କରୁଛନ୍ତି ।

‘‘ବରଜୁଆ ଭାଇ, ସବୁ କପାଳରେ ଭାଇ, କପାଳ- ଗଲା ସନ ଆଖୁ ଅରାକ କେଡ଼େ ସୁବିଧାରେ ଉତୁରିଗଲା, ଏଥର ଗଛଗୁଡ଼ାକ ଯେମିତି ମୁରୁକୁଟିଆ ମୁରୁକୁଟିଆ ହେଇଚି, ସେଥିରେ ଖର୍ଚ୍ଚ ଉଠିବ କି ନାହିଁ !’’

‘‘ତାକୁ ଆଉ ତୁ କ’ଣ କରିବୁ ? ଆମେ ତ ଚଷା, ପାରୁପରିଯନ୍ତେ କମେଇବା ସିନା ତେଣିକି ନ ହେଲା କାହା ହାତରେ ଅଛି ?’’

‘‘କୋଉ କଥା ଆମ ହାତରେ ଅଛିରେ ଭାଇ–‘କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ ।’ କର୍ମ ହଉଚି ସବୁ । କର୍ମରେ ନ ଥିଲେ କିଏ ଦବ ? ପିଲାଟାର ଦିହଦୁଃଖ ହେଲା ପରା–କେତେ ଦିଅଁ ଦେବତାଙ୍କୁ କ’ଣ ନ ଯାଚିଲି । ମଙ୍ଗଳା ମା’କୁ କେତେ ମାଜଣା ନ କଲି ! କେହି ରଖି ପାରିଲେ ? ସବୁ ଖାଲି ମାହାଳିଆରେ ଭାଇ, କର୍ମ ବଡ଼ । ଟୋକାଟା ବଞ୍ଚିଥିଲେ ଏ ବର୍ଷ ମୋର ଭାବନା ଥିଲା ? ମାସ ଛଅଟା କଲିକତା ଚାଲିଯାଇଥିଲେ ଜଗୁ ସୋଇଁ ଧାନ ରହିଥାନ୍ତା, ନା ମିଶ୍ରଘର ଟଙ୍କା ରହିଥାନ୍ତା ?’’

‘‘ମଣିଷ ବିଚାରିଲେ ଯେବେ ସବୁ ହୋଇ ଯାଉଥାନ୍ତା-’’

‘‘ହଁ ଭାଇ, ସତ କହିଲୁ, ମଣିଷ ବିଚାର କିଛି ନୁହେଁ । କର୍ମ ଅସଲ- ମାଟିକି ସୁନା କରିବ, ସୁନାକୁ ମାଟି କରିବ ।’’ ବରଜୁ ମୁରୁକି ହସି କହିଲା, ‘‘ଆଖି ଆଗରେ ଦେଖୁନୁ- ହରି ମିଶ୍ରଙ୍କ ଘର- କର୍ମଟା କେଡ଼େ ସଳଖ ।’’

‘‘ହଁ ରେ ଭାଇ, ସଂସାରରେ ଧର୍ମ ଅଛି ବୋଲି କ’ଣ କହିବା ଆଉ ? ଧର୍ମ ଖାଲି ପୁରାଣ ଭାଗବତରେ ନା । ହରି ମିଶ୍ର–ବ୍ରାହ୍ମଣଟାଏ–କ’ଣ ନ କରୁଚି–କେତେଘର ନ ଭାଙ୍ଗୁଚି, କେତେତଣ୍ଟି ନ ଚିପୁଚି ? ସେଦିନ ତ ବନ୍ଦୋବସ୍ତ ଦିପୋଟି ଆଗୁଟାରେ ଧଣ୍ଡା ତୁଳସୀ ଛୁଇଁ ହଲପ କରି ଜେନା ଘର ଜମିଗୁଡ଼ା ନେଇଗଲା–ପଚିଶ ଜଣଙ୍କ ଆଗରେ ! କେଡ଼େ ନିଆଁଗିଳା–କେମିତି ତା’ ଛାତି ପତେଇଲା ରେ ! ଏବେ ଦେଖିଲୁ, ଧନଜନ ଗୋପ ଲକ୍ଷ୍ମୀ- କୋଉ ପଦରେ ତା’ର ଉଣା ? ଏକଥା ଦେଖିଲେ ସଂସାରରେ ଧର୍ମ ଅଛି ବୋଲି କିଏ କହିବ-’’

ବରଜୁ ପଧାନର ତାଳୁଠାରୁ ତଳିପାଯାଏ ଥରି ଉଠିଲା । ଧର୍ମ ନାହିଁ ! ଖାଲି ଅଧର୍ମ, ଅନ୍ୟାୟ, ପାପ ! ମଣିଷ ଜାତିଟା ଏହାରି ଉପରେ ବଞ୍ଚିଛି ! ଲୋକେ କହନ୍ତି, ବଣମଣିଷଙ୍କ ଭିତରେ ଯେ ସବୁଠାରୁ ବେଶି ବଳୁଆ ପଡ଼େ, ସେ ଆପଣା ପିଲାମାଇପ ଆଉ ପାଞ୍ଚୁଟା ଦୁର୍ବଳିଆଙ୍କୁ ମାରି ଖାଏ । ଭୁଆ ବିରାଡ଼ି ପଡ଼ି ଉଣ୍ଡି ଉଣ୍ଡି ନିଜ ଛୁଆଗୁଡ଼ାଙ୍କୁ ଖାଏ । ମଣିଷ କଅଣ ସେଇତା ! ଆଖପାଖ ସାଇପଡ଼ିଶା ପାଞ୍ଚୋଟିଙ୍କୁ ମାରିଲେ ଗୋଟିଏ ବଞ୍ଚିବ । ଯାହାର ଟିକିଏ ବେଶି ଜୋର ହେଲା–ଧନରେ ହେଉ, ବୁଦ୍ଧିରେ ହେଉ, କି ବଳରେ ହେଉ, ସେ ସାଇପଡ଼ିଶା ଆଖପାଖ ଗରିବଗୁରୁବା ଦୁର୍ବଳିଆ ଆଉ ପାଞ୍ଚଟିଙ୍କୁ ମାରି, ଖିନି ଖରାପ କରି, ନିଜେ ମୋଟା ହୋଇ ବଢ଼ିବ । ମଣିଷ ତେବେ କ’ଣ ଏଇୟା ! ‘ଆହାରେ ଭଲମନ୍ଦ ନାହିଁ, ଯେ ସ୍ଥାନେ ଯେମନ୍ତ ମିଳଇ’- ଏ ଭାଗବତବାଣୀ, ତେବେ କ’ଣ ମଣିଷ ପାଇଁ ହୋଇ ନାହିଁ ! ଅଧର୍ମ ପାଇଁ ରାମାୟଣ ମହାଭାରତ ହେଲା, ଅଧର୍ମ ପାଇଁ ବସୁଧା ଫାଟି ଯାଇଥିଲା ! ଏ କ’ଣ ମଣିଷ ଜାତିର କଥା ନୁହେଁ ?

ବରଜୁ ପାଟିକରି ଉଠିଲା, ‘‘ଧର୍ମ ଅଛିରେ ଭାଇ, ଅଛି । ଆମେ ପାପୀ ବୋଲି ଧର୍ମ କୁଆଡ଼େ ଯିବ ? ଆମେ ୟାକୁ ତାକୁ କ’ଣ କହିବା–ନିଜେ ତ ଦୋଷୀ । ଧର୍ମ କାର୍ଯ୍ୟ ପାଇଁ ଗୁଣ୍ଡୁଚିମୂଷାଟାଏ ସେତୁବନ୍ଧରେ ଯାଇ ପାଟି ପକାଇଲା, ମାକଡ଼ଗୁଡ଼ାଏ ଯାଇ ହାଣମୁହଁରେ ବେକ ପତେଇ ଦେଲେ; ଶହ ଶହ ରାଜାମହାରାଜା ଘରଦୁଆର ପିଲାମାଇପଙ୍କ ମୋହ ତୁଟାଇଦେଇ ଲହୁ ଢାଳିଦେଲେ । ଆମେ କ’ଣ କରୁଚେଁ ? –ଆମର ତ ଘର ଘରକେ ତିନି ଫାଙ୍କ- ବାପପୁଅ ଭିତରେ, ଭାଇଭାଇ ଭିତରେ, ସ୍ତ୍ରୀ ପୁରୁଷ ଭିତରେ ତ ମନ ମିଳୁ ନାହିଁ; ସେଥିରେ ଯେବେ ଜଣେ ଜଣେ ହରି ମିଶ୍ର ତୋ ମୋ ଭିତରେ କଜିଆ ଲଗେଇ ମାଙ୍କଡ଼ ଲଡ଼ୁ ଭାଗ ବାଣ୍ଟିଲା ପରି ମଝିରେ ମଝିରେ ସବୁତକ ପକେଇଲେ, ଦୋଷ ଖାଲି ତାଙ୍କର ? ଆମେ ଗୋଟିକଯାକ ତୁଳସୀ ? ଆଉ ଖାଲି ମଙ୍ଗଳା ମା’ଙ୍କ ଠେଇଁ ମୁଣ୍ଡିଆ ମାଇଲେ ତ ସେ ଅସୁରଟାକୁ ମଣିଷ କରିଦେବେ ନାଇଁ । ଆମର କୋଉ ମଣିଷପଣିଆ ଅଛି ଯେ, ଆମେ ୟାକୁ ତାକୁ ନିନ୍ଦିବା ?’’

‘‘ନାଇଁରେ ଭାଇ, ସବୁ ସବୁ ଗୋଟାଏ କଥା, କପାଳ ହଉଚି ଗୋଟାଏ କଥା । ହରି ମିଶ୍ରର କପାଳ ଟାଣ–ସେଇ ମହାଜନ, ସେଇ ଜମିଦାର, ସେଇ ପ୍ରସଦନ୍ତ, ପୁଲିସ ତା’ରି ହାତରେ, ହାକିମ ହୁକମା ତା’ରି ହାତରେ । ଏସବୁ କର୍ମ–କର୍ମ ତେଜ ନ ଥିଲେ କ’ଣ ହୋଇପାରେ !’’

‘‘ହଁରେ ଭାଇ, ଯାହା କହିଲୁ ସତକଥା- କପାଳ ସବୁ । ତେବେ ବର୍ଷା ହେଲା ନାଇଁ ଆଖୁଖେତ ଉଜୁଡ଼ିଗଲା- ସେ କପାଳ ଗୋଟାଏ । ଆଉ ତୋ ମୋ ଭିତରେ କଜିଆ ଲଗେଇଦେଇ, ତୋ ଜମି ମୋ ତଳେ ଲେଖିଦେଇ ଲାଭ ଖାଇଲେ ହରି ମିଶ୍ର । ସେଇଥିରୁ ଆସିଲେ ଅମିନ, ପୁଲିସ, ହାକିମ, ଓକିଲ, ମୋହରିର । ଆମେ ଭାସିଲେଇଁ ଅକୂଳରେ–ଏ କଥା ନିଆରା । ଏଠି ଆମର କପାଳ ଆଉ କିଛି ନୁହେଁ–ଆମ କପାଳ–ହରି ମିଶ୍ରେ, ବୁଝିଲୁ ନା ?’’

ଖଣ୍ଡେ ଦୂରରେ ଗୋଟାଏ ବଳଦଗାଡ଼ି ତେଲ ବିନା ‘କେଁ କଟ କଟ କେଁ’ ଡାକି ଡାକି ଧୀରେ ଧୀରେ ଚାଲିଛି । ଶଗଡ଼ିଆର ଟାକରା, ଗୋରୁ ଉପରେ ପାଞ୍ଚଣ ମାଡ଼ର ଶବ୍ଦ, ଆଉ ମଝିରେ ମଝିରେ ପଦେ ଅଧେ ଗୀତ–‘ରାମ ବିଭାକାରେ ଲୋ ଲଖଣ ଦରଜାତି- ଇ- ଟ୍ଟ ଟ୍ଟ ।’ ବରଜୁ ପଧାନର କଥାଗୁଡ଼ାକ ଯେମିତି ଅବା ଧାନଗଛ ଉପରେ ପବନର ଢେଉ ଖେଳ ସାଙ୍ଗେ ସାଙ୍ଗେ ଚାରିଆଡ଼େ ବାଜିଗଲା ।

ଯଦୁ ଦଳେଇ କହିଲା, ‘‘ହଁ ଭାଇ, ସବୁ ବୁଝିଲି ଯେ ତେବେ ତୋ କଥାଗୁଡ଼ାକ କେମିତି ଅଡ଼ୁଆ ଲାଗୁଚି । ହରି ମିଶ୍ର ସିନା ଖରାପ–ତେବେ ଓକିଲ, ଅମଲା ହାକିମମାନେ କ’ଣ ଆମର କିଛି ଭଲ କରୁ ନାହାନ୍ତି ?’’

‘‘ହଁ ତାଙ୍କର ଯାହା ମରଜି–ଭଲ କଲେ ଆମ କପାଳ ଭଲ, ମନ୍ଦ କଲେ ଆମ କପାଳ ମନ୍ଦ । ମୋଟ ଉପରେ ଆମେ ମନ୍ଦ ହେବାରୁ ସିନା ଏତେ ସବୁ ଭିଆଣ ।’’

‘‘ହଁରେ ଭାଇ, ଶଏ କଥାରେ ଏ ଗୋଟାଏ କଥା–ସଂସାରଟା ମନ୍ଦ ହେବାରୁ ଏତେ କଥା । ହେଲା ବା ଜଣେ ମଣିଷ ଭଲ ହେଇଗଲା, ଆଉ ସମସ୍ତେ ତ ଚୋର–ସେ ଭଲ ମଣିଷଟି ଥାଇ ପାନ କୋଉଠି ମିଳିବ ?’’

‘‘ଗୋଟି ଗୋଟି ହେଇ ତ କୋଟିଏ ! ଯେ ଭଲ ହୁଏ, ସେ ଆଉ ପଚିଶଟାକୁ ଭଲ କରିଦିଏ । ଗୋଟାଏ ଠେଇଁ ଫୁଲଟା ଫୁଟିଲେ ଚାରି ପାଖ ଧରି ବାସ ଚହଟାଇ ଦିଏ । ଯୋଉ ଫୁଲର ଯେଡ଼େ ବାସନା, ସେ ସେତିକି ଦୂରକୁ ମହକ ଦିଏ ।’’

ବଳଦଗାଡ଼ିର ‘କେଁ କଟ କଟ ମେଁ’ ଡାକ ଧୀରେ ଧୀରେ ଦୂରକୁ ଚାଲିଯାଉଛି- ଶଗଡ଼ିଆର ଟାକରା, ଗୋରୁ ଉପରେ ପାଞ୍ଚଣ ମାଡ଼ର ଶବ୍ଦ, ପୁଣି ମଝିରେ ମଝିର ପଦେ ଅଧେ ଗୀତ–‘ସୁବଣ୍ୟ ବେଦୀ ତରେ ଲୋ ଧଇଲେ ପାଟଛତି–ଇ–ଟ୍ଟ, ଟ୍ଟ ।’

ତେଣେ ପିଲାଙ୍କୁ କାହାକୁ ଚିପୁଡ଼ା ଭାତଗଣ୍ଡେ, କାହାକୁ ମୁଢ଼ି ହୁଡ଼ୁମ୍ୱ ମୁଠାଏ ଦେଇ ବଡ଼ବୋହୂ ଖଣ୍ଡେ ଦାନ୍ତକାଠି ଚୋବେଇ ଚୋବେଇ ଯାଏ ପୋଖରୀ ଘାଟକୁ । ଶାଶୂ ମରିଯିବା ଦିନୁ ଦି’ଜାଙ୍କ ଭିତରେ ପଡ଼େ ନାହିଁ । କେହି କାହାରି ପଦେ ହେଲା ସହିବ ନାହିଁ–ପଦକୁ ପଦେ ଉତ୍ତର । ଘର ଭିତରେ କାମ ବଣ୍ଟା ହୋଇ ଯାଇଛି–ସାନବୋହୂର ଗୋରୁମୁହାଁ, ଗୁହାଳପୋଛା, ଘଷିପରା, ଧାନୁଷୁଆଁ କାମତକ; ବଡ଼ବୋହୂର ଭାତ ତୁଣ ରନ୍ଧାବଢ଼ା, ଗଲା ଅଇଲା ସବୁ କାମ । କେହି କାହା କାମରୁ ସୂତାଏ ହେଲେ କରିଦେବେ ନାହିଁ । ବଡ଼ବୋହୂ ଦିନେ ହେଲା ଧାନରେ ଗୋଡ଼ ମାରି ଟିକିଏ ଶୁଖେଇ ଦେବ ନାହିଁ, କି ସାନବୋହୂ ଦିନେ ହେଲା ଚୁଲିକି ଜାଳ କେରାଏ ମୁହିଁ ଦେବ ନାହିଁ-

ବଡ଼ବୋହୂ ଯେମିତି ଦାନ୍ତକାଠି ଖଣ୍ଡେ ଚୋବେଇ ଚୋବେଇ ପୋଖରୀ ତୁଠରେ ଆସି ପହଞ୍ଚିଲା, ସେମିତି ତା’ର ସାଙ୍ଗ ସହଚରୀମାନେ ଆସି ଗୋଟି ଗୋଟି ହୋଇ ଜୁଟିଲେ । ମଣିବୋଉ ଗଡ଼ିଆକୂଳରୁ ମୁଠାକୁ ମୁଠା ଓଦାମାଟି ନେଇ ପିତଳ ବାହିଟାକୁ ଘସର ଘସର କରି ମାଜି ପକାଉଥାଏ; ଏଣେ କହିଲାଗିଥାଏ, ‘‘ଇଏ କ’ଣ ବା ହାରାବୋଉ, ତୋର କାଇଁକି ଏଡ଼େ ଉଛୁର ବା ?’’

‘‘ଆଲୋ, ହଳଦୀ ବାଟିଲି, ବେସର ବାଟିଲି, ବଡ଼ୁଟାକୁ ପଖାଳ ମୁଠାଏ ବାଢ଼ିଦେଲି, ସାନ ଦି’ଟାଙ୍କ ଅଣ୍ଟିରେ ମୁଢ଼ି ଗଣ୍ଡାଏ ଗଣ୍ଡାଏ ଦେଲି–’’

ମଣିବୋଉ ଖୋଳେଇ ହୁଏ–‘‘କାଇଁକି ବା, ସାନ କ’ଣ ତୋ ପିଲାଙ୍କ ଖାଇବା କଥାତକ ବୁଝନ୍ତା ନାଇଁ ?’’

‘‘ଆଲୋ, ସେ ପରା ବଡ଼ଘର ଝିଅ । ମୋ ପିଲାଗୁଡ଼ାକ ତାକୁ ଗନ୍ଧାନ୍ତି ନା ! ଘଇତା ମାଇପେ ଯେବେ ଗୋଟାଏ ଘରଭିତରେ ଟୁପୁରୁ ଟାପର ହେଉଥିବେ, ତମର ଏଆଡ଼େ ଭାତହାଣ୍ଡି ଉତୁରି ପଶିଲେ କେତେ, ଡାକି ଡାକି ଫାଟି ଫୁଟିଗଲେ ତ ତା’ ଭିତରୁ ବାହାରିବେ ନାହିଁ ।’’

ଶରଦୀ ମା’ ଦାନ୍ତକାଠି ଖଣ୍ଡକରେ ବସଣୀଟାକୁ ମାଜୁ ମାଜୁ କହିପକାଏ, ‘‘ଛିଆଲୋ, ଭୂଆଶୁଣୀଟା, ଘଇତା ପାଖରେ ସବୁବେରେ ପଶିଥିବ–ବରଜୁଆ ମା’ ଥିଲେ ଏ କଥା ପୁଣି କାନ ଶୁଣନ୍ତା ?’’

ହାରାବୋଉ କହିଲା, ‘‘କ’ଣ ସେତିକି କିଲୋ ଅପା, ଦେଢ଼ଶୁରଟା ସେଇଠି ଦୁଆର ମୁହଁରେ ବସିଥିବ–ଘରଭିତରେ ଭାଇ ଭାଇବୋହୂଙ୍କର ହସ ତାମସା ଲାଗିଥିବ ଯେ–ଯେ ଗୋଟାଏ ଶୁଣିବ, କହିବ ଏ କ’ଣ ଦାରୀଘର !’’

ନାଣ୍ଡୀ ପଣ୍ଡୀଆଣୀ ଆଞ୍ଜୁଳା ଆଞ୍ଜୁଳା ପାଣି ଧର୍ମଦେବତାଙ୍କୁ ଟେକି ଦେଉଥାଏ, ଏଣେ ବି କହିଲାଗିଥାଏ, ‘‘କିଲୋ, ପରା କଳିକାଳ ଏ- ଏଣିକି ତ କେତେ ନୂଆ ନୂଆ କଥା ଦେଖିବ, କେତେ ନୂଆ ନୂଆ ଶୁଣିବ–ଆମର ତିରିଶ ବରଷଯାଏ ଆମେ ଦାଣ୍ଡଦୁଆର କେମିତି ଦେଖି ନ ଥିଲୁଁ କି ଘଇତା ମୁହଁ କିମିତି ଜାଣି ନ ଥିଲୁଁ । ଏବକାଳକୁ ତ ଭାଇବୋହୂ ଦେଢ଼ଶୁର–ଛିଆ, ଛିଆ, ସେକଥା ତୁଣ୍ଡରେ ଧର ନା !’’

ସାନବୋହୂ ଘର ଭିତରେ କାନପାରି ବାଁରେଇ ଚାଁରେଇ ବାରିପଟକୁ ଆସି ସବୁକଥା ଶୁଣିଲା । ଛକଡ଼ି ଆସିଲାରୁ ଯାହା ଶୁଣିଥିଲା, ତାହା ତା’ ଆଗରେ କହିଲା, ଯାହା ନ ଶୁଣିଥିଲା ତାହା ବି କହିଲା । ଛକଡ଼ି କରିବ କ’ଣ ? ବଡ଼ଭାଇ ଆଗରେ କହିବାକୁ ତାର ସାହସ କାହିଁ ?

ବଡ଼ବୋହୂ ସାନବୋହୂ ଏଣିକି ମୁହାଁମୁହିଁ ହୋଇ କଜିଆ ଆରମ୍ଭ କରିଦେଲେ । ଶାଶୂ ଶଶୂର ତ ନାହାନ୍ତି–ଏବେ ଯେଝା ହାତରେ ସେ ଚଉଦ–ପା–କିଏ କାହାକୁ ମାନିବ, କିଏ କାହା କଥା ଶୁଣିବ ? ବସିଲେ କଳି, ଉଠିଲେ କଳି, କଥା କଥାକେ କଳି ! ବଡ଼ବୋହୂ ବସିଚି, ସାନବୋହୂ ସେ ବାଟରେ ଚାଲି ଯାଉଁ ଯାଉଁ ଅଜାଣତରେ ବଡ଼ ଯା ଦିହରେ ଗୋଡ଼ଟା ବାଜିଗଲା । ‘ବିଷ୍ଣୁ’ କରିଦେଇ ସାନ ଯା ଚାଲିଯାଉଚି, ବଡ଼ ଯା କହିପକାଇଲା, ‘‘କିଲୋ କ’ଣ ମଣିଷ ଦିଶୁ ନାହାନ୍ତି- କି ବବାଟ ଚାଲୁ ଚାଲୁ ଗୋଇଠା ମାରିଦେଇ ଯାଉଚୁ !’’ ମୁହଁ ଛିଞ୍ଚାଡ଼ି ଦେଇ ସାନ ଯା କହିଲା, ‘‘କାଇଁକି ବା, ମଣିଷଙ୍କୁ କ’ଣ ଥାନ ମିଳେ ନାଇଁ କି, ବାଟରେ ଘାଟରେ ବସିବେ !’’

‘‘କିଲୋ, ଭାରି ବହପ ତୋର–ମାଡ଼କୁ ମାଡ଼ ମାରି କେଡ଼େ କାଟେଣି ଦେଖଉଚୁ !’’

ସାନବୋହୂ ବି ଜବାବକୁ ଜବାବ ଯୋଡ଼ିଦେଇ କହିଲା, ‘‘କାଇଁକି ମ, କିଏ କ’ଣ କା’ର ଖାଏ କି–କଥା କହିବେ ନାଇଁ ଡରିବେ !’’

 

କଥାକୁ କଥାଏ ହୋଇ ଶେଷରେ ଦି’ ଯାଙ୍କ ମୁହଁରୁ ଯେଉଁସବୁ କଥା ବାହାରିଲା, ତାହା ଅଭିଧାନ ଭିତରେ ନାହିଁ ।

 

ବରଜୁ ଛକଡ଼ି ଘରକୁ ଆସିଲେ । ବରଜୁ ଆସିଲା ବିଲବାଡ଼ି କାମ ବୁଝିସାରି; ଛକଡ଼ି ଆସିଲା ଦି’କୋଶ ବାଟରୁ କେଳାନାଟ ଦେଖି । ଦୁଇ ଜଣ କଜିଆ କଥା ଶୁଣିଲେ । ଜଣେ ଶୁଣିଲା ସାନବୋହୂଙ୍କ ଦୋଷ, ଆଉ ଜଣେ ବଡ଼ଭାଉଜଙ୍କ ଅପରାଧ । ଛକଡ଼ି ସବୁ କଥା ଶୁଣି ସ୍ତ୍ରୀକୁ ସାବାସ୍‌ କରି କହିଲା, ‘‘ହଁ, ଏମିତି କଥାକୁ କଥାଏ କହିଲେ ସିନା ଜିତିବା’’ । ସ୍ତ୍ରୀର ରୂପ ଆଉ ପ୍ରକାର । ସେ ମୁହଁ ମୋଡ଼ି ଦେଇ କହେ, ‘‘ସେ ମାଇଚିଆ ସୁଆଗଗୁଡ଼ାକ ରଖିଥା । ଗଣ୍ଡାଏ ଖାଇବି ବୋଲି ବାର ଅରିକ୍ଷିତିଆଣୀଙ୍କ ଠାଉଁ କାଇଁକି ବାର କଥା ଶୁଣିବି ମ ? ଖଣ୍ଡେ ପିନ୍ଧି ଗଣ୍ଡାଏ ଖାଇବାକୁ ମୋର କ’ଣ ନାଇଁ କି ?’’

 

ତା’ର କ’ଣ ଅଛି କି ନାହିଁ ସେ ଜାଣେ ନାହିଁ–ଜାଣିଥିଲେ ଜାଣିଥିବ ଛକଡ଼ି । ହେଲେ, ଛକଡ଼ିର କେଉଁ ଗହୀରରେ କେତେ ଚାଷ, ସେତକ ମାଲୁମ ନାହିଁ । ସେ ବୁଝାଇ ସୁଝାଇ କହେ, ‘‘ଆଚ୍ଛା ହଉ ରହ, ଦେଖିବା, ଭାଇ ଆଗେ କ’ଣ କହୁଚନ୍ତି, ବୁଝିବା ।’’

 

ସାନବୋହୂ କୋପାନଳ ହୋଇ କହେ, ‘‘ରଖିଥା ତୋ ଭାଇଭାଉଜ–ତୋ ଭାଇଭାଉଜ ପୁତୁରାଝିଆରୀଙ୍କୁ ନେଇ ଥା–ମତେ ଖଣ୍ଡେ ଅଲଗା ହାଣ୍ଡି କରି ଦେ ।’’

 

ଆର ଘରେ ବରଜୁ ଖାଲି ସାନବୋହୂର ଦୋଷଗୁଡ଼ାକ ଶୁଣେ । ସେ ବୁଝିଲାଣି, ସବୁ କଥାରେ ତୁନିହୋଇ ରହିଲେ ଏଣିକି ଆଉ ଚଳିବ ନାହିଁ । ଆପଣା ସ୍ତ୍ରୀକୁ ବୁଝାଇସୁଝାଇ ସେ ଥକିଲାଣି । କାହିଁରେ କିଛି ହେଲା ନାହିଁ । ବିଶ୍ୱାସରେ ବିଶ୍ୱ ଚଳୁଛି । ବିଶ୍ୱାସ ତୁଟିଗଲେ ବାପ ପୁଅ, ସ୍ତ୍ରୀ ପୁରୁଷ, ଭାଇ ଭାଇ, ରାଜା ପ୍ରଜା କାହାରି ଭିତରେ କିଛି ସମ୍ୱନ୍ଧ ରହିବ ନାହିଁ । ଦି’ଯାଙ୍କ ଭିତରେ ତ ଏ ବିଶ୍ୱାସ ନାହିଁ; ତେବେ ଦି’ଭାଇଙ୍କ ଭିତରେ ଯେ ରହିବାର କଥା, ତାହା ବି କମିଯାଇଛି ।

 

ବରଜୁ ସ୍ତ୍ରୀକୁ ସବୁ ପ୍ରକାର ବୁଝାଇସୁଝାଇ ଶେଷରେ କହିଲା, ‘‘ତମର ଏ କଳିଗୋଳ ଯୋଗୁରୁ ଦେଖୁଚ ତ, ସକାଳୁ ସଞ୍ଜଯାଏ ମୁଁ ଘରେ ରହୁ ନାଇ । ଏଣିକି ନ ହେଲେ ରାତିରେ ବି ଯାହା ଟିକିଏ ଆସୁଚି, ସେତକ ବନ୍ଦ କରିଦେବି ।’’

 

ବଡ଼ବୋହୂ ସଂସାର ଭିତରେ ସବୁଠାରୁ ବେଶୀ ଡରେ ବରଜୁକୁ–ଆଡ଼ପାଗଲା ମଣିଷୁଟାଏ, ଯାହା ରେଣ୍ଟି ଧରିଥିବ ସେୟା । କେତେବେଳେ ମାଛିଟାଇ ମାଇଲେ ସହିବ ନାଇଁ, ଆଉ କେତେବେଳେ ତମର କାନ୍ଦି ବୋବେଇ ମୁଣ୍ଡ କଚାଡ଼ି ଜୀବ ଛାଡ଼ିଯାଉ, ଟିକିଏ ଆଖି ଫେରାଇ ଚାହିଁବ ନାଇଁ- ଏମିତି ମଣିଷୁଟାର ହାତ ଧରିବାକୁ ବଡ଼ବୋହୂ କପାଳରେ ଥିଲା ! ଆଉ କ’ଣ ଘଇତାମାଇପେ ହୋଇ ଲୋକେ ଚଳୁ ନାହାନ୍ତି !- ଏଇପରା ଛକଡ଼ି–ହସଖୁସିରେ ଦିନ ଅଣ୍ଟୁ ନାହିଁ, ଆଜି ସୋଲାଭଜା, କାଲି ଜିଳିପି, ପଅରଦିନ ପିଚାପାଡ଼ ଶାଢ଼ୀ । ଏ ଗୋଟାଏ ମଣିଷ ଯେ କହି କହି ଫାଟି ଫୁଟିଗଲେ ଭଲରେ ମନ୍ଦରେ ଖଣ୍ଡେ, ଜିନିଷ କରିବ ? କିଏ ଯେମିତି ଶହେ ପଚାଶ ଘିନି ପଳେଇଲା, ଏମିତି ସବୁବେଳେ ମୁହଁଟାକୁ ଓଳିଆ ପରି କରିଥିବ । ସେଥିରେ ପୁଣି ଜିଦିଖୋର ଯେ କହିଲେ ନ ସରେ–ପୋଡ଼ା କପାଳରେ !

 

ବଡ଼ବୋହୂ ଶଙ୍କି ହୋଇ କହିଲା, ‘‘ହଁ, ତମର ତ ଖାଲି ସେଇ କଥା ଡରେଇବାକୁ ଅଛି- ପିଲା ମାଇପଙ୍କୁ ଅନାଥ କରି ଘର ଛାଡ଼ି ପଳେଇବ । କାଇଁ କି, କଜିଆ କେମିତି ବନ୍ଦ ହେବ ବତେଇ ଦେଉନା ?

 

ବରଜୁ ଯାହା ବତାଏ, ସ୍ତ୍ରୀକୁ ତାହା ଏକାବେଳେ ଅସମ୍ଭବ ପରି ମନେହୁଏ । ସେ ସବୁ ଶୁଣେ- ସେଥିରୁ ଯାହା ବୁଝେ, ଦୋଷ ଦିଏ ସ୍ତ୍ରୀର । ସେ ବଡ଼ ଯା–ସେ ଯେମିତି ଚଳାନ୍ତା, ସାନ ଯା ସେଥିରେ ବଳେ ବାଧ୍ୟ ହୁଅନ୍ତା । ସବୁ କଜିଆଗୋଳ ପାଇଁ ବଡ଼ ଯା ନିଶ୍ଚେ ଦାୟୀ । ସେ ଆଗ ହୋଇ ଘରକୁ ଆସିଚି–କେତେ ଆଗରୁ ବୋହୂପଣିଆ କରିଚି, ଘରଣୀ ହୋଇଚି; ଘରଦୁଆର, ଭଲ ମନ୍ଦ ସବୁ ବୁଝାମଣା କରିଚି–ସବୁ ଦୋଷ ପାଇଁ ସେ ଆଗ ଦୋଷୀ ।

 

ସ୍ତ୍ରୀ ମୁହଁ ଫୁଲାଇ କହେ, ‘‘ହଁ, ମୋ କଥାକୁ ମାନିବାକୁ ତ ସେ ଚାହିଁ ବସିଚି !’’

 

ସ୍ୱାମୀ କହେ, ‘‘ସେ ନ ମାନିଲେ ବି ଦୋଷ ତା’ର ନୁହେଁ, ତମର–କାହିଁକି ନା ତମେ ବଡ଼ । ତମ ଦି’ଜଣଙ୍କ ଭିତରେ ଯେ ମନ ଭାଙ୍ଗି ଯାଉଚି, ସେଥିପାଇଁ ବି ତମେ ଦୋଷୀ–କାହିଁକି ନା ତମେ ବଡ଼- ତମ ବୁଦ୍ଧି ତା’ଠାରୁ ବେଶି ସରସ, ତମେ ତା’ଠାରୁ ବେଶି ଜାଣିବା ମଣିଷ ।’’

 

ଦୁଇ ଧାର ଲୁହ ଗଡ଼ାଇ ପକାଇ ହାରାବୋଉ କହିଲା, ‘‘ତୁମେ ଆଉ ଭାଇ ଭାଇବୋହୂଙ୍କ ପଟକୁ ନ କହି ମୋ ପାଇଁ କହନ୍ତ କି ? ମୁଁ ତ ତମର ସାତ ପରରୁ ପର !’’

 

ବରଜୁ କେତେ ବୁଝାଇ କହିଲା–ପୁରାଣ ଇତିହାସରୁ କେତେ ଭଲ ଭଲ ଗପ–ସବୁ ଅକାରଣ–ସ୍ତ୍ରୀ ବୁଝିଲା ନାହିଁ ।

 

ଛକଡ଼ିର ନିଜ ଘରକରଣା ଉପରେ, ନିଜ ଉପରେ ବେଶି ମନ ଚାଲିଲା–ନିଜେଆଉ ନିଜ ସ୍ତ୍ରୀ, ଏ ଦୁଇ ଜଣଙ୍କ ଛଡ଼ା ଆପଣାର ହୋଇ ସଂସାରରେ ତା’ର ଆଉ କେହି ନାହାନ୍ତି । ଭାଇ, ଭାଉଜ, ଝିଆରୀ, ପୁତୁରା–ସମସ୍ତେ ତା’ଠାରୁ ଦୂରେଇ ହୋଇ କେମିତି ଛାଡ଼ି ଛାଡ଼ି ଯାଉଛନ୍ତି । ଯେଉଁ ଭାଇ ଆଜିଯାଏ ଦିନେ ହେଲେ ‘ଛକଡ଼ି, ବିଲକୁ ଯା ଧାନ କାଟ’ ବୋଲି ପଦେ ହେଲେ ବୋଲ ବତେଇ ନାହିଁ । ଯାତତୀଥରୁ ଆସିଲେ ଝିଆରୀ ପୁତୁରାଙ୍କ ପାଇଁ ଆଉ ସେ କୋରା, ଖଇ, ମାଙ୍କଡ଼, ବିଲେଇ, କୁଣ୍ଢେଇ ସବୁ ଆଣେ ନାହିଁ–କାହିଁକି ନା, ନେତ୍ରମଣି ସେ ସବୁ ଦେଖିଲେ ଆଉ କ’ଣ ତିନି ଦିନ ଯାଏ କଥା କହୁଚି ! ତେବେ ପିଲାଗୁଡ଼ାକ ତା’ ଚାରିପାଖ ବେଢ଼ିଯାଇ ଯେତେବେଳେ ପଚାରନ୍ତି, ‘‘ଦାଦି, ମୋ ପାଇଁ କ’ଣ ଆଣିଚୁ ?’’ ସେତେବେଳେ ଦଣ୍ଡକ ପାଇଁ ତା’ ମନଟା କାହିଁକି ଛଟପଟ ହୋଇ ଉଠେ- ମା’ ବୁଢ଼ୀ ଥିବାବେଳ କଥା ମନେପଡ଼ି ମନଟା କେମିତି ବଥାଏ- କୁଆଡ଼େ ଗଲାଣି ସେ ଦିନ ! ଖାଲିହାତରେ ଆସିଚି ବୋଲି ପିଲାଙ୍କ ମନ ବୁଝାଇବା ପାଇଁ ଟିକିଏ କାଖେଇ ପକେଇବାକୁ ଇଚ୍ଛା ହୁଏ । ବାପ୍‌ରେ !–ସେ ଘରେ ନେତ୍ରମଣି ଜଗି ବସିଚି, ଆଉ ରଖିଦେବ ?

 

ବରଜୁର ହାରା, ସୁନା ଦି’ଟି ଝିଅ । ଚଷାକୁଳ ତ–ବାହା ଦେବା ବୟସ ହେଲାଣି ଆଉ କେତେଦିନ ରହିପାରିବେ ? ବଡ଼ ଝିଅ ହାରାର ବାହାଘର–ତା’ ମାଆର ଗୋଡ଼ ତଳେ ଲାଗୁନାଇଁ । କୋଉଠି ବଡ଼ି, ବୋଉଠି ଜାଇ, କୋଉଠି ପାନିଆ, କୋଉଠି ଫରୁଆ- ଦରଣ୍ଡା ଦରଣ୍ଡି ସଜଡ଼ା ସଜାଡ଼ିରେ ଦିନରାତି ଅଣ୍ଟୁ ନାହିଁ । ସାନବୋହୂର ପିଲା ନାହିଁ–ଏ କଥାଗୁଡ଼ାକ ତା’ ଦିହ ସହିବ କେତେକେ ? ମନଇଚ୍ଛା ଘର ଆଉ କାମ ସେ କରୁଛି । ହିଂସାରେ ଦିହ ଜଳିଯାଉଛି; କାହିଁରେ ତାର ମନ ଲାଗୁ ନାହିଁ । ବଡ଼ବୋହୂ ମଝିରେ ମଝିରେ ‘‘ସାନବୋହୂ, ନଡ଼ିଆଟା କୋରି ପକାଇବୁଟି–ମହୁର ବଘାରି ଦବୁଟି’ କହି ନିଜ କାମରେ ଲାଗିଚି । ସାନବୋହୂ ଦିହରେ ଏ କଥାଗୁଡ଼ାକ ଛୁଞ୍ଚିପରି ଗଳିଯାଉଚି । ହଁ, ତାର ଗରଜ !

 

ଛକଡ଼ିରୁ ଆଗରୁ ସାନବୋହୂ ସାବଧାନ କରିଦେଇଛି, ‘‘ଖବରଦାର, ଭାଇଭାଉଜ ସୁଆଗୀ ହେବ ତ ମୋ ପାଖ ମାଡ଼ିବ ନାଇଁ ।’’ ସେ ବିଚରା କ’ଣ କରିବ ? ତା’ ପାରୁପର୍ଯ୍ୟନ୍ତ କିଛି ନ କରି ତୁନି ହୋଇ ରହୁଛି । ତେବେ, କେତେବେଳେ ତେଲଟା କିଣାଯିବ, ପୁରୋହିତକୁ ଦକ୍ଷିଣା ଦିଆଯିବ, ବରଯାତ୍ରୀଙ୍କ ବରଚା ବୁଝାଯିବ, ଏସବୁ ଖବର ଟିକିଏ ନ ବୁଝିଲେ ନ ହୁଏ । ଦାଣ୍ଡଦୁଆରେ ସ୍ତ୍ରୀ ନ ଦେଖିବା ଥାନରେ କେତୋଟା କଥା ବୁଝେ, ଘର ଭିତରକୁ ଆସିଲେ କିଛି ନ ଜାଣିଲା ପରି ତୁନି ହୋଇ ରହେ । ତେବେ ହେଲେ ରକ୍ଷା ନାହିଁ । ସ୍ତ୍ରୀର ମୁହାଁମୁହିଁ ହେଲା ତ, ସେ ତମ୍ପ ସାପ ପରି ଆଗରୁ ଫେଣା ଟେକି ବସିଛି । ଶୋଇବା ଘରକୁ ଗଲେ ନେତ୍ରମଣି ହୁକୁମ ଚଲାଏ, ‘‘ଘର ଭିତରେ ଶୋଣ ରହୁନା, ଦାଣ୍ଡଦୁଆରେ ଯାଇ ବାହାଘରେ ମାମଲତ ଦେଖେଇ ହଉଚ !’’ ଛକଡ଼ି ବିଚରାର ଉପାୟ ନାହିଁ । ଘରେ ଆଜି ବିରାଡ଼ି ପିଲା ବି ଲାଙ୍ଗୁଡ଼ ଟେକି ଡେଉଁଛି । ମନେ ମନେ ବି ଖୁସି ଟିକିଏ ହେବାକୁ ତାକୁ ମନା !

 

ହାରାର ବାହାଘର ଭାରି ସନମାନରେ ହୋଇଗଲା । ଗୋଡ଼ଠଉଁ ମୁଣ୍ଡ ପର୍ଯ୍ୟନ୍ତ ଅଳଙ୍କାରରେ ରାହା ନାହିଁ । ସମସ୍ତେ ଖାଇପିଇ ସନ୍ତୋଷ । ବରଜୁ ଯାହା ତ ତା’ ଓଜକୁ ଚାହିଁ ଖର୍ଚ୍ଚ କଲା ବେଶି ବରଘର । ବ୍ରହ୍ମପୁରୀ ପାଟ ଦେଖିବ କ’ଣ, ସୁନା ବଟଫଳ, ସୁନା କେତକୀ ଦେଖିବ କ’ଣ, କୋଉ ପଦରେ ଊଣା ନାହିଁ !

 

ବାହାଘରେ ସମସ୍ତେ ଖାଇପିଇ ଖୁସି । ନାଣ୍ଡୀ ପଣ୍ଡୀଆଣି, ଶରଦୀ ବୋଉ ଯାଇ ସାନବୋହୂ ପାଖରେ ପାନ ଭାଙ୍ଗି ବସିଲେ । ଶରଦୀବୋଉ ପଚାରିଲା, ‘‘କାଇ ମ ସାନବୋହୂ, ତୋ ନୂଆ ଲୁଗା କାଇଁ ମ ?’’ ସାନବୋହୂ ନାକ ଟେକି କହିଲା, ‘‘ମୋର କ’ଣ ନୂଆଲୁଗା ହବ ମ, ମୋର କ’ଣ ବାହାଘର ନା ପୁଆଣୀଘର ?’’

 

‘‘ମ- ବାହାପୁଆଣୀ କ’ଣ ମ ? ଘର ଭିତରେ ବାହାଘର । ବାଜା ବଜନ୍ତରୀ କେତେ କ’ଣ ନେଇଯାଉଚନ୍ତି, ଘର ଭିତରେ ସମସ୍ତଙ୍କ ପାଇଁ ଖଣ୍ଡେ ଖଣ୍ଡେ ନୂଆ କନା ବରଜୁ ପଧାନ କରି ନ ଥିବ ! କି କଥା କହୁଚୁ ମ ?’’

 

ନାଣ୍ଡୀ ପଣ୍ଡିଆଣୀ ଏଥିଭିତରେ ଘର ଚାରିପାଖ ଆଖି ବୁଲାଇ ସାରିଲାଣି । ସେ ହସି ହସି କହିଲା, ‘‘ଆଲୋ ନାଇଁ ମ, ସେ ସେମିତି ଛଦରମୀ ହଉଚି ନା, ହେଇପରା ନୂଆ ଲୁଗା ।’’ କହି ସେ ଓଳିଆ ଉପରୁ ଖଣ୍ଡେ ନାଲି ନୂଆ ଲୁଗା ଓଟାରି ଆଣିଲା ।

 

ଶରଦୀବୋଉ ଗାଁମାଇପଙ୍କ ଭିତରେ ମାମଲତକାର–ଭାରି କୁହାଳିଆ । ଯେନାପୁର ଚୌଧୁରୀଘର ଝିଅ ବାହା ଯେ ଦେଖିଚି, ତାହା ପାଖରେ ଆଉ ବାହାଘର କାହିଁକି ଲାଗେ ? କେତେ ଅଳଙ୍କାର ନାଁ ସେ ନ ଜାଣେ, କେତେ ପରକାର ଲୁଗା ଶାଢ଼ୀ ସେ ନ ଦେଖିଚି ! ଏ ଲୁଗା କି ତା’ ମନକୁ ଆସେ ? ଚାରି ଆଙ୍ଗୁଳିରେ ଲୁଗା ଦିହଟାକୁ ଦେଖି ପକାଇ ସେ କହିଲା, ‘‘ମ, ମ, ଏଇ ନୀରସା ଗୋଦାବରୀ ଶାଢ଼ୀ ଖଣ୍ଡେ- ଏ ରଙ୍ଗ ତ ଛାଡ଼ ପଡ଼ିବ ପରା !’’

 

ନାଣ୍ଡୀ ପଣ୍ଡୀଆଣୀ କହିଲା, ‘‘ହଁ, ଏମିତି ଖଣ୍ଡେ ତ ବଡ଼ବୋହୂ ପିନ୍ଧିଚି !’’

 

ଶରଦୀବୋଉ ଟିକିଏ ତୁନି ତୁନି କରି ନାଣ୍ଡୀ ପଣ୍ଡୀଆଣୀକୁ କହିଲା, ‘‘ଆଲୋ, ତୁ ବୁଝୁ ଛେନାଗୁଡ଼, ବଡ଼ବୋହୂ ପାଇଁ ଆସିଲା ବୋଲି ସାନବୋହୂ ପାଇଁ ସେମିତି ଲୁଗା ଆସିବ, ଏକଥା କ’ଣ କୋଉଁ ପାଠରେ ଲେଖାହୋଇଚି ? ବଡ଼ବୋହୂର କ’ଣ ନ ହେଲା ଯେ ଏଇ ଲୁଗା ଖଣ୍ଡକରେ ଖାଲି ସାନବୋହୂ ସାଙ୍ଗରେ ତାକୁ ସରିସା କରି ପକାଉଚୁ ? କାଇଁକି, ତା’ର ତ ଝୁଅ ବାହା ହେଲା, ଶହେ ପଚାଶ ଖରଚ ହେଲା, ବରମ୍‌ପୁରୀ ଶାଢ଼ୀ, ଆୟଅଳଙ୍କାର, କେତେ କ’ଣ ଝୁଅ ପାଇଁ ଆସିଲା, ସାନବୋହୂ ପାଇଁ ସରସା କରି ଶାଢ଼ୀ ଆଣିଥିଲେ କ’ଣ ସରିଯାଇଥାନ୍ତା ?’’ ନାଣ୍ଡୀ ପଣ୍ଡୀଆଣୀ ଟିକିଏ ସାନବୋହୂକୁ ଚାହିଁ ମୁରୁକି ହସା ଦେଇ କହିଲା, ‘‘ସେଇଥିପାଇଁ ତ ସାନବୋହୂ ମନ ମରିଯାଇଚି !’’

 

ଏଠି ସାନବୋହୂ ଯେମିତି ନାହିଁ, ସେମିତି କରି ଶରଦୀବୋଉ କହିଲା, ‘‘ମଲା ଲୋ, କଥା କହୁ ଯେ ମନକୁ ପାଏ ନାଇଁ । ମନ କାଇଁକି ମରିଯିବ ମ–ସେ କୋଉ ଲୁଗା ପିନ୍ଧି ନାଇଁ, କ’ଣ ଖାଇ ନାଇଁ, କ’ଣ ସାରି ନାଇଁ ଯେ, ଏଇ କନା ଖଣ୍ଡକ ପାଇଁ ତା’ ମନ ଊଣା ?’’

 

ନାଣ୍ଡୀ କହିଲା, ‘‘ସେ କଥା କିଏ ନାଇଁ କରୁଚି ? କାହା ଘର ଝିଅ ସେ, ବାପ ନାଁ ତା’ର କୋଉଠି ନ ପଡ଼ୁଛି, ଲୁଗା ପିନ୍ଧିବାକୁ କ’ଣ ସେ ରଙ୍କୁଣୀ ହେଇଚି ? ସେଇଥି ଯୋଗରୁ ବନ୍ଦେଇ ସାରି ପାଲଟି ପକାଇଲ ନା, ଆଉ ପିନ୍ଧିଲା !’’

 

ସାନବୋହୂର ଛାତି ଏଉଁ ଫୁଲି ଉଠିଲା । ସେ କହିଲା, ‘‘ମୋ ଅପା ଯେତେବେଳେ ବାହା ହେଲା, ଏମିତି ଲୁଗା ଧୋବଣୀ, ଭଣ୍ଡାରୁଣୀ କେତେ ନେଇଥିବେ !’’

 

ଶରଦୀବୋଉ କହିଲା, ‘‘ହଁ ମ, ସେ କଥା କିଏ ନ ଜାଣେ ? ଏ ନୂଆ ଡାଆଣୀ ପୁଅ ଖେରେଇ ଶିଖୁଚନ୍ତି ନା !’’ ଶରଦୀବୋଉ ଯେ ସାନବୋହୂ ବାପ ଘର କଥା ପଦେ ହେଲେ ଜାଣେ ନାହିଁ, ଏହା କହିବା ଦରକାର ନାହିଁ ।

Image

 

ପରିଚ୍ଛେଦ ପାଞ୍ଚ

 

ହରି ମିଶ୍ରେ ଗାଁ ଚୌକିଦାର ପ୍ରେସିଡେଣ୍ଟ । ବହୁତ ସରୁ ଚାଉଳ, ଘିଅ ବଦଳରେ ତାଙ୍କୁ ଏ ହାକିମୀ କାମ ଖଣ୍ଡିକ ମିଳିଛି । ତାଙ୍କର ସମ୍ପତ୍ତି ବାଡ଼ି ଯାହା ପୈତୃକ ଥିଲା, ନିଜ ଯୋଗ୍ୟତାରେ ସେ ଆଉ କେତେଟା ରାଣ୍ଡୀ ଖଣ୍ଡୀ ଗରିବଙ୍କ ଘରଭାଙ୍ଗି ନିଜ ସମ୍ପତ୍ତିରେ ମିଶାଇ ପାରିଛନ୍ତି । ବରଜୁ ପଧାନକୁ ସେ ଦି’ଆଖିରେ ଦେଖିପାରନ୍ତି ନାହିଁ । କାହିଁକି ନା, ବରଜୁ ଯୋଗୁଁ ତାଙ୍କ କାମରେ ବହୁତ ବାଧା ପଡ଼ୁଛି, ତାଙ୍କୁ ଅନେକ କ୍ଷତି ସହିବାକୁ ହୋଇଛି । ଗାଁ ଭିତରେ କି ଆଉ ଆଉ ଗାଁମାନଙ୍କରେ ଯେତେବେଳେ ମାଲି ମକଦ୍ଦମା ହୁଏ, ବରଜୁକୁ ଆଗେ ଡାକରା ପଡ଼େ । ପଞ୍ଚୁଆତରେ ବସି ମକଦ୍ଦମାତକ ସେ ଆପୋଷରେ ମେଣ୍ଟାଇ ଦିଏ । ମିଶ୍ରଙ୍କର ତ ଆଉ କାଟେରୀ ଚଳିଲା ନାହିଁ । ମକଦ୍ଦମା ତଦନ୍ତରେ ଏକ ପକ୍ଷରୁ ଚାର’ଣା ପାଇ ତା’ପାଇଁ ଚାରି ଅଣାର ଓ ଆର ପକ୍ଷରୁ ଆଠଅଣା ପାଇ ତା’ପାଇଁ ଆଠ ଅଣାର ରିପୋର୍ଟରେ ଲେଖିବାର ସୁବିଧା ତାଙ୍କୁ ସବୁଠାରୁ ଜୁଟିଲା ନାହିଁ । ଲୋକଙ୍କ ଆଖି ଫିଟିଯାଇଛି । ବରଜୁ ପଧାନ ସେଥିପାଇଁ ସବୁଠାରୁ ବେଶି ଦାୟୀ । ମିଶ୍ରେ ଏମିତି ଗୋଟାଏ ଦି’ଟା ବଡ଼ ମକଦ୍ଦମାରେ ଦୁଇଆଡ଼ ହାତ ବୁଲାଇବାର ଯୋଗାଡ଼ କଲାବେଳେ ବରଜୁ ପଧାନ ମଝିରେ ପଶି ଆପୋଷରେ ମାମଲାତକ ଭାଙ୍ଗିଦେଇଛି । ଏକଥା କି ମିଶ୍ରେ ସହନ୍ତି ? ଜାତିରେ ଚଷା ଟୋକାଟାଏ, ବାପ ନାଁ ପଚାରିଲେ ଆସିବ ନାହିଁ, ତାହାର ବହପ ଦେଖ !

 

ମିଶ୍ରେ ଖଡ଼ିକା ଖଣ୍ଡେ ଧରି ଦାନ୍ତମୂଳରୁ ଗୁଆ କାଢ଼ୁଛନ୍ତି । ଛକଡ଼ି ସେହି ବାଟେ ବଟୁଆ ଖଣ୍ଡ ଧରି ଦୋକାନ ଆଡ଼େ ଚାଲିଛି । ମିଶ୍ରେ ଡାକ ପକାଇଲେ, ‘‘ଏ କିଏରେ, ଛକଡ଼ି ? ଆରେ ଆମ ଅଖାଇନାନୀ ପୁଅ ।’’ ମିଶ୍ରେ ଛକଡ଼ି ବରଜୁଙ୍କର କକେଇ ଲେଖା ହେବେ । ଛକଡ଼ି ପାଖକୁ ଆସିବାରୁ ମିଶ୍ରେ କହିଲେ, ‘‘କିରେ, ଆମ ପିଣ୍ଡା ଉପରକୁ ଉଠି–କ’ଣ ବାହାଘର କଲ, କେତେ ଖର୍ଚ୍ଚ କଲ ?’’ ଛକଡ଼ି କହିଲା, ‘‘ଆପଣ ତ ନିଜେ ଯାଇଚ, ସବୁ ଦେଖିଚ କରିଚ, ଆଉ ପଚାରୁଚ କ’ଣ-?’’

‘‘ହେଃ ହେଃ- ଆରେ ଆମେ କ’ଣ ଦେଖିଲୁଁ, କ’ଣ କଲୁଁ ମ ? ଭୋଜନର ପିଆରା ଆମେ । ଖିରିପିଠା ସରିଲା ତ କିଏ କାହାକୁ ପଚାରେ ?’’

‘‘ଆଉ ମତେ ପଚାରୁଚ କ’ଣ ?’’

‘‘ଏଁ, ଏଁ, କ’ଣ କହିଲୁ, ତତେ ପଚାରିବି ନାଇଁ ତ ଆଉ କାହାକୁ, ପଚାରିବିରେ ? ଘରର ଭାଇ ତୁ, ନିଜ ହାତରେ ତ ସବୁ ନେ ଆଣ କରିଥିବୁ; ତତେ ପଚାରିବି ନାଇଁ ତ ଆଉ କ’ଣ ଚିନ୍ତା ହାଡ଼ିକୁ ପଚାରିବି ?’’

ଛକଡ଼ି ଗମ୍ଭୀର ହୋଇ ଆସିଲା, ‘‘ଆମେ ଚିନ୍ତା ହାଡ଼ିଠଉଁ ବଳୁଁ, କକେଇ ।’’

‘‘ଏଁ, ଏଁ, କ’ଣ କହିଲୁ- ଚିନ୍ତା ହାଡ଼ି ? ଚିନ୍ତା ହାଡ଼ି କ’ଣରେ, ଛି ଛି !’’

‘‘ଆଉ ମତେ ପଚାରୁଚ ଯେ କକେଇ, ଖର୍ଚ୍ଚବାର୍ଚ୍ଚ କ’ଣ ହେଲା ମୁଁ କ’ଣ କିଛି ଦେଖିଚି, ନା କରିଚି ?’’

‘ଏଁ, ଖର୍ଚ୍ଚ ତୁ କରିନାହୁଁ କି ଜାଣି ନାହୁଁ ? ଏଗୁଡ଼ାକ କି କଥାରେ–ଛି, ଛି, ବରଜୁର ଏଗୁଡ଼ାକ ମଣିଷପଣିଆ ନୁହେଁ–ଘର ଭିତର ଭାଇଟା ।’’

‘‘ତାଙ୍କର କିଛି ଦୋଷ ନାଇଁ କକେଇ, ସେ କ’ଣ କରିବେ ?’’ ଛକଡ଼ିର ରାଗଯାକ ସବୁ ଭାଉଜ ଉପରେ ।

‘‘କ’ଣ ଗୁଡ଼ାଏ ତୁ ପିଲାଙ୍କ ପରି କହୁଚୁରେ, ଦୋଷ ନାଇଁ ବରଜୁର !–ଆ ଖାଲି ମାଇପଙ୍କର ଦୋଷ ? ତୁ କ’ଣ ମୋତେ ବୁଦ୍ଧି ବତେଇବୁ ଛକଡ଼ି ?’’

ଛକଡ଼ି କହିଲା–‘‘ସେ କଥା ମୁଁ କହିପାରିବି, କକେଇ ? ତେବେ, ଭାଇ–’’

‘‘ଆରେ ଯା ଯା, ତୋ ଭାଇ ତତେ ବଡ଼; ଦାଣ୍ଡରୁ ପାଁଜଣଙ୍କୁ ଡାକିଲୁ, ଏକଥାଟାକୁ ତଉଲିବା ? ଦି’ ଭାଇ ଏକାଠେଇଁ ଘର କରିବ, କାହା ପାଖରେ ଜମା କେତେ ରହିଲା, ଖର୍ଚ୍ଚ କେତେ ହେଲା, ଏ ହିସାବ ଦି’ଜଣଯାକ ବୁଝିବ ନାଇଁ ?’’

‘‘ତେବେ କକେଇ, ଭାଙ୍କୁ ତ ମୁଁ ଅବିଶ୍ୱାସ କରୁନାଇଁ !’’ ଛକଡ଼ି ମୁହଁରୁ ଏ ପଦଟା ବଡ଼ ଜୋର୍‌‌ରେ ବାହାରି ଆସିଲା । ମିଶ୍ରେ ମଧ୍ୟ ଟିକିଏ ଦବିଗଲେ । ମିଛ ଉପରେ ସତର ଜୋର୍‌ ତ କମ୍‌ ନୁହେଁ ! ମିଶ୍ରେ କହିଲେ, ‘‘ଆରେ ରାମ, ରାମ, ସେ କଥା ମୁଁ କ’ଣ କହୁଛି ? ‘ଯାହା ନ ଦେଖିବ ଦୁଇ ନୟନେ, ପରତେ ନ ଯିବ ଗୁରୁ ବଚନେ ।’ ବରଜୁ ଭଲ ମଣିଷ, ଏହା ସମସ୍ତେ କହୁଚନ୍ତି; କିନ୍ତୁ ମୋ ବିଚାରରେ ଏଇଟା ତାର ବଡ଼ ନାକରା କଥା । ଭାଇ ତ କିଛି ପିଲାଛୁଆ ହୋଇ ନାହିଁ ! ଭାଇର ଯଦି ତୁମ ଉପରେ ଏତେ ବିଶ୍ୱାସ, ଭାଇକି ତୁମେ ଚାରି ଅଣାରେ ବିଶ୍ୱାସ କଲେ ମଧ୍ୟ ତୁମର କି କ୍ଷତିଟା ହୋଇଯାନ୍ତା ? ନ ବୁଝିଲା, ନ କଲା; କୋଉ ଦିନ ତୁମେ ଦୁଇ ହାତରେ ଦଶ ପଚାଶ ଧରି ଦେଇ କହିଚ–ନବୁଟିରେ ଛକଡ଼ି, ଏ ଦଶଟା ଟଙ୍କାର ଅମୁକ ସମୁକ ସଉଦା କରି ଆଣିଲୁ । ନଇଲେ ଆସିବୁଟିରେ ଛକଡ଼ି, ଲେଖନ ତାଳପତ୍ର ଆଣ, ବାହାଘରେ କେତେ ଖର୍ଚ୍ଚ ହେଲା, ଗୋଟାଏ ହିସାବ କରି ପକାଇବା । ଏଥିରେ ଭାଇ ଭାଇ ଭିତରେ ବିଶ୍ୱାସ ତୁଟିଯାନ୍ତା ନା ବେଶି ବଢ଼ନ୍ତା ।’’

ଛକଡ଼ି ଉତ୍ତର କଲା, ‘‘ନାଇଁ କକେଇ, ହିସାବପତ୍ର ବୁଝିବାକୁ, ସଉଦା କରିବାକୁ ଭାଇ ମତେ କହିଥିଲେ ! ମୁଁ କହିଲି ମତେ ସେ ସବୁ ଆସିବ ନାଇଁ, ତୁମେ ଆଉ କାହାକୁ କହ । ଭାଇ ସେଥିରୁ ତାଙ୍କ ଶଳା ହାତରେ ଟଙ୍କା ଧରିଦେଲେ ।’’

 

ତାଳିଟିଏ ମାରିଦେଇ ମିଶ୍ରେ କହିଲା, ‘‘ବେଶ୍–ହେଲା ? ଏକଥା କ’ଣ ହେଲା ? ଏଥିରେ ମାନ ଅଭିମାନ କହିଲା କି ନାହିଁ ? ଭାଇ ନ ହେଲା, ଶଳା ତ ହେଲା !

 

ଛକଡ଼ିର ମନ ଟାଣ ନୁହେଁ–ଭାରି ଲେସମା । ମିଶ୍ରଙ୍କ କଥାରେ ଶେଷକୁ ତା’ ମନ ଢଳିଲା । ଘର ଭିତରେ ଓ ବାହାରେ ତା’ର ଥାନ ଅତି ହୀନ, ଏହା ସେ ବୁଝିପାରିଲା । ଶେଷରେ କହିଲା, ଏସବୁ ଗୋଳମାଳ କକେଇ, ଖାଲି ଏକାଠେଇଁ ରହିବାରୁ ହେଇଚି ନା ? ନ ହେଲେ ତ ଭିନେ ହେଲା ଭାଇ ପଡ଼ିଶାପଣକୁ ଯୋଗାଏ ନାଇଁ ! ଦୋଫାଁଙ୍କ ରହିଲେ ଯେଝା କଥା ସେ କରନ୍ତା-।’’

 

‘‘ଏଁ ଏଁ, ଦୋଫାଁଙ୍କ ରହିବ–କାଇଁକିରେ–କ’ଣ ତୁମର ଅସୁବିଧା–ହେଃ ହେଃ ! ଏଗୁଡ଼ାକ ଖାଲି ପିଲା କଥା !’’

 

‘‘ନାହିଁ, ପିଲା କଥା ନୁହେଁ କକେଇ, ଏଣିକି ତ ଆମେ ଆଉ ଏକାଠି ଚଳିପାରିବୁଁ ନାଇଁ । ଉପରେ ଖାଲି ସିନା ଏକାଠି ଚଳୁଚୁଁ, ଭିତରେ ତ ମନ ଫାଟିଲାଣି, ପୋଡ଼ିଗଲା ତୁଣରେ ଆଉ ସୁଆଦ ଥାଏ କି, କକେଇ !’’

 

‘‘ଆରେ ଆରେ, ଏଗୁଡ଼ାକ ଖାଲି ପାଗଳା କଥା । ପିଲା ଦି’ଟା ଏଇ ଦିନୁ ଦିନେ କ’ଣ ହେବରେ ? ହଁ, ତୁ ପିଲାଲୋକ- ତୋର ଟିକିଏ ଭଲ ଖାଇବା କି ଭଲ ପିନ୍ଧିବାକୁ ମନ ଚାହିବ, ପାଁଜଣଙ୍କ ପାଖରେ ପାଞ୍ଚ କଥା ଶୁଣିବାକୁ ଇଚ୍ଛା ହେବ । କାହିଁକି, ମତେ କହ, କାଲି ତତେ ମୁଁ ଆମ ଚୌକିଦାରି ପଞ୍ଚାୟତ ଭିତରେ ରଖିଦେଉଛି ।’’

 

‘‘ନାଇଁ କକେଇ, ଅଲଗା ନ ହେଲେ ସେସବୁ କଥା କିଛି ହେବ ନାଇଁ ।’’

 

‘‘ହେଃ ହେଃ–ଫେର୍‌ ସେଇ ଅଲଗା ହେବା କଥା ! ଅଲଗା ହେବାକୁ କିଏ ନାଇଁ କରୁଛି-? କିନ୍ତୁ ଅଲଗା ହେଲେ ପିଲାଲୋକ ଚଳିପାରିବୁ ତ ?’’

 

ଛକଡ଼ି ହସି ହସି କହିଲା, ‘‘କାହିଁକି କକେଇ, ତମ ଦୁଆରେ ବସିଲେ କ’ଣ ତମେ ମୁଠାଏ ଖାଇବାକୁ ଦେବ ନାଇଁ ?’’

 

‘‘ଆରେ ଆରେ, ସେ କଥା କାହିଁକି କହୁଚୁ–ତମର କ’ଣ ନାଇଁ ଯେ, ତମେ କାହିଁକି କାହା ଦୁଆରେ ବସିବ ? ଖାଲି ନିଜ ଗୁଣରେ ସବୁ ସାରିବା କଥା ନା ! ଶାମ ପଧାନ ପୁଅ–ତୁ ଫେର ଏମିତି କଥା କହନ୍ତୁ ? ଆଉ ହବନି ହବନି । ମୋ ଦୁଆରେ ତୁ ବସିବୁ ! କାହିଁକି, ମୋ ଘରେ ତୁ ତ ପୁଅ–କହିବୁ ତ କାଲି ତିନିଶ ଟଙ୍କା ଦେଉଚି, ଦୋକାନ କର, ବ୍ୟ୍ୟବସାୟ କର–ତୋ ଲାଭ ତୁ ଖା–ମୋ ଟଙ୍କା ମୋତେ ମୂଳେ ମୂଳେ ଧରି ଦେ । କି ରେ, ଘିଅ କାହିଁରେ ପଡ଼ିବ, ନା ପଇତିରେ ପଡ଼ିବ । ମୋ ଧନ ତ ଶାମ ପଧାନ ପୁଅ ଖାଇବେ, ଆଉ ତ କେହି ନୁହେଁ ! ମଣିଷ ଥିଲା ଶାମ ପ୍ରଧାନ–ଦଶ ଜଣରେ ସୁମାରି ହେଉଥିଲା–ପଚିଶ ଜଣ ତା’ କଥା ମାନୁଥିଲେ । ତା’ରି ପୁଏ ତେମେ–ବାବନାଭୂତ ହୋଇ ବାରଆଡ଼େ ବୁଲିବ–ଏଗୁଡ଼ାକ ଆମେ ଆଖି ଆଗରେ ଦେଖିବା-? ନା ନା, ସେକଥା ହେବ ନାହିଁ ।’’

 

ହରି ମିଶ୍ରଙ୍କର ଶାମ ପଧାନର କେଡ଼େ ଭାବ ଥିଲା, ସେ କଥା ଗାଁଯାକ ସମସ୍ତେ ଜାଣନ୍ତି । ହରି ମିଶ୍ରେ ଯେତେବେଳେ ଗାଁ ଭିତରୁ ଡାକି ଫୁସୁଲାନ୍ତି, ‘‘କିରେ ତୋ ଆଡ଼କୁ ସେ ବାଡ଼ ମଡ଼େଇ ଯାଉଛି ? ତୁ ତା’ ବାଡ଼ ହାଣି ଦେଉ ନାହୁଁ ?’’ ବାଡ଼ ହାଣିବାକୁ ଗଲେ ଆର ଜଣକ ଆସି କଲା ଆପତ୍ତି । ହରି ମିଶ୍ରଙ୍କର ସେଥିରୁ ବରାଦ ହେଲା, ‘‘ଦି’ଜଣ ଯାକ ପାଞ୍ଚ ପାଞ୍ଚ ଟଙ୍କା ଥୁଅ–ମପେଇ ଦବା, ଯୋଉଠି ହିଂସା ପଡ଼ିବ, ସେଠି ବାଡ଼ ଦିଆଯିବ ।’’ ପାଞ୍ଚ ଟଙ୍କା ଗଲା ମିଶ୍ରଙ୍କ ଖର୍ଚ୍ଚ ବାବତକୁ । ସେତେବେଳେ ଶାମ ପଧାନ ମଝିରେ ପଶି ଦି’ଜଣଙ୍କ ଭିତରେ ମପାମପି ମେଣ୍ଟାମେଣ୍ଟି କରାଇ ଦେବ–ଗୋଟାଏ ପଇସା ବି କାହାରି ଖର୍ଚ୍ଚ ନାହିଁ ।

 

ଦି’ଜଣ ମାଇପେ ଗାଧୋଉଛନ୍ତି, ଜଣଙ୍କର ସୁନା ପେଣ୍ଡିଟା ପାଣି ଭିତରେ ଖସିପଡ଼ିଲା । ସେ ଆସି ଘରେ କାନରେ ପେଣ୍ଡି ନ ଦେଖି ଆର ଜଣକୁ ପଚାରିଲା । ସେ ଜଣକ ପାଣିରୁ ପାଇଥିଲା, ତା ହାତରେ ଦେଲା । କଥାଟା ମିଶ୍ରଙ୍କ କାନକୁ ଗଲା । ହଜିଥିବା ଲୋକର ମୁରବୀକୁ ଡାକି ଆଣି ପଚାରିଲେ, ‘‘କିରେ, ତମେ ଆଉ ମତେ ରଖେଇ ଦେବ ନାହିଁ କିରେ ? ଶେଷରେ ପ୍ରେସିଡେଣ୍ଟ କାମଖଣ୍ଡକ ମୋ ହାତରୁ ନେବ, ଦେଖୁଛି ! ଏ ଚୋରି ମକଦ୍ଦମା, ପୁଲିସ ମକଦ୍ଦମା- ତୋ ଜିନିଷ ତୁ ସିନା ପାଇ ବୋଧ ହୋଇଗଲୁ, ମକଦ୍ଦମାଟି ସମ୍ଭାଳିବ କିଏ ? କାଲି ପୁଲିସ ଆସି ତତେ ଧରିବ, ତାକୁ ଧରିବ–ମୁଁ ବି ସେଇ ଗାତରେ ପଡ଼ିବି–ପ୍ରେସିଡେଣ୍ଟ ହୋଇ ଚୋରି ମକଦ୍ଦମା ମୋରି ଗାଁରେ ଗପ୍‌- ଏ କ’ଣ ବୁଡ଼େଇ ମାରିବା କଥା ସିନା !’’ ସେ ବିଚରାର ଆଉ ନ ମାନିବାକୁ ଚାରା ଅଛି !–ଦିଅ, ଆଣ ଏଥର- ଚଉକିଆ ପାଇଁ କ’ଣ ଦେଉଚ ଦିଅ, ଗାଁ ଠାକୁର ଘରକୁ କ’ଣ ଦେଉଚ ଦିଅ । ଗାଁ ଠାକୁର ଘରେ ସାଙ୍ଗରେ ଗାଁ ଚଉକିଆ ତୁଳନା ହୋଇ ପାରନ୍ତି–କାରଣ, ସେ ସହଜରେ ଠାକୁର ଘରେ ଅବା ଗାଁ ଚଉକିଆ ହୋଇ ପାରନ୍ତି । ଦୀପ ତେଜିଲେ ହାତ ଚିକ୍‌କ’ଣ- ଆଚ୍ଛା କହୁଚ ! ଓହୋ, ଏ କାଳଟା କେଡ଼େ ଅନ୍ୟାୟ କାଳ ହୋଇଗଲା ! ମଣିଷୁଟା ଗାଧୋଉଚି, ତୁ ତା ଜିନିଷଟାକୁ କାନରୁ କାଢ଼ି ଘିନି ପଳେଇଚୁ ? ଏ ଗାଁରେ ତ ଆଉ ରହି ହେବନି–ଏ ଲୋକ ତ ଆଖିରୁ କଜଳ କାଢ଼ି ନେବେ !

 

ଶାମ ପଧାନ କହେ, ‘‘ଆରେ ଆମେ ସିନା ଗରିବ, ଅଳପିକିଆ ଚୋର- ଲାଉଟାଏ, କଖାରୁଟାଏ ଉପରେ ଆଖି ଦେବୁଁ । ଏମାନେ କ’ଣ ? ଏ ପ୍ରେସିଡେଣ୍ଟ, ଜମିଦାର, ମହାଜନ–ଏ ଚୋର ନୁହନ୍ତି, ଡକେଇତ–ଦିନ ଦି’ପହରେ ଧମକେଇ ଚମକେଇ ଆଇନ ମକଦ୍ଦମା ଡର ଦେଖେଇ ତମକୁ ଦାଣ୍ଡର ଭିକାରୀ କରିଦେବେ । ମଣିଷଖିଆ ବାଘ, ମଣିଷଖିଆ କୁମ୍ଭୀର ଅଛନ୍ତି–ଏ ହେଉଚନ୍ତି ମଣିଷଖିଆ ମଣିଷ । ବାଘ କୁମ୍ଭୀରଙ୍କ ପରି ଏଙ୍କୁ ଆଉ ଆଇନ କ’ଣ କରିବ, ନ୍ୟାୟ କ’ଣ କରିବ–ଏ ତ ତାଙ୍କର ପ୍ରକୃତି । କଥା ତ ଅଛି–ଘୁଷୁରି ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ ।

 

‘‘ଆଖି ଆଗରେ ତ ଦେଖୁଥାଇଁ–ହରି ମିଶ୍ର ବାହ୍ମଣଟାଏ–ଚଣ୍ଡାଳଠଉଁ ତା’ ପ୍ରକୃତି ହୀନ । କେଳା ବାଟରେ ଚାଲି ଯାଉଁ ଯାଉଁ ଭଲ ଚଢ଼େଇ ପଲେ ଦେଖିଲେ ଯେମିତି ତା’ ପାଟିରୁ ଲାଳ ବୁହେ, କେଉଟ ବାଟରେ ନଈପାଣିରେ ମାଛଗୁଡ଼ାଏ ଖେଳୁଥିବାର ଦେଖିଲେ ଜାଲଖଣ୍ଡ ପାଖରେ ନାହିଁ ବୋଲି ଯେମିତି ଦୁଃଖ କରେ, ଏ ଠିକ୍‌ ସେମିତି । କିଏ ରାଣ୍ଡୀ ଖଣ୍ଡୀ ଅଛି, ତା’ର ନାବାଳକ ପିଲା ଦୋଟି, ଭଲ ନଡ଼ିଆ ବାଡ଼ି ଖଣ୍ଡେ ଅଛି, ସେ ଖଣ୍ଡ ମିଶ୍ରଙ୍କ ବାଡ଼ିକୁ ଲାଗିଚି, ସେ ଖଣ୍ଡ କେମିତି ସାଙ୍ଗରେ ମିଶନ୍ତା ! କାହାର ଚେନାଏ ବୋଲି ଆମ୍ୱତୋଟା ମିଶ୍ରଙ୍କ ତୋଟାକୁ ଲାଗିଚି, ସେ ଦିହଦୁଃଖରେ ପଡ଼ିଚି–ମରିଗଲେ ତା’ ସ୍ତ୍ରୀ ବଳେ ତ ମିଶ୍ରଙ୍କୁ ବିକିରି କରିଦିଅନ୍ତା !

 

‘‘ଗାଁଟାରେ କେହି ରହିବେ ନାହିଁ । ସବୁ ଜମି, ସବୁ ବାଡ଼ିବଗିଚା ମିଶ୍ରଙ୍କର ହେଉ, ଆଉ ସମସ୍ତେ ତାଙ୍କ ଦୁଆରେ ମୂଲ ଲାଗି ଖାନ୍ତୁ । ମିଶ୍ରଙ୍କ ମୁଣ୍ଡରେ ସବୁବେଳେ ଏଇ କଥା ଖେଳୁଚି; ସବୁବେଳେ ତାଙ୍କର ଏଇ ଚିନ୍ତା । ମଣିଷଖିଆ କଥାଟା ଆଉ କ’ଣ ୟାଠାରୁ ବେଶି ଭୟଙ୍କର ! ଦୁନିଆଟାରେ ଆଉ କେହି ରହିବେ ନାହିଁ, କାହାରି କୋଉଠି ମାଣେ କଣେ ରହିବ ନାହିଁ–ଏକଥା ଯେଉଁ ଲୋକ ସବୁବେଳେ ଭାବୁଚି, ତା’ଠାରୁ ବାଘ କିମ୍ଭୀର କ’ଣ ଆଉରି ବେଶି ଭୟଙ୍କର ?’’

 

ଲୋକେ କହନ୍ତି, ଆମେ ଛୋଟଲୋକ, ଆମେ ଚୋର, ଆମେ ପାଜୀ, ଆମେ ସଇତାନ–ବଡ଼ଲୋକମାନଙ୍କୁ ଖରାପ କରିଦେଲୁଁ ଆମେ । କେଳା ପ୍ରକୃତିଟା କ’ଣ ଚଢ଼େଇ ଖରାପ କରିଦିଏ, ନା କେଉଟ ପ୍ରକୃତିଟା ମାଛ ଖରାପ କରିଦିଏ ! ଆମେ ଗୋରୁ ଚରଉଚୁଁ, ସେ ମଣିଷ ଚରାଉଚନ୍ତି- ମାଈ ନୋହୁଁ କି ଗାଈ ନୋହୁଁ–ଦଶ ବେତ ପିଟିଲେ ଆମ ତୁଣ୍ଡମୁଣ୍ଡ ଫିଟିବ ନାହିଁ । ଏତେ ଏତେ ବୁଦ୍ଧିଆ ମଣିଷଗୁଡ଼ାଙ୍କୁ ଖରାପ କରିଦେବୁଁ ଆମେ ! ଯାହାଙ୍କ ହାତରେ ଖଡ଼ା ସିଝିବ ନାହିଁ, ତାଙ୍କର ପୁଣି ଏତେ ଓଜ ଅଛି ! କହିବା କଥା ନା ଶୁଣିବା କଥା ।’’

 

ହରି ମିଶ୍ରଙ୍କର ଶାମପଧାନର ଏଡ଼ିକି ଦୋସ୍ତି ଥିଲା । ତା’ରି ପୁଅ ବରକୁ ପଧାନ- ବାପ ବଦଳି ପୁଅ ହୋଇ ବାହାରିଚି । ଗାଲ ଚିପିଦେଲେ ଦୁଧ ବାହାରି ପଡ଼ିବ–ମିଶ୍ରଙ୍କ ପାଖରେ ଥଟ୍ଟା !

Image

 

Unknown

ପରିଚ୍ଛେଦ ଛ

 

ବରଜୁ ଦେଖିଲା, ଘରକଜିଆ ଦିନକୁ ଦିନ ବଢ଼ିବାକୁ ଲାଗିଲା । କେତେବେଳେ ଦଣ୍ଡେ ହେଲେ ଘରେ ଶାନ୍ତ ନାହିଁ–ଘର ଆଉ କ’ଣ–ମଣାଣିଠାରୁ ହୀନ । ମଢ଼ ପାଖରେ କୁଆ ଶାଗୁଣା ବିଲୁଆ କୁକୁର ଯେମିତି କଜିଆ ଲଗାନ୍ତି, କଥା କଥାକେ ସେମିତି ଘରେ କଜିଆ ଲାଗିଯାଉଛି । ଦଣ୍ଡେ ହେଲେ ମଣିଷ ନିଶ୍ଚିନ୍ତରେ ବସିପାରିବ ନାହିଁ । ଛକଡ଼ି ଖାଲି ଉପରେ ଟିକିଏ ବଡ଼ଭାଇ ମାନ୍ୟ ରଖିଛି–ନ ହେଲେ ପଛରେ ତ ବାରଅନା କରି କହିଲାଣି । ଭାଇ ଝିଅ ବାହାଘର କଲା, କେତେ ଖର୍ଚ୍ଚ କଲା, କ’ଣ କଲା, କିଛି ତାକୁ ପଚାରିଲା ନାହିଁ । ମନ ଫିଟିଗଲେ ଆଉ ତେଣିକି ଥାଏ କ’ଣ ? ଛିଣ୍ଡଗଲା ସୂତାଟାକୁ ଖାଲି ଗଅଣ୍ଠେଇବାକୁ ହେବ ସିନା !

 

ସାନବୋହୂ ଝୁଣ୍ଟି ପଡ଼ିଲେ ବଡ଼ବୋହୂକୁ ଝିଅ ବାହାଘର, ପିଲାଙ୍କ ଖର୍ଚ୍ଚ ଉଲୁଖା ଦଉଚି । ସେ ତ ଏକା ମଣିଷ, ତା’ର କିଏ ସାରୁଚି ? ସାନବୋହୂ ପରି ପାଞ୍ଚଟା ମାଇପିଙ୍କ ସାଥିରେ ଯୁଦ୍ଧ କରିବାକୁ ବଡ଼ବୋହୂ ବି ତିଆରି–ତାକୁ ପୁଣି ବଳିଯିବ କିଏ ?

 

କ’ଣ କରାଯିବ ? କିମିତି ପୁଣି ଘରଟାରେ ଆଗ ପରି ଶାନ୍ତି ଆସିବ, ଭାବି ଭାବି ବରଜୁ କିଛି ଥଳକୂଳ ପାଉ ନାହିଁ । ଆଉ କ’ଣ ଭିନେ ହୋଇଯିବ ! ହଁ, ଭିନେ ହୋଇ ବି ତ ଲୋକେ ଚଳୁଛନ୍ତି, ଘରକେ ସାତ ସାତ ଫାଁକ୍‌ ! ଅଲଗା ରହିଲେ ସେଥିରେ ଯେବେ ଦୋଟି ଘର ସୁଖରେ ରହନ୍ତେ, ତେବେ ତ ଭଲ କଥା । ଆବୁରୁ ଜାବୁରୁ ହୋଇ ଗୋଟାଏଠାରେ ସମସ୍ତେ ଗୁଞ୍ଜି ହୋଇଥିବେ କିଆଁ ? ସେଠାରେ ଯେବେ ପୁଣି ମନ ଅମେଳ ହୁଏ, ଅଲଗା ହୋଇ ରହିବାରେ କିଛି ଆପତ୍ତି ନାହିଁ–ତେବେ ମନ ମେଳ ଥାଇ ଅଲଗା ହେବା ଗୋଟାଏ କଥା, ମନ ଅମେଳ ଥାଇ ଅଲଗା ହେବା ଆଉ ଗୋଟିଏ କଥା । ଛକଡ଼ି ବରଜୁ ଭିନେ ହେବେ । ଛକଡ଼ି–ଛି, ଛି, ମେଞ୍ଚଡ଼ ଟୋକାଟା–କାଲିପରି ତ ଲାଗୁଚି, କାଖରେ ଘେନି ବରଜୁ ତାକୁ ବୁଲୁଥିଲା, ଅବୁଝା ହେଲେ ବୁଝାଇ ଦେଉଥିଲା । ଆଜି ବି ତ ସେମିତି ସେ ଟୋକା ଅବୁଝା ହୋଇଛି, ଆଜି କ’ଣ ଆଉ ବରଜୁର ସେମିତି ବୁଝାଇଦେବାକୁ ବୁଦ୍ଧି ନାହିଁ ? ସେତେବେଳେ କୁଆଟାଏ, ଗଛଟାଏ ଦେଖାଇ ବୁଝାଇ ଦେଉଥିଲା । ଆଜି କ’ଣ ସେମିତି କିଛି ଦେଖାଇ ପାଚିରି ନ ଉଠେ କି ବିଲ ମଝିରେ ହିଡ଼ ନ ପଡ଼େ’–ବରଜୁ ଆଖିରୁ ଥପ ଥପ ହୋଇ ଚାରିଟୋପା ଲୁହ ଗଡ଼ିପଡ଼ିଲା । ଏଥିରୁ ଆଉ ବେଶି କାନ୍ଦିବାର ତାକୁ କେହି କେବେ ଦେଖି ନାହିଁ ।

 

ସେହି ଛକଡ଼ିଠଉଁ ଆଜି ଗାଈବଳଦ, କଂସାଲୋଟା, ବିଲବାରି ଅଧେ ଅଧେ କରି ସେ ଭିନେ ହେବ ! କାଲି ସକାଳେ ସେ କାହା ଆଗରେ ମୁହଁ ଦେଖାଇବ । ବରଜୁ ଭିନେ ହେଲା ଛକଡ଼ିଠାରୁ ଛି, ଛି- ଏଇ ପରା ତା’ର ମଣିଷପଣିଆ !

 

ସାତପାଞ୍ଚ ଭାବି ଭାବି ବରଜୁ କିଛି ଠିକ୍‌ କରିପାରିଲା ନାହିଁ । ପାଞ୍ଚଗାଁରେ ପଞ୍ଚୁଆତରେ ବସି ସେ କେତେ କଳିକଜିଆ ଭାଙ୍ଗିଛି, କେତେ ମାଲିମକଦ୍ଦମା ମେଣ୍ଟେଇ ଦେଇଛି- ଘର କଜିଆକୁ ତ ତା’ର ବୁଦ୍ଧି ଦୁଶୁନାହିଁ ! ଏ ମାଇପି ଦି’ଟା ସିନା କଜିଆ ଲଗେଇଛନ୍ତି–ଛକଡ଼ି ତ ତାକୁ ଆଜିଯାଏ କିଛି କହିଲା ନାହିଁ । ଆଉ କ’ଣ ସେ ଛକଡ଼ିକୁ ଡାକି ଏକଥା ପଚାରି ? ଛି, ବରଜୁ ! ପିଲାଟା ଆଗରେ–ଏଇ ଲାଜ କଥାଟା... ।

 

ବରଜୁ ଦେଖିଲା, ଦୋଷୀ ଘରଯାକ ସମସ୍ତେ–ସ୍ତ୍ରୀ, ଭାଇ, ଭାଇ-ବୋହୂ, ଆଉ ସେ ନିଜେ । ସେ ନିଜେ ସବୁଠାରୁ ବେଶି- କାହିଁକି ନା ଘରର ମୁରବୀ ସେ- ଘର ଭିତରଟାରେ ସବୁବେଳେ ନିଆଁ ଜଳୁଛି, ସେ ସେଥିପାଇଁ କ’ଣ କରିଛି ? ଦାରୁଭୂତ ହୋଇ ବସି ରହିଲେ କ’ଣ ହେବ–ଦୋଷ ତ ସବୁ ତା’ରି । ଘରଟା ଭାଙ୍ଗିଗଲେ ନିନ୍ଦା ତ ତା’ରି ଉପରେ ।

 

ଛକଡ଼ି ମାଇପଙ୍କ କଳି ଭିତରେ ପଶି ଭାଉଜକୁ ଗାଳିଗୁଲଜ କଲାଣି–ତିନିଥର ମାରିବାକୁ ମିଶିଲାଣି । ଛାଡ଼, ଏସବୁ ବରଜୁ ସହିବ ନାହିଁ ତ ସହିବ ଆଉ କିଏ ?

 

ଯେତେହେଲେ ସବୁ କଳିର ଗୋଡ଼ ଏଇ ମାଇପି ଯୋଡ଼ିକ । ଏ ଦିହେଁ ତୁନିତାନି ହେଲେ ଛକଡ଼ି ମରଦ ପିଲାଟା ଆଉ କ’ଣ କଳି ଆରମ୍ଭ କରନ୍ତା ? ମାଇପେ ଦି’ଜଣଙ୍କ ଭିତରୁ ପୁଣି କାହାଠଉଁ ଆଗ କଳି ବାହାରୁଛି, କାହାଠେଇଁ ଛିଣ୍ଡୁଛି, ସେ କଥା ଜାଣିବ କିଏ ? ତେବେ ଏକଥା ନିଶ୍ଚୟ ଯେ, ଦି’ମାଇପଙ୍କ ଭିତରେ କେହି କାହାକୁ ଉଣା ନୁହେଁ । ଜଣେ ଭଲ ହେଲେ, ଆଉ ଜଣକ ଆପେ ଆପେ ତୁନି ହୋଇ ରହନ୍ତା–ଗୋଟାଏ ହାତରେ କ’ଣ ତାଳି ବାଜେ ?

 

ଠିକ୍‌ କଥା–ଏକା ବଡ଼ବୋହୂ–ଏକା ହାରାବୋଉ ଭଲ ହେଲେ ସବୁ ମେଣ୍ଟିଯିବ । ସେ କଥା ପୁଣି କାହା ହାତରେ ଅଛି–ବରଜୁ ହାତରେ । ମାଇପିଟାକୁ ଭଲ ବାଟକୁ ଯେବେ ଆଣି ନ ପାରିଲା, ତେବେ ଆଉ କି ମଣିଷ ସେ ? ବରଜୁ ମନଟା ଖୁସି ହୋଇଗଲା । ଏତେଦିନକେ ତାକୁ ଉପାୟ ଦିଶିଲା–ମାଇପିଟାକୁ ସେ ଭଲ ବାଟକୁ ଆଣିପାରିବ ନାହିଁ ?

 

ସେ ଦିନ ହାରାବୋଉକୁ ବରଜୁ କହିଲା, ‘‘ଆଜି ଗୋଟାଏ କଥା କହିବାକୁ ଅଛି ।’’ କଥା କହିବାକୁ ଅଛି !- ବରଜୁର ହାରାବୋଉକୁ ! ଆଜି କେଉଁ ଦିଅଁଙ୍କର ଆଖି ଫିଟିଛି ! କଥା କହିବାକୁ ଅଛି ! କିସ୍‌ କଥା ନା ବେଙ୍ଗୁଲୀ କଥା–ହାରାବୋଉର ଛାତି ଖୁସିରେ କୁଣ୍ଢେମୋଟ ହୋଇଗଲା । ସେ ତେଲ ହଳଦୀ ଲଗେଇ ଗୋରା ଦେହଟାକୁ ଜକ ଜକ କରି, ମୁଣ୍ଡ କୁଣ୍ଡେଇ, ସିନ୍ଦୂର କଜଳ ଘେନି ତେକେଥର ସ୍ୱାମୀ ଆସିଲା ବେଳକୁ ଚାହିଁ ବସିଛି–ଏହି କଥା ପଦେ ଶୁଣିବ ବୋଲି । ସବୁବେଳେ ବୋଇତାଳୁ ପରି ଫାଲୁ ଫାଲୁ ମୁହଁଟା ଦେଖିଚି !–କଥା ପଦେ ଶୁଣିବାକୁ ତା’ କପାଳରେ ଜୁଟେ ନାହିଁ । ଆଜି ସେହି ବରଜୁ ମୁହଁରୁ କଥା ବାହାରିଛି ! ଭାଗ୍ୟରେ ଥିଲେ ମିଳେ !

 

ହାରାବୋଉ ମୁହଁରୁ କଥା ବାହାରିଲା ନାହିଁ । ସେ ଜଳ ଜଳ କରି ଚାହିଁ ରହିଲା ।

 

ବରଜୁ ପଚାରିଲା, ‘‘ଆଚ୍ଛା, ଘର ଭିତରେ ଏ ଯେଉଁ କଜିଆ ସବୁବେଳେ ଲାଗି ରହିଲା, ଏ କ’ଣ ଏମିତି ଲାଗିଥିବ ?’’

 

‘‘ଆଉ କେମିତି କମିବ, ସେ କଥା ତମେ ବତେଇ ଦଉନା–କଜିଆ ମୁଁ କରୁଚି ନା ସେ କରୁଚି ?’’ ହାରାବୋଉର ଭାରି ଅଭିମାନ- ବରଜୁ ସବୁବେଳେ ଭାଇବୋହୂର ପଟ ନେଇ କଥା କହେ–ଆଉ ଦୋଷ ଯେତେକ ସବୁ ତା’ରି ଉପରେ ଢାଳିଦିଏ ।

 

ବରଜୁ କହିଲା, ‘‘କଜିଆ କିଏ କରୁଚି, ସେକଥା ବାଛିବାକୁ ଗଲେ ତ କଳି ମେଣ୍ଟିବ ନାହିଁ-।’’

 

‘‘କଳି ମେଣ୍ଟୁ ନ ମେଣ୍ଟୁ, ମୁଁ ତ ତା’ ପାଖରେ ରହିପାରିବି ନାଇଁ ?’’

‘‘ତେବେ ସିନା ଭିନ୍ନେ ହେବା–ଆଉ ଉପାୟ କ’ଣ ?’’

‘‘ଭିନ୍ନେ ହୁଅ, ନଇଲେ, ଏକାଠି ରହ- ମୁଁ ତା’ଠାରୁ ଏତେ ଗଞ୍ଜଣା ଝିଙ୍ଗାସ ଶୁଣିପାରିବି ନାଇଁ, କି ତା’ ପାଖରେ ରହିପାରିବି ନାଇଁ ।’’

ବରଜୁ ଦେଖିଲା, ଅଭିମାନ ଗରିମା ପାହାଡ଼ ପରି ହାରାବୋଉ ଛାତିରେ ଲଦି ହୋଇଚି–ତାକୁ ଟାଳିବା କ’ଣ ସହଜ ! କଥାରୁ ଜଣାପଡ଼ୁଚି, ଭିନ୍ନେ ହେବା ତା’ର ପୂରା ଇଚ୍ଛା, ତେବେ ଖାଲି ମୁହଁ ଫିଟାଇ ସେ କଥା କହୁନାଇ–ବରଜୁ ଆଗରେ କହିବ–ଏଡ଼େ ସାହସ ! ବରଜୁ ବିରକ୍ତ ହୋଇ କହିଲା, ‘‘ମତେ ଏତେ ଗୋଳିଆ କଥା ଆସେ ନାଇଁ- ସଫା କଥା ଯେବେ କହିବ...’’ ବରଜୁର ଓଠ ଥରି ଉଠିଲା, ଆଖି ଦି’ଟା ଜଳି ଉଠିଲା । ଏ ମୂର୍ତ୍ତି ଦେଖି ହାରାବୋଉର ଦିହ ଗୋଟାକ କଞ୍ଚାପାଣି ହୋଇଗଲାଣି । କି ମଣିଷୁଟାଏ ତା’ କପାଳରେ ଥିଲାରେ–ଏଇଲେ ତ କ’ଣ ବୋଲି କ’ଣ କରି ବସିବ !

ହାରାବୋଉ ଶଙ୍କିଗଲା । କାନ୍ଦ କାନ୍ଦ ହୋଇ କହିଲା, ‘‘କିଛି କଥା ନାଇଁ, କାଇଁକି ଏମିତି ହଉୁଛ ମ–ମୁଁ ତ ଘର ଗୋଟାକର ସବୁ ଆଡ଼ତି କରିବି, ଗଲାରୁ ଅଇଲାରୁ ସବୁ ବୁଝିବି–’’

ବରଜୁର ରାଗ ହେଲା, ‘‘ପୁଣି ମିଛ କଥା କହୁଚ–ଘରଗୋଟାକର ଆଡ଼ତି ସବୁ ତମେ କର, ସାନବୋହୂ କିଛି କରେ ନାଇଁ ?’’

ହାରାବୋଉ ଜାଣେ, ସେ କାନ୍ଦିଲେ ନାହିଁ, ବୋବାଇଲେ ନାହିଁ, ବରଜୁର ଛାତି ଲୁହାରେ ବନ୍ଧା, କାହିଁରେ ସେ ତରଳିବ ନାହିଁ । ଓଲଟି ମିଛ କଥା ଶୁଣି ରାଗିଲାଣି, ଆଉଥରେ ତ ଏମିତି ପଦେ ମିଛ ଦି’ଦିନ ଘରେ ଖାଇ ନ ଥିଲା । ୟାର ନାଁ ମିଛ କଥା ! କେତେ କେତେ ମିଛ ଲୋକେ କହୁନାହାନ୍ତି !

ସେ ପୁଣି ଧୀରେ ଧୀରେ କହିଲା, ‘‘ନ ହେଲା ସେ ଉଷେଇଁଲା କି କୁଟିଲା, ଯାହା କଲା- ମୋ ପିଲାଏ ତା’ର କ’ଣ କରିଥିଲେ, ମୋ ପିଲାଙ୍କୁ ସବୁବେଳେ କାଢ଼ିବ କାହିଁକି ?’’

‘‘ପିଲାଙ୍କୁ କାଢ଼ିଲେ ପିଲାଙ୍କର କିଛି କ୍ଷତି ଖରାପ ହେଉ ନାହିଁ !’’

 

ହାରାବୋଉ ତାତି ଉଠିଲା- ତା’ ପିଲାଙ୍କୁ କାଢ଼ିବ ! ‘‘ଭଲାରେ ମତେ ଖାସା ବୁଦ୍ଧି ଶିଖାଇବେ ଏ–ଦରକାର ନାଇଁ, ମୋ ପିଲାଙ୍କୁ ଘେନି ମୁଁ ଅଲଗା ହେଇ ରହିବି ।’’

 

‘‘ଭଲ କଥା, ପିଲାଙ୍କୁ ଘେନି ଯେବେ ଅଲଗା ରହିବ, ତେବେ ରହ, ମତେ ଆଉ ଖୋଜିବ ନାଇଁ ।’’

 

ଧନ୍ୟରେ ! ପିଲାଙ୍କ ପାଇଁ ବି ଏ ମଣିଷୁଟାର ଟିକିଏ ହେଲେ ମାୟା ନାହିଁ !–‘‘ହଁ, ଆଉ କ’ଣ କହିବ କି, ସେଇ କଥାଟି ତ ଡରେଇବାକୁ ଅଛି ।’’ ହାରାବୋଉ କାନ୍ଦି ପକେଇଲା ।

 

ସତକୁ ସତ ବରଜୁ ମଣିଷଟା ଅଚଳ ମହାମେରୁ–କଥା ତା’ର ଟିକିଏ ହେଲେ କଅଁଳ ହେଲା ନାହିଁ । ‘‘ଶୁଣ କନ୍ଦାକନ୍ଦି ରଗାରଗିରେ କଳି ତୁଟେ ନାଇଁ ।’’

 

ହାରାବୋଉ ବି ଟାଣହୋଇ କହିଲା, ‘‘କଳି କେତେବେଳେ ହେଲେ ତ ତୁଟିବ ନାଇ ।’’

 

‘‘ଭଲ କଥା, ତେବେ ଯେତେ ଇଚ୍ଛା କଳି ଲଗାଅ’’ କହି ବରଜୁ ଧୀରେ ଧୀରେ ଘରୁ ବାହାର ହୋଇଗଲା । ବରଜୁ ବାହାର ହୋଇଗଲା ଗୋଟିଏ ଭଲ ପିଲାଟି ପରି । ପଦେ ହେଲେ କଥା ମୁହଁରୁ ବାହାରିଲା ନାହିଁ–ଚାହାଳୀଚାଟ ଅବଧାନ ଆଗରେ ଯେମିତି ଚାଲିଯାଏ ।

 

ବରଜୁ ଚାଲିଯିବା ପରେ ହାରାବୋଉର ଚେତା ପଶିଲା । କାଲ ଠାର କାଲ ମା’ ଜାଣେ-। ସାରିଲା ! କ’ଣ କଲି ମୁଁ ଡଙ୍କୁଣୀ ! ଖାଇସାରି ହେଲେ ଯାଇଥାଆନ୍ତା ! ସକାଳ ପହରୁ ବିଲବାରି ବୁଲି ଅଗାଧୁଆ ଅପାଧୁଆ–ନଈସୁଅ ପରି ଝରଝର ହୋଇ ହାରାବୋଉର ଦି’ଆଖିରୁ ଲୁହ ଝରିପଡ଼ିଲା । କ’ଣ କଥା କହିବ ବୋଲି ତ କେଡ଼େ ଖୁସିରେ ଡାକିଥିଲା- ଏଇ କଥା- ଶେଷକୁ ଏମିତି ଛାଡ଼ିକରି ଚାଲିଯିବ ବୋଲି ! କେତେ ଜଗି ଜିଗ କଥା କହିଲି, କାହିଁରେ କିଛି ହେଲା ନାଇଁ । ମତେ ମରଣ ନ ହେଲା କାହିଁକି !

 

ଅକାରଣରେ ସବୁବେଳେ ଏମିତି ମନ ଅମେଳ । ଏଥିରେ କାହା ମନ ପିତା ନ ହେବ-? –ହାରାବୋଉର ସବୁ ରାଗ ଯା-ଦିଅରଙ୍କ ଉପରେ ପଡ଼ିଲା–ସେଇ ଦି’ଟାଙ୍କ ଯୋଗରୁ ସିନା ମନ ଖୋଲି କଥାପଦେ ସେ କହିପାରୁ ନାହିଁ । ବର ଭାରିଯା ହୋଇ ଭାଇବୋହୂ ଦେଢ଼ଶୂର ପରି ଚଳୁଛନ୍ତି । କାହାରି କଥାକୁ କେହି ବୁଝିପାରୁ ନାହିଁ । ଜଣେ ପଦେ କଥା କହିଲେ, ଆଉ ଜଣକୁ ବିଷ ପରି ଲାଗୁଚି କାହିଁକି ? କାହିଁକି ଏମିତି ହେଲା–ଦିନ ରାତି ଖାଲି ପର୍ବତ ମାଡ଼ି ପଡ଼ିଲା ପରି ଲାଗୁଚି କାହିଁକି ?

 

ଏଥିରେ କିଏ କ’ଣ କରିଚି–ନିଶ୍ଚେ, ନିଶ୍ଚେ, ନିଶ୍ଚେ । ଏଇ ସାନବୋହୂ ରାଣ୍ଡୀ ତ କ’ଣ କିମିଆ କରିଥିବ ! ଆଉ କାହାର ଦିନ ସରୁ ନ ଥିଲା ଯେ କିଏ କ’ଣ କରନ୍ତା ? ହେଉ, ହେଉ, ହାରାବୋଉ କ’ଣ ଏତିକିରେ ତୁନି ହୋଇଯିବ ?- ତା’ରି ଉପରେ ସବୁ ରାଗଯାକ ଶୁଝାଇବ ନାହିଁ ତ ସେ ଘନ ପରିଡ଼ା ଝିଅ ନୁହେଁ ।

 

‘‘ଆଲୋ ମୋତି, ଆଲୋ ସୁନା, ଦେଖିବଟି ଲୋ ବାପ କୁଆଡ଼େ ଗଲା–ମୋରି ପାଇଁ ଏ ମୁଦେଇଟା ଜନମ ହୋଇଥିଲା ।’’ ମୋତି ସୁନା ତଳର ସାନଝିଅ । ମୋତି ସୁନା ଖୋଜି ଖୋଜି ବାପକୁ ଦେଖିଲେ, ମଙ୍ଗଳାଙ୍କ ବେଦୀ ଉପରେ ଲମ୍ୱ ହୋଇ ଶୋଇଚି- କଡ଼ତଳେ ଗାମୁଛା ଖଣ୍ଡେ ବି ପରା ହୋଇ ନାହିଁ । ପାଖରେ କିଆଗୋହିରୀ ମଝିରେ କଣ୍ଟା କୁସୁମ ଗଛଟାଏ । ତା’ରି ଉପରେ କଜଳପାତୀ ଚଢ଼େଇଟାଏ ଭଉଁରି ଖେଳି ଏ ଡାଳକୁ ସେ ଡାଳ ଡେଇଁ ବସୁଛି । ଅଳ୍ପ ଦୂରରେ ବରଜୁର ଆଖୁଖେତ ଖଣ୍ଡି ନୂଆକରି ଫୁଲ ଧରିଛି । ମଝିରେ ମଝିରେ ବରଜୁର ନିଦ ଭାଙ୍ଗିଗଲେ ସେ ଏହି ଆଖୁ କିଆରୀ ଉପରେ ଆଖି ପକାଉଛି–ତା’ର କେତେ ଆଶା, କେତେ ଚିନ୍ତା, କେତେ ଝାଳ ବୁହାର ଫଳ ଏ !

 

ଛାଇ ନେଉଟିଲାଣି–ବଉଁଶଟା ଯାକ ନ ଖାଇ ନ ପିଇ ପଡ଼ିଛନ୍ତି । ଖରାରେ ବୁଲି ବୁଲି ପିଲା ଦି’ଟାଙ୍କ ମୁହଁ କଳାକାଠ ହୋଇଗଲାଣି । ବରଜୁ ଝିଅ ଦି’ଟିଙ୍କୁ ସାଙ୍ଗରେ ଘେନି ଘରକୁ ଆସିଲା ।

 

ଉପାୟ କ’ଣ !–ସେ ନ ଖାଇଲେ ତ ଘରେ କେହି ଖାଉ ନାହାନ୍ତି; ସମସ୍ତଙ୍କୁ ଉପାସ ଭୋକରେ ପକାଇ ରଖିବାକୁ ତାକୁ ଭଲ ଲାଗିଲା ନାହିଁ । ତେବେ ଆଉ କ’ଣ ହେବ ? କେତେଦିନ ଅବା ସମସ୍ତେ ଉପାସଭୋକରେ ପଡ଼ିବେ ? ହେଲା ବା, ଉପାସଭୋକରେ ପଡ଼ିବାକୁ ବରଜୁ ଯେବେ ଡରିବ, ତେବେ ତା’ର କାମଟି ତ ଆଉ ପୂରା ପଡ଼ିଲା ନାହିଁ ! ଗୋଟିଏ ଗୋଟିଏ କାର୍ଯ୍ୟ ସିଦ୍ଧି କରିବାକୁ ତ ଏହି ଦେଶରେ ଲୋକେ କେତେ କଠୋର ତପସ୍ୟା କରିଛନ୍ତି, ଗଛର ପତ୍ର ଆହାର କରିଛନ୍ତି ! ବରଜୁ ଏତିକିରେ ଦବିଯିବ ? ହାରାବୋଉ ଉପାସରେ ପଡ଼ି ଜିତିବ–ଚିରଦିନ ସେମିତି କଳହୁଡ଼ୀ ହୋଇ ରହିବ ? –ଘରଟାରେ ସବୁ କାଳେ ଅଶାନ୍ତି, ସବୁବେଳେ କଳି ତକରାଳ ! ଭିନ୍ନେ ହେଲେ ବି ତ ଆଉ କେହି ଭଲ ରୂପେ ବିଚାରି ସମଝି ଭିନେ ହେବେ ନାହିଁ ? କାହାରି କାହାରି ଭିତରେ ପଡ଼େ ନାହିଁ ବୋଲି, ଖରାପ ସ୍ୱଭାବ ଭଲ ହୋଇପାରିଲା ନାହିଁ ବୋଲି ଭିନେ ହେବେ ସିନା ! ଏହି ମଣିଷ ଭିତରେ ଭଲ ଅଛି, ମନ୍ଦ ଅଛି, ଦେବତା ଅଛି, ଅସୁର ଅଛି । ଦୁହିଁଙ୍କ ଭିତରେ ଲଢ଼େଇ ଲାଗିଛି । କେତେବେଳେ ଭଲ ଜିତୁଛି । କେତେବେଳେ ମନ୍ଦ ଜିତୁଛି । ଭଲ ଜିତିଲାବେଳେ ମଣିଷ ଦେବତା ହୋଇ ପୂଜା ପାଉଛି, ଅମର ହୋଇ ରହୁଛି, ଆଉ ଦଶଟିଙ୍କୁ ଭଲ ବାଟରେ ନେଉଛି । ମନ୍ଦ ଜିତିଲାବେଳେ ମଣିଷ ହୋଇଛି ଚୋର ଖଣ୍ଟ ଡକେଇତ । ଗାଁ ଗାଁକେ ଘର ଘରକେ ଯେ ମାଲିମକଦ୍ଦମା କଳି ତକରାଳ ଲାଗିଚି, ଏଥିରୁ ଜଣାପଡ଼େ, ସଂସାରରେ ମନ୍ଦ ବଢ଼ିଯାଉଛି–ଅସୁର ବଳ ଦେବତାଠାରୁ ବେଶି ହୋଇ ପଡ଼ିଛି । ରାମାୟଣ ମହାଭାରତରେ ଯେ ଦେବତା–ଅସୁରଙ୍କ ଭିତରେ ଯୁଦ୍ଧ, ସେ ତ ଏଇ ଭଲମନ୍ଦ ଭିତରେ ଯୁଦ୍ଧ- ଏ ଯୁଦ୍ଧ ସଂସାରରେ ସବୁ କ୍ଷଣରେ ଲାଗିରହିଛି । ବରଜୁ ଜାଣୁ ଜାଣୁ ଏହି ଅସୁର ପାଖରେ ହାରିବ ? ହାରାବୋଉର ଉପାସ କାନ୍ଦରେ ଏହି ମନ୍ଦାଟାକୁ ଆଖି ଆଗରେ ନିଜ ଘର ବଢ଼ାଇବ ? ନା, ନା, ବରଜୁ ଏ ଯୁଦ୍ଧରେ ସହଜରେ ହାରିବ ନାହିଁ । ଏ ଯୁଦ୍ଧ ପାଇଁ ତ ରାମଚନ୍ଦ୍ର ବାପକୁ ହରାଇଲେ, ଘର ଛାଡ଼ିଲେ, ଦୁଆର ଛାଡ଼ିଲେ, ସ୍ତ୍ରୀ ଛାଡ଼ିଲେ–ରାଜାଘର ପୁଅ । ସ୍ନେହମମତା ଜଗିବାକୁ ଗଲେ ଭଲଟିକୁ ଛାଡ଼ି ମନ୍ଦଟି ଲୋଡ଼ିବାକୁ ହେବ । ପାଣ୍ଡବ ପାଞ୍ଚ ଭାଇ କି ଦୁଃଖ ନ ସହିଲେ ? ସବୁପୁରାଣ ପୋଥିରେ ଏହି ଗୋଟାଏ କଥା–ଦେବତାର ଜୟ, ଅସୁରର କ୍ଷୟ ।

 

ବରଜୁ–ଘର ଭିତରେ ଏହି ଅସୁର ଉପଦ୍ରବ କରୁଛି । ବରଜୁ, ଛକଡ଼ି, ଦି’ବୋହୂ, ସମସ୍ତଙ୍କ ଭିତରେ ଏହି ଅସୁର କଂସବେଶୀ ହୋଇ ରହିଛି । ଏହି ଅସୁରକୁ ଜିତିବା ପାଇଁ ରାମଚନ୍ଦ୍ର ପିତୃଶୋକ, ସ୍ତ୍ରୀ ଶୋକ ସହିଲେ, ପଞ୍ଚପାଣ୍ଡବ ରାଜ୍ୟ ଛାଡ଼ିଲେ, ଦ୍ରୌପଦୀ ଦୁଃଖ ସହିଲେ । ଆଉ ବରଜୁ ? –କେତେ କଡ଼ାରେ ଗଣ୍ଡାଏ ସେ–ଟିକିଏ ଉପରୋଧ ଏଡ଼ିପାରିବ ନାହିଁ ! ହେଲା ବା, ହାରାବୋଉ ନ ଖାଇ ନ ପିଇ ପାଞ୍ଚଦିନ ଶୋଇଲା, ପିଲାଗୁଡ଼ାକ ଉପାସ ଭୋକରେ କାନ୍ଦିଲେ–ଏଥିପାଇଁ ସେ ଦେବତାକୁ ଛାଡ଼ି ଅସୁରର ଆଶ୍ରା ନେବ ? ଏଡ଼ିକି ଅଧମ ସେ ! ବରଜୁ କ’ଣ ହାରାବୋଉକୁ ଭଲ ପାଏନାହିଁ ? ହଁ, ଭଲପାଏ- ତେବେ ଭଲପାଏ ଭଲ ଗୁଣକୁ ସିନା- ମନ୍ଦ ଗୁଣକୁ କେମିତି ଭଲ ପାଇବ ? ସେ ତ ଭଲପାଇବା ନୁହେଁ, ମନ୍ଦ ପାଇବା । ବରଜୁ ହାରାବୋଉକୁ ଭଲ ପାଇବାକୁ ଚାହେଁ, ତାକୁ ଭଲ କରି ତା’ର ଦୁର୍ଗୁଣଗୁଡ଼ିକ ଦୂର କରିଦେଇ । ଯେ ଯାହାକୁ ଭଲପାଏ, ସେ ତା’ର ମଙ୍ଗଳ ସିନା ପାଞ୍ଚେ ? ହାରାବୋଉ ତା’ର ମଙ୍ଗଳ କ’ଣ, ତା’ର ଭଲ କ’ଣ, ଯେବେ ବୁଝି ନ ପାରିଲା, ବରଜୁର କ’ଣ ଏହା ତାକୁ ବୁଝାଇ ଦେବାଟା ଠିକ୍ ନୁହେଁ ?

 

ସେଥିପାଇଁ ହାରାବୋଉ ସାଙ୍ଗରେ ମନ ଅମେଳ ହେବ–କ୍ଷତି କ’ଣ ? ଏ ହାରାବୋଉକୁ ଏସବୁ କିଛି ଭଲ ନ ଲାଗିବ–ରୋଗୀକୁ କ’ଣ ଓଷଧ ଭଲ ଲାଗେ ? ଆଜି ସିନା ଭଲ ନ ଲାଗିବ; କାଲି ଯେତେବେଳେ ସେ ଭଲ ହେବ, ସୁସ୍ଥ ହେବ, ସେତେବେଳେ ତ ବଳେ ବୁଝିପାରିବ !

 

ବରଜୁ ଘରେ ପହଞ୍ଚି ଖାଇ ବସିଲା । ଖାଇବାରେ ମନ ନାହିଁ । ସବୁବେଳେ ମନଟା ଗୋଳେଇ ଘାଣ୍ଟି ହେଉଛି–କ’ଣ କଲେ ଏ ଅଶାନ୍ତି ମେଣ୍ଟିବ ? ମୁହଁର ସରସତା ନାହିଁ–ଏହି ମଣିଷ କ’ଣ କରି ନ ପାରୁଛି; କେଡ଼େ କେଡ଼େ ରାଜ୍ୟ ଶାସନ ତ ପୁଣି ଚଳୁଛି ! ମଣିଷ ବୋଲି ଚାରିଟାଙ୍କୁ ସେ ଭଲ ଚଳାଇପାରିଲା ନାହିଁ ।

 

ହାରାବୋଉ ଦେଖିଲା, ସ୍ୱାମୀର ମନ ବେଶି ଛାଡ଼ ଛାଡ଼ ହୋଇ ପଡ଼ୁଚି । ଘରେ ନାହିଁ, ପିଲାଙ୍କଠାଇଁ ନାହିଁ, ସବୁଠାରୁ ତା’ର ମନ ଅଲଗା । ଭାତଥାଳିକୁ ଚାହିଁଦେଇ ଦେଖିଲା- ବରଜୁ ଯାହା ରୋଜ ଖାଏ, ଆଜି ତାହା ଖାଇ ନାହିଁ । ଦିକ୍‌ଦାର ହୋଇ ସେ କହିଲା, ‘‘ଖିଆ ନାଇଁ ପିଆ ନାଇଁ,- ମଣିଷୁଟା ସବୁବେଳେ ଏମିତି ହସ୍ତସନ୍ତ ହୋଇ ବୁଲିଲା–କୋଉଁ ରାଣ୍ଡ ଆଣ୍ଠୁକୁଡ଼ୀ ତ କ’ଣ କଲାଣି !’’

 

‘‘କିଲୋ, କିଲୋ କ’ଣ କହିଲୁ–ରାଣ୍ଡୀ ?’’–ସାନବୋହୂ ଆର ଘରୁ ବାହାରି ଆସିଲା ।

 

ବରଜୁ ଯାହା ଶୋଇ ରହିଥିଲା, ଧୀରେ ଧୀରେ ଘରୁ ଉଠି ବାହାର ହୋଇଗଲା । ସେଇ ଯେ ବାହାର ହୋଇଗଲା, ଆଉ ଫେରିଲା ନାହିଁ । ଦିନେ ଗଲା, ଦୁଇ ଦିନ ଗଲା, ପାଞ୍ଚ ଦିନ ଗଲା; ବରଜୁ ଫେରିଲା ନାହିଁ । ହାରାବୋଉ ବାରଆଡ଼େ ମଣିଷ ପଠାଇଲା, କୁଆଡ଼ୁ କିଛି ଖବର ମିଳିଲା ନାହିଁ ।

 

ଶରଦୀବୋଉ କହିଲା, ‘‘ଏ କ’ଣ ମ ହାରାବୋଉ, ନ ଖାଇ ନ ପିଇ ଶୁଖୁଆ ହେଲୁଣି । ବରଜୁଆ ଏମିତି କାହିଁକି ହେଲା ମ, କେଡ଼େ ଭଲ ମଣିଷୁଟାଏ ତ ଥିଲା ।’’

 

‘‘ମୋ କପାଳକୁ ତ ଭଲ ମଣିଷ ମନ୍ଦ ହୋଇ ଯାଉଚନ୍ତି ଲୋ ଅପା !’’ ହାରାବୋଉର ଦି’ ଆଖିରୁ ଝରଝର ହୋଇ ଲୁହ ଗଡ଼ିପଡ଼ିଲା ।

 

ଶରଦୀବୋଉ କହିଲା–‘‘ଛି ହାରାବୋଉ, କାନ୍ଦୁଚୁ କାହିଁକି ମ- ବରଜୁଆ କ’ଣ ଆସିବ ନାଇଁ !’’

 

ହାରାବୋଉର କୋହ ଉପରେ କୋହ ଉଠୁଛି, ‘‘ମୁଁ ନ ମରି ଜୀଇ ରହିଛି ଲୋ ଅପା ! ଆଉ ସେ ଆସିବେ, ମୋର ଭରସା ଅଛି !’’ ହାରାବୋଉର ଲୁହ ଧାରାଶ୍ରାବଣ ପରି ଗଳିପଡ଼ିଲା । ପିଲାଗୁଡ଼ାକ ଭୋ ଭୋ ଡକାପାରିଲେ । କୋଳପୁଅଟି ମାଆକୁ କାନ୍ଦିବାର ଦେଖି ‘‘ବୋଉ କାନ୍ଦୁଚି’ କହି କାନ୍ଦି ଉଠିଲା ।

 

ହାରାବୋଉର ଭରସା ନାହିଁ, ସତେ କ’ଣ ଆଉ ବରଜୁ ଫେରିବ ! କେତେ ସାବଧାନ ସେ ହେଲାଣି, ବରଜୁ ଆଗରେ ମୁହଁଟାକୁ ବନ୍ଦ ରଖିବାକୁ । କାହିଁରେ ତ ହେଲା ନାହିଁ–କୁଆଡ଼ୁ ହେଲେ ତ ସେ ମୁହଁରୁ କଥା ବାହାରି ପଡ଼ିଲା ! ବିଷ ଖାଇ ମରିଯାନ୍ତା ହେଲା !

 

ଶରଦୀବୋଉ କହିଲା, ‘‘ତୁ କାଇଁକି ସେମିତି ହଉଚୁ ମ ହାରାବୋଉ ? ଏଥିର କଥା ମୁଁ ଜାଣିସାରିଲିଣି । ଭଲ ମଣିଷୁଟା କାଇଁକି ଏମିତି ହୁଅନ୍ତା ମ–ପିଲା ମାଇପ, ଘରଦୁଆର ଛାଡ଼ି–ଏଥିରେ ଆଉ କ’ଣ କଥା ଅଛି ନା !’’ ହାରାବୋଉର ମନ ଟିକିଏ ବୁଝିଯିବାରୁ ସେ କହିଲା, ‘‘ସେଇକଥା କହିଲାରୁ ପରା ଲୋ ଅପା, ଘର ଭିତରେ ଶୋଇଥିଲା, ଉଠିକରି ଚାଲିଗଲା ।’’

 

ଶରଦୀବୋଉ ତୁନି ତୁନି କହିଲା, ‘‘ଆଲୋ ଚଢ଼ାକୁ ଉତ୍ତର କ’ଣ ନାହିଁ ?–କେତେ ଓଷଧିଆ ଗୁଣିଆ ମୁଁ ଦେଖିଚି–ଶନିଆ ଓଝାକୁ ପୁଣି ବରିଯିବ କିଏ ? କାଟପାଣିଟାଏ କରିଦେଲା ଯେ, ଜଗୁ ସାଉ ଆଠ ବରଷ ହେଲା ଘରକୁ ଖବର ଅନ୍ତର ଦେଇ ନ ଥିଲା–ଦିନ ଦି’ଟାରେ ଆସି ପହଞ୍ଚିଗଲା ।

 

‘‘ଶନିଆ ଓଝା କୋଉଠି, ମୁଁ କୋଉଠି–କ’ଣ ଜାଣେ ମୁଁ ଏସବୁ ?’’

 

‘‘କାଇଁକି ମ, ତତେ କୁଆଡ଼େ ଯିବାକୁ କିଏ କହୁଚି କି–ନା ବେଶିଗୁରାଏ ଖରଚ ହୋଇଯିବ–ସାତୁଟା ଅଣଲେଉଟା ଚକୁରି ପିଠା, ସାତୁଟା ଘିଅ ଦୀପ, ସାତ କେରା ଦୂବ-’’

 

ଶରଦୀବୋଉ ହିସାବଟି ଦେଖାଇ ହାରାବୋଉଠାରୁ ଖରଚ ନେଇଗଲା ।

Image

 

ପରିଚ୍ଛେଦ ସାତ

 

ଛୋଟ ପଧାନପଡ଼ାଟିରେ ସଞ୍ଜ ହୋଇଛି ସବୁଦିନ ପରି । ଗୋରୁଗାଈ ଘରକୁ ଫେରିଆସୁଛନ୍ତି ! କୁଆ ଚଢ଼େଇ ବସାକୁ ଫେରୁଛନ୍ତି ! ବିଲ ମଝିରେ ଗୋଟାଏ କିଏ ଡାକ ଛାଡ଼ିଚି, ‘‘ଆଇଲୁରେ ନବୀନା- !’’ ଚଷାଘର ବୋହୂ ସଞ୍ଜବଳିତା ବୋଳି ଚଉରାମୂଳେ ଦାଣ୍ଡଦୁଆରେ ସଞ୍ଜ ଦେଇ ଯାଉଛି । ଘର ଚାଳରେ ଧୂଆଁ ବୁଲି ବୁଲି ଆକାଶକୁ ଉଠୁଚି ।

 

ଛକଡ଼ି ପଧାନ ଦାଣ୍ଡ ମଝିରେ ଖଣ୍ଡିଏ ଦୋକାନ ଦେଇଛି । ପାନଗୁଆ ଗୁଣ୍ଡିର ଛୋଟ ଦୋକାନଟିଏ । ତରତର କରି ଗରାକମାନେ ସଉଦା କିଣି ନେଉଛନ୍ତି ।

 

‘‘ଦବଟି ପଧାନ ପୁଅ, ମୋର ଏ ଧାନ ଗଣ୍ଡାକ ମାପି !’’

‘‘ଛକଡ଼ି ଦାଦି, ମୋର ଏ ଧାନଗଣ୍ଡାକ ।’’

‘‘ମତେ ଖଣ୍ଡେ ଧୂଆଁତର ।’’

‘‘ଦବୁଟିରେ ଛକି, ଟିକିଏ ଡିଆସିଲିଟା ବଢ଼େଇ ।’’

‘‘ମତେ ଟିକିଏ ବେଗି ବେଗି ଦିଅ ମ- ମୋ ପୁଅ ପରା ସିଆଡ଼େ କାନ୍ଦୁଚି !’’

 

‘‘ଆଲୋ ତୋ ପୁଅ କାନ୍ଦିଲେ କେତେ, ମଲେ କେତେ–ମୋର କ’ଣ ହୋଇଗଲା କହିଲୁ ?’’ ଛକଡ଼ି ବିଚରା ଏ ହାଉହାଉରେ ବିରକ୍ତ ହୋଇସାରିଲାଣି ।

 

‘‘ଆଉ–ଭଲା ସଉଦା ନବାକୁ ମୁଁ ଆଇଲି–ଦିଅ ଦିଅ, ମୋ ଧାନ ସେରକ ମତେ ଫେରେଇ–’’

 

‘‘ଯା, ନେଇଯା ତୋ ଧାନ–’’

‘‘ଦେ, ଦିଅ ମ- ସଉଦା କେତେକର–କେତେ ବେଜାର ହେଉଚ !’’

 

‘‘ଏଗୁଡ଼ାକ କି ପତର ଦେଲ ମ–ଖାଲି ଗମରା ଗନ୍ଧଉଚି–’’ ‘‘ଦବୁଟିରେ ଛକି, ବିଡ଼ି ଦି’ଖଣ୍ଡ- ଗୋରୁପାଣି ବସେଇ ଦେଇ ଆସିଚି ।’’

 

‘‘ଆରେ, ଏ ମୋର କେତୁଟା ହାତ କି–ଏଗୁଡ଼ାଙ୍କ ସାଙ୍ଗରେ ବକ ବକ ହୋଇ ମଣିଷର ତୋଟି ବସିଗଲାଣି । କହିବୁଟି ଲୋ ଶନିଆ ମା, ତୋର କ’ଣ କ’ଣ–’’

 

‘‘ଦିଅ ମତେ ଧୂଆଁତର ଦି’ଖଣ୍ଡ ଦିଅ ମ ।’’ ଛକଡ଼ି ଧାନ ଡାଲାଟାକୁ ହାତରୁ ଫିଙ୍ଗିଦେଇ ଠିଆହୋଇ କହିଲା, ‘‘ଆସ୍, ଆସିବୁ ଟି, ତୁଇ ଆସି ସଉଦା ଦବୁଟି !’’

 

ଶନିଆ ମା’ କହିଲା, ‘‘ଆ–ଗୋଟାଏ ମଣିଷ କେତୁଟା ହାତ ହବ କିଲୋ–ମୋର ପିଲାଟା କାନ୍ଦୁଚି ଯେ ସଞ୍ଜବେରୁ ଆସି ବସିଲିଣି, ଆତି ଦି’ ଘଡ଼ି ହେଲାଣି–ତୋର ଟିକିଏ ତର ସହୁ ନାହିଁ ? ଘୋଡ଼ାରେ ବାଗ ଦେଇ ଆସିଚୁ କି ? ଦବ ଟି–ମୋ ଧାନଗଣ୍ଡାକର–ପାନଗୁଆ, ଖଇର ଖଣ୍ଡେ, ଧୂଆଁତର–’’

 

ଛକଡ଼ି ବିରକ୍ତ ହୋଇ କହିଲା, ‘‘ପାହୁଲାଟାକର ଧାନ, ସେଥିରେ ପୁଣି ସଉଦା ନେବ ଛ’ ଟା ।’’

 

‘‘ଆ–ଆଜି ଏମିତି କାଇଁକି ହଉଚ ମ–ସବୁ ଦିନ ତ ଦିଅ ।’’

 

ଛକଡ଼ି ବିଚରା କାଦୁଅ ପଙ୍କ ହୋଇପାରେ ନାହିଁ–ଚାଷବାସକୁ ପାରେ ନାହିଁ । ସେଥିପାଇଁ ଦୋକାନ ଖଣ୍ଡିଏ କଲା । ବରଜୁ ମାସକୁ ମାସ ତା’ ହାତଖର୍ଚ୍ଚକୁ କିଛି କିଛି ଦିଏ । ଦୋକାନ ଖଣ୍ଡିଏ କରିବ ବୋଲି ଜାଣିବାରୁ କିଛି ଟଙ୍କା ମଧ୍ୟ ଦେଲା । କିଛି କାମ ନ କରି ଯାହା ଘରେ ଖାଲି ଖାଲି ବସିଚି, ଏମିତି ଗୋଟାଏ କିଛି ହେଲେ କରୁ । ଛକଡ଼ି ବଡ଼ଭାଇଠାରୁ ଯାହା ଟଙ୍କା ପାଇଲା, ସେଥିରେ ନେତ୍ରମଣିର ପାହୁଡ଼ ମରାମତିରେ କିଛି ଖର୍ଚ୍ଚ ହୋଇଗଲା, ବାକି ଟଙ୍କାରେ ଦୋକାନ ଖଣ୍ଡିଏ ଯୋଡ଼ି ବସିଚି । ଦୋକାନରେ ଯାହା ତ ବିକିରି ହୁଏ, ପୁଣି ନେତ୍ରମଣିର ପାନ ଗୁଆ ଖର୍ଚ୍ଚ ବି ତା’ରି ଭିତରୁ । ସୁନା, ମୋତି ଆଗେ ଆଗେ ଆସି ଗୁଆଗୁଣ୍ଡି ନେଇ ଯାଉଥିଲେ, ଆଜିକାଲି ବୋଉ ମନା କରିଦେଇଚି–‘‘କାଇଁକି ମ, ଆମର ଯାହା ଦରକାର ସିଧି ସାଉ ଦୋକାନରୁ କିଣାହୋଇ ଆସିବ ନି–ଘଇତା କୋଉଠି କୋଉଦିନ ଗୁଆଗୁଣ୍ଡି ଅଧଲା ପାହୁଲାକର ଦବ, ମାଇପ ବାରଅନା କରି ଉଘେଇବ ।’’

 

ଛକଡ଼ିର ଦୋକାନ ଯାହା ଚଳେ, ସେଥିରେ ଲାଭ କଥା ଦୂରେ ଥାଉ, ମୂଳଜମା ଉଠେ କି ନାହିଁ । ତେବେ ଦୋକାନ ଖଣ୍ଡ ପକେଇ ରଖିଚି–ଆଉ କ’ଣ କରିବ ?

 

ଦୋକାନକୁ ତା’ର ଗରାକ ଯାହା ଆସନ୍ତି, ତା’ ଠଉଁ ବେଶି ଆସନ୍ତି ଯାହାଙ୍କର କିଛି ସଉଦା ଦରକାର ନାହିଁ–ଖାଲି ଗପ କରିବାକୁ । ହରି ମିଶ୍ରେ ବି ଦିନେ ଦିନେ ଗଡ଼ିପଡ଼ନ୍ତି । ବରଜୁ ଉପରେ ସେ ରକତ ଚାଉଳ ଚୋବାଉଛନ୍ତି । ଦି’ଭାଇ ଭିନେ ହୁଅନ୍ତୁ, ଦିହିଁଙ୍କ ଭିତରେ କଳି ତକରାଳ ଲାଗୁ–ଦେଖି, ବରଜୁଆ ପରା କେମିତି ଦାଣ୍ଡରେ ଭଲେଇ ହଉଚି । ଘରକଳି ଭାଇକଳିକି କେମିତି ସମ୍ଭାଳିବ ଭଲା, ଏଇଠି ତା’ ଅକଲଟା ପରଖି ନବା ନାଇଁ ! ପାଞ୍ଚ ଜାଗାରେ ତ ଏତେ ଭଲଲୋକି ଦେଖେଇ ବୁଲୁଚି, ଘର କଜିଆକୁ କ’ଣ କରିବ ଦେଖିବା ଭଲା- ହାଣ୍ଡି କୁଣ୍ଢେଇ, ଗୋରୁ ଗାଈ, ବିଲବାଡ଼ି ଭାଇଠଉଁ ଭାଗ ବାଣ୍ଟିବ ନାଇଁ ? ଆଚ୍ଛା, ଦେଖିବା !

 

‘‘କିରେ କୋଠାପୁଅ, ଦୋକାନ ବିକିରି କେମିତି ହଉଚି ମ ?’’ କହି ମିଶ୍ରେ ଆସି ଦୋକାନଦୁଆରେ ଠିଆହେଲେ ।

 

ଛକଡ଼ି ଚଟେଇ ଖଣ୍ଡେ ମିଶ୍ରଙ୍କ ପାଇଁ ପକେଇ ଦେଇ କହିଲା, ‘‘ବସନ୍ତୁ କକେଇ ।’’ ମିଶ୍ରେ ବସିବାରୁ ପାନଭାଙ୍ଗି ବସିଲା । ଛୋଟ ପାଧାନପଡ଼ାଟିରେ ରାତି ଘଡ଼ିକ ଭିତରେ ଗରାକମାନେ ସଉଦା ନେଇ ଫେରିଯାନ୍ତି । ତା’ପରେ ଗାଁ ଗପଡ଼ିଯାକ ଆସି ଦୋକାନଦୁଆରେ ବସି ଗପ କରନ୍ତି ।

 

ବସିପଡ଼ି ମିଶ୍ରେ କହିଲେ, ‘‘ଯାହାହେଉ, ଦୋକାନ ଖଣ୍ଡେ କଲୁ, ଭଲ କଲୁ, ତୁ ସେ ଚାଷବାସ କାମକୁ ପାରିବୁ କୁଆଡ଼େ ।’’

 

ଧରମୁ ଦାସ କହିଲେ, ‘‘ଆମେ କେତେ ଲଗେଇ ଲଗେଇ ଏ ଖଣ୍ଡ କଲେ ନା- ନଇଲେ ସେ କିଏ, ଦୋକାନ କିଏ !’’

 

ମିଶ୍ରେ ଟିକିଏ ସୂରଯ ଟେରା । ଦଶ ଜଣଙ୍କ ପାଖରେ ବସି ଗପ କରୁଥିବେ, ଜଣ ଜଣ କରି ଭାବିବେ, ସେ ତାଙ୍କରି ଆଡ଼କୁ ଚାହିଁଛନ୍ତି । ସାମନାକୁ ଚାହିଁଲେ ଆଖି ଡାହାଣ ପଟକୁ ଯାଏ, ବାଁ ପଟକୁ ଚାହିଁଲେ ଆଗକୁ ଚାହିଁଲେ ପରି ଦିଶେ । ଧରମୁ ଦାସ ଆଡ଼କୁ ଟିକିଏ ବଙ୍କେଇ ଚାହିଁ ମିଶ୍ରେ କହିଲେ, ‘‘ଆରେ ହଁ, କାହା ବୋପାଗଣ୍ଠିରେ ଦୋକନ କଲା । ? ବାପ ଥୋଇଥିଲା, ପୁଅ ଦୋକାନ କଲା ।’’

 

ଛକଡ଼ି କହିଲା, ‘‘ନାଇଁ କକେଇ, ବାପା ତ ପାହୁଲାଟାଏ ରଖି ନ ଥିଲା, ମରିଗଲାବେଳକୁ ପରା କହିଲା–ଖାଲି ଧର୍ମ ରଖିଯାଇଛି ।’’

 

‘‘ଆରେ ହଁ, ସବୁ ଶୁଣୁଚି । ବୁଢ଼ାବୁଢ଼ୀ କିଛି ରଖି ନ ଥିଲେ । ବରଜୁ ପଧାନ ଖାଲି ତା’ ରୋଜଗାରରୁ ଟଙ୍କାଗୁଡ଼ାକ ତତେ ଗଣି ପକେଇଲା–କହିବା କଥା ନା ଶୁଣିବା କଥା ?’’

 

‘‘କେଜାଣି କକେଇ, ମୋର ଆଗରେ ଦିହିଙ୍କର କାଳ ହେଲା ଯେ, ମୁଁ ତ କିଛି ଜାଣିନାଇଁ–’’

 

‘‘ହେଃ ହେଃ–ତୁ କ’ଣ ଜାଣିଚୁରେ–ତୋର ତ ସେତେବେଳେ ଚାଉଳ ମାଣ କେତେ ନା ମୁଁ ମଠରେ ଖାଏଁ–କିରେ ଧରମା ?’’

 

ଧରମା କହିଲା, ‘‘ନାଇ ଆଜ୍ଞା, ବରଜୁ ଦେଇଚନ୍ତି–ଗୁନା ପଇଡ଼ାଠଉଁ ଉଧାର କରି ପରା-।’’

 

‘‘ଆରେ ହଁ ହଁ, ତୁ ମତେ ବୁଦ୍ଧି ଶିଖେଇବୁ, ନା ?–ଶାମ ପଧାନକୁ ମୁଁ ଜାଣେ, ତା’ ଭାରିଯାକୁ ଜାଣେ–ବରଜୁକୁ ବି ତା’ ପିଲାଦିନରୁ ଦେଖି ଆସିଲିଣି ।’’

 

‘‘କାହିଁକି ଆଜ୍ଞା, ବରଜୁଙ୍କର ତ ଆମେ କୋଉଦିନ କିଛି–’’

 

‘‘ଆରେ ଚୁପ୍‌ ଚୁପ୍‌- କଥା ଉପରେ କଥା କହୁଚୁ–ତୁ ଗୋଟାଏ ଜାଣିଚୁ କ’ଣ–ବଢ଼ି ବଢ଼ି କଥା କହୁଚୁ–କିରେ ଛକଡ଼ି ?’’

 

‘‘ହଁ କକେଇ, ସେ କଥା କିଏ କହିବ–ନରମାୟା ନାରାୟଣଙ୍କୁ ଅଗୋଚର ।’’

 

‘‘ହେଲା ! ବୁଝିବାବାଲା ଯେ ସିନା ବୁଝିବ–ଧରମୁ ଦାସ ମାମଲାତକାର ହେଇ ପୁଣି କଥା କହୁଚି–ସକାଳୁ ଉଠି ଲଙ୍ଗଳେ ଯାନ୍ତି ତୋରାଣି ହେମ କାକର- ସେ ଆମ ସାଙ୍ଗରେ ଯୋଡ଼ଦେଇ କଥା କହିବ ! ଏକାଳ ପରା ସେମିତି ହେଲାଣି, ଛୋଟ ଲୋକଙ୍କ ମୁହଁ ବଢ଼ିଯାଇଛି ।’’

 

ଧରମୁ ଦାସ ଲୋଚିକୋଚି ହୋଇ କହିଲା, ‘‘ନାଇଁ ଆଜ୍ଞା, ତମ କଥାରେ–’’ ତାକୁ ‘ଆପଣ’ କହି ଆସେ ନାହିଁ ।

 

‘‘ଆରେ ଚୁପ୍‌ ରହ- ବେଅକଲୀ ତୁ । ନ ହେଲା, ବରଜୁ ପଧାନ ତା’ ହାତରୁ ଦେଲା ହୋ ସମ୍ପତ୍ତି ଗୋଟାକର ହାନିଲାଭ ସବୁ ତ ତା’ରି ହାତରେ–ସେଥିରୁ ଅବା ଟଙ୍କା ଶଏ ପଚାଶ ଭାଇକି ଦେଲା । ଏ କ’ଣ ଗୁଡ଼ାଏ ଅଧିକା ହୋଇଗଲା ?’’

 

ଛକଡ଼ି କହିଲା, ‘‘ସେ ଆମ ଘରକଥା କିଛି ବୁଝିନାଇ କକେଇ !- ତା’ କଥା କ’ଣ ଶୁଣୁଚନ୍ତି ?’’

 

ଧରମୁ ଦାସ ଗୋଟାଏ ହୁଙ୍କାପିଟା ଗାଲୁଆ ମଣିଷ । ନିତି ମାଡ଼ ଖାଇଲେ ବି ସେ ଗାଲୁମରା ଛାଡ଼େ ନାହିଁ–ଯାହାକୁ କହନ୍ତି ମାଡ଼-ଗଇଁଆ । ସେ ମିଶ୍ରଙ୍କୁ ସିନା କିଛି କହିପାରିଲା ନାହିଁ, ଛକଡ଼ିକୁ ତେଢ଼ି ଦେଇ କହିଲା, ‘‘ହଁ, ହଁ, ତମେ ତ ଖାଲି ସବୁ ବୁଝି ପକେଇଚ- ସେଥିପାଇଁ ତ ଦିଅଁଙ୍କୁ ଖାଇ ଖଟୁଳି ଖାଇଲଣି–ଦୋକାନ ଖଣ୍ଡେ କରିଚ ଯେ ମୂର ଜମା ଉଠିବ କି ନାଇଁ ।’’ ଛକଡ଼ି ତେଜି ଯାଇ କହିଲା, ‘‘ଯା ବେ, ଓଡ଼ ବୁଦ୍ଧି ଗୋଡ଼କୁ । କକେଇ ବସିଚନ୍ତି, କେତେ ମାମଲତକାରି ତାଙ୍କ ଆଗରେ ଦେଖଉଚୁ ?’’

 

‘‘ଏଁ, କେଡ଼େ ତାପନରେ କ’ଣ କଥା କହୁଚ- କ’ଣ ମାରିବ କି ? ଧରମା ଜାତିରେ ବାଉରି, ତା’ରି ସମ୍ପତ୍ତିବାଡ଼ି ନାହିଁକି ଟଙ୍କା ସୁନା ନାହିଁ ଯେ, କୃତ୍ରିମ କରି ଘେନିଯିବ । ପାରି ପାରି କରି ପୁଞ୍ଜାଏ ମାରିଦେବ, କ’ଣ ହୋଇଯିବ ସେଥିରେ ? ପିଲାକାଳୁ ତ କେତେ ମାଡ଼ଗାଳି ଖାଇ ଖାଇ ଆସିଛି । ଆଉ ତ କିଛି ଚୋରି କରୁ ନାହିଁ, ତାକୁ ନେଇ କିଏ ଜେଲଖାନା ଭିତରେ ପକେଇ ଦେବ !’’

 

କ’ଣ ହେଲା ! ମିଶ୍ରଙ୍କ ଆଗରେ ବାଉରିଟାଏ କେଡ଼େ ଦିମାକରେ କଥା କହୁଛି ! ତେବେ ଧରମାଟା ଗାଲୁଆ- ସେକଥା ମିଶ୍ରେ ଦଶମାଡ଼ ଦେଇ ତାକୁ ବୁଝିସାରିଛନ୍ତି ! ଆଖି ତରାଟି ତା’ ଆଡ଼କୁ ଚାହିଁ କହିଲେ, ‘‘କିରେ ଧରମା, ଆଜି ଫେର୍‌ ପିଠି ଗଲୁ କଲାଣି କି ?’’

 

ଧରମା ତ ଚାରିଦଉଡ଼ିକଟା । ପାରି ପାରି ତ ଦି’ଟା ଗୋଟାଏ ମାରିବେ, ସେଥିପାଇଁ ତା’ର ଡର କ’ଣ ? ତେବେ ଏ ରାତି ଅଧରେ ମାଡ଼ ଖାଇବାଟାକୁ ତାକୁ କେମିତି କେମିତି ଲାଗିଲା-। ସେଥିପାଇଁ ସେ ଉଠିଯାଇ କହିଲା, ‘‘ହଁ ହୋ, ତମର ଆଉ କ’ଣ ଧମକେଇବାକୁ ଅଛି କି ? ପାରି ପାରି କରି ମାଡ଼ ଦି’ଟା ତ ଦବ, ନ ହେଲେ ଏ ଗାଁରୁ ଉଠେଇ ଦେବ । ଆମେ ତ ମୂଲିଆ ମଣିଷ, ଚାରିବାହା ଥିବାଯାଏ ଆମ ପେଟ ଅପୋଷା, କଖାରୁକଷିଟାଏ ହେଲେ ତ ରଖିଦବ ନାଇଁ–ନ ହେଲା, ଏ ଗାଁରେ ନ ହେଲା- ଯଉଁ ଗାଁକୁ ଯିବୁଁ ସେଠି ତ ଆମେ ମୂଲ ଲାଗି ଖାଇବୁ... ।’’

 

‘‘ହଉ ଯା ଯା–ଆଜି ଏତେ ରାତିରେ–ଲୁଗାଟା ପିନ୍ଧିଚି, ଛୁଆଁ ହେବ- ଆଚ୍ଛା, କାଲି ତୋ ଦିମାକ୍‌ ଦେଖିବା ।’’

 

‘‘ଦଶଥର ତ ଦେଖିବଣି, ଆଉ କାଲି ଅଧିକା ଗୁରାଏ କ’ଣ ଦେଖି ପକେଇବ ?’’ କହି କହି ଧରମୁ ଦାସ ଚାଲିଗଲା ।

 

ମିଶ୍ରେ କହିଲେ, ‘‘ଦେଖିଲୁଟିରେ ଛକଡ଼ି–ଏ ଛୋଟ ଲୋକଙ୍କ ମୁହଁ ବଢ଼ଉଚି କିଏ ?–ତୋରି ଭାଇ ବରଜୁ । ନ ହେଲେ ଧରମୁ ଦାସ ହୋଇ ଗୋଟାଏ, ବାପ ନାଁ ପଚାରିଲେ ଆସିବ ନାଇଁ–ତା’ର ଫେର ବହପ ହୁଅନ୍ତା ମୁହଁ ଆଗରେ ଏମିତି କଥା କହି ଚାଲିଯାନ୍ତା ? ଏ ଲୋକଙ୍କୁ ଖାଲି–କ’ଣ ଜାଣିଚୁ ନା ? ଖାଲି ଉଠୁ ଗୋଟିଏ, ବସୁ ଗୋଟିଏ, ତା’ହେଲେ ସିଧା ହେବେ । ବରଜୁ ପଧାନ ଏଇ ଛୋଟ ଲୋକଗୁଡ଼ାଙ୍କ ପାଖରେ ବସିବ ଉଠିବ, ତାଙ୍କୁ ସବୁ ବାର କୁଶିକ୍ଷା ଦବ–ଏଥିରେ ଭଲା ତାଙ୍କର ମୁହଁ ବଢ଼ିଯିବ ନାଇଁ ? ଘନ ଖଟେଇର ମକଦ୍ଦମା–ଆଛା, କ’ଣ ମିଛ ମକଦ୍ଦମା ସେ କରିଥିଲା ? ସମସ୍ତଙ୍କ ଆଗରେ ତାକୁ ମିଛ କହି ବୁଲିଲା; ଗୋଟାଏ ହେଲେ ସାକ୍ଷୀ ତା’ପାଇଁ ମୁଁ ଖୋଜି ଖୋଜି ପାଇଲି ନାଇଁ । ସମସ୍ତେ ମିଛୁଆ ହେଇଗଲେ, ତୁ ଏକା ଖାଲି ସତିଆ-? ମିଛ ନ କହି ପୁଣି କିଏ ଗୋଟାଏ ଏମିତି ପୁଅ ଅଛିରେ ଛକଡ଼ି–କାହା ନେଡ଼ିରେ ବାଳ, ଜିଭରେ ହାଡ଼ ?’’

 

‘‘ଭାଇକି ପରା ସମସ୍ତେ କହୁଛନ୍ତି, କକେଇ, ସେ କୋଉଦିନ ପଦେ ହେଲେ ମିଛ କହେ ନାହିଁ ।’’

 

‘‘ଆରେ ହଁ, ସେ ମୂର୍ଖଲୋକଙ୍କ ଆଖିରେ ଧୂଳି ପକେଇଦବ–ତତେ ମତେ କ’ଣ ଏ କଥା ଅଛପା ରହିବ ? ଘର ଭିତରେ ତ ଫେର ତୁଇ ଦେଖୁଥିବୁ–ତୋ ମୁହଁରେ କଥାଏ ହେଲେ ମାଇପ ମୁହଁରେ କଥାଏ ।’’

 

‘‘ମୁଁ ବୁଝି ନାଇଁ କକେଇ, ଏଇ ଧରମା ବାଉରି ମତେ ବୁଝେଇବ ?–ମତେ କହୁଚି ଦିଅଁକୁ ଖାଇ ଖଟୁଳି ଖାଇଲଣି ।’’

 

‘‘ଆରେ, ଲୁଗାଟା ପିନ୍ଧିଥିଲି–ତା’ ବକତେଇ ବଳୀୟାର–ନଇଲେ ତା’ ଗାଲପାଟି ଏଇଠି ନାଲି କରିଦେଇ ନ ଥାନ୍ତି ?’’

 

ଧରମା ବାଉରି କଥାରେ ଛକଡ଼ିର ଅପମାନ ହୋଇଛି । ତା’ ଗାଲ ହେଉ, କି ପିଠି ହେଉ, ଗୋଟାଏ କିଛି କଳା କି ନାଲି ହୋଇଥିଲେ ମନଟା ତା’ର ବୋଧ ହୋଇଯାଇଥାନ୍ତା । ସେ ମିଶ୍ରଙ୍କ ଆଶ୍ରା ପାଇ କହିଲା, ‘‘ତାକୁ ଟିକିଏ କାଲି ସକାଳେ ଦେଖି ନ ଦେଲେ ଭଲ ହେବ ନାହିଁ କକେଇ !’’ ଧରମାର କାଲି ସକାଳେ ମାଡ଼ ଖାଉଥିବା ଅବସ୍ଥାଟାକୁ ମନେ ମନେ ଭାବି ଛକଡ଼ି ଖୁସି ହୋଇଗଲା ।

 

ମିଶ୍ରେ କହିଲେ, ‘‘ଆରେ, ସେ କଥା ଆଉ ତୁ ମତେ କ’ଣ ମନେପକାଇ ଦେଉଚୁ ମ ? ସକାଳେ କାଲି ଟିକିଏ ଆମ ଘର ଠେଇଁକି ଯିବୁ । ଧରମାକୁ ଏମିତି ସେମିତି ହେଲେ କାପେଇବ ନାହିଁ- ବଳଦ ପଘା, ନଡ଼ିଆ ଗଛ, ବିଛୁଆତି–ତା’ହେଲେ ଯାଇ ହବ । ହେଲେ, ଧରମା ସିନା ଏକା ଘଣ୍ଟାକେ ସାଧ୍ୟ ହୋଇଯିବ, ତୋ ଭାଇକି ତ ପାରି ହବ ନାହିଁ । ଆଜି ସିନା ଗୋଟାଏ ଲୋକକୁ ଜବତ କରିଦେବା, କାଲି ତ ତୋ ଭାଇ ଶିଖାରେ ଏଉ ତିନିଟା ଲଙ୍ଗଳା ହେଇ ଡେଇଁବେ । ତାକୁ ଉପାୟ କ’ଣ ଅଛି କହିଲୁ ? ଛୋଟଲୋକଙ୍କୁ ଶିଖାଇ ଘର- ଭାଇଟାକୁ ଅପମାନ ଦବ । ଧରମା ହେଇ ଗୋଟାଏ ମଣିଷ–ଶ୍ରୀଅକ୍ଷର ବିବର୍ଜିତ–ସେ କୁଆଡ଼ୁ ଜାଣନ୍ତା, ତୁ ଦିଅଁକୁ ଖାଇ ଖଟୁଲି ଖାଇଲୁଣି–ଦୋକାନ- ମୂଳଜମା ବୁଡ଼େଇଲୁଣି ? ଏ ବରଜୁ ଶିଖା ନୁହେଁ, ଛକଡ଼ି ! ତୁ ମତେ ବୁଦ୍ଧି ବତେଇବୁ ?’’

 

‘‘ସବୁ ବୁଝିଲିଣି କକେଇ–ମାଇପିଟା କଥାକୁ ବରାବର ତେଢ଼ିଦେଇ ଆସିଚି ସିନା; ହେଲେ କ’ଣ ହେବ, ମାଇପିଗୁଡ଼ାକ ଗୋଟାଏ ଗୋଟାଏ କଥା କହନ୍ତି, ସେଥିରେ ଟିକେ ହେଲେ ମିଛ ନାଇଁ । ମତେ ସେ କୋଉଦିନୁ ଲଗେଇଚି, ଆମର ଅଲଗା କରି ହାଣ୍ଡି ଖଣ୍ଡେ କରିବା–ତିନି ତିନିଟା ଝିଅ–ତାଙ୍କ ବାହାଘର ଖର୍ଚ୍ଚ ଏଇ ଘରୁ ହଉଚି ନା ପଦାରୁ କୁଆଡ଼ୁ ଆସୁଚି–ଆମର କାହିଁକି ଏଡ଼େ ଗରଜ, ଆମେ କାଇଁକି ପର ପୋଷିବାକୁ ଏମିତି କଲେଇ ବଲେଇ ହୋଇ ପଡ଼ିରହିବା ?’’

 

ଛକଡ଼ି ମୁହଁରୁ ‘ପର’ କଥାଟା ବାହାରିବା ସାଙ୍ଗେ ସାଙ୍ଗେ ମନ ଭିତରେ କେମିତି ଟିକିଏ ଅଡ଼ୁଆ ଲାଗିଲା- ହଁ, ତେବେ ଆଉ ପର ନୁହେଁ ତ କ’ଣ ! ପର ନୁହେଁ ଆଉ ଆପଣାର ? ଏଇକ୍ଷଣି ତ ଯେଝା କଥା ସେ କଲାଣି । ଏ ଯେମିତି ଦୋକାନରୁ ପାନଗୁଆଗୁଣ୍ଡି ନେଇ ଅଲଗା କରି ଖାଉଛି, ତାଙ୍କର ତ ସେମିତି ଅଲଗା କରି କିଣିଆଣି ଖାଉଛନ୍ତି । ଦି’ଯାଙ୍କ ଭିତରେ ଭଲରେ କଥାବାର୍ତ୍ତା ହେବା ସପନ ହେଲାଣି । ସବୁ କଥାବାର୍ତ୍ତା ତ କଳିରେ ହେଉଛି । ଦି’ଭାଇଙ୍କ ଭିତରେ ଅବା କେଉଁ ମନ ମିଳିକରି ଅଛି ? ଘର ଗୋଟାକର ତ ସବୁ ଖର୍ଚ୍ଚବାର୍ଚ୍ଚ ବଡ଼ଭାଇ ହାତରେ । ଦିନେ କେଉଁଦିନ ଛକଡ଼ିକି ସେ ଡାକି ବୁଝେଇଲାଣି କି କହିଲାଣି ଭଲା । ! ଭିତରେ ତ ସବୁ ଅମେଳ, ମୁହଁରେ ଟିକିଏ ଖାଲି ମିଳିକରି କହିଲେ କ’ଣ ହେବ ?

 

ମିଶ୍ରେ ସୁବିଧା ଜାଣି କହିଲେ, ‘‘ମାଇପେ କଥା କହିଲୁ ଯେ ଛକଡ଼ି, ମାଇପେ ଘରର ଲକ୍ଷ୍ମୀ । ଘରକଥା ଆମେ କ’ଣ ବୁଝୁଁ, କ’ଣ କରୁଁ ରେ ? ଆମେ ସିନା ଖାଲି ଦାଣ୍ଡକୁ, ନ ହେଲେ ଘର ଭିତରର ସବୁ ନେଇଆଣି ଥୁଅନ୍ତି ସେଇ ତ ? କିରେ, ଏଇ ଧରମୁ ଦାସ ଭଳି ମୂର୍ଖ ଲୋକ କହିବେ ମାଇପିବୋଲା, ମାଇପିବୋଲା । ତାଙ୍କ କଥାରେ ଯାଏ କେତେ, ଆସେ କେତେରେ ଛକଡ଼ି ? ବାସୁଆବୋଉ ମତେ ସେମିତି, କେତେ ଆଗରୁ ଭିନେ ହବା କଥା କହୁଥିଲା–ଯେତେ ଭାଇ ସେତେ ଘର, ଯେତେ କନିଆ ସେତେ ବର ! ଏବେ ଯୋଉ ଦିନୁ ଭିନେ ହେଇଚି, ସେ ଦିନୁ ତ ଭଗବାନ ମତେ ଦୁଃଖେ ସୁଃଖେ ଚଳାଉଛନ୍ତି–ନା ଭାଇନା ପରି, କେଳା ପରି, କଲିକତା–ମେଦିନୀପୁର ଦୌଡ଼ି ରୋଷେଇ କରି ଭିକ ମାଗି ବୁଲୁଚି ?’’ମିଶ୍ରେ ମଝିଆଁ–କେଳା ମିଶ୍ରଙ୍କର ସାନ ଭାଇ ।

 

‘‘କାଇଁକି କକେଇ, ଆପଣ ଏ କଥା କହୁଚ କାଇଁକି–ଆପଣ ଭିକ ମାଗିବେ ତ, ଆମେ ସବୁ ଅଛୁ କାହିଁକି ?’’

 

‘‘ହେଃ ହେଃ–ପିଲା ଟୋକାଟାଏ, କିଛି ବୁଝୁନାଇଁ–କିରେ ତୁ କାଇଁକି ଭିକ ମାଗିବୁରେ–ତୋର ଦଶମାଣ ଚାଷ, ହଳ, ବଳଦ–ସାତ ପୁରୁଷି ଘର । ଯାହା କହ ଛକଡ଼ି, ଏଗୁଡ଼ାକ ତୋର ଅଯୋଗ୍ୟ ପଣିଆ ।’’

 

‘‘ଆପଣ ତ ଜାଣ କକେଇ, ଚାଷଲଗୁତି କଥା ମତେ କ’ଣ କିଏ ଜାଣିବାକୁ ଦିଏ ?’’

 

ମିଶ୍ରେ ବିରକ୍ତ ହୋଇ କହିଲେ, ‘‘ତତେ ଜାଣିବାକୁ ଦବ କିଏ ସେ ରେ–କ’ଣ ପିଲାଛୁଆ ହେଇଚୁ, ମା’ ଠଉଁ ଦୁଧ ଖାଇ ଶିଖୁଚୁ କିରେ ?’’

 

ଛକଡ଼ି କହିଲା, ‘‘ନାଇଁ କକେଇ, ଚନ୍ଦରା ଶିଅଳ ଯାହା କହୁଥିଲା, ଏ ଥର ତ ସେଇତା କରିବି । ପାଞ୍ଚମାଣିଆ ଚକ ମୁତାବକ ଏ ବର୍ଷ ଅଲଗା କରି ରଖିବି, ସେଇଥିରୁ ଧାନ ଫସଲ ପରେ ପୁଷ ମାସରେ ଅଧେ ବିଲର ଧାନ କାଟି ଆଣି ଅଲଗା ଖଳା କରି ରଖିବି । ମୁଁ କହିଲି–ଭାଇ ତ କମେଇଲା, ମୁଁ କୋଉ ହିସାବରେ ଆଣି ଅଲଗା ଖଳାରେ ରଖିବି ? ଚନ୍ଦରା କହିଲା–ତମକୁ ଏ ବୁଦ୍ଧି କିଏ ଶିଖେିଇବ ହେ ? ଭାଇ କମେଇଲା ତ କ’ଣ ହେଲା ? ତମର ସେ ଜମି ନୁହେଁ, ନା ଲୋକଟା ତମରି ଘରୁ ମୂଲ ନେଇ ତାକୁ କମେଇ ନାଇଁ ? ଭାଇ ତ ସବୁ ବୁଝୁଛନ୍ତି–ସେ ଅବା ତା’ରି ସାଙ୍ଗରେ ଆଣ୍ଠୁ ପକେଇ ଦେଲେ, କି ହଳ ଧଇଲେ । ୟା ବୋଲି ତ ଫେର ଲୋକେ ଭାଗବଖରା କରି ତିନି ମାଣ ପାଞ୍ଚ ମାଣ ଦଉଛନ୍ତି । ତାକୁ ଯେ କମଉଚି, ସେ ଏକା ଖାଉଚି ନା ଜମିବାଲାକୁ ଅଧେ ଦଉଚି ? ଜାତିରେ ଶିଅଳ ହେଲେ କ’ଣ ହବ କକେଇ, ଚନ୍ଦରାର ବୁଦ୍ଧି ଅଛି । ଘରେ ଯାଇ ଯେମିତି ଏ କଥା କହିଲି, ସେ କହିଲା–ଏ କଥା ଆଉ ପଚାରିବାକୁ ଅଛି–ଆମର ସେଇ ଖଳା ପାଖରେ ଖଳା ଚଞ୍ଛେଇ ଦିଅ, ଆମ ମୁଗ ସେଇଠି ଅମଳ ହେବ ।’’

 

‘‘ଏତେଦିନେ ତୋଠଉଁ ଗୋଟାଏ ମାମଲତାକାରିଆ କଥା ଶୁଣିଲିରେ ଛକଡ଼ି ! ହଁ, ଉଚିତ କଥା–ଏଥିରେ ତ କିଛି ମାନ ଅପମାନ ରହିଲା ନାହିଁ–ହାଣ୍ଡି ଅଲଗା କରିବା କଥା ରହିଲା ନାହିଁ । ବଡ଼ଭାଇର ଦଶ ବରଷ ହେଲା ଘରଟାର ସବୁ ଆୟ ଆମଦାନି ବୁଝୁଚି, ଏଣିକି ସାନ ଭାଇ ପାରିଲା, ତା’ କଥା ସେ ବୁଝିବ ନି, କରିବ ନି–ଏଥିରେ କାହାର କ’ଣ କହିବାକୁ ଅଛି ? ଏ ତ ହକ କଥା ! ଚନ୍ଦରା ଶିଅଳ- ଶୁଖିଲା କାଠରୁ ପାଣି ବାହାର କରିବ ସେ । ନ ଜାଣି ମୁଁ ତାକୁ ପିଆଦା କରି ରଖିଚି ?’’

 

ଚନ୍ଦରା ସତକୁ ସତ କୋଉଠି ଥିଲା, ଚାରି ହାତର ଗଣ୍ଠିଆ ବାଉଁଶଠେଙ୍ଗାଟା ଦୋକାନ ଦୁଆରମୁହଁରେ ରଖି ଦେଇ ଲମ୍ୱା କରି ମିଶ୍ରଙ୍କୁ ଓଳିକିଟାଏ ହୋଇ ପଡ଼ିଲା । ମିଶ୍ରେ ତା’ ମୁହଁକୁ ଚାହିଁଦେଇ କହିଲେ, ‘‘ଆରେ, ଏଇଟାର କେତେ ପରମାୟୁରେ–କିରେ ଚନ୍ଦରା, ଖବର କ’ଣ ?’’ ଚନ୍ଦରା ମିଶ୍ରଙ୍କର ହାତବାରିସି । କୋଉଠି କିଏ ଛିଙ୍କିଲା, କୋଉଠି କିଏ ବସିଲା, କି ହସିଲା, ସବୁ ଖବର ଆସି ମିଶ୍ରଙ୍କ କାନରେ ଫୁଙ୍କେ । ମହାଦେବଙ୍କ ଦର୍ଶନ ଆଗରୁ ଲେକେ ବୃଷଭକୁ ସାଉଁଳାନ୍ତି, ବିଷ୍ଣୁଙ୍କ ଦର୍ଶନ ଆଗରୁ ଗରୁଡ଼କୁ କୁଣ୍ଢାନ୍ତି । ମିଶ୍ରଙ୍କଠଉଁ ଉଦ୍ଧରିବାକୁ ଲୋକେ ସେମିତି ଚନ୍ଦରାକୁ ଆଗ ହାତ କରନ୍ତି । ବରଜୁ କହେ, ଏ କଥାଟା ଖାଲି ବୃଷଭ, ଗରୁଡ଼, କି ଚନ୍ଦରା କଥାରେ ଲାଗେ ନାହିଁ–ଦେବତାମାନଙ୍କ ଠାଇଁ ଯେମିତି, ମଣିଷ ପାଖରେ ବି ସେମିତି–ରାଜା ମହାରାଜା ହାକିମଠଉଁ ବେଶି ପୂଜା ପାନ୍ତି ତାଙ୍କ ପାଖ ଲୋକେ–ତାଙ୍କ ଅମଲା, କିରାନି, ଅମିନ–ତାଙ୍କ ଚପରାସି ।

 

ଚାନ୍ଦରା ଟିକିଏ ମୁରୁକି ହସି କହିଲା, ‘‘ଆଜ୍ଞା, ଆଜି ଖବର ବଡ଼ ଜବର–ଟିକିଏ ୟାଡ଼କୁ ଆସିଲେ କହିବି ।’’

 

‘‘ଆରେ, ସିଆଡ଼କୁ କ’ଣ ଯିବି ମ–ଛକଡ଼ି ତ ଆମ ପୁଅଟା, ତାକୁ କ’ଣ ଡର–ସେ କ’ଣ କାହା ଆଗରେ ଯାଇ କହି ଦଉଚି ?’’

 

‘‘ଆଜ୍ଞା ସେଇ ସଦେଇ ପରା–ଜୋଇଁ ତା’ର ଦି ବରଷ ହେଲା କଲିକତାରେ- ଝୁଅ ବାପଘରେ–ଗଲା ବରଷ ଖବର ତ ଜାଣିଚ–କୁଆଡ଼େ ଗପେଇ ଦେଲା, କେହି ପତ୍ତା ପାଇଲେ, ନାଇଁ; ଏବେ ଦେଖିବ ଆସ–ତା’ର ବାରିପଟ କଦରୀ ବଗିଚାରେ ପିଲା ପଡ଼ି କୁଆଁ କୁଆଁ ଡାକ ଛାଡ଼ିଚି ।

 

‘‘ଏଁ ଏଁ କ’ଣ କହିଲୁ–ପିଲା ବଞ୍ଚିଛି ?’’

 

‘‘ଡାକ ପାରି କଦରୀ ବଗିଚା ପରା କମ୍ପାଉଚି–ଜନମ କଲାବାଲା ସଫାସୁତୁରା ହୋଇ ହାଣ୍ଡିଶାଳରେ ଭାତ ଆନ୍ଧୁଚି–ମତେ ଶରଦୀବୋଉ ଏଇଛୁଣି ଆସି କହିଲା ନା, ମୁଁ ନଇଲେ ଜାଣିବି କେମିତି ?’’

 

‘‘ଏ ଏଁ ଜନାକରୀ–ପିଲାଟା ତ ବଞ୍ଚି ରହିଚି–ନଇଲେ ଅବା ଦେଖାଯାନ୍ତା–ଆରେ, ଯା, ଯା, ଚଉକିଆକୁ ଡାକ, ଥାନରେ ଖବର ଦଉ । ସଦେଇ ଅଛି କୋଉଠି ?’’

 

‘‘ସେ କ’ଣ କରିବ ? ଗାଁଯାକ ତ ହାଟ ହୋଇଗଲାଣି–ସେ କେମିତି ଗାଲୁଆ ଜାଣି ନ, ସହଜରେ କ’ଣ ମଙ୍ଗିବ ?’’

 

‘‘ଆରେ ସେ ଯୁଆଡ଼େ ଥାଉ, ଉଷୁନା ଧାନ ତୁ ବଳେ ଢେଙ୍କି ପାଖକୁ ଆସିବ । ତୁ ଆଗ ଚଉକିଆକୁ ଖବର ଦେ । ଦେଖୁଚୁରେ ବାପା ଛକଡ଼ି–ମରିବାକୁ ଦଣ୍ଡେ ହେଲେ ତର ମିଳୁନାଇଁ–ଯା ବାପ, ଦୋକାନ ବନ୍ଦ କରି ଘରେ ଖାଇ ଶୋଇବୁ । ଯାହା ଯେତେବେଳେ ହଉଥିବ ଟିକିଏ ପଚାରୁଥିବୁ, ବୁଝିଲୁ ?

 

‘‘ଏ କଥା ମତେ ଆଉ କହୁଚ କକେଇ ?’’

 

ଗାଁ ଗାଁକେ କଦଳୀ ବାଡ଼ି, ନଳିତା କିଆରୀ, କିଆମୂଳ, ପୋଖରୀକୂଳ- କେତେ ଥାନରେ କୁଆଁ କୁଆଁ ଶବଦ ଶୁଭେ; ମଣିଷ ପିଲା କେଡ଼େ ନାରଖାର ହୋଇପଡ଼େ ! ସେଥିପାଇଁ କିଏ କ’ଣ କରେ ? ହରି ମିଶ୍ରଙ୍କ ସମ୍ପତ୍ତି ବଢ଼େ; ସଦେଇ ବିଚରା ଉଛନ ହୁଏ–କୁଆଁ କୁଆଁ ଶବଦ ଶୁଣି ବରଜୁ ପଧାନ ଆଖିରେ ଲୁହ ଭରି ଆସେ–

 

ଯାହାକୁ ରଖିବେ ଅନନ୍ତ

କିସ କରିବ ବଳବନ୍ତ ?

Image

 

ପରିଚ୍ଛେଦ ଆଠ

 

ହାରାବୋଉ ଦିଅଁ ଦେବତା କେତେ କ’ଣ ଯାଚିଲା–‘‘ମା ମଙ୍ଗଳା, ଭଲରେ ଭଲରେ ଫେରିଆସୁ, ତୋଠେଇଁ ମାଜଣା କରିବି । ପ୍ରଭୁ କପାଳଶୋରେ, ଲକ୍ଷେ ଗଇଶ ଚଢ଼େଇବି- ଯେତିତି ଭଲରେ ଭଲରେ ଘରକୁ ଫେରିଆସୁ ।’’ ବରଜୁ ପାଞ୍ଚ ଦିନକାଳ କେଉଁଠି ରହିଲା, କେହି ଜାଣିଲେ ନାହିଁ । ଶରଦୀବୋଉ ଯେଉଁଦିନ କାଟପାଣି କରିବାକୁ ପଇସା ନେଇଗଲା, ସେହିଦିନ ସଞ୍ଜବେଳେ ମୋତି ଦାଣ୍ଡଦୁଆରୁ ଦଉଡ଼ି ଆସି ଡାକ ପକେଇଲା ‘‘ବୋଉ ଲୋ, ବାପା ଆଇଲାଣି ।’’ ହାରାବୋଉ ଦୁଆର ମୁହଁରେ ବସି ସଞ୍ଜବଳିତା ବଳୁଥିଲା, ତା’ ମନ କ’ଣ ହେଲା ସେଇ ଜାଣେ ।

 

ବରଜୁ ଆସି ଯେତେବେଳେ ଦୁଆର ମଝିରେ ଠିଆହେଲା, ସୁନା ଗୋଡ଼ ଧୋଇବାକୁ ପାଣିଢାଳେ ତା’ପାଖରେ ଥୋଇଦେଲା । ହାରାବୋଉ ବଳିତାବଳାରୁ ମୁହଁ ଟେକି ସ୍ୱାମୀ ଆଡ଼କୁ ଚାହିଁ ଦେଇ ଦେଖିଲା ତା’ ମୁହଁଟା ଶୁଖିଯାଇଚି, ପେଟ କୁଆଡ଼େ ଲାଗିଯାଇଚି, ତା’ ମୁଣ୍ଡରେ ବାଳ କେରାକ ଫର ଫର ହୋଇ ଉଡ଼ୁଚି । ସେ ବଳିତାବଳାରୁ ଧଡ଼୍‍ କରି ଉଠିଯାଇ ଘର ଭିତରେ ପଶିଗଲା । ହାରାବୋଉ ଆଖିରୁ ଝର ଝର ଲୁହ ଗଡ଼ିପଡ଼ିଲା, ପିଲାଙ୍କ ପରି ସେ କାନ୍ଦି ଉଠିଲା ।

 

ବରଜୁ ଫେରି ଆସିଲା, ମନରେ ହରଷ ନାହିଁ–ମୁହଁଟା ଆଗ ପରି ଫଣ ଫଣ କରି ରଖିଚି–ଖିଆପିଆ, ଲଗେଇବା ପଗେଇବା କିଛି ଠିକ୍‌ ନାହିଁ । ହାରାବୋଉ ଯେତେ ଯାହା ପଚାରେ, ସବୁଥିରେ ହୁଁ ହଁଟାଏ ମାରିଦେଇ ତୁନି ରହେ–କେଉଁ କଥାରେ ହରଷ ନାହିଁ ।

 

ନେତ୍ରମଣି ମୁଣ୍ଡରୁ ଲୁଗା ଖସେଇ ପକେଇ ପାନଖିଆ ନାଲି ଓଠରେ ହସି ହସି ଛକଡ଼ିକୁ କହେ, ‘‘ଦେଖୁଛଟିକି ନବରଙ୍ଗ ?–କେତେ ରଙ୍ଗ, କେତ ପରକାର ହେବେ ସେ, ଆମକୁ ଖାଲି ଦେଖାଇବାକୁ ଏସବୁ ସିନା !’’ ଛକଡ଼ି ନେତ୍ରମଣିର ରୂପ ଦେଖି ଖୁସିହୁଏ–‘‘ହଁ ମ, ଦେଖେଇବାକୁ ନୁହେଁ ତ ଆଉ କ’ଣ ?’’ ନେତ୍ରମଣି କହେ, ‘‘ତମେ ଅସଲ ମରମ ବୁଝି ନା କି ସୁନା ମୋତିଙ୍କର ବାହାଘର ପରା ଆସୁଚି–ତମେ କ’ଣ କମ୍‌ କି ? କେତେ ନାଚିବ କେତେ ଭଲେଇ ହବ । ଆଗରୁ କହିଦଉଚି–ମୁଁ ସେ ବାହାଘରକୁ ରହିବି ନାହିଁ–ମତେ ଏକା ଆମ ଘରେ ନେଇ ଛାଡ଼ିଦେଇ ଆସିବ, ହଁ !’’

 

ଛକଡ଼ି ବିଚରାର ବୁଦ୍ଧି ହଜିଲା- ଫେର୍‌ ଯିବ ବାପ ଘରକୁ ଛ ମାସ କି ବରଷେ–ମା’ କହିବ, ଝିଅ ମୋର କେଡ଼େ ଉଜୁଡ଼ା, କେଡ଼େ ନାରଖାର ହେଇଚି, ଆଉ ଦି’ମାସ ନ ଗଲେ ପଠେଇବି ନାହିଁ । ବାପ କହିବ, ଆସିବା ସାଙ୍ଗେ ସାଙ୍ଗେ ଏଡ଼େ ତଡ଼ବଡ଼ି କାଇଁକି, କ’ଣ ଗୁଡ଼ଘର ପିମ୍ପୁଡ଼ି ଖାଇଯାଉଚି ? ଛକଡ଼ି କହେ, ‘‘ଆଲୋ ସେମିତି କାଇଁକି ହଉଚୁ–ସୁନା ମୋତିଙ୍କ ବାହାଘରକୁ ଆସେ ସିନା ଏକାଠି ଥିଲେ ହୁଏ !’’

 

ହାରାବୋଉର ଟାଣ ଭାଙ୍ଗିଗଲାଣି । ଗାଁଯାକ ହାଟ ହେଲାଣି–ହାରାବୋଉ ସାଙ୍ଗରେ ପଡ଼ିଲା ନାହିଁ ବୋଲି ବରଜୁ ଘର ଛାଡ଼ି ପଳେଇଲା । ସାନ ଯା’ ଦିଅର ତ ଏ ନାଟ ଦେଖି ହସୁଚନ୍ତି–ହେଉ, ତା’ କର୍ମରେ ଯାହା ଅଛି । ହାରାବୋଉକୁ ଲାଜ ମାଡ଼ୁଚି ସାଇପଡ଼ିଶାଙ୍କ ଆଗରେ ମୁହଁ ଦେଖାଇବାକୁ । ଯେ ଦେଖିଲା, ସେ ମୁରୁକି ହସି ଉଖାରି ଉଖାରି ପଚାରିଲା, ‘‘କିଲୋ ହାରାବୋଉ ! କ’ଣ ଏମିତି କଜିଆ ଯେ ବରଜୁଆ ଘରଛାଡ଼ି ପଳେଇଲା ମ !’’

 

ଯାହା ତ ହେଲାଣି ହେଲାଣି, ହାରାବୋଉ ଆଉ କେଉଁ କଥାକୁ ଖାତିର କରୁଛି ? ଖାଲି ଏହି ମଣିଷୁଟା ଟିକିଏ ମନ ଖୋଲି ଖୁସିରେ ଖିଆପିଆ ଚଲାବୁଲା କରନ୍ତା କି ! ଶରଦୀ ବୋଉ ରାଣ୍ଡୀ ଆଉ କ’ଣ କଲା ? ପଇସାକୁ ପଇସା ନେଲା, ଫଳ ତ କିଛି ଦେଖାଗଲା ନାହିଁ ।

 

ହାରାବୋଉ କେତେକଥା ବରୁଜୁକୁ ପଚାରିଲା, ହାରାର ଶଶୂର ଘର କଥା, ସୁନାମୋତିଙ୍କର ବାହାଘର କଥା । କେଉଁ କଥାରେ ବରଜୁ ମନ ଖୋଲି ଉତ୍ତର ପଦେ ଦେଉନାହିଁ ।

 

ହାରାବୋଉ କହିଲା, ‘‘ତମେ ତ ସବୁବେଳେ ଏମିତି ଉଦାସିଆ ହେଇ କଥା କହୁଚ–ସୁନା ମୋତିଙ୍କ ପାଇଁ ମୁଁ କ’ଣ ବରଘର ଖୋଜିଯିବି ?’’

 

‘‘ମୁଁ କ’ଣ ତୁମକୁ ସେ କଥା କହିଲି ?’’

 

‘‘ଆଉ ଝିଅ ଦି’ଟା କ’ଣ ବାଡ଼ୁଅ ହୋଇ ବସିରହିବେ ? ଭାଇ ଭଗାରିଆ ଘର, କାଲି ସକାଳେ ତ ଛକଡ଼ି ଭିନେ ହବ–କେତେ ପାଞ୍ଚ ଚାଲିଲାଣି ।’’

 

ବରଜୁ ଧୀରେ ଧୀରେ କହିଲା, ‘‘ହାରାବୋଉ, କିଏ କ’ଣ ପାଞ୍ଚ କରୁଚି, ସେ କଥା ତ ମୁଁ ତମଠଉଁ ଶୁଣିବାକୁ ପଚାରୁ ନାଇଁ ।’’

 

ହାରାବୋଉର ମୁହଁ ଟିକିଏ ହୋଇଗଲା । ତୁନି ହେଲେ ତ ବରଜୁ କିଛି କଥା ଆରମ୍ଭ କରିବ ନାହିଁ; ସେ ପୁଣି କହିଲା, ‘‘ତମେ କୋଉ ଟାଣ ମୋର ରଖିଚ ଯେ ଆଉରି ରାଗୁଚ–ଉପାସଭୋକରେ ପୁଣି ପାଞ୍ଚଦିନ ଯାଇ କୋଉଠି ପଡ଼ି ରହିବ–କୋଉ କଥା ତମର ମୁଁ ନ ଶୁଣିଲି, କୋଉ କଥା ନ କଲି ଯେ...’’ ହାରାବୋଉର ଆଖିପତା ଓଦା ହୋଇ ଆସିଲା ।

 

ବରଜୁ କହିଲା, ‘‘ମୋ କଥା ଶୁଣିବାକୁ କି କରିବାକୁ ମୁଁ ତ କହୁନାଇଁ । ତୁମେ ନିଜେ କାହିଁକି ବୁଝ ନା, ନିଜେ କ’ଣ କଲେ ଘର ଭଲରେ ଚଳିବ, ସେକଥାକୁ ବିଚାରୁ ନା ?’’

 

‘‘ଆମେ ମାଇପି ଜାତି, ଆମେ କ’ଣ ବୁଝିବୁଁ ମ–ତମେ କହିଲ, କ’ଣ କଲେ ଭଲ ହବ-?’’

 

ବରଜୁ ହେଖିଲା, ହାରାବୋଉ ଟିକିଏ ବଦଳିଚି । ଏତିକିବେଳେ ସେ ବାଗକୁ ଆସିପାରେ, କହିଲା, ‘‘ଭଲ କଥା, ତେବେ ଗୋଟିଏ କଥା ଖାଲି କଲ–ତମଆଡ଼ୁ ତ ତମେ କିଛି ସାନବୋହୂକୁ ଖୁଣ୍ଟା ଦେବ ନାଇଁ–ସେ ଯେବେ ତା’ ଆଡ଼ୁ କେତେବେଳେ ତମକୁ ବକେ, କି ମତେ ବକେ, ଅବା ପିଲାଙ୍କୁ ବକେ, କାହିଁରେ ତମେ ପାଟି ଫିଟାଇବ ନାଇଁ । କେତେ ଓଷା ବରତ କରି ଦିନେ ଦିନେ ଉପାସ ରହିଯାଉଚ–ଏତିକି କଥା ଖାଲି ପାଳିଲ ଭଲା, ଓଷା ବରତ ପରି ମନେକରି । କ’ଣ, ଏ କଥା ହବ ତ ?’’

 

‘‘ହଁ, କାଇଁକି ନ ହବ ?’’ ହାରାବୋଉ କଥାରେ ସେତେ ଜୋର ଥିଲା ପରି ବରଜୁର ମନେହେଲା ନାହିଁ । ଦୁଇଦିନ ପରେ ସାନବୋହୂ ସାଙ୍ଗରେ କଳି ଲଗେଇ ସାରି ହାରାବୋଉ ଜିଭକାମୁଡ଼ି ବସିଲା । ବରଜୁ ଏତେ କହିଥିଲା, ସବୁ ସେ ରାଗମୁହାଁରେ ଭୁଲିଗଲା । ବରଜୁ କହିଲା, ‘‘ଭଲ ବରତ ପାଳିଲ ତ ?’’ ହାରାବୋଉ ନାକ ଫୁଲାଇ କହିଲା, ‘‘ଯା ହୋ, ନିଆଁଲଗା ମନେ ତ କିଛି ରହିଲା ନାଇଁ ।’’

 

‘‘ଆଚ୍ଛା ହଉ, ଏଥର ମନେରହିଲା ନାଇଁ, ଆଉ ଥରକୁ ପୁଣି ସେଇ କଥା ହେଲେ, ତେଣିକି ମୋ ଇଚ୍ଛା ଯାହା, ମୁଁ ତା’ କରିବି ।’’

 

ହାରାବୋଉ ଡରିଗଲା, ଆଉ କ’ଣ କରିବ କେଜାଣି ! ତେବେ ସାନବୋହୂଟା ଟିକିକ କଥାରେ ତା’ ଆଗୁଟାରେ କେତେ ଅନା କରି ତା’ପିଲାଙ୍କୁ କାଢ଼ୁଥିବ, ସେ ତୁନି ହୋଇ ବସି କେମିତି ସେ କଥା ଶୁଣିବ–ଅଭିଆଣ କଥା ଏ !

 

ବରଜୁ ଦେଖିଲା, ଖାଲି ଘର ଛାଡ଼ି ପଳାଇଲେ ହାରାବୋଉ ବଦଳିବ ନାହିଁ । ଘରେ ରହି ସବୁ ଉପାୟ କରିବାକୁ ହେବ । ଏଣିକି ଯଦି ହାରାବୋଉ ବ୍ରତ ଭାଙ୍ଗେ, ତେବେ ବରଜୁ ବ୍ରତ ପାଳିବ । ଘର ଭିତରେ ସେ କଥା ବନ୍ଦ କରିଦେବ–ହାରାବୋଉକୁ ନୁହେଁ, କି ପିଲାଙ୍କୁ ନୁହେଁ, କାହାରିକି କଥା କହିବ ନାହିଁ । କାହିଁକି ନା, ଏକା ହାରାବୋଉକୁ କଥା ନ କହିଲେ ସେ ପିଲାଙ୍କ ହାତରେ କଥାବାର୍ତ୍ତା କରେଇ ସବୁ କାମ ଚଳେଇନେବ ।

 

ଆଠ ଦଶ ଦିନ ବିତିଗଲା, ନେତ୍ରମଣି ଯେତେ ଯାହା କହିଲା, ହାରାବୋଉ କାହିଁରେ ମୁହଁ ଫିଟାଇଲା ନାହିଁ–ହେଲେ ତା’ ମନଟା ରବେଇ ଖବେଇ ହେଉଥାଏ । ସାନବୋହୂ ‘‘ପୋଡ଼ିଯିବାକୁ, ଜଳିଯିବାକୁ, ନିଆଁ ଲାଗିଯିବାକୁ, ରାଣ୍ଡ ଆଣ୍ଠୁକୁଡ଼ାଏ, ପୁତୁମୁଣ୍ଡଖାଇଏ, ଝିଅରାଣ୍ଡକାରୀଏ’’ ଗର୍ଜନ କରି କରି ଯୁଦ୍ଧ ମାଗେ, ଶେଷରେ ତୁନି ହୁଏ । ହାରାବୋଉ ପୁଣି ଏ କଥା ସହନ୍ତା ? ବରଜୁ ଘରେ ନ ଥିଲେ ମଝିରେ ମଝିରେ ପଦେ ଅଧେ କହିଦେଇ ତୁନି ହୋଇଯାଏ । କାରଣ ତା’ଆଡ଼ୁ ପଦେ ଶୁଣିଲେ, ସାନବୋହୂର ସ୍ୱର ଏକାବେଳେ ଯାଇ ପଞ୍ଚମରେ ଉଠେ । କାଳେ ବରଜୁ ହାଠାତ୍ ଫେରିଆସିବ–ତା’ କାନକୁ ଯିବ ! ନ ହେଲେ ଘର ଭିତରେ କି ଦାଣ୍ଡଦୁଆରେ ବରଜୁ ଥିଲେ ହାରାବୋଉର ମୁହଁ ବନ୍ଦ ।

 

ସେ ଦିନ କାହିଁକି ବରଜୁ ସହଳ ସହଳ ହଳ ଘେନି ଘରକୁ ଫେରିଲା । ଦାଣ୍ଡଦୁଆରେ ହଳ ଫିଟାଉଚି, ଘର ଭିତରୁ ପାଟି ଶୁଣାଗଲା । ନିଆଁରେ କୁଟା ପକାଇଲା ପରି ହାରାବୋଉ ମଝିରେ ମଝିରେ କ’ଣ ପଦେ ଅଧେ କହିଦେଉଚି, ଆଉ ସାନ ଯା ସେଥିରେ ଦାଉ ଦାଉ ହୋଇ ଜଳିଉଠୁଚି । ବରଜୁକୁ ଘର ଭିତରେ ଦେଖି ହାରାବୋଉ ହାତେ ଜିଭ କାମୁଡ଼ି ଦେଇ ଚୁପ୍‌ ହୋଇଗଲା । ବରଜୁର ମୁହଁକୁ ଚାହିଁ ତା’ଦିହ ଗୋଟାକ କାଠ ହୋଇଗଲାଣି । ସାନବୋହୂ ଲାଜ ସରମ ସବୁ ଛାଡ଼ିଚି, ଦେଢ଼ଶୁରକୁ ଦେଖି ତା’ ସ୍ୱର ଟିକିଏ କମିଗଲା ସିନା, ବନ୍ଦ ହେଲା ନାହିଁ ।

 

ବରଜୁର ମନେହେଲା, ତା’ ଜୀବନ ପାପୀ ଜୀବନ–ତା’ରି ଯୋଗୁଁ ଘରଟା ଛାରଖାର ହେବାକୁ ବସିଲାଣି–ମାନ ଗଲା, ଇଜ୍ଜତ ଗଲା–ସୁନା ଘରଟା ଚୂନା ହେଲାଣି । ଆଉ କ’ଣ ଶେଷକୁ ସବୁ ସତ୍ୟାନାଶ ଯିବ–ଘରମଝିରେ ପାଚେରି ଦିଆହୋଇ ଭିନେ ହେବେ ? ସେଥିରେ ହେଲେ କ’ଣ କଳି ବନ୍ଦ ହେବ ? କାହା ହିଂସାରେ କିଏ ଗାତ ଖୋଳିଲା, ପାଉଁଶ ପକେଇଲା, କାହା ବିଲେଇ କାହା ଘରକୁ ଯିବ, ସବୁ କଥା ଭିତରେ ତ କଳିମଞ୍ଜି ପଶିଚି । ଆଉ କ’ଣ ଗୋଟାଏ ଭାଇ ଅଲଗା ହୋଇ ଆଉଠାକୁ ଉଠିଯିବ ? ମଣିଷ ନିଜ ଭିତରର ସଇତାନକୁ ଡରି ଯେବେ ଏତେ କଥା କରିବ, ତେବେ ଆଉ ସାଇ-ପଡ଼ିଶା ଗାଁଗଣ୍ଡା ଦେଖି ସେ ରହିବ କାହିଁକି ? ଜଙ୍ଗଲରେ ଏକୁଟିଆ ହୋଇ ରହିବା ତା’ର ଠିକ୍‌ ନୁହେଁ କି ?

 

ବରଜୁ ଯାହା ଠିକ୍ କରିଥିଲା, ତାହାହିଁ କଲା । ଘରଭିତରେ ଏକାବେଳକେ କଥା ବନ୍ଦ କରିଦେଲା । ସ୍ତ୍ରୀ କଥା ପଚାରିଲେ, କି ପିଲାଏ କିଛି କହିଲେ, କାହାରି ଆଡ଼କୁ ଚାହେଁ ନାହିଁ–ଖାଲି ତ ମୂକ ନୁହେଁ; ମୂକପାଗଳ ! ହାରାବୋଉ ଏ କଥା ଦେଖି ତାଜିବ ହୋଇ ଗଲାଣି । ଫେର୍‌ କି କଥା ! ମଣିଷୁଟା କଥା ନ କହି ରହିବ କି ଜାତିକା ମ ! ବରଜୁର ରୀତିଗତି ଦେଖି ସେ ହସିବ ନା କାନ୍ଦିବ !

 

ଦିନ ପରେ ଦିନ ବିତିଗଲା–ବରଜୁ କଥା କହିଲା ନାହିଁ । କେତେବେଳେ କେମିତି ଜଳ ଜଳ କରି ଚାହେଁ । ଆଇଁଷ ନ ହେଲେ ଆଗେ ତାକୁ ଗୁଣ୍ଡାଏ ହେଲେ ଭାତ ରୁଚୁ ନ ଥିଲା । କୁଆଡ଼ୁ ହେଲେ କେରାଣ୍ଡି ଦି’ଟା, ପିତାଶୁଖୁଆ ଯୋଡ଼ାଏ ପତରପୋଡ଼ା ହେବ । ଏଇକ୍ଷଣି ଆଉ ମାଛ ମାଉଁସ ପାଶେ ପଶୁନାହିଁ । ବରଜୁ ବ୍ରତ ପାଳିଚି–କାର୍ଯ୍ୟସିଦ୍ଧି ନ ହେବା ଯାଏ ତାକୁ ଭାଙ୍ଗିବ କିମିତି ? ତେଲ ନ ଲଗାଇ ମୁଣ୍ଡବାଳ ଫର ଫର ଉଡ଼ିଲା, ଦିହ ଗୋଟାକ ନୁଖୁରା ଦିଶିଲା । ରାତିରେ ହାରାବୋଉ ଯେତେବେଳେ ସବୁଦିନ ପରି ଗୋଡ଼ରେ ତେଲ ଟିକିଏ ମାଲିସ୍ କରିଦେବାକୁ ବସେ, ବରଜୁ କିଛି ନ କହି ଉଠିଯାଏ । ଆଗେ ଆଗେ ବରଜୁ ଯେତେବେଳେ କଥା ବନ୍ଦ କଲା, ସେତେବେଳେ ହାରାବୋଉ ଅପସନ୍ଦ କଲା, ହସିଲା–ଏବେ ତାକୁ ସବୁବେଳେ କାନ୍ଦ ମାଡ଼ୁଚି । ସେ ଦିନ ଚିତୋଉ ଉଆଁସ । ବରଜୁ ଚିତୋଉ ପିଠାକୁ ଭାରି ସୁଖ ପାଏ । ସେଥିପାଇଁ ହାରାବୋଉ ବେଶି ବେଶି ନଡ଼ିଆ ବାଟି କଅଁଳ କଅଁଳ କରି ପିଠା କରିଛି । ସ୍ୱାମୀକୁ ଆଜି ମନବୋଧ କରି ଖୁଆଇବ ବୋଲି ଇଚ୍ଛା ।

 

ବରଜୁ ଝୋଟ କେରାଏ ଧରି ଦୁଆର ମୁହଁରେ ବାଣି କାଟୁଛି, ବେରୂହାଁ ରଖିଛି ମୁନ୍ଦୁରା ଖଣ୍ଡେ ବୁଣିବ ବୋଲି । ପିଲା ଦିଓଟି ପାଖରେ ବସିଛନ୍ତି, ହାରାବୋଉ ଆସି ସେଇଠି ଓଳେଇ ଦେଇ ଥାଳିଏ ଚିତୋଉ ପିଠା ଥୋଇ ଦେଇଗଲା । ପଛରେ ଅଧକଂସାଏ ଦୁଧ, ମେଞ୍ଚାଏ ସନ୍ତୁଳା, ପୁଳାଏ ଗୁଡ଼ ଧରି ନସର ପସର ହୋଇ ଧାଇଁଛି, ବରଜୁ ଅଧଖଣ୍ଡେ ଚିତୋଉପିଠା ମୁହଁକୁ ନେଇଛି କି ନାହିଁ, ଉଠି ପଡ଼ିଲା ।

ହାରାବୋଉ ସମ୍ଭାଳି ପାରିଲା ନାହିଁ–ଏକାବେଳେ ଭୋ ଭୋ ଡକା ପାରି ହାତ ଧରି ପକେଇଲା–‘‘କାହିଁକି ଏତେ ସରି କରୁଚ ଭଲା, ପିଠା ଖଣ୍ଡ ଖାଇଦିଅ, ଯାହା କହିବ ତାହା କରିବି । ଯୋଉ ହଲପ ଦବ, କରିବି ।’’ ବରଜୁ କଥା ବନ୍ଦ କରିବା ଦିନୁଁ ବଡ଼ବୋହୂ ବି ସାନବୋହୂକୁ ପାଟି ଫିଟାଏ ନାହିଁ । ହେଲେ, ସେଇତକରେ ତ ସବୁ ହୋଇଗଲାନି, ଆଉ ତ ପୁଣି କେତେକଥା ଅଛି–ଅସଲ ହେଉଛି ମନ–ମନ ନ ମିଳିଲେ ଯେତେ ଯାହା କଲେ ବି କିଛି କୁଆଡ଼ୁ ହେବ ନାହିଁ ।

ବରଜୁ କଥା କହିଲା । ହାରାବୋଉକୁ କୋଟିନିଧି ମିଳିଲା ଅବା ! ବରଜୁ କହିଲା, ‘‘କହିବି ? ଯାହା କହିବି ତାହା କରିବ ?’’

‘‘ହଁ ନିଶ୍ଚେ, ନିଶ୍ଚେ, ନିଶ୍ଚେ–ଯାହା କହିବ !’’

‘‘କାଇଁକି, ତମେ ନିଜେ ବୁଝନା–ନିଜେ ଯେମିତି ଭଲ ହେବ, ସେ କଥା କରୁନା ?’’

 

‘‘ନାଇଁ ନାଇଁ–ମୁଁ କିଛି ବୁଝେ ନାଇଁ, କିଛି ଜାଣେ ନାଇଁ–ତମେ ଯାହା କହିବ, ସେଇତା କରିବି ।’’

 

‘‘ସେଇତା କରିବ ?’’

‘‘ହଁ, ସେଇତା କରିବି ।’’ ହାରାବୋଉର ଦି’ ଆଖିରୁ ଲୁହ ଝର ଝର ଗଡ଼ି ପଡ଼ୁଚି ।

 

ଛକଡ଼ି ଆଉ ନେତ୍ରମଣି ଏଥି ଭିତରେ ଥରେ ଦୁଇ ଥର ଆର ଘର ଦୁଆରମୁହଁରୁ ଚାହିଁ ଦେଇ ଏ ତାମସା ଦେଖିଗଲେଣି । ବରଜୁ ଭୂତଟା ପରି ମୁଣ୍ଡ ଫର ଫର କରି ଠିଆହୋଇଛି, ଆଉ ତା’ର ସେହି ଗରବିଣୀ ସ୍ତ୍ରୀ–କାହିଁରେ ବଙ୍କା ହେବାର ନୁହେଁ–ସେହି ହାରାବୋଉ ତା’ର ହାତ ଦି’ଟା ଧରି ତଳକୁ ମୁଣ୍ଡ ନୁଆଇଁ ଠିଆହୋଇଛି । ଛକଡ଼ି, ନେତ୍ରମଣି ଏ ସୁଆଙ୍ଗ ଦେଖି ଘର ଭିତରକୁ ପଶିଯାଇ ମୁହଁରେ ପୁଳାଏ ପୁଳାଏ ଲୁଗା ଗୁଞ୍ଜି ହସି ଲାଗିଛନ୍ତି ।

 

ବରଜୁ ସେମିତି ଅଟଳ ମହାମେରୁ ପରି ଠିଆହୋଇ କହିଲା, ‘‘ଆଚ୍ଛା ତେବେ କହ, ତମ ଆଡ଼ୁ ତମେ କେବେହେଲେ ସାନବୋହୂ ସାଥିରେ ବାଦ କରିବ ନାଇଁ, କଳି ଳଗେଇବ ନାଇଁ-?’’

 

ହାରାବୋଉ ଦି’ ଆଖିରୁ ଲୁହ ବହି ବରଜୁର ପାଦ ଦି’ଟା ଓଦା ହୋଇଯାଇଥିଲା । ସେ ପିଲାଙ୍କ ପରି କଇଁ କଇଁ କହିଲା, ‘‘ନା, କେବେ ହେଲେ ସାନବୋହୂ ସାଥିରେ ବାଦ କରିବି ନାଇଁ, କଳି ଲଗେଇବି ନାଇଁ ।’’

 

‘‘ସେ ଯେତେ ଯାହା କହିଲେ ଚୁପ୍‌ ହେଇ ରହିବ ?’’

‘‘ହଁ, ସେ ଯେତେ କହିଲେ ଚୁପ୍‌ ହେଇ ରହିବି ।’’

 

‘‘ଆଚ୍ଛା, ଏବେ ଘର ଭିତରକୁ ଚାଲ, ଆଉ ଯାହା କହିବି, କରିବ ।’’ ସ୍ତ୍ରୀର ଲୁହଯାକ ବରଜୁର ପାଦ ଉପରେ ଜମା ହେଉଥାଏ । ତା’ର କଠିଣ ପାଦକୁ ତାହା ଉଷୁମ ଲାଗୁଥାଏ କି ନାହିଁ ସେହି ଜାଣେ ।

 

ହାରାବୋଉ ଦେଖିଲା, ସେ ତ ଭଗାରିହସା ହେଲାଣି- ଭଗାରିହସା କାହା ପାଖରେ, ନା ବରଜୁ ପାଖରେ–ମାରା ହେଲା କ’ଣ ? ସେ କେଳା ହେଲେ ତ ଏ କେଳୁଣୀ ! ବାହାରେ ତା’ର ଯେ ଗୋଟାଏ ଘୋଡ଼ଣୀ ଥିଲା, ଲାଜ ଅଭିମାନ ଥିଲା, ସେଇଟା ତ ଚାଲିଗଲାଣି–ଆଉ ଏଣିକି ଡର କାହାକୁ ? ଏଇ ସାନବୋହୂ, ଛକଡ଼ିଙ୍କୁ, ନା ସାଇ ପଡ଼ିଶାଙ୍କୁ ? ସେ ବରଜୁର ହାତ ଛାଡ଼ିଲା ନାଇଁ–ଜିଗର କରି କହିଲା, ‘‘ନା, ତମେ କ’ଣ କହୁଚ ଏଇଠାରେ କହ ।’’

 

ବରଜୁ ଲୋକଟାର ଲାଜ ସରମ କିଛି ନାହିଁ । ତେବେ ଏହି ମୂର୍ଖ ମାଇପିଟାକୁ ସେ ଯେ କେତେ ଦଗା ଦେଲାଣି, କେତେ ଦୁଃଖ ଦେଲାଣି ! ସେ ତ ପୁଣି ତାର ଘରଣୀ, ତା’ ପିଲାଝିଲାଙ୍କର ଗର୍ଭଧାରିଣୀ- ମା’ ! ସେହି ନାରୀ ତ ପୁଣି ଳକ୍ଷ୍ମୀ, ଶକ୍ତି, ଦେବୀ, ଦୁର୍ଗା ହୋଇ ପୂଜା ପାଉଛି । ବରଜୁ ତାକୁ ଏଡ଼େ ହୀନ କରି ଦେଖିବ କେମିତି ! ୟା ଦେଖି ମନେ ମନେ ଭାରି ଖୁସି ହେଲା ।

 

ସେହିପରି ଠିଆହୋଇ ସେ କହିଲା, ‘‘ହଉ ତେବେ କହ, ଘରେ ରୋଜ ଯାହା ରନ୍ଧା ହବ, ଦୁଧ ଘିଅ ଯାହା କିଛି ଖାଇବା ପାଇଁ ସାରିବାପାଇଁ ଥିବ, ଛକଡ଼ି ପାଇଁ, ସାନବୋହୂ ପାଇଁ ସବୁ ଜିନିଷ ଆଗ ସାଇତି କରି ରଖିବ, ତାଙ୍କ ଖାଇବା କଥା ଆଗ ବୁଝିବ–ତା’ପରେ ପିଲାଙ୍କ ଖାଇବା କଥା, ସବା ଶେଷରେ ତମର ଆଉ ମୋର ।’’

 

ହାରାବୋଉ ଆଖି ବୁଜିଦେଇ ଶୁଆ ପରି ସବୁ କଥା ଆଉ କହିଗଲା–ପିଲାଙ୍କ ଖାଇବା କଥା ସବା ଶେଷରେ ! ‘‘ହେଲା, ପିଲାଏ କ’ଣ ଏକା ମୋରି ? ୟାକୁ ଯେବେ ଏକଥା ଭଲ ଲାଗିଲା ତେବେ ହେଲା !’’ ହାରାବୋଉ ଦେହକୁ ପଥର କରିଦେଲା ।

 

ବରଜୁ ଅଳ୍ପ ଟିକିଏ ହସି ଦେଇ କହିଲା, ‘‘କ’ଣ, ମୋ ହାତ ଧରି ସବୁ କଥା ମଙ୍ଗିଚ–ନ କରିବ ଯେବେ ତେଣିକି ଜାଣିବି, ମୋ ଉପରେ ତମର ଆଶ ନାଇଁ ।’’

 

ହାରାବୋଉ ଲାଜରେ ସଢ଼ିଯାଇ ହାତଟାକୁ ଛାଡ଼ିଦେଲା–ସତେ ଲୋ, କେତେବେଳୁଁ ହାତଟାକୁ ଧରି ଛିଡ଼ା ହେଇଚି !

 

ବରଜୁ ଆସି ଚିତୋଉପିଠା ଥାଳି ପାଖରେ ବସିଲା । ପିଲାଙ୍କ ସାଥିରେ ଖୁସିରେ କଥାବାର୍ତ୍ତା କଲା । ହାରାବୋଉର ସବୁ ଗର୍ବ ଆଣ୍ଟ ଭାଙ୍ଗିଯାଇଛି; କିନ୍ତୁ ବରଜୁ ମୁହଁରୁ ଯେତେବେଳେ ସେ ଶୁଣିଲା, ସନ୍ତୁଳା ଟିକିଏ ଆଣ, ଲଙ୍କା ଗୋଟିଏ ଆଣ–ସେତେବେଳେ ଘରଗୋଟାକଯାକ ତାକୁ ପାହୁଣ୍ଡେ ପରି ଲାଗିଲା ନାହିଁ । ଛାତିରୁ ତା’ର ଯେମିତି ଗୋଟାଏ ପାହାଡ଼ କିଏ ଉଠେଇ ନେଲା–ଏମିତି ଉଶ୍ୱାସ ତାକୁ ଲାଗିଲା । ପଥର ଅହଲ୍ୟା ମଣିଷରୂପ ପାଇଲା–ଘର ବାହାର କେଡ଼େ ସହଜ ଲାଗିଲା !

 

ବରଜୁ ଥାଳି ପାଖରେ ବସି କହିଲା, ‘‘ଛକଡ଼ିକୁ ଡାକ ।’’ ହାରାବୋଉ ମନ୍ତ୍ରରେ ଚଳିଲା ପରି ଯାଇ ଛକଡ଼ିକୁ ଡାକିଲା । ସେଇ ଛକଡ଼ି ମାରିବାକୁ ତିନି ଥର ମିଶିଚି, ହାରାବୋଉର ସେ କଥା ମନେ ନାହିଁ ।

 

ଛକଡ଼ି ଦୋକାନରେ ସଉଦା ଦେଇ ଆସି ଖାଇବ ବୋଲି କହି ଘରୁ ବାହାରିଗଲା । ହାରାବୋଉର ମନ ଖୁସିରେ ଉଚ୍ଛନ୍ନ–ସବୁ ମଣିଷ ତାକୁ ଭଲ ଲାଗୁଛନ୍ତି–ସମସ୍ତଙ୍କ ସାଥିରେ କଥା କହିବାକୁ ତା’ ମନ ଡେଉଁଛି । ଛକଡ଼ି ଚାଲିଯିବା ପରେ ବଡ଼ଯା’କୁ କେହି କିଛି କହି ନାହିଁ । ସେ ଯାଇ ସାନବୋହୂର ହାତ ଧରିପକେଇ କହିଲା, ‘‘ସାନବୋହୂ, ଆ ମ, ପିଠା ଦି’ଖଣ୍ଡ ଖାଇବା, ଛକଡ଼ି ତ କୁଆଡ଼େ ଗଲେଣି–କେତେବେଳକୁ ଫେରୁଚନ୍ତି କିଏ ଜାଣେ !’’

 

ସାନ ଯା ଦେଖିଲା, ବଡ଼ଯା ଘଇତାସୁଆଗୀ ହୋଇସାରି ତା’ ଆଗରେ ଆଜି ଭଲେଇ ହେବାକୁ ଆସିଚି । ସେ ମୁହଁ ଛିଞ୍ଚାଡ଼ି ଦେଇ କହିଲା, ‘‘ନାଇଁ ମ–ମୋର ଉଛୁଣି ଦିନ ଦି’ପହରେ କିଏ ଖାଉଚି, ତୁମେ ଆଗେ ଖାଇସାର ।’’ ହାରାବୋଉ ମୁରୁକି ହସି କହିଲା, ‘‘ସାନବୋହୂ, ପଛ କଥାଗୁଡ଼ାକ ପୋଛି ପକା ମ । ଯେତେହେଲେ ତ ମୁଁ ବଡ଼ ଯା–କେତେବେଳେ କ’ଣ କହି ପକେଇଥିବି, ସେହି କଥାଗୁଡ଼ାକ ଗଣ୍ଠିକରି ବସିଛୁ ?’’ ସାନବୋହୂ ଦିହରେ ଏକଥା ଛୁଞ୍ଚି ଗଳିଲାପରି କାଟୁଥାଏ–ଘଇତା ମାଇପଙ୍କ ଭିତରେ ଅପଡ଼ ହୋଇଥିଲା ଯେ ଗୋଟାକ ମୁହଁ ଇଆଡ଼ୁକୁ ହେଲା ଆରଟା ମୁହଁ ସିଆଡ଼କୁ–ଆଜି ଟିକିଏ ମିଳିଯାଇଚନ୍ତି ବୋଲି ମାଇପ ଆସି ଛୋପରା ହେଇଛି !

 

ସାନବୋହୂ ମୁହଁଟାକୁ ସେମିତି ଫୁଲାଇ ଦେଇ କହିଲା, ‘‘କାଇଁକି ମ ! ମତେ କାଇଁକି କିଏ କ’ଣ କହିବ, ମୁଁ କାହାକୁ କ’ଣ କହିବି ମ ?’’

 

ବଡ଼ ଯାକୁ ଆଉ କିଛି ପଇଟିଲା ନାହିଁ । ସେ ଫେରି ଯାଇ ବରଜୁକୁ ସବୁ କଥା କହିଲା-

 

ବରଜୁ ସବୁ ଶୁଣିସାରି ଜବାବ ଦେଲା, ‘‘ଆଚ୍ଛା, ସାନବୋହୂ ନ ଖାଇବା ଯାଏ ତୁମେ ବି ଖାଇବ ନାହିଁ !’’

 

ହାରାବୋଉ ବରଜୁର ମୁହଁକୁ ଚାହିଁ ଟିକିଏ ମୁରୁକି ହସିଲା, ବରଜୁ ବି ସ୍ତ୍ରୀକୁ ଚାହିଁ ଟିକିଏ ହସିଲା । ଦୁହେଁ ଆଉ କେଉଁଦିନ ଏମିତି ଚାହାଁ ଚାହିଁ ହେଇ ହସିଛନ୍ତି, ଦୁହିଁଙ୍କର ମନେ ନାହିଁ । ବରଜୁ ଯେମିତି ଦର୍ପଣରେ ଚାହିଁଲା ପରି ତା’ ହସକୁ ଦେଖୁଛି, ହାରାବୋଉ ମୁହଁରେ–ହାରାବୋଉ ନିଜ ହସକୁ ଦେଖୁଛି, ବରଜୁ ମୁହଁରେ ! ଅଶିଣ ମାସର କାଚକେନ୍ଦୁ ପରି ନେଳିଆ ପାଣିରେ କୁଆଁରପୁନିଅଁ ଜହ୍ନ ଯେମିତି ହସେ–ଚାନ୍ଦ ବିଚାରେ, ସେ ଅଛି ପାଣି ଭିତରେ–ପାଣି ଭାବେ, ସେ ଅଛି ଚାନ୍ଦ ଭିତରେ ! ଦୁହିଁଙ୍କ ଦେହ ଉଲୁସି ପଡ଼େ- ଦୁହିଁଙ୍କ ଲୋମ ଟାଙ୍କୁରି ଉଠେ ।

 

ହାରାବୋଉ ମୁହଁରେ ଏ ହସଟିକ ଦେଖି ବରଜୁର ଦେହ ସେମିତି ଉଲୁସି ଉଠିଲା । ସେ ବୁଝିଲା, ବାହା ହେଲାଦିନଠାରୁ ଆଜିଯାଏ ହାରାବୋଉ ସାଥିରେ ସେ ଖାଲି ଉପରେ ଉପରେ ମିଳିମିଶି ଚଳିଆସିଛି; ଦି’ଜଣଙ୍କର ମଝିରେ ଗୋଟାଏ ପାଚେରି ଛିଡ଼ା ହୋଇଥିଲା- ନାଁକୁ ଖାଲି ହାତଗଣ୍ଠି ପଡ଼ିଥିଲା । ନ ହେଲେ ଦେଖିବାକୁ ଗଲେ, ଦୁହେଁ ଭିନେ ହେଲାଠାରୁ ଆଉରି ଅଲଗା ହୋଇ ଦୂରଛଡ଼ା ହୋଇ ରହିଥିଲା । ବରଜୁ ଆଜି ବୀରଦର୍ପରେ ସେ ପାଚେରିକୁ ଭାଙ୍ଗିଦେଇଛି । ହାରାବୋଉ ବରଜୁ ଆଜି ପାଖକୁ ପାଖ ଲାଗି ଆସିଛନ୍ତି । ବରଜୁ ଭିତରର ପରଶୁ ପଥରରେ ହାରାବୋଉ ଭିତରେ ଲୁହାଟିକ ଲାଗି ସୁନା ପାଲଟି ଯାଇଛି । ଦୁହେଁ ଆଜି ଚେଇଁ ଉଠିଚନ୍ତି । ବରଜୁ ହାରାବୋଉର ବଦଳି ଯିବାର ଦେଖି ଯେମିତି ତାଜିବ ହେଲା, ହାରାବୋଉ ନିଜକୁ ଏମିତି ନୂଆ ମଣିଷ ପରି ଦେଖି କାବା ହୋଇଗଲା ।

 

ସବୁ ମଣିଷ ଭିତରେ ଏମିତି ପରଶୁ ପଥର ଅଛି, ଛୁଆଇଁ ପାରିଲେ ସବୁ ଲୁହା ସେଥିରେ ସୁନା ହୋଇଯିବ ।

 

ରାତି ଅଧ ସରିକି ଛକଡ଼ି ଘରକୁ ଫେରିଲା–ରାତି ଅଧଯାଏ ସାନଯା ବଡ଼ଯା କେହି ଖାଇ ନାହାନ୍ତି । ହାରାବୋଉର ଏଥିରେ କିଛି ହେଲେ କଷ୍ଟ ନାହିଁ–ସେଇ ସାନବୋହୂ ! ତା’ ପିଲାଙ୍କୁ କି କଥା ସେ ନ କହିଛି–ବରଜୁର କି ଅମଙ୍ଗଳ ନ ପାଞ୍ଚିଛି–ସେହି ସାନବୋହୂ ପାଇଁ ହାରାବୋଉ ଆଜି ଉପାସ ଭୋକରେ ପଡ଼ିଛି ।

 

ଛକଡ଼ି ଆସିବାର ଜାଣିପାରି ବରଜୁ କହିଲା, ‘‘କିରେ ତୁ ରାତି ଅଧଯାଏ କୁଆଡ଼େ ବୁଲୁଚୁ ? ଦେବଟି ହେ, ଛକଡ଼ି ପାଇଁ ଖାଇବାକୁ କ’ଣ ଦିଅ ।’’ ଘରେ ସବୁଦିନ ଖାଇ ବସିଲାବେଳେ ବରଜୁ ଛକଡ଼ିକୁ ଡାକେ, ଖାଇଲାଣିକି ନାହିଁ ପଚାରେ । କେଉଁଦିନ ଶୁଣେ, ସେ କୁଆଡ଼େ ବୁଲୁଛି; କେଉଁଦିନ ଶୁଣେ, ଖାଇସାରି ଶୋଇଲାଣି ।

 

ଛକଡ଼ି ଟୋକାଟା ବଡ଼ଭାଇର ମୁହାଁମୁହିଁ କେଉଁଦିନ ହୋଇ ନାହିଁକି ଜବାବ ପଦେ ଦେଇ ନାହିଁ । ଯାହା ବିଚାର କରେ, ନେତ୍ରମଣି ସାଥିରେ, ଯାହା କଜିଆ କରେ, ଭାଉଜ ସାଥିରେ–ବଡ଼ଭାଇ ଘରେ ନ ଥିବାବେଳେ । ପଛରେ ହରି ମିଶ୍ରଙ୍କ ସାଥିରେ ଏତେ ବିଚାର କରେ, ବଡ଼ଭାଇ ଆଗରେ ପଡ଼ିଗଲେ କେମିତି ବାଟକାଟି ଚାଲିଯିବ. ତାକୁ ବୁଦ୍ଧି ଦିଶେ ନାହିଁ । ନେତ୍ରମଣି ଲାଙ୍ଗୁଡ଼ ମୋଡ଼ି ପଛଆଡ଼ୁ ଯେତେ ଠେଲିଲେ କ’ଣ ହେଲା, ଆଜିଯାଏ ସେ ବଡ଼ଭାଇକୁ ପଦେ କଥା ମୁହଁ ଫିଟାଇ କହିପାରିଲା ନାହିଁ ! ଛି ! ଛି !

 

ଛକଡ଼ି ଶୋଇବା ଘରକୁ ଯାଇ ନେତ୍ରମଣି ସାଥିରେ କ’ଣ ଟୁପୁରୁ ଟାପର ହେଉଚି, ବରଜୁ ପୁଣି ଡାକିଲା, ‘‘କିରେ, କୁଆଡ଼େ ରହିଲୁ କି–ଏଣେପରା ବଢ଼ାହୋଇ ଶୁଖୁଚି ।’’ ଛକଡ଼ି, ‘‘ହଁ ଯାଉଚି’’ କହି ଧଡ଼ପଡ଼ ଗୋଡ଼ ଦି’ଟା ଧୋଇ ପକେଇ ପିଠା ଥାଳି ପାଖରେ ଆସି ବସିଲା ।

 

ବଡ଼ବୋହୂ ପୁଣି ଯାଇ ସାନଯାକୁ ଡାକିଲା, ‘‘ସାନବୋହୂ, ଆ–ମ । ସଭିଏ ତ ଯେଝାର ଯେ ଖାଇପିଇ ଶୋଇଲେ । ଆଉ ତୁ ମୁଁ କି ଦୋଷ କରିଥିଲେ ମ ?’’

‘‘ମୋ ପାଇଁ ତୁମେ କାହିଁକି ବସି ରହିଛ ମ ?’’ କହି ସାନଯା ଯେମିତି କି ବଡ଼ ବିରକ୍ତିରେ ଉଠିଆସିଲା- ହଁ, କୋଉଦିନ ଏତେଗୁଡ଼ାଏ ସୁଆଗ ହଉଥିଲା–ଏକା ସାଙ୍ଗରେ ବସି ନ ଖାଇଲେ ବଡ଼ଯାକୁ ଭାତ ରୁଚୁ ନାହିଁ !

ବଡ଼ବୋହୂ ଶୋଇବା ଘରକୁ ଗଲା ! କୋଡ଼ିଏ ବରଷ ହେଲା ବାହା ହୋଇ ଆଜି ଯେମିତି ତା’ର ନୂଆ ପୁଆଣି ଘର !

ସେ ବିଚାରିଲା, ସଂସାର ଗୋଟାକରେ ଶତ୍ରୁ ତା’ର କେହି ନାହାନ୍ତି, ସମସ୍ତେ ତା’ର ବନ୍ଧୁ-। ତାହାର ଆଜି ରୂପ ନାହିଁ–ଯୌବନ ନାହିଁ–ତେବେ ଆଜି ସେ ଯେଉଁ ଯୌବନ ପାଇଲା, ରୂପ ପାଇଲା, ସେ ପାଞ୍ଚ ବରଷ କି ଦଶ ବରଷରେ ମଉଳି ପଡ଼େ ନାହିଁ, ସବୁ କାଳର ସେ–କେଉଁ ଦିନ ତା’ର କ୍ଷୟ ନାହିଁ ।

ହାରାବୋଉ କହିଲା, ‘‘ହଇ ହେ, ହାରା ବାହାଘରୁ ସାନବୋହୂ ପାଇଁ ଖଣ୍ଡେ ଭଲକରି ଶାଢ଼ୀ ହେଲା ନାହିଁ ବୋଲି ତା’ ମନ ଊଣା ପଡ଼ିଯାଇଚି, ଏଥିରେ ସୁନା ବାହାଘରକୁ ତା’ପାଇଁ ଖଣ୍ଡେ ଭଲ ଶାଢ଼ୀ ଆଣିମ ।’’

ବରଜୁ ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ–ବଡ଼ବୋହୂ କହୁଚି, ସାନବୋହୂ ପାଇଁ ଭଲ ଶାଢ଼ୀ ଆସିବ ! ସାନବୋହୂର ଗୋଟାଏ କ’ଣ ଜିନିଷ ହେଲେ ଏଇ ବଡ଼ବୋହୂର ତ ପୁଣି ନାହି ଡେଉଁଥିଲା ! ବରଜୁ ଟିକିଏ ଟିହାଇ କରି କହିଲା, ‘‘ହଁ, ତା’ର ତ ହବ, ଆଉ ତମ ପାଇଁ ?’’

‘‘ମ, ମୋର କ’ଣ ଆଉ ରଙ୍ଗଢଙ୍ଗ ପିନ୍ଧିବାକୁ ବଏସ ଆସୁଚି ! ମୋ ପିଲାଏ ପିନ୍ଧିଲେ କ’ଣ ମୋର ହେଲା ନାଇଁକି ?’’

 

ବରଜୁ ପଚାରିଲା, ‘‘ସତ କହୁଛ ?’’

‘‘ନାଇଁ, ତମେ ତ ଖାଲି ଏକା ସତିଆ, ଆଉ ସଭିଏ ମିଛ କହନ୍ତି ?’’

 

‘‘ନାଇଁ, ମୁଁ ସେ କଥା କହୁନି ସେ–ସେଇ ମଣିଷ ତ ତମେ–ଏ ମନ ତମର ଏମିତି ରହିଲେ ଏକା ହୁଏ !’’

 

ହାରାବୋଉ ହସି ହସି କହିଲା, ‘‘ମନଟା ଏମିତି ରହିବ ନାଇଁ ଆଉ କ’ଣ ହବ ମ ?’’

 

‘‘ଆଚ୍ଛା କହିଲ, ଆମେ ଦୁଆର ଦୁଆର ଭିକମାଗି ବୁଲିଲେ ବି ତମ ମନ ଏମିତି ରହିବ, ବଦଳିବ ନାଇଁ ?’’

 

‘‘କାଇଁକି ଏତେକଥା କହୁଚ ମ- ତମେ ଭିକ ମାଗିବ, ମୁଁ ଆଉ କ’ଣ ସାନ୍ତାଣୀ ହେଇ ବସିବି ? ଭିକ ମାଗିବା କଥା କ’ଣ, ଜୀବନ ଗଲେ ତ ନୁହେଁ ।’’

 

ବରଜୁ ଭାରି ଖୁସି ହେଲା । ହାରାବୋଉ ଭିତରେ ଦେବତା ଜୟ କରି ବସିଛି ସଇତାନକୁ ।

 

ତହିଁଆରଦିନ ହାରାବୋଉ ପୋଖରୀକୂଳକୁ ଗାଧୋଇ ଗଲା । ଶରଦୀବୋଉ, ନାଣ୍ଡୀ ପଣ୍ଡୀଆଣୀ ଆସିଲେ । ବଡ଼ବୋହୂର ମନ ଖୁସିରେ ଉଲୁସି ଉଠୁଚି । ବରଜୁକୁ ଯେମିତି ଶଏ ବରଷ ହେଲା ସେ ହଜାଇଥିଲା, ଆଜି ଫେରି ପାଇଛି । ଆଜି ଆଉ ସାନବୋହୂ, ଦିଅର କାହାରି ନିନ୍ଦା ତା’ ମୁହଁରେ ନାହିଁ–‘‘ଆମର କ’ଣ ଅଛି ? ଆମ ପିଲା ଦୋଟିଙ୍କୁ ବାହାଚୋରା କରିଦେଲେ ଆମେ ଛୁଟି-। ସେ ଘର କରନ୍ତୁ, ଦୁଆର କରନ୍ତୁ, ସବୁ ସମ୍ପତ୍ତି ଭୋଗ କରନ୍ତୁ । କଥାରେ ତ ଅଛି, ‘ସଂସାର ଭିତରେ ଘର କରିଥିଲା ପଥର ପଡ଼ିଲେ ସହି !’ ବାଦ କରିବି ? କାହା ସାଥିରେ ବାଦ କରିବି ଲୋ ଅପା ! ଯା ଦିଅରଙ୍କ ବାଦ କରିବି ? କାଇଁକି ମ ! କିଏ କ’ଣଗୁଡ଼ାଏ ଘିନି ପଳେଇଲାଣି, ଆମେ ବା କ’ଣ ଘେନି ପଳେଇବୁ ?’’

 

ଶରଦୀବୋଉ, ନାଣ୍ଡୀ ପଣ୍ଡୀଆଣୀ ହାରାବୋଉ ମୁହଁରୁ ଆଜି ଏ ତତ୍ତ୍ୱ କଥା ଶୁଣି ଆବାକାବା ହୋଇ ଚାହୁଁଛନ୍ତି–ହାରାବୋଉ କହି ଲାଗିଚି, ‘‘ସେ କହିଲେ, ଗୋଟାଏ ହାତରେ ତାଳି ବାଜେ ନାଇଁ–ଆମର ଦୋଷ ନାହିଁ, ଖାଲି କ’ଣ ସେହି ଦିହିଙ୍କର ଦୋଷ ? ସେ ତ ପିଲା ଦି’ଟା–ତାଙ୍କ କଥାକୁ ଆମେ ଧରିବସିଲେ କାଇଲି ଆମ ପଟରେ ନା ତାଙ୍କ ପଟରେ ? ସତକୁ ସତ–ମୋର କ’ଣ ଦୋଷ ନାଇଁ ? ସେ ମୋ ପାଇଁ ନ କଲା, ମୁଁ ବଡ଼ଟିଏ ହେଇ ତା’ ପାଇଁ ବା କ’ଣ କଲି-? ଯୋଉ ସୁନ୍ଦର କରି ବୁଝାଇ ସେ କଥା କହନ୍ତି ଲୋ ଅପା–‘ଆମେ ନିଜ ଦୋଷକୁ ଦେଖିପାରୁ ନାଇଁ–ଖାଲି ପରଦୋଷକୁ ବୁଜୁଳା କରି ବୁଲୁଁ !’ ସତ କଥା ତ–ମୁଁ ତ ନିଜ ଦୋଷ କଥା ଦିନେ ହେଲେ ବିଚାରି ନାଇଁ ! ସତେ, ଦାଣ୍ଡରେ ହାଟରେ ଲୋକେ ତାଙ୍କୁ ଯାହା ପରଶଂସା କରି କହନ୍ତି, କେଡ଼େ ଭଲ ମଣିଷୁଟାଏ ମ !’’

 

ହାରାବୋଉ ଆଉ ବେଶି କହିପାରିଲା ନାଇଁ–ନିଜ ମଣିଷୁଟାର କେତେ ପରଶଂସା କରି କହିବ ? ଛିଃ–ଲାଜ କଥାଟା ! ଲୁଗା ପାଲଟି ସାରି ହାରାବୋଉ କହିଲା, ‘‘ଆଲୋ ଅପା, ଆଲୋ ନାଣ୍ଡି, ଆସ ଆସ–ବଡ଼ି ଦି’ଟା ଶାଗ କେରାଏ ତମପାଇଁ ଘରେ ଥୋଇ ଦେଇ ଆସିଚି ।’’ ଶରଦୀବୋଉ, ନାଣ୍ଡୀପଣ୍ଡୀଆଣୀ ହାରାବୋଉର ଏ ରଙ୍ଗ ଦେଖି କାବା ହୋଇଗଲେଣି–ଏଡ଼େ ଦାତା ସେ କେଉଁଦିନ ହୋଇଥିଲା ମ !’’

 

ହାରାବୋଉ ବରଜୁ ପାଖରେ ଯାହା କରାର କରିଥିଲା, ସବୁ ପାଳିଲା । ଦିଅର ସାନବୋହୂଙ୍କ ଖବର ସେ ସବୁଦିନ ଆଗ ବୁଝେ । ସାନବୋହୂ ବିଚାରିଲା, ବଡ଼ଯାଠାରୁ ଏ ଆଦରଟା ତା’ର ପାଇବାର କଥା–ଆଜିଯାଏ ଯେ ପାଇ ନ ଥିଲା, ସେ ଖାଲି ବଡ଼ ଯା ଦୋଷରୁ । ବଡ଼ଯା ହାତରୁ ଛଡ଼ାଇ ନେଇ କି ଉପରେ ପଡ଼ି ସେ ଯେଉଁ ପାଇଟି କରେ, ତାକୁ ଭାବେ ସେ ଖାଲି ଅଧିକା କରି କରୁଚି । କାହିଁକି ନା, ବଡ଼ର ଏକା ପିଲାଝିଲାଙ୍କ ଛଟା, ଘର ଗୋଟାକରୁ ବାରପଣ କାମ–ତାକୁ ସେ କ’ଣ କରନ୍ତା ନାହିଁ କି ?

Image

 

ପରିଚ୍ଛେଦ ନଅ

 

‘‘ଧରମା, ତତେ କିଏ ମାଇଲାରେ ଧରମା ! ଡାକି ଡାକି ବରଜୁ ପଧାନ ବାଉରି ଘର ଭିତରକୁ ପଶିଗଲା । ଧରମା ପିଠିରେ ବିଛୁଆତି ମାଡ଼ର ଫୁଲା, ଠେଙ୍ଗାମାଡ଼ର କଳା ଦାଗ ଦେଖି ବରଜୁର ଆଖିପତାରେ ଲୁହ ପୂରି ଆସିଲା । ଘର ଭିତରକୁ ପଶିଯାଇ ବରଜୁ ଦେଖିଲା, ଧରମାର ଭାରିଯା ଧନୀବୋଉ ତେଲ ଟିକିଏ ଆଣି ତା ପିଠିରେ ମାଲିସ୍‌ କରୁଚି । ବରଜୁ କହିଲା, ‘‘ଧରମା, ତତେ କିଏ ମାଇଲାରେ ?’’

ଧରମା କୁନ୍ଥେଇ କୁନ୍ଥେଇ କଥା କହିଲା, ‘‘ତମେ ଘରେ ନ ଥିଲ କି ବରଜୁଆ ଭାଇ–ଦବୁଟି ଲୋ, ପଟା ଖଣ୍ଡ ପକେଇ ଦବୁଟି–ସେଇ ଶିଅର ଟୋକା–ବାହ୍ମୁଣ ହୁକୁମ ଦେଲା ।’’

‘‘କାହିଁକିରେ, କ’ଣ ହୋଇଥିଲା ?’’ ବରଜୁର କଥା କଅଁଳ ହୋଇପଡ଼ିଲା ।

‘‘ତମେ ଜାଣିନା ଯେ ବରଜୁଆ ଭାଇ, ଆଉ ହବ କ’ଣ ? ମିଶର ବାହ୍ମୁଣ କେତେଦିନୁ ଆଗ ଆଖିଥିଲା, ଆଜି ଶୁଝେଇଦେଲା । ଦୋକାନ ଘରେ ଟିକିଏ ତେଢ଼ି ଦେଇଥିଲି–ସେତିକିବେରୁ ରାଗରେ ତମ ତମ ହୋଇଥିଲା । ଆଜି ସକାଳେ ଗୋରୁ ଦି’ଟା ତ କଦରୀବାରିରେ ପଶିଗଲେ–ସେଇଥିରେ ତ ଆଗ ! ଧରି ନେଇ ନଡ଼ିଆଗଛରେ ବାନ୍ଧି ପକେଇଲା–ମୁଁ ଅବା ତାଙ୍କୁ କ’ଣ କହନ୍ତି–ମୋ କଥାଗୁଡ଼ାକ ତ ସେମିତି !’’ ବରଜୁ ଆଖିରୁ ଚାରି ଛଅ ଟୋପା ଲୁହ ଗଡ଼ିପଡ଼ିଲା । ହାଇରେ ଧରମା ! ଦୁନିଆଟାରେ ତ କେତେ ଧରମାଙ୍କ ପିଠି ଏମିତି ପାଚିଯାଉଚି–କେତେ ବରଜୁଙ୍କ ଆଖିରୁ ଲୁହ ଗଳିପଡ଼ୁଚି–କିଏ କ’ଣ କରିପାରୁଚି !

ଧରମା କହିଲା, ‘‘ମତେ ଏଥର ସେ ଘିକଉଡ଼ି ପିଆଇଦେଲା, ମୁଁ ସେ ମିଶର ଟୋକାକୁ ଶିଅରା ଟୋକାକୁ ଦେଖିଦେବି ନାଇଁ ! ଆମର କ’ଣ ଅଛି- ଆମେ ତ ଚାରିଦଉଡ଼ିକଟା । ମୂଲ ଲାଗିଲେ ପେଟ ପୋଷିବୁଁ–କୋଉ ସମ୍ପତ୍ତିଗୁରାକ ଅଛି ଯେ ଭୂତ ଖାଇଯିବେ ! ସେଥିରେ ପୁଣି ଘରଡ଼ିହ ଖଣ୍ଡ ବନ୍ଦବସ୍ତରେ ମୋ ନାଆଁରେ ହୋଇଯାଇଚି ବୋଲି ମତେ କହୁଚି, ତୋ ଡିହରେ ବାଇଗଣ କିଆରି କରିବି । ସେ କାଇଁକି କରିବ, ମୁଁ ମୋ ଆଡ଼ୁ କରିଦେଇ ଯାଉଚି–ସେଥିପାଇଁ ମୁଁ ଧନୀ ବୋଉକୁ କହିଲି–ତୋ ଖଡ଼ୁ ଦି’ପଟ ବାଡ଼େଇ ଦେ, ମୋ ଆଶା ଛାଡ଼ି ଦେ–ତୁ ତ ବାଉରିଘର ଝୁଅ- କାଲି ସକାଳେ ଆଉ ଗୋଟାକୁ ଆଦରି କରି ରହିବୁ । ନଇଲେ ଏଠି ଯେମିତି ଚାରି ପାଇଟି କଲେ ଖାଉଚୁ, ଆଉ କୋଉଠି ସେମିତି କରିବୁ–ତୋ ପେଟ କ’ଣ ଅପୋଷା ରହୁଚି ?’’

 

ବରଜୁ ଧରମା କଥା ବୁଝିପାରିଲା ନାହିଁ । କହିଲା, ‘‘କାଇଁକି ଏମିତି ଗପୁଚୁରେ ପାଗଳା-?’’

 

‘‘ଗପୁନାଇଁରେ ବରଜୁଆ ଭାଇ- ଏଇପରା ଚୁଆ ସୁନ୍ଦର ଦେଇ ଅଖିଚି ।’’ ଧରମା ଗୋଟାକ ଶାଣଦିଆ କଟୁରୀ କାଢ଼ି ଆଣି ଦେଖେଇଲା, ‘‘ଏଇ ରେ ବରଜୁଆ ଭାଇ–ମଣିଷ ବେକକୁ ଭଲ ହେବ ନାହିଁ ?’’

 

ବରଜୁର ଦେହ ଥରି ଉଠିଲା । ସେ ଯାହା ବସିଥିଲା, ପଛକୁ ହଟିଗଲା, ‘‘ଏ କ’ଣ କହୁଚୁରେ ଧରମା ?’’ ଧରମା ଆଖି ଦି’ଟା ବୁଲାଇ କହିଲା, ‘‘କହିବି କ’ଣ ଡାକି ବଜାଇ ଦାଣ୍ଡରେ ହାଟରେ କହିବି । ଆଗେ ତ ମରିବି ପଛେ ତ ମରିବି, ଡର କାହାକୁ କରିବି ? ଶୁରୀ ଯାହା ଫାଶି ତାହା, ଘରେ ଶୋଇକରି ମଲେ ବି ତା’- ଏଇଥିପାଇଁ ଧରମା ଡରିଚି !’’

 

ବରଜୁ ପଧାନର ଦେହ ବରଡ଼ାପତର ପରି ଥରିଲା । ଧରମା ମୁହଁରେ ଆଜି ଏ କି କଥା ! ସେ ଧରମାର ହାତ ଧରି ପକାଇ କହିଲା, ‘‘ଧରମା, ଭାଇଟା ମୋର, ଟିକିଏ ଥୟ ଧର । ଆଜି ସଞ୍ଜବେଳେ ମଙ୍ଗଳାଙ୍କ ପାଇଁ ମାଜଣା–ତତେ ମୁଁ ଡାକି ଆସିଚି, ଯାଇ ପାରିବୁ ?’’

 

ଧରମାର ମଙ୍ଗଳାଙ୍କ ମାଜଣା ଆଡ଼କୁ ଜମା ମନ ନ ଥିଲା । ସେ ଆଗ ପରି କହିଲା, ‘‘ବରଜୁଆ ଭାଇ, ମଲାମୁଣ୍ଡ ପୂରୁବକୁ ନଇଲେ ପଛିମକୁ; ଧରମା ବାଉରି ମିଶରଟୋକା ଅକତରେ ଚିତା ଘେନିବ ।’’

 

‘‘ଧରମା, ମୋ ଭାଇଟା ପରା, କଥା ଶୁଣୁ, ଥୟ ଧର–ଏମିତି ଅଥୟ ହେଲେ କୋଉ କଥା ହେଲାଣି ? ଆଜି ସଞ୍ଚବେଳେ ମଙ୍ଗଳାଙ୍କ ମାଜଣା–ଯାଇ ପାରିବୁଟି ?’’

 

‘‘ଯାଇପାରିବି ନାଇଁ ବରଜୁଆ ଭାଇ ? ମୋର କ’ଣ ହେଇଚି କି ? ୟାଠଉଁ ତ କେତେ ବେଶୀ ବେଶୀ ମାଡ଼ ପର କରିଦେଇଛି–ଏ ବା କ’ଣ ?’’

 

ଧରମା ମଙ୍ଗଳା ଠାକୁରାଣୀଙ୍କ କୁଡ଼ିଆଘର ମୁହଁ ସଞ୍ଜବେଳେ ଯାଇ ପହଞ୍ଚିଲା । ବରଜୁ ପଧାନ କେତେ ଆଗରୁ ଆସି ବସିଚି । ଝୁଣା ଧୂଆଁରେ ଚାରିଆଡ଼ ବାସୁଚି–ଜଇ ଖଟେଇ, ଉଦ ସୁତାର, ରୂପ ଜେନା, ଯଦୁ ଦଳେଇ, ଗୋଟି ଗୋଟି ହୋଇ ଆସି ପହଞ୍ଚିଲେ; ମଙ୍ଗଳାଙ୍କ ପାଖରେ ଆଗ ମୁଣ୍ଡିଆ ଗୋଟିଏ ଗୋଟିଏ ମାରି ମାଳତୀ ଲଟୀ ମୂଳେ ରୁଣ୍ଡ ହେଲେ ।

 

ଯଦୁ ଦଳେଇ କହିଲା, ‘‘ବରଜୁଆ ଭାଇ, ସବୁ କପାଳରେ ଭାଇ କପାଳ ! ଧରମୁ ଦାସ ଗରିବ ଲୋକ–କାହାର କ’ଣ ବା କ୍ଷତି କରେ–ତା’ କପାଳରେ ଆଜି ଏତିକି ମାଡ଼ ଥିଲା ।’’

 

ବରଜୁ କହିଲା, ‘‘ମୁଁ ପରା ତତେ ସେ ଦିନ ଏତେକରି କହୁଥିଲି–ଧରମାର କପାଳ ଆଉ କିଛି ନୁହେଁ–ସେ ନିଜେ ହରି ମିଶ୍ରେ–ହରି ମିଶ୍ରେହିଁ ଧରମାର କପାଳ ତିଆରି କରୁଛନ୍ତି–କେତେବେଳେ ଭଲ, କେତେବେଳେ ମନ୍ଦ–ଯେତେବେଳେ ଯାହା ତାଙ୍କର ମରଜି ।’’

 

‘‘ନାଇଁରେ ଭାଇ, ମୋର କାଇଁକି ସେ କଥାରେ ବିଶ୍ୱାସ ହେଉ ନାଇଁ–ହରି ମିଶ୍ରେ ଧରମାର କପାଳକୁ ତିଆରି କରୁନାହାନ୍ତି ଯେ, ଧରମାର କପାଳ ହରି ମିଶ୍ରଙ୍କୁ ତିଆରି କରୁଚି ।’’

 

‘‘ଯେତେ ବାଟରେ କହ ଯଦୁ, ସେ ଏକା କଥା–ରାବଣ ରାମଚନ୍ଦ୍ରଙ୍କର ମନ୍ଦଗ୍ରହ ହୋଇ ଜନ୍ମ ହେବା ଯାହା, ରାମଚନ୍ଦ୍ରଙ୍କର ମନ୍ଦ ଗ୍ରହଟା, ରାବଣ ହୋଇ ଜନ୍ମ ହେବା ସେଇତା । କର୍ମରେ ଅଛି, ତାହା ବୋଲି ତ ଆଖି ବୁଜି ଧ୍ୟାନ କଲେ ହେବ ନାହିଁ–ମନ୍ଦଗ୍ରହ ଆସି ପହଞ୍ଚିଲେ ବି ତ ଲୋକ ଗ୍ରହଶାନ୍ତି ପାଇଁ କେତେ କେତେ ଉପାୟ କରୁଚି ।’’

 

‘‘ହଁ, ସେ କଥା ଆଉ କ’ଣ ମୁଁ ମାନିବି ନାଇଁ, ବରଜୁଭାଇ ?’’

‘‘ତେବେ ଆମେ ଆମର ଏଇ ଗ୍ରହଶାନ୍ତି ପାଇଁ କି ଉପାୟ କରିବା ?’’

 

‘‘ବରଜୁଆ ଭାଇ, ମୁଁ ଯେଉଁ କଥା ଦେଖାଇଥିଲି’’ ଧରମା ସବା ପଛରୁ ଡାକିଲା–ବରଜୁ ଟିକିଏ ଚମକି ପଡ଼ି ତା’ପରେ କହିଲା, ‘‘ଆଚ୍ଛା, ହରି ମିଶ୍ରେ ଆଜି ମାଇଲେ, କାଲି ଜମିଦାରଙ୍କ ଗୁମାସ୍ତା ମାରିବ, ପଅରଦିନ ମହାଜନର ପିଆଦା ମାରିବ- ଆମେ କ’ଣ ଖାଲି ମାଡ଼ ଖାଇବାକୁ ଜନମି ଥାଇଁ ?

 

‘‘ନାଇଁ ନାଇଁ–ଖାଲି ଖାଇବାକୁ ନୁହେଁ, ଦେବାକୁ ବି ।’’

 

‘‘ଏଗୁଡ଼ାକ ଖାଲି ହୁଣ୍ଡା କଥା–ଏ ଗାଁରେ ତ ଏତେଗୁଡ଼ାଏ ଚଷାଘର–କିଏ ଭଲା କାହାକୁ ଗୋଟାଏ ମାରିବାକୁ ସାହସ ପାଇଲାଣି ? ନାଇଁରେ ଭାଇ, ମାଡ଼ ଖାଇବାକୁ ଆମର ଜନମ । ଆମେ ଯେ କାହାରିକି ନ ମାରୁଁ, ସେ ବି ମିଛ କଥା–କାଇଁକି ନା ଆମେ ମାରୁଁ ଆମରି ଲୋକଙ୍କୁ, ଆମରି ଭାଇବନ୍ଧୁ କୁଟୁମ୍ୱଙ୍କୁ–ଆମ ଭିତରେ କଜିଆ ହେଲେ ଆମେ ତୁଟାଇ ପାରୁ ନାଇଁ–ସେଥିପାଇଁ ସିନା ବାହାର ଭଲ ଲୋକଙ୍କୁ ଡକରା- ।’’

 

ଉଦ ସୁତାର କହିଲା, ‘‘ସେ ଭାରି ଠିକ୍‌ କଥାରେ ଭାଇ–ଆମ ଭିତରେ କଜିଆ ନ ଥିଲେ ଅମିନ କାଇଁକି ପଇସା ଖାନ୍ତେ ? ଅମିନ ଆସୁ, ହାକିମ ଆସୁ–ଆମର ଯେଝା ଜମି ଯେଝାର–ଆମର ତ ଯେଝା ଜମି ସାତ ପୁରୁଷରୁ ଚଷି ଆସୁଥାଇଁ–ସେ କାଗଜ କଲମରେ ଯାହା କଲେ, କଲେ–ଆମ ଜମି ଆମେ ଚଷିବା–କାଗଜ କଲମରେ କରିଦେଲେ ତ କିଛି ମତେ ଜୋର କରି ତୋ ଜମିକୁ କେହି ଚଷେଇ ଦବନି ?’’

 

ବରଜୁ କହିଲା, ‘‘ଧରମାକୁ ମାଡ଼ ହେଲା- କିଏ ମାଇଲା ? ଆମ ଭିତରୁ ଚନ୍ଦରା ଶିଅଳ ନ ଥିଲେ ହରି ମିଶ୍ରେ ମଣିଷ–ତିନିଶ ଲୋକଙ୍କୁ କେତେ ମାରନ୍ତେ, କେତେ ଧରନ୍ତେ ? ଅସଲ କଥା–ଆମ ଭିତରେ ମେଳ ନାହିଁ । ଧରମା ମାଡ଼ ଖାଇଲେ ତା’ ପଡ଼ିଶା ଭାଇ ଉଦିଆ ହସିଲା–ଭଲ ହେଇଚି ! ଧରମା ମାଡ଼ ଖାଇଲେ ଆମକୁ ଯେବେ ଲାଗନ୍ତା, ଆମ ସମସ୍ତିଙ୍କି ମାଡ଼ ହେଇଚି; ଡମାଘର ପୋଡ଼ିଗଲେ, ପୁଅ ମରିଗଲେ, ଆମେ ଯେବେ ବିଚାରନ୍ତେ ସେ ଦୁଃଖ ଆମ ସମସ୍ତଙ୍କର; ଅପର୍ତ୍ତିଆ ଦିହ ଦୁଃଖରେ ପଡ଼ିଲେ ଆମେ ଯେବେ ବୁଝନ୍ତେ ଆମ ସମସ୍ତଙ୍କ ଘରେ ଦିହଦୁଃଖ–ଡମାଘର ତୋଳାପାଇଁ, ଅପର୍ତ୍ତିଆ ଦିହଦୁଃଖ ପାଇଁ, ଧରମାକୁ ବୋଧ କରିବା ପାଇଁ, ଆମେ ସମସ୍ତେ ଯେବେ ନିଜ ନିଜର କାମ ବୋଲି ଭାବନ୍ତେ, ତେବେ ସବୁ ଦୁଃଖ ପାଣି ପରି ମିଳେଇ ଯାନ୍ତା । ଏତେ ଭଲ ମଣିଷଙ୍କ ଭିତରେ ହରି ମିଶ୍ରେ ଜଣେ ଖରାପ ମଣିଷ ହୋଇଯାନ୍ତେ ? ଧରମା ମାଡ଼ ଖାଇଲାବେଳେ ଏତେ ଲୋକ ତ ଠିଆ ହୋଇଥିଲେ କ’ଣ କଲେ ?’’

 

ଦୁଇ ତିନି ଜଣ କହିଉଠିଲେ, ‘‘ଆମେ କ’ଣ କରନ୍ତୁ ସେଠେଇଁ ଭଲା–ଖାଲି ସିନା ମାଡ଼ ଖାଇବାକୁ ?’’

 

ବରଜୁ ବଡ଼ ପାଟି କରି କହିଲା, ‘‘ହଁ ମାଡ଼ ଖାଇବାକୁ–ଧରମା ମାଡ଼ ଖାଇଲେ ତମେ କ’ଣ ମାଡ଼ ଖାଇଲ ନାହିଁକି ?–ତମ ଭିତରୁ ତ କାଲି କିଏ ମାଡ଼ ଖାଇଥିବ, ପୁଣି କାଲି ବି କିଏ ମାଡ଼ ଖାଇବ ! କ’ଣ କହୁଛ- ଧରମା ଏକା ମାଡ଼ ଖାଇଲା, ନା ତମେ ସମସ୍ତେ ଖାଇଲ ?’’

 

ବୁଢ଼ା ରତନା ଭୋଇ କହିଲା, ‘‘ନାଇଁ, ସମସ୍ତେ ଖାଇଲେ- ଏ ତ ଉଆଜିବ କଥା ।’’

 

ରୂପ ଜେନା କହିଲା, ‘‘ଆଉ ଆମେ ସେଠି କ’ଣ କରନ୍ତୁ ଭଲା–ହରି ମିଶ୍ରକୁ ତ ଜାଣ–ସେ କାହାରି କଥା ଶୁଣନ୍ତା ? ସେଠି ତ ସାପ ମୁଣ୍ଡ ଚୂରିହେଇ ଯାଉଚି ।’’

 

ବରଜୁ ଧୀରେ ଧୀରେ କହିଲା, ‘‘ତମେ ଦଶ ଜଣ ଧରମାକୁ ଘେରି ଠିଆହୋଇ ଯାଇଥାନ୍ତ । କହିଥାନ୍ତ ମିଶ୍ର ଆଜ୍ଞା, ଧରମା ଆଜି ଗୋଟାଏ ଦୋଷ କରିପକେଇଚି, ଆମେ କାଲି କରିବୁଁ । ଆପଣ ବଡ଼ଲୋକ, ମଣିଷ ଚରଉଚ- ଆମେ ମୂଲିଆମୁଣ୍ଡ, ଗୋରୁ ଚରଉଁଚୁ । ଆମ କଥା ଟିକିଏ ଘେନାକର–ଧରମା କ’ଣ କହିଚି, କ’ଣ କରିଚି, ସେ କଥା ଟିକିଏ ପାଁଜଣ ବସି ବିଚାର କର–ତା’ର ଯୋଉ ଦଣ୍ଡ ଫାବିଲା, ସେ ଦଣ୍ଡ ଦିଅ । ଆଉ- ନାଇଁ ଯେବେ ମାରିବ, ତେବେ ଆମ ସମସ୍ତଙ୍କୁ ମାର ।’’

 

ରୂପ ହସି କହିଲା, ‘‘ହରି ମିଶ୍ର ଏଇ କଥା ଶୁଣନ୍ତେ ? ଆମ ପିଠିରେ ଖାଲି ମାଡ଼ ଭରଣ ପାହୁଲାଏ ହୋଇଯାନ୍ତା ସିନା !’’

 

ବରଜୁ ତେଜି ଯାଇ କହିଲା, ‘‘ଭଲ ହୁଅନ୍ତା, ମାଡ଼ ଖାଇଲେ ଧରମା ପାଇଁ ମାଡ଼ ଖାନ୍ତ–ତୁମ ପାଇଁ ତମେ ମାଡ଼ ଖାନ୍ତ । ମାରା କ’ଣ ହୁଅନ୍ତା ? ହରି ମିଶ୍ରେ ଆଜି ଧରମା ବେଳକୁ ମାରନ୍ତେ, କାଲି ତୋ ବେଳକୁ ମାରନ୍ତେ, ପରଦିନ ମୋ ବେଳକୁ ମାରନ୍ତେ । ତିନି ଜଣ ପାଇଁ ପଚିଶ ଜଣଙ୍କୁ ମାରନ୍ତେ, କେତେ ମାରନ୍ତେ ମାରନ୍ତୁ । ଏମିତି କ’ଣ ମାରୁନାହାନ୍ତି କି ? ଏମିତି ଆମେ ମାଡ଼କୁ ଡରି ଚୋର ପରି ଘରେ ପଶୁଥାଇଁ- ସେମିତି ସମସ୍ତେ ମିଶି ଛାତି ପତେଇ ସମସ୍ତେ ମିଳି ଠିଆ ହୁଅନ୍ତେ; ବୀରପରିଆ କୋଉଟା, ମଣିଷପଣିଆ କୋଉଟା ?’’

 

ଯଦୁ ଦଳେଇ କହିଲା, ‘‘ଧର୍ମ କ’ଣ ଜମାରୁ ନାଇଁ–ଖାଲି ଅନ୍ୟାୟର କ’ଣ ସଂସାର ଚଳୁଥିବ ?’’

 

ରୂପ କହିଲା, ‘‘ଖାଲି କହି ଦଉଚ ନା–ଏତେ ମଣିଷ ତ ବସିଚ, କିଏ ଏ କଥା କରିବ ଭଲା କହିଲ ?’’

 

ବରଜୁ ପଧାନ ଠିଆ ହୋଇପଡ଼ି କହିଲା, ମୁଁ କରିବି ! ମିଶ୍ରଙ୍କ ଗୋଡ଼ତଳେ ପଡ଼ି କହିବି–ମିଶ୍ରେ ନ ଶୁଣିଲେ ଧରମାକୁ କୁଣ୍ଢେଇ ଠିଆହେବି–ଯେତେ ମାରୁଚ ମାର, ଧରମା ମୋର ଭାଇ, ତା’ ପାଇଁ ମୁଁ ମାଡ଼ ଖାଇବି–ଏ ଜୀବ ଗଲେ ବି ଛାଡ଼ିବି ନାଇଁ । ଏ ମାହାଳିଆ ମାଡ଼ ଫଇଜ୍ଜତ ଦେଖିବାଠଉ ଜୀବ ଚାଲିଗଲେ ବା କ’ଣ ହୋଇଯାନ୍ତା ! କ’ଣ ହୋଇଯାନ୍ତା, ଏ ଗାଁଟାଯାକ ନିଶୂନ ହୋଇଗଲେ ! କ’ଣ ହୋଇଯାନ୍ତା ପାଧାନପଡ଼ାରୁ ଶହେଟା ଘର ଗରିବ ଗୁରୁବା ଏକାବେଳକେ ମୂଳପୋଛ ହୋଇଗଲେ ? ମିଶ୍ରେ ଯେବେ ସମସ୍ତଙ୍କୁ ମାରି ଏକା ରହିବାକୁ ଲୋଡ଼ୁଛନ୍ତି, ସବୁରି ଘର ଭାଙ୍ଗି ନିଜ ଘରକୁ ବଢ଼ାଇବାକୁ ସୁଖ ମଣୁଛନ୍ତି, ତେବେ ସେ ଏକା ରହନ୍ତୁ, ତାଙ୍କର ଉଜୁତିର ଉଜୁତି ହେଉ । ଆମର ଯେବେ ଲୋଡ଼ା ନାହିଁ ଏ ଗାଁରେ, ତେବେ ଏମିତି ପୋକମାଛି ପରି ରହିବାଠାରୁ ମରିଯିବା ଭଲ ନୁହେଁ କି ? ତୁମେ କ’ଣ ଭାବୁଚ ଆମେ ଏତେ ନିର୍ବଳ, ଏଡ଼େ ନିକମା-? ଯେଉଁ ଦୂବଘାସକୁ ଛେଳି ମେଣ୍ଢା କୁଦି ମକଚି ଚରୁଚି, ସେଥିରେ ବି ଦଉଡ଼ା ବଳାହୋଇ ହାତୀ ପରି ଜୀବ ବନ୍ଧା ହେଉଚି । ଆଉ ଆମେ ମଣିଷଜନ୍ମ ପାଇ ଶହେ ଘର ଲୋକ ମରିଯିବା, ଗାଁ ଭିତରେ ଏକା ରହିବେ ହରି ମିଶ୍ରେ ?’’

 

କିଏ ଜଣେ କହି ପକରଇଲା, ‘‘ନା, ନା, ଏ କଥା କେଉଁଠି ହେଲା !’’

 

ବରଜୁ କହିବାକୁ ଲାଗିଲା, ‘‘ଆମରି ଦୋଷରୁ ମରୁଚୁଁ ଆମେ; ଆମେ ପାଁଜଣ ଖାଲି ଏକାଠି ହେଉଁ ଦେଖିବ, କେତେ ହରି ମିଶ୍ର କୁଆଡ଼େ ଉଭେଇ ଯିବେ । ଆମେ ଦଶ ଜଣ ଆଜି ହରି ମିଶ୍ରଙ୍କ ପାହାରରେ ମରିବାକୁ ତିଆରି ହେଉଁ, ଜାଣିରଖ ଭାଇ ! ଏ ତାତିଲା ରକ୍ତ ଯେଉଁ ଭୂଇଁ ଅରାକରେ ପଡ଼ିବ, ପ୍ରଳୟ ହେଲେ ବି ପୃଥୀ ଉପରୁ ତାହାର କଷ ଛାଡ଼ିବ ନାହିଁ । ଏ ଶୁଖିଲା ଚମ ଯେଉଁଠି ଜଳିବ, ସେ ନିଆଁ ଗୋଟାଏ ଥାନରେ ନୁହେଁରେ ଭାଇ, ଦଶଦିଗ ବ୍ୟାପି ଜଳିବ । ଆଉ ଏ ଯେଉଁ ହାଡ଼, ଯାହା ଉପରେ ମିଶ୍ରଙ୍କର ପାହାର ପଡ଼ି ଲୁହା ପରି ଟାଆଁସା ହେଇଚି, ସେ ହାଡ଼ ଯେଉଁଠି ପଡ଼ିବ, ସେଠି ତାହା କଥା କହି ଉଠିବ ! ଭୀମ ପରି ବୀର ଆସି ସେ ହାଡ଼କୁ ମେରୁ ପାହାଡ଼ରେ କୋଟିଏ ଯୁଗ ଘଷିଲେ ବି ତାହା ସରିବ ନାଇଁ । ଦରିଆ ଭିତରେ ଫିଙ୍ଗିଲେ ବି ତାହା ଡାକ ଛାଡ଼ିବ । ଆମେ ନିକମା ନୋହୁଁରେ ଭାଇ ! ପଡ଼ିଆ ଟାଙ୍ଗରାରୁ ଯେ ଗଜା ଉଠାଇପାରେ, ଆମେ ସେଇ ଚଷା, ସେଇ ମୂଲିଆ !’’

 

ବରଜୁ ପଧାନ ଆଉ କଥା କହିପାରିଲା ନାଇଁ; ନିଶ୍ୱାସ ସଁ ସଁ ହୋଇ ବହିଲା, ଲୁହରେ ଆଖି ଢଳ ଢଳ ହୋଇପଡ଼ିଲା ।

 

ବୁଢ଼ା ରତନା ଭୋଇ କହିଲା, ‘‘ଆରେ ହଁରେ–ଆମର ଏ ଅଳପିକିଆ ଜୀବ ଥିଲେ କେତେ, ଗଲେ କେତେ । କଥାରେ ଅଛି–ମାର ନା, ମୁଁ ମଲିଣି- ଆମେ କେଉଁ ଜୀଇଁକରି ଅଛୁ ଯେ, ଆମକୁ ଆଉ କିଏ ମାରି ପକାଇବ ?’’

 

ଯଦୁ ଦଳେଇ କହିଲା, ‘‘ଆରେ ଏମିତି ତ ମରି କରିଥାଇଁ–ସେମିତି ହେଲେ ଆଉରି ଜୀଇଁବା ।’’

 

ରୂପ ଜେନା କହିଲା, ‘‘ଆମରି ଭିତରେ ଏଇ କଥା ହେବ ! ତୋ ଘରେ ତ ମଡ଼ା ପଡ଼ି ବାସି ହୋଇଗଲେ, ମୁଁ ଟିକିଏ ପଚାରୁ ନାହିଁ ।’’

 

ବରଜୁ ଗାମୁଛା ଖଣ୍ଡିକରେ ମୁହଁ ପୋଛିଦେଇ କହିଲା, ‘‘ସେଇଥି ଯୋଗୁରୁ ତ ଆମର ଏତେ ଦୁଃଖରେ ଭାଇ–ସେଇ କଥା ପରା ମୁଁ ଆଗରୁ କହୁଥିଲି । ତେବେ କ’ଣ କହୁଚ, ଗାଁ ଭିତରେ ସମସ୍ତଙ୍କ ଭିତରେ ମେଳ ରହିବ–ଜଣକର ଆପଦ ବିପଦ ଭଲ ମନ୍ଦ ବେଳକୁ ଆଉ ପାଁଜଣ ଯାଇ ଠିଆହେବା ? କଅଣ କହୁଚ କହୁନ ?’’

 

ଏ ତାକୁ ସେ ୟାକୁ ଠେଲିଲେ–‘‘କହୁନୁ କ’ଣ କହୁଚୁ ?’’

 

ଯଦୁ ଦଳେଇ କହିଲା, ‘‘ଆରେ ଏଥିରେ କ’ଣ କାହାର ପାଞ୍ଚ ତିନି ଖରଚ ହେଇଯାଉଚି କି–ଏ ତ ନିଜ ହାତରେ କରିବା କଥା, ସହିବା କଥା–ଗାଁ ଗୋଟାକରେ ମସସ୍ତେ ଭାଇ, ଗାଁ ଗୋଟାକ ଗୋଟାଏ ଘର–ଏଇ କଥା ଭାବି ସମସ୍ତେ ମନ ମିଳି ଚଳିବା, ନା ଏଇକ୍ଷଣି ଯେମିତି ଫଟାଫଟି କଳିକଜିଆ- ସେମିତି ଲାଗି ରହିଥିବ ? ମୋ ଆପଦ ବିପଦବେଳେ ତୁ ମୋ ଦୁଆରେ ହାମି ହୋଇ ଛିଡ଼ାହେବୁ, ତୋ ବେଳକୁ ମୁଁ ତୋ ଦୁଆରେ ଛିଡ଼ା ହେବି । କିରେ ରୂପଭାଇ, ଏକଥାଟା ଭଲ, ନା ତୋ ଘରେ କଜିଆ ହେଲେ ମୁଁ ନଖ ଘଷିବି, ତୋ ବାରିରେ ମୋ ଗୋରୁଟା ପଶିଲେ ତୁ କାଞ୍ଜି ହାଉସ ନବୁ, ଏ କଥାଟା ଭଲ ?’’

 

ରୂପ ଜେନା କହିଲା, ‘‘ଏ କଥା ଆଉ ପଚାରୁଚୁ କ’ଣ ଭାଇ ! ତେବେ ମୁଁ କ’ଣ କହୁଚି କି ଦିନକରେ ତ ଆମର ସବୁ ହୋଇଯିବନି- ଆମ ଭିତରୁ ପୁଣି କିଏ ଖଣ୍ଡିଆ ଜଣେ ଅଧେ ତ ବାହାରିବେ ?’’

 

ବରଜୁ କହିଲା, ‘‘ତାଙ୍କୁ ଆମ ଭିତରକୁ ଆଣିବା ପାଇଁ ଯେତେ ଉପାୟ ହୋଇପାରେ ସବୁ କରିବା । ହାତ ଧରିବା, ଗୋଡ଼ ଧରିବା- ନ ହେଲେ କାହିଁରେ ନ ମଙ୍ଗିଲେ ଅଛୁଆଁ କରି ରଖିବା । କେହି କେହି ତ ଅନ୍ୟାଚାର କରୁଛନ୍ତି ବୋଲି ତାଙ୍କୁ ଆମେ ଛୁଉଁ ନାଇଁ; ପଚିଶ ଜଣଙ୍କ କଥାରେ ଯେ ନ ପଶିଲା, ଭଲ କଥା କେତେବେଳେ ହେଲେ କଲା ନାଇଁ, ସେ ଆଉ ସେହିମାନଙ୍କଠଉଁ କମ୍‌ କ’ଣ କି ? ସେମାନେ ଅବା ମଦ ମାଉଁସ ଖାନ୍ତି- ଯେ ପାପ କଥା ଭାବନ୍ତି, ଆଉ ପାଞ୍ଚଟଙ୍କାର ନଷ୍ଟ କରନ୍ତି, ସେ ତ ତାଙ୍କଠାରୁ ଆହୁରି ହୀନ ।’’

 

ଯଦୁ କହିଲା, ‘‘ଆରେ ହଁ, ପଚିଶ ଜଣଙ୍କ ଭିତରୁ ଜଣେ ଫିଟିଯାଇ କୁଆଡ଼େ ଯିବ ? ଆଜି ପୁଣି ଆଉ ଛୁଆଁ ଅଛୁଆଁ ଜାତି- ଅଜାତି କ’ଣ–ସମସ୍ତେ ଆମେ ତ ଭାଇ ।’’

 

ବରଜୁ କହିଲା, ‘‘ଆଚ୍ଛା, ତା’ହେଲେ ଆଗ ଦଶ ଜଣ ଆମ ଭିତରୁ ବାହାରିଲେ- ଯେ ମନ୍ଦ ହେଲା ତାକୁ ଭଲ ବାଟକୁ ଆଣିବା–ମଣିଷ ଆମେ, ମଣିଷ ହାତରେ କ’ଣ ନ ହଉଚି–ଗାଁ ଭଲ ପାଇଁ ସବୁ କରିବା, ମାଡ଼ ଗାଳିକି ଡରିବା ନାଇଁ, ମରଣକୁ ବି ନୁହେଁ । ମୁଁ କହୁଚି, ଦଶ ଜଣଙ୍କ ଭିତରେ ଜଣେ ହୋଇ ମୁଁ ଆଗ ନିଆଁକୁ ଡେଇଁବି ।’’ ତା’ପରେ ଯଦୁ, ନିଧିଆ, ରୂପ, ଉଦିଆ, ନେତରା, ଧରମା ଦଶ ଜଣ ବାହାରି ପଡ଼ିଲେ ।

 

ଯଦୁ କହିଲା, ‘‘ସବୁ କଥା ସିନା କଲୁ ବରଜୁଆ ଭାଇ–ମଣିଷ ହାତରେ କିଛି ନାହିଁ- ପ୍ରଭୁ ଯାହା କରିବେ ।’’

 

ବରଜୁ ହସି ହସି କହିଲା, ‘‘ପ୍ରଭୁ ତ ଆମରିଦ୍ୱାରା ସବୁ କରୁଚନ୍ତି, ମଣିଷ କ’ଣ ପ୍ରଭୁଙ୍କଠଉଁ ଅଲଗା କି ?’’ ଯଦୁ କହିଲା, ‘‘ଯାହା କହିଲୁ ସତ କଥା–

 

‘‘କରି କରାଉଥାଏଁ ମୁହିଁ

ମୋ ବିନୁ ଆନ ଗତି ନାହି ।’’

 

ଧରମା କହିଲା, ‘‘ତମେ ସିନା ସବୁ କହୁଚ, ବରଜୁଆ ଭାଇ- ମୋ କଟୁରୀ ଖଣ୍ଡକ ଛାଡ଼ିବି ନାଇଁ, ଭଲ କରି ପଜେଇ ରଖିବି ।’’

 

ବରଜୁ ହସିଲା, କହିଲା, ‘‘ତୋ କଟୁରୀ ଆଗ ପାଣିରେ ଫିଙ୍ଗିଲେ ମୁଁ ଆଉ ଯେଉଁ କଥା କରିବି ।’’ ରୂପ ଜେନା ଆଉ ବାଞ୍ଛା ଘରକୁ ଫେରିଲାବେଳେ ବାଞ୍ଛା କହିଲା, ‘‘ବରଜୁଆ ଭାଇର ତ ଖାସା ପଢ଼ା ଅଛି- କେମିତି ଖଞ୍ଜେଇ କରି କଥାଗୁରାକ କହିଲା ବା !’’

 

ରୂପ କହିଲା, ‘‘ତୁ ତ ହେଲୁ ବରୁଣେଇଁ ପରବତ ଗଣ୍ଡ ମୁରୁଖ, ତୁ ସେ କଥା କହିବୁ ନାଇଁ ଆଉ କ’ଣ ? କିରେ ସେ ପରା ଅମିନ ହୋଇଥିଲା ? ପଢ଼ା ନ ଥିଲା–ଖାଲି କ’ଣ ସେମିତି ତାକୁ ସରକାର କରିଦେଲା ?’’

Image

 

Unknown

ପରିଚ୍ଛେଦ ଦଶ

 

ଆସନ୍ତା ବଇଶାଖ ମାସରେ ସୁନାର ବାହାଘର–ଧାନ ଉଷୁଆଁ, ଧାନକୁଟା, ବିରିବଟା, ବଡ଼ିପରା- ହାରାବୋଉକୁ ତର କାଇଁ ?

ନେତ୍ରମଣି ଧରିବସିଲା, ‘‘ଆମ ଘରକୁ ଯିବି–ଭାଇକି ଖବର ଦିଅ ?’’

ଛକଡ଼ି ଆକାଶକୁ ଚାହିଁଲା- ଭିନେ ନ ହୋଇ ସେ ଆଉ କରିବ କ’ଣ ?

ଛକଡ଼ି ଶନିଆ ଭୋଇକି କହିଲା, ତା’ର ଅଲଗା ହୋଇ ମୁଗଖଳା ଚଞ୍ଛାହାବ । ଶନିଆ ଛମାସିଆ ଚାକର- ଛ ମାସ ବରଜୁ ପଧାନ ଘରେ କାମ କରେ, ଆଉ ଛ ମାସ ୟା’ଘରେ ତା’ଘରେ ଉପୁରି ମୂଲ ଲାଗେ । ସେ ଛକଡ଼ିଠଉଁ ଏ କଥା ଶୁଣି ତାଟକା ହୋଇ ଚାହିଁଲା ।

ଛକଡ଼ି କହିଲା, ‘‘କିରେ ବୁଝିପାରିଲୁ ନାହିଁକି ?’’

ଶନିଆ କହିଲା, ‘‘କ’ଣ ତେମେ କହୁଚ- ଅଲଗା ହୋଇ କାଇଁକି ଖରା ଚଞ୍ଛା ହବ ?’’

‘‘ଆରେ, ତୁ ସେଥିରୁ କ’ଣ ବୁଝିବୁ–ତତେ ଯାହା କହିଲି ତାହା କରିବୁ- ଅଦାବେପାରୀ କାଇଁକି ଜାହାଜ ମୂଲ କରିବାକୁ ଯିବ ?’’

ଶନିଆ କହିଲା, ‘‘ଏଁ, ଅଦାବେପାରୀ ? ଜାହାଜମୂଲ- ମୁଁ ଜମା କିଛି ବୁଝିପାରୁନାଇଁ । ଭିନେ ହବ ? କୋଉ ଭାଇଠଉଁ ହେ ? ଭିନେ ହବ–ବରଜୁ ପଧାନଠଉଁ ? ଲକ୍ଷେ ମଣିଷରେ ସୁନା ମୁଣ୍ଡାଟାଏ ।’’

‘‘ତତେ ଏତେ ଚାତୁରୀ ଖେଳିବାକୁ କିଏ କହୁଚିରେ ଶନିଆ ! ତତେ ତ ଯାହା କହିଲି ସେଇୟା କରିବୁ ।’’

‘‘ହଉ ହଉ ଆମେ ମୂଲିଆ ମୁଣ୍ଡ- ଆମର ଏତେ କଥାରେ କି ବିଶ୍‌ ଅଛି ?’’ ମନେ ମନେ ଭାବିଲା, ଏଇଟା ମଣିଷ ? ବରଜୁ ପଧାନ ଗୋଟାଏ ଭାଇ, ଆଉ ଗୋଟାଏ ଭାଇ !

ବରଜୁ କୁଆଡ଼େ ବଳଦ କିଣି ଦି’ଦିନ ହେଲା ଘରୁ ଯାଇଥିଲା, ଘରକୁ ଫେରି ସବୁ ଶୁଣିଲା । ମୁରୁକି ମୁରୁକି ହସି ହାରାବୋଉକୁ କହିଲା, ‘‘ହଉ, ହଉ ଭଲ କଥା- ଟୋକାଟାର ଟିକିଏ ଘରକରଣା ବୁଦ୍ଧି ହଉ । କ’ଣ କହୁଚ ?’’

‘‘ହଉ, ଭଲ ହେଲା, ସେଥିରେ ଆମର ମାରା କ’ଣ ?’’ ହାରାବୋଉ ବି ହସିଲା । ସେ ଆଉ କିଛି ବୁଝୁ ନ ବୁଝୁ ଏତିକି ଜାଣିଚି ଯେ, ବରଜୁ ଯାହା କରେ, ଖାରା କଥାଟି କରେ; ଯାହା କହେ, ଖାଣ୍ଟି କଥାଟି କହେ । ଆଉ ତେଣିକି ହାରାବୋଉ ନ ବୁଝିଲା ନାଇଁ- ସେ ତ ବରଜୁଠାରୁ କିଛି କେଉଁ କଥାରେ ଭିନ୍ନ ନୁହେଁ ।

ବରଜୁ ଯାଇ ଶନିଆକୁ କହିଲା, ‘‘କିରେ ଶନିଆ ଏ କେଉଁ ଜମି ମୁଗ ?’’

‘‘ଏ ପରା ମାଞ୍ଚମଣିଆ ଚକ ମୁଗ !’’

‘‘ଆଉ ମୁଗତକ ଶୁଖିଗଲାଣି ?’’

ସନିଆ କହିଲା, ‘‘ହଁ, କାଲିପରା ଉପାଡ଼ି ଆଣିମା–ତାକୁ ତମ ଖରାରେ ଗଦେଇବା ସିନା ?’’

‘‘ମୋ ଖଳା ଆଉ କ’ଣ, ଏ ଖଳା ଆଉ କାହାର କି ?’’ ବରଜୁ ମୁରୁକି ହସିଲା ।

ଶନିଆ କହିଲା, ‘‘ଏଁ, ଦେଖୁଚ ଚନ୍ଦନ ପୁଛୁଚ କାଠ ? –ଏ ପରା ଛକଡ଼ିଙ୍କର ଖରା, ଅଲଗା କରି ଚଞ୍ଛେଇଚନ୍ତି–ତାଙ୍କ ମୁଗ ଅଲଗା ରହିବ, ତମ ମୁଗ ଅଲଗା ରହିବ ।’’

‘‘ତା’ର ମୋର ଗୋଟାଏ କ’ଣରେ ଶନିଆ–ତା’ର ମୋ କଥା ହେଲେ ସବୁ ତା’ର, ମୋର କିଛି ନୁହେଁ- ଆଉ ମୁଗତକ ଉପାଡ଼ି ଆଣି, ସେଇ ଖଳାରେ ସଇ ମୁଗ ସାଙ୍ଗେ ମିଶେଇ କରି ରଖ ।’’

ଶନିଆ ଦେଖିଲା, ଏ ମଣିଷକୁ ଆଉ କ’ଣ କହିବ ! ପଚାରିଲା, ‘‘ସବୁ ମୁଗତକ ତେବେ ସେଇ ନେବେ ?’’

ବରଜୁ ହସି ହସି କହିଲା, ‘‘ହଁରେ–ଆଉ ସେଇ ନବନି ତ କିଏ ନବ ? ମୁଁ ନଉଥିଲି, ନ ହେଲେ ସେଇ ନବ–ଆଉ କିଏ ନବ ?’’

ଶନିଆ ବକ ବକ କରି ଚାହିଁଲା, ‘‘ଆଉ ବଣ୍ଟରା ହବ ନାଇଁ ?’’

ବରଜୁ କହିଲା, ‘‘ଆରେ ବୋକା, ବଣ୍ଟରା କେଉଁଦିନ ହଉଥିଲା ଦେଖିଥିଲୁ ? ମୁଁ ନେଲେ ତ ସେ ନେଲା ପରି ହଉଥିଲା, ସେ ନେଲେ ମୁଁ ନେଲା ପରି କାଇଁକି ନ ହବ ?’’

ଶନିଆ କିଛି ବୁଝିଲା ନାଇଁ–ମୁଗଯାକ ଆଣି ଏକାଠେଇ ଗଦେଇଲା ।

ଛକଡ଼ି କହିଲା, ‘‘କିରେ ଶନିଆ, ଏ କ’ଣ ହେଲା ? ସବୁ ମୁଗ କାଇଁକି ଏକାଠେଇଁ ଗଦେଇଲୁ ?’’

‘‘ବରଜୁ କହିଲେ, ସବୁ ପରା ତମେ ଏକା ନବ !’’

ଛକଡ଼ିର ମନ ଚିଡ଼ିଗଲା, ‘‘ଏଁ- କ’ଣ ହେଲା ?’’

 

‘‘ସେଇ ହୋ, ତମ ବଡ଼ ଭାଇ- ସେଇ ପରା କହିଲେ, ସବୁ ମୁଗତକ ତମେ ଏକା ନବ-!’’

 

ଏମିତି କଥାରେ କୋଉ ଋଷି ଭଲା ବାଳ ଛିଣ୍ଡେଇ ନ ମରିବ ? ଛକଡ଼ି ବିଚାରିଥିଲା, ସହଜରେ ଭିନେ ହୋଇଯିବ–ଏ ପୁଣି କି ଗୋଳମାଳ ! ନେତ୍ରମଣି ସବୁ ଶୁଣିସାରି କହିଲା, ‘‘ଭଲ କଥା, ସେ କେତେ ଭଲେଇ ହଉଥିବେ ହୁଅନ୍ତୁ, ଆମର ସବୁ ମୁଗତକ ଘେନିଆସି ବିକିଦିଅ !

 

ହରି ମିଶ୍ରେ କହିଲେ, ‘‘ଆରେ ହଁ ମ–ବିଲେଇ କପାଳକୁ ଶିକା ଛିଡ଼ିଚି–ଏ କଥା ଛାଡ଼ିବାର ପାଏ !’’

 

ଛକଡ଼ି କହିଲା, ‘‘କକେଇ, ଏମିତି ସେ ତ ସବୁ କଥାରେ କହିବେ–ଏଣେ ଝିଅ ବାହାଘର ପୁଅ ବାହାଘର ଲାଗିଥିବ ।’’

 

ମିଶ୍ରେ ଆଖିମିଟିକା ମାରି କହିଲେ, ‘‘ଅସଲ ଗୁମର ତ ସେଇଠଇଁ–ତତେ କୋଉ କଥା ଅଛପା ଯେ ତୁ ତ କଂସାରି ଘରର ପାରା ।’’

ମିଶ୍ରଙ୍କ ପ୍ରଶଂସା ଶୁଣି ଛାତି କୁଣ୍ଢେ ମୋଟ ହୋଇଗଲା, ‘‘କଥାଟା କ’ଣ ମୁଁ ବୁଝି ଦେବିନି କକେଇ–ସେ ମାଇପିଟା ସିନା ସବୁବେଳେ ମତେ କହିଲା, ଓଲୁ !’’

ମିଶ୍ରେ କହିଲେ, ‘‘ଆରେ ତୁ ତ ଓଲୁ ହବୁ, ତେବେ ସିଆଣା କି, ସେ ?’’

ଛକଡ଼ି କହିଲା, ‘‘ମୁଗ ତ ସରିଲା, ଆଉ କ’ଣ କରିବି ଜାଣ ?’’

‘‘ଆଉ, ଗୁଡ଼ ।’’

‘‘ଭଲ କହିଚ କକେଇ–ଆପଣଙ୍କ କତିରୁ ଫେର୍‌ ବଳିଯିବ କିଏ–କୋଉ କଥା ନ ଜାଣ ଯେ ? ହଁ କକେଇ, ଗୁଡ଼ କଥାପରା କହୁଥିଲି–ଦଶ ବାର ଖଣ୍ଡ ଗୁଡ଼ରୁ ମୋଟେ ଦି’ଖଣ୍ଡ ମିଳିଲା ଦୋକାନକୁ । ଆଉ ସବୁ ନେଇ ଘରେ ପୂରେଇଲେ, ଘରଖର୍ଚ୍ଚ କଲେ, ଚାରି ଛ’ଖଣ୍ଡ ବିକିରି କଲେ–ଆଉ କ’ଣ ଦି’ଖଣ୍ଡ ନା କେତେ ଘରେ ରଖିଛନ୍ତି ପରା, ବାହାଘର ଖର୍ଚ୍ଚକୁ ।’’

‘‘ଆରେ, ତତେ ବତେଇ ନ ଦେଲେ ହବନି–ବାର ଖଣ୍ଡ ଗୁଡ଼ରୁ ଛ ଖଣ୍ଡ ତୋ ହିସାରେ ହେଲା; ତୁ ଦି’ଖଣ୍ଡ ପାଇଚୁ–ଆଉ ଚାରିଖଣ୍ଡ ତୋର ତ ଫାବିଲା । ସେ ଘରେ ଥିଲେ କେତେ, ‘ବାହାରେ ଥିଲେ କେତେ, ସେ ତ ତୋ ଗୁଡ଼ ।’’

‘‘ହଁ କକେଇ, ମତେ ସେ ମାଇପିଟା ପରା କେତେ ଲଗେଇଲାଣି- ବାକି ଯାହା ଗୁଡ଼ ଅଛି, ସବୁ ଘେନିଆସି ଆମ ଶୋଇଲାଘରେ ରଖିଦିଅ- ମଝିଘରେ କାଇଁକି ଆମ ଗୁଡ଼ ଥୁଆହବ ?’’

‘‘ଆରେ, ସେ ପରା ଥିବା ଲୋକର ଝିଅଟା–ଯାହା କହିବ, ଘରକରଣା କଥା କହିବ ନା-!’’

 

ଛକଡ଼ି ମଝିଘରୁ ତିନିଟା ଗୁଡ଼ ଆଣି ନିଜ ଶୋଇଲା ଘରେ ଥୋଇଲା । ହାରାବୋଉ ପାଟି ଫିଟେଇଲା ନାଇଁ, ଖାଲି ଛକଡ଼ିଠଉଁ ଶୁଣିଲା, ‘‘ବାହାଘରକୁ ଆଉ ଗୁଡ଼ କିଣିଆଣ–ଏ ଗୁଡ଼ ମୋ ଦୋକାନକୁ ଯିବ ।’’

 

ବରଜୁ ଘରକୁ ଆସିବାରୁ ହାରାବୋଉ କହିଲା, ‘‘ଏ କ’ଣ ମ, ସବୁ ଗୁଡ଼ଗୁଡ଼ାକ ତ କାଇଁକି ଛକଡ଼ି ନେଇଗଲେ !’’

 

ବରଜୁ ମୁହଁରେ ଆଜିକାଲି ଖାଲି ମୁରୁକି ହସ–ସବୁବେଳେ ବେତା ପରି ସେ ଭରଣିକିଆ ମୁହଁଟାରେ ଏ ହସ ମୋଟେ ସୁନ୍ଦର ଦିଶେ ନାହିଁ । ସେ କହିଲା, ‘‘ବାହାଘରକୁ ପରା ଆଉ ଗୁଡ଼ କିଣା ହବ, ସେଥିପାଇଁ ସେ ନେଇଗଲା !’’

 

‘‘ଏ କୁଆଡ଼ କଥା ମ–କିଣା ହବ କାଇଁକି ?’’

 

‘‘କିଣା ନ ହେଲେ ବାହାଘର ହବ କେମିତି ?’’ ହାରାବୋଉ ତୁନି ହେଲା । ଏ କଥାରେ ଆଉ କ’ଣ ସେ କଥା କହିବ ?

 

ଶନିଆ ଭୋଇ କହିଲା, ‘‘ଆଉ ହବନି, ଆଉ ହବନି - ରାତି ଅଧରେ ବିଲୁଆ ହୁଡ଼େଇଲା କିଏ – ପାଣି ବୋହିଲା କିଏ – କମେଇଲା କିଏ – ଗୁଡ଼ ଖାଇଲା ବେଳକୁ ଖାଇଲା କିଏ ।’’

 

ନେତରା ଓଝା କହିଲା, ‘‘ଆରେ ମଣିଷ ହୋଇଥିଲେ ସେ ଏ କଥା କରନ୍ତା ? କୋଉ ଭାଇଠଉଁ ମଣିଷ ଭିନେ ହୁଏରେ ? ଖାଲି ପର ଶିଖାରେ ଡେଉଁଚି ନା, ତା’ର କ’ଣ ବୁଦ୍ଧି ଅଛି ?’’

 

ଶନିଆ କହିଲା, ‘‘ବୁଦ୍ଧି ଥିଲେ ଏ କଥା ଭଲା କିଏ କରେ ? ସେ ତ ଗୋଟାଏ ମଣିଷ, ଯାହା ନ କମେଇଲେ ନ ହୁଏ – ଯାହା ତ କମେଇଲା ସେଇ ଘରେ ସବୁ ପଶିଲା – ସମସ୍ତିଙ୍କ ଖରଚ କ’ଣ ସେଥିରୁ ହେଲା ନାଇଁ ? ସେଥିରେ ତ ଫେର ତୋ ଦୋକାନ ଘରକୁ ଦି’ଖଣ୍ଡ ଦେଲା, ସେଥିରୁ କ’ଣ ପଇସାଟିଏ ମାଗିଲା ? ବାହାଘରକୁ ଦି’ଖଣ୍ଡ ବୋଲି ଗୁଡ଼ ଅଖିଚି ଯେ, ତାକୁ ଘିନି ପରେଇଚୁ–ତୁ ଆଣ୍ଠୁକୁରା ହେଲୁ କ’ଣ ସମସ୍ତେ ସେଇଆ ହେବେ ? ଏଡ଼ିକି ହୀନବୁଦ୍ଧି !’’

 

ଘରେ ଯାହାକିଛି ଘଟଣା ଘଟୁଚି ଘଟୁ–ଖାଲି ବାହାରକୁ ନ ଯାଉ–ବରଜୁର ଏହା ଭାରି ଇଚ୍ଛା । ବାହାର ବୁଦ୍ଧିରେ ଯେ ଘରଟା ଭାଙ୍ଗିବା ଉପରେ ବସିଲାଣି, ସିଆଡ଼କୁ ତା’ର ଖିଆଲ ନାହିଁ । ସେ ଦମ୍ଭ ହୋଇ ବସିଛି, ସେ ନ ଭାଙ୍ଗିଲେ ଘର ଭାଙ୍ଗିବ, କାହାର ସାଧ୍ୟ ! ଗାଁ ଗୋଟାକୁ ଗୋଟାଏ ଘର ସେ କରିବାକୁ ଯାଉଛି–ଗାଁ ଗୋଟାକର ସମସ୍ତଙ୍କୁ ସମସ୍ତଙ୍କର ଭାଇ କରିଦେବାକୁ ସେ ଲାଗିଛି-। ଏଣେ ପୁଣି ନିଜ ଘର ଭିତରେ ଦି’ଭାଇ ଭିନେ ହେବେ–ଅସମ୍ଭବ ! ବାପ କହିଛି ଘର ମଝିରେ ପାଚିରି ନ ଉଠେ, କି ବିଲ ମଝିରେ ହିଡ଼ ନ ପଡ଼େ । ବରଜୁ ପଧାନ ଏତିକି କଥା କରିପାରିବ ନାହିଁ-? ଦେଖାଯାଉ–ଏ ଜୀବ ଥିଲେ କେତେ, ଗଲେ କେତେ !

 

କାଲି ସଞ୍ଜବେଳେ ପରା ଗାଁ ଗୋଟାକର ସମସ୍ତେ ମଙ୍ଗଳାଙ୍କ ପାଦୁକ ଦିଆଦେଇ ହେଇ ଚଷା, ବାଉରି, ଗୁଡ଼ିଆ, ଭଣ୍ଡାରି ଭାଇ ଭାଇ ଡକାଡକି ହୋଇଛନ୍ତି । ଆଜି ବରଜୁ ଛକଡ଼ି ଏକ ରକତ, ଗୋଟାଏ ମା’ ଗୋଟାଏ ବାପାଠୁଁ ଜନମ ହୋଇ ଭିନେ ହେବେ ! କାଲି ଯେତେବେଳେ ଚନ୍ଦରା, ଜଗୁଆ କହିବେ, ବରଜୁଆ ଭାଇର ଘର ଭିତରେ ତ ମେଳ ରହୁ ନାଇଁ–ଏକା ପେଟରୁ ଜନମ ହୋଇ ଏକାଠେଇଁ ବଢ଼ି ତ ଭାଇ ଭାଇ ଭିନେ ହୋଇ ଯାଉଚନ୍ତି–ଆଉ, ଗାଁ ଗୋଟାକର ସମସ୍ତେ କେମିତି ଭାଇ ହେବେ–ଜଣେ ବାଧକା ହୋଇ ପଡ଼ିଲେ- ଆଉ ଜଣେ ତା’ ଘରେ ବସି ଗୋଡ଼ ଆଉଁସି ଦେବ କେମିତି ? ବରଜୁ ପଧାନ ବଞ୍ଚି ଥାଉଁ ଥାଉଁ ଏ କଥା ଶୁଣିବ ? ତେବେ ସେ ଆଉ ନ ମରି ଜୀଇଁବ କାହିଁକି ?

 

କାଉଁରିଆ କାଠି ଭାଙ୍ଗିଯିବ ପଛେ ନଇଁବ ନାହିଁ–ବରଜୁ ପଧାନ ଗୋଟାଏ ବାପର ପୁଅ-। ହାରା ଯେମିତି ବାହା ହୋଇଯାଇଛି, ସୁନା ସେମିତି ହେବ, ମୋତି ସେମିତି ହବ । ହାରା ବାହାଘରକୁ ସେ କେଉଁଠୁ ଗୁଡ଼ାଏ ଧାର ଉଧାର କରଜ କରି ପକେଇଚି, ନା ଘରେ କେଉଁଠି ପୋତି ରଖିଥିଲା, କାଢ଼ିଲା ? ସେଇ ଘରୁ ତ ସେମିତି ସେମିତି ହୋଇଗଲା ! ସୁନା ମୋତିଙ୍କ ପାଇଁ ଡର କାହିଁକି ? ତାଙ୍କୁ ଯେ ଜନମ ଦେଲା, ସେ ତ କୁହା ନାହିଁ, ବୋଲା ନାହିଁ, ସବା ଆଗରୁ ମା’ ଥନରେ ଦୁଧ ରଖିଦେଲା, ସେଇ କ’ଣ ଆଉସବୁ କଥା ଚଳେଇବନି ? –ବରଜୁଆର ଏତେ ଭାବନା କାହିଁକି-?

 

‘‘କରି କରାଉଥାଏଁ ମୁହିଁ,

ମୋ ବିନା ଆନ ଗତି ନାହିଁ ।’’

 

କରିବ ଯେବେ ସେଇ, କରେଇବ ଯେବେ ସେଇ–ବରଜୁଆର ଏତେ ଭାଳେଣି ପଡ଼ିଚି କାହିଁକି ? ପ୍ରଧାନ ବୁଢ଼ା ମରିବାବେଳେ ଆକାଶକୁ ହାତ ଟେକି ଦେଇ କହିଗଲା, ତମ ପାଇଁ ଧର୍ମ ରଖି ଦେଇଗଲି । ବୁଢ଼ା କେଉଁଠି ଧର୍ମ ରଖି ଦେଇଗଲା ? ବରଜୁଠେଇଁ ନା ଛକଡ଼ି ଠେଇଁ, ନା ଆଉ କେଉଁ ଠେଇଁ ? ଯେଉଁଠି ରଖୁ, ଧର୍ମ ତ ସମସ୍ତଙ୍କ ପାଇଁ । ସକଳ ଘଟରେ ସେ ପୂରି ଅଛନ୍ତି । ବରଜୁ ଡରୁଛି କାହାକୁ ?–ଡରନ୍ତି ଯେତେକ ନାସ୍ତିକ । ବରଜୁ ପାଇଁ ତ ଧର୍ମ ଅଛି–ଗଛପତ୍ର, ନଈପାହାଡ଼, ବଣଜଙ୍ଗଲ ସବୁ ଜାଗାରେ । ମଣିଷ ଗହଳରେ, ଗାଁ ସହରରେ ଯେଉଁ ଧର୍ମ–ଯେଉଠିଁ ମଣିଷ ନାହିଁ; ଜୀବଜନ୍ତୁ ନାହିଁ, ସେଠି ବି କେହି ଧର୍ମ । ବରଜୁ ତେବେ ଆଉ ଡରୁଛି କାହାକୁ ? ମଣିଷ ବିଲାଟାଏ ଧ୍ରୁବ–କୋଉଥିପାଇଁ ବଣଜଙ୍ଗଲ ମାନିଲା ନାହିଁ, ବାଘଭାଲୁ ମାନିଲା ନାହିଁ ? ବରଜୁ ଘର ଭିତରେ ମୁଣ୍ଡିଆଟିଏ ମାରି ଡାକିଲା, ‘‘ହେ ଧର୍ମ, ମତେ ବଳ ଦିଅ, ସାହସ ଦିଅ–ଯେଉଁଠି ଅଧର୍ମ, ଯାଉଁଠି ପାପ, ସେଠି ମୁଁ ଛାତି ପତେଇ ଦିଏଁ, ଜୀବଳ ଢାଳି ଦିଏଁ–ମୋ ହାଡ଼ରେ ଅସ୍ତ୍ର ତିଆରି ହେଉ, ଅଧର୍ମ ପାପକୁ କ୍ଷୟ କରିବା ପାଇଁ !’’

 

ସୁନାର ବାହାଘର ହୋଇଗଲା .... ସାନବୋହୂ ପାଇଁ ଭଲ ଶାଢ଼ୀ କିଣା ହୋଇ ଆସିଲା–ତେବେ ତା’ ମନ ବୁଝିଲା ନାହିଁ–‘‘ହଁ, ବାହାଘର ଉପରେ ତ ବାହାଘର କରି ଘର ଗୋଟାକ ଖାଲି କରିସାରିଲେଣି । ଆଉ ଖାଲି ବୁଝେଇବାକୁ ଆଣିଛନ୍ତି ଶାଢ଼ୀ ଖଣ୍ଡେ ! କେତେ ଶାଢ଼ୀ ଦେଖିଚି–ରଖିଥାଅ ତମ ଶାଢ଼ୀ !’’

 

କେତେ କାଳ ଧରି ମଣିଷ ଜାତିର ସୁଅ ବହିଯାଉଛି । ମଣିଷ ଉପରେ ମଣିଷ ମାଡ଼ି କୁଦି ଦଳି ଚାଲିଯାଉଛି । ଗୋଡ଼ ତଳରୁ ଦରମଲା ମଣିଷର ମଲି ମଲି ଡାକ ତା’ କାନକୁ ଶୁଭୁନାହିଁ-। ସେ ଏହି ସୁଅରେ ଭାସି ଚାଲିଛି, ଦଣ୍ଡେ ହେଲେ ଅଟକି ଠିଆହେଉ ନାହିଁ–କିଏ ଡାକୁଛି ଟିକିଏ ଖାଲି ଶୁଣିବା ! ଢେଉ ପରେ ଢେଉ ଆସୁଛି, କିଏ ବୁଡ଼ୁଛି, କିଏ ଭାସୁଛି–କାହାରି ଖବର କେହି ରଖୁନାହିଁ ! ମଣିଷ ଆଜିଯାଏ ନିଜର ଭାଇ, ବନ୍ଧୁ, କୁଟୁମ୍ୱ, ପଡ଼ିଶାଙ୍କର ରକତ ପିଇବାରୁ ନିବର୍ତ୍ତିଲା ନାହିଁ !

 

ଆଉ କେଉଁଦିନ ସେ ସଭ୍ୟ ହବ ? ବଣଜଙ୍ଗଲ ବଦଳିଯାଇ ଘର କୋଠାବାଡ଼ି ହୋଇଗଲା । ମଣିଷ- ପ୍ରକୃତି ଯାହା ଥିଲା, ସେଇତା ରହିଲା–ବାଦ, ଛିଦ୍ର, ଅହଙ୍କାର ! ସୂର୍ଯ୍ୟ ଚାରିପାଖେ ପୃଥିବୀ ବୁଲୁଛି–ଦିନରାତି ମାସ ବର୍ଷ ତିଆରି କରୁଛି । ମଣିଷ ଜାତିର ସୁଅ ଏକା ଗତିରେ ବହି ଚାଲିଛି କେତେ ଯୁଗ ଯୁଗ ଧରି । କେତେ ବାଦ, ଛିଦ୍ର, ଅହଙ୍କର, କେତେ ଯୁଦ୍ଧ ମହାଯୁଦ୍ଧ, ରାଜା ମହାରାଜା କାହିଁ କୁଆଡ଼େ ଗଲେଣି–ସତ୍ୟ, ଦ୍ୱାପର, କଳି ! ଏ କାଳ ଗତିରେ କାହାର ଥାନ କେତେ ରହିଛି, ତା’ର ହିସାବ କିଏ କରିବ ! ବରଜୁ ପଧାନ ! ବରଜୁ ପଧାନ ଏହା ଭିତରେ କେଉଁଠି ? ସେ ଏହି ସୁଅ ଭିତରର କୁଟାଖଣ୍ଡେ; କେତେ ଭଉଁରୀ, ଫେଣ ଫୋଟକା ସେ ଡେଇଁ ଡେଇଁ ଚାଲିଯାଉଥିଲା–ହଠାତ୍‌ ମଝିରେ ଅଟକିଯାଇଛି । ରହ ରହ–କିଏ ଡାକୁଛି–କିଏ ଚିତ୍କାର କରୁଛି, ଏ ତ ମଣିଷ ପାଟି !

 

ମଣିଷ ! ମଣିଷ ! ହାଇରେ ମଣିଷ ! ପୃଥିବୀ ତତେ ଅଣ୍ଟୁ ନାହିଁ, ଆକାଶ ଅଣ୍ଟୁ ନାହିଁ, ସମୁଦ୍ର ଅଣ୍ଟୁ ନାହିଁ–ସେଥିରେ ପୁଣି ଏ କ’ଣ କରୁଛୁ ? ତୋରି ଭାଇ, ତୋରି ଜାତି, ତୋରି କୁଟୁମ୍ୱ- ତାଙ୍କରି ଉପରେ ଦଳିକୁଦି ଚାଲିଯାଉଛୁ ?–କିଏ ରୋଗରେ ପଡ଼ି ଡକାପାରୁଛି ଓଷଧ ଟିକିଏ ଦେବାକୁ କେହି ନାହିଁ, କା ହାତରେ ଧନ ନାହିଁ–କିଏ ଓଳିଏ ଖାଇ ତିନି ଓଳି ଉପାସ ଶୋଉଛି–କୋଡ଼ ପିଲାଟିକି ଦେବାପାଇଁ କେଉଁ ମା’ ଥନରେ ଦୁଧ ନାହିଁ–କାହା ପିଠିରେ ପାହାର ବସିଛି, ତେଲ ଟିକିଏ ଘଷିବା ପାଇଁ ଅଧଲାଟିଏ ନାହିଁ–ମଣିଷଜାତି ! ଦଣ୍ଡେ ହେଲେ ଅଟକି ଯା ! କେତେ ମଣିଷ ଗଲେଣି, ରାଜା ମହାରାଜା ଗଲେଣି–ତୁ ଟିକିଏ ଅଟକି ଯା । ଶୁଣୁ ହେଲା କିଏ ଡାକୁଛି- ମଣିଷ ପାଟି ନା ?

 

ବରଜୁ ପଧାନ ଏ ମଣିଷ ସୁଅ ଭିତରେ ଅଟକି ଯାଇଛି । ସେ ଡାକ ଶୁଣୁଛି–ରୋଗୀ ଦରମଲା, ମାଡ଼ୁଆ, ଉପାସିଆଙ୍କର । ସେ ଆଉ ଡରିବ କାହାକୁ ? ଦୁଆରେ ଦୁଆରେ ଭିକ ମାଗିବ ମାଡ଼ଖାଇ ମରିଯିବ । ବରଜୁ ପଧାନ ମରଣକୁ ଡରିବ ? କେଉଁ ଜୀବନ ତା’ର–ମରିଗଲେ କିଏ କାନ୍ଦୁଛି, କିଏ ଲୋଡ଼ୁଛି ! କୋଟି କୋଟି ଲୋକ ତ ମରୁଚନ୍ତି ରୋଗରେ, ଉପାସରେ, ପାଣି ଟିକିଏ ମିଳୁ ନାହିଁ–ଗୋରୁ ପରି ମାଡ଼ ଖାଉଛନ୍ତି କେତେ ହରି ମିଶ୍ରଙ୍କଠଉଁ- ଡାକିଲେ ବୋବେଇଲେ କେହି ଶୁଣୁ ନାହିଁ–ଜନମଠଉଁ ମଲାଯାଏ–ଅଜଣା ଅଶୁଣା !

 

ବରଜୁ ପଧାନ ତାଙ୍କରି ଭିତରୁ ଜଣେ ହୋଇ ମରିବ–ହେ ଧର୍ମ ! ତୁମେ ସଂସାରକୁ ଧରି ରଖିଚ; ତୁମେ ପାଖରେ ରାଜା ମହାରାଜା ଯେମିତି, ଦୁଃଖୀରଙ୍କୀ ସେମିତି–ସଂସାରରେ ଯାହାର ଧନ ଅଛି, ବଳ ଅଛି, ଶକ୍ତି ଅଛି, ତାଙ୍କୁ ତୁମେ ଭଲ ବୁଦ୍ଧି ଦିଅ, ଭଲ କଥା ଶିଖାଅ- ଦୁଃଖୀ ଦୁବର୍ଳଙ୍କ ପାଇଁ ତାଙ୍କ ପିଣ୍ଡରେ ଦୟା ବସୁ । ଧରମା ବାଉରି ! ତାକୁ ଏ ବୁଦ୍ଧି ଦେଲା କିଏ ? ସେ ମାଡ଼ ଖାଇ ମରିଗଲାଣି, ସେ ଆଉ ମଣିଷ ହୋଇନାହିଁ–ମରିସାରି ପ୍ରେତ ପାଲଟି ଗଲାଣି । କେତେ ଧରମା ଏଇମିତି ଜୀଅନ୍ତା ଦିହରେ ପ୍ରେତ ହୋଇଯାଉଛନ୍ତି । ହେ ଧର୍ମ ! ହେ ସତ୍ୟ ! ତାଙ୍କୁ ତୁମେ ମଣିଷ କର, ଭଲ ବୁଦ୍ଧି ଶିଖାଅ । ବଡ଼ ଛୋଟକୁ ଭଲ ଆଖିରେ ଦେଖୁ–ମଣିଷକୁ ମଣିଷ ବୋଲି ଚିହ୍ନୁ, ସ୍ନେହ ଶ୍ରଦ୍ଧା କରୁ । ଛୋଟ ବଡ଼କୁ ହିସା ଆଖିରେ ନ ଦେଖୁ–ସେ ବଡ଼ ହେଲା ବୋଳି ତା’ର ଅମଙ୍ଗଳ ନ ପାଞ୍ଚୁ ବରଜୁର ଆଖି ଛଳ ଛଳ ହୋଇଗଲା ।

 

‘‘ବରଜୁଆ ଭାଇ–ବରଜୁଆ ଭାଇ !’’ ବରଜୁ ଧଡ଼ପଡ଼ ହୋଇ ଦୁଆରମୁହଁକୁ ଗଲା । ‘‘କିରେ ନିତେଇ, ଏତେବେଳେ କୁଆଡ଼େ ?’’

 

ନିତେଇ ମହାରଣା ଦିହଯାକ ଧୂଳିରେ ଧୂସର ହୋଇଛି–ମୁଣ୍ଡଠାରୁ ଗୋଡ଼ଯାଏ ଯେମିତି ଭସ୍ମ ବୋଳି ହୋଇଛି ସେ ।

 

ନିତେଇ ମହାରଣା ଭୋ ଭୋ ଡକାପାରି କହିଲା, ‘‘ବରଜୁଆ ଭାଇ, ମୋ କଥା ସରିଗଲା- ପିଲାଏ ମୋର ଦାଣ୍ଡରେ ବସିଲେ- କାଠ କାଟିଲେ ତ ପେଟ ପୋଷେଁ, ମୁଁ ପଚାଶ ଟଙ୍କା କୋଉଠୁ ଆଣିବିରେ ଭାଇ ! ପିଲାଏ ମୋର ଅଥାତା ହେଲେ ସିନା !’’

 

ବରଜୁ କହିଲା, ‘‘କାଇଁକି ସେମିତି ହଉଚୁରେ ନିତେଇ ! କ’ଣ ହେଇଚି ?’’

 

ନିତେଇ ବସିପଡ଼ି ମୁଣ୍ଡରେ ହାତ ଦେଇ କହିଲା, ‘‘ଝିଅ ବାହାଘରକୁ ଜାତିଭାଇଙ୍କୁ ଖାଇବାକୁ ଦେବି ବୋଲି ଦଶୁଟା ଟଙ୍କା ଆଣି କୋଡ଼ିଏ ଟଙ୍କା ଶୁଝିଲିଣି–କାଗଜଖଣ୍ଡ ଦେବାକୁ ମାଗିଲାରୁ ଆଜି କହିଲାଣି, ପଚାଶ ଟଙ୍କା ! ମୁଁ କହିଲି, ‘ମୁଁ ତ ଗରିବ ଲୋକ, କୁଆଡ଼ୁ ଏତେ ଟଙ୍କା ଆଣିବି, କୋଉ ବୋପା ତୋ ପାଇଁ ଦବ ଦଉନି ।’ ଏ କଥା ଶୁଣି ତ ମୋର ହଲକ ଶୁଖିଗଲାରେ ଭାଇ ! ପେଟରୁ ତ ଆମ୍ବନାଡ଼ା ଉଠିଲା ! ମୋ ପିଲାଏ ସିନା ଅଥାତା ହେଲେ ! ପେଜପାଣି ଦେଇ ବଞ୍ଚେଇଥିଲି–କାଲି ସକାଳେ ଦାଣ୍ଡରେ ବସିବେ । ପିଲାଟାକୁ ତ ତିନିମାସ ହେଲା କଫ ସରଦି ଘୋଟିଚି ଯେ ପଇସାଟିଏ ପାଉନାଇଁ ଓଷଦ ଟିକିଏ ଦବାକୁ–ପଚାଶ ଟଙ୍କା ମୁଁ କାହୁଁ ପାଇବି ?’’ ନିତେଇ ମହାରଣା ଭୋ ଭୋ ଡକାପାରିଲା ।

 

ବରଜୁ କହିଲା, ‘‘କାହା ଟଙ୍କ ରେ ନିତେଇ–ମିଶ୍ରଙ୍କ ଘର ଟଙ୍କା ? କାହିଁକି, ତୁ ଯୋଉଦିନ ଯାହା ଦେଇଚୁ, ସବୁ କଥା କହିଲୁ ନାଇଁ ?’’

 

‘‘ଆଉ କହିବି କ’ଣରେ ଭାଇ, ଧୂଳିରେ ଗଡ଼ି ଗଡ଼ି ତ ମୁଣ୍ଡରୁ ବାଳ ଛିଡ଼ିଗଲା, କାହିଁରେ ହେଲା ନାଇଁ–ଯା ଯା, ଗାଁଯାକ ବସି କୁମଟ କରିଚ ପରା, ଗାଁବାଲା ତତେ ଦେବେ ନାଇଁ ?’’

 

‘‘ହଉ ନିତେଇ, ଥୟ ଧର, ଏମିତି କ’ଣ ଖାଲି ଅନ୍ୟାୟରେ ସବୁ କଥା ହବ ?’’

 

‘‘ବରଜୁଆ ଭାଇ, ମୁଁ ତ ଭାସିଲିଣି–ମୋର ଆଉ କିଏ ଅଛି ? ଯେ ଉପରେ ଯାଉଚି ଆସୁଚି, ଦିନରାତି କରୁଚି, ସେଇ ବୁଝିବ ।’’

 

ବରଜୁର ଆଖି ଛଳ ଛଳ ହୋଇଗଲା । ତା’ ଓଠ ଥରି ଉଠିଲା । ‘‘ସେଇ ସବୁ କରୁଚିରେ ନିତେଇ, ଉପରେ ତଳେ–ସେଇ ଯାଉଚି ଆସୁଚି ଦିନରାତି କରୁଚି–ଦେଖୁଚି, ସବୁ କରୁଚି । ତା’ଛଡ଼ା ଆଉ ତୋ କଥା କିଏ ବୁଝିବରେ ନିତେଇ ?’’ ବରଜୁ ପଧାନର ଲୁହ ଚାରିଟୋପା ଗଡ଼ି ପଡ଼ିଲା–ବରଜୁ ପଧାନ ବୁଝିବ ! ହାତରେ ଖଡ଼ା ଯାହାର ସିଝିବ ନାହିଁ ! ନିତେଇ ମହାରଣାକୁ ଯେ କରିଛି, ହରି ମିଶ୍ରକୁ ଯେ କରିଛି, ସେଇ ସବୁ କଥା ବୁଝିବ !

 

‘‘କରି କରାଉଥାଏଁ ମୁହିଁ

ମୋ ବିନୁ ଆନ ଗତି ନାହିଁ ।’’

Image

 

ପରିଚ୍ଛେଦ ଏଗାର

 

ସୁନାର ବାହାଘର ହୋଇଗଲା, ନେତ୍ରମଣି ଶାଢ଼ୀ ପିନ୍ଧିଲା ନାହିଁ । ବରଜୁ ପଧାନ ମୁଗ କିଣିଲା, ଗୁଡ଼ କିଣିଲା, ବାହାଘର କଲା–ଛକଡ଼ି ଗୁଡ଼ ବିକିଲା ମୁଗ ବିକିଲା- ନେତ୍ରମଣିର କଣ୍ଠୀ ଗଢ଼ା ହେଲା, ଗୋଠ ତିଆରି ହେଲା ।

 

ଛକଡ଼ି କହିଲା, ‘‘କକେଇ, ମୁଁ ଯୋଉଁ କଥା କରୁଚି, ଭାଇ ତ କାହିଁରେ ଉଁ ଚୁଁ ହଉ ନାଇଁ–ମୁଗ ବିକିଲି, ଗୁଡ଼ ବିକିଲି, ସବୁ ନେଲି, ଖରଚ କଲି–କୋଉ କଥାରେ ଭାଇ କ’ଣ, ଭାଉଜ କ’ଣ, କେହି ପଦେ ହେଲେ ପାଟି ଫିଟେଇଲେ ନାହିଁ । ଏଥିରେ ସେ ମାଇପିଟା ସବୁବେଳେ ଲଗେଇଚି, ଆମର ଅଲଗା କରି ହାଣ୍ଡି କରିବା–ପଲେ ପିଲାଝିଲା- ସମସ୍ତଙ୍କର ବାହା କରିବେ, ଚୋରା କରିବେ, ସବୁକଥାରେ ତୁନି ହେଇ ରହିବେ ନାଇଁ ତ ଆଉ କ’ଣ ? ତୁନିହେଇ ରହିଗଲେ ତ ତାଙ୍କରି ଲାଭ । ଫେର ତ ମୋତି ବାହା ହବ–ଯେ ପୁଣି ବାହା ହେଇ ଗଲେଣି, ତାଙ୍କ ଘରକୁ ତ ମାସକୁ ମାସ କେତେ କ’ଣ ବୁହାଲାଗିଚି–ସାନ ଟୋକାଟା ପାଇଁ ଫେର ନିତି ଅଧ କଂସାଏ ଦୁଧ ଲାଗୁଆ ହେଇଚି । ଯେତେ ହେଲେ କକେଇ, ମୋ ମନୁଟା କାଇଁକି ସବୁବେଳେ ଗୁଇଁ ଗୁଇଁ ହଉଚି–ଭାଇ ହେଲେ କୋଉ କଥାରେ କିଛି କହନ୍ତା ! ଆଗେ ତ ହେଲେ ଭାଉଜ ସବୁବେଳେ ଝଟାପଟା ଲଗାଉଥିଲା, ଏବେ ସେ ମାଇପିଟା ବି କେମିତି ଚୁପ୍‌ ହୋଇ ରହିଚି–କାବ୍‌ବା କଥା ! ମୁଁ ଗୋଟାଏ ମଣିଷ, କେତେ କଣ୍ଟା ବାଡ଼ରେ ଲୁଗା ପକେଇ କଳି କରିବି ? ଦାଣ୍ଡରେ ଲୋକେ ମତେ କ’ଣ କହିବେ ! ସେ କହିଲା, ‘ଆମକୁ ଦାଣ୍ଡରେ ଲୋକେ ମନ୍ଦ କହିଲେ କହନ୍ତୁ । ଲୋକେ ଭଲ କହିବେ, ମନ୍ଦ କହିବେ–କିଏ କାହା ଘରେ ଆରି ପୂରେଇ ଦେବେ କି ?’’

 

ମିଶ୍ରେ କହିଲେ, ‘‘କିରେ ମୁଁ କ’ଣ କହୁଥିଲି–ଚାଟଘର ପୁଅ ଚାଟ, ଭାଟଘର ପୁଅ ଭାଟ–ଘରୁଆ ଘର ଝିଅଟା ପରା ! ସତେରେ ତୁ ଓଲୁଟା । ତାଙ୍କ କଥାରେ ଅଛି କ’ଣ କିରେ ? ମତେ କ’ଣ ସମସ୍ତେ ଭଲ ଲୋକ ବୋଲି କହୁଚନ୍ତି ? ଏଥିପାଇଁ ମୁଁ ଏ ଅରକ୍ଷିତ ଲୋକଗୁଡ଼ାଙ୍କ କଥାକୁ ଡରିବି ? ଏମିତି କାହାଣେ କୁରୁର ଭୁକିହେଲେ ମୋର କିଏ କ’ଣ କରିବ ଭଲା ?’’

 

ଛକଡ଼ି ସାତ ପାଞ୍ଚ ହୋଇ କହିଲା, ‘‘ହେଲେ କ’ଣ ହବ କକେଇ, ସବୁ କଥା ବୁଝୁଚି–ତେବେ କାଇଁକି ଏଗୁଡ଼ାକ ସବୁ ମତେ ବଡ଼ ଅଡ଼ୁଆ ଲାଗୁଚି । ସେତ ସବୁଥିରେ ହଁ ମାରୁଚି; ମୁଁ ଏବେ କେମିତି ଅଲଗା ହାଣ୍ଡି କରିବା କଥା ବାହାର କରିବି ?

 

‘‘ଆରେ ନାଇ ମ, ହାଣ୍ଡିଟା ଅଲଗା ହେଇଗଲାରୁ କ’ଣ ହେଇପଡ଼ିବ–ସେଗୁଡ଼ାକ ଖାଲି ମାଇପି କଥା । ହାଣ୍ଡିଟା ଅଲଗା କରି ଦି’ଦିନ ଖାଇବୁ–ପୁଣି ମିଶିବ, ପୁଣି ଅଲଗା ହବ, ଏଇ କଉତୁକ ଲାଗିଥିବ । ଭିନେ ହବ ତ ମରଦପୁଅ ପରି ଭିନେ ହବ–ଆଉ ଆଜି ହାଣ୍ଡିଟାଏ ନେଇ ଆଉ ଗୋଟାଏ ଘରେ ଥୋଇବୁ, କାଲି ପୁଣି ନେଇ ସେଇ ହାଣ୍ଡିଶାଳେ ପୂରେଇବୁ–ଏ ମାଇକିନିଆ କଥାଗୁଡ଼ାକ ମତେ ଭଲ ଲାଗେ ନାଇଁ ।’’

 

‘‘ଆଉ କ’ଣ କରିବି କକେଇ, ମତେ ତ କିଛି ବୁଦ୍ଧି ଦିଶୁ ନାଇଁ । ସେ ତ କହିଲା, ଆଗ ଅଲଗା କରି ହାଣ୍ଡି କରିବା, ତହିଁରୁ ଜମିବାଡ଼ି, ଗୋରୁଗାଈ, ସବୁ ଅଲଗା କରି ନବା । ଦି’ଝିଅଙ୍କ ବାହାଘରେ ଯେତେ ଖରଚ ହେଇଚି, ସବୁତକ ହିସାବ ହଉ, ସେଥିରୁ ଆମକୁ ଅଧେ ଦିଅନ୍ତୁ ।’’

 

‘‘ଛକଡ଼ି, ତୁ ଭାରି କର୍ମବନ୍ତିଆ–ଏମିତି ଘରଣୀ କାହାକୁ ମିଳେରେ ? ଯାହା ଯୋଉଠି କରିବା କଥା, ସବୁ ତ ସେ ତତେ ବତାଇ ଦେଇଚି–ସେଥିରେ ପୁଣି ତୁ କହୁଚୁ, ଅଡ଼ୁଆ ଲାଗୁଚି ? ହେଃ, ହେଃ, ଏଥିରେ ଆଉ ଅଡ଼ୁଆ କଥା କ’ଣ ରହିଲାରେ ? ତିନିଜଣ ଭଲ ଲୋକ ଡାକି ନେଇ ତ ଯାହା ଯୋଉଠି କଛକୁ କଛ ସବୁ ସମାନ କରି ବାଣ୍ଟିନବୁ, ଭିଡ଼ ଲାଗୁଛି କ’ଣ ?’’

‘‘ହଁ କକେଇ, ଠିକ୍‌ କଥା କହୁଚ–ଆଉ ଭଲଲୋକ ଫଲଲୋକ ମୁଁ ଜାଣେ ନାଇଁ- ତମେ ଏକା ଗଲେ ମୋର ସବୁ ହେଲା । ତେବେ ଏତିକି ଯେ କକେଇ, ମୁଁ ତ ଆଜିଯାଏ ଭିନେ ହବା କଥା ଭାଇକୁ କିଛି କହି ନାହିଁ–କେମିତି କ’ଣ କହିବି !’’

‘‘ଧେତ୍ ବୋକା–ତତେ ଏତେ କଥା ଶିଖାଇବ କିଏ ? ଭାଇକି ତ କହିବୁ ନାଇଁ, ତୁ ମରିବୁ, ତୁ ଆଉ ଭିନେ ହବୁ କ’ଣ ? ଯା, ଯା, ଘରେ ଯେମିତି ରହିଚୁ, ସେମିତି ରହ ।’’ ହରି ମିଶ୍ରେ ବିରକ୍ତ ହୋଇଗଲେ ।

ଛକଡ଼ି କହିଲା, ‘‘ସେ ମାଇପିଟା ପରା କକେଇ, ରଖିଥୋଇ ଦଉ ନାଇଁ–ନାଇଁ କକେଇ, କାଲି ସକାଳେ ତମକୁ ଡାକି ନ ନେଲେ ଚଳିବ ନାଇଁ । ତମେ ଯାଇ ନ ବସିଲେ କିଛି ଦେଇପାରିବ ନାଇଁ ।’’

‘‘ଆରେ ଧେତ୍‌, ମୁଁ ଯାଇ ଖାଲି ବସିଗଲେ କ’ଣ କରି ପକେଇବି ? ତୁ ତ ଭାଇକି ପାଟି ଫିଟାଇବୁ ନାଇଁ । ମୁଁ କ’ଣ ଭଲଲୋକ ହୋଇଯିବି ତମ ଦି’ଘରଙ୍କୁ ଭିନେ କରେଇବାକୁ ? ଏଗୁଡ଼ାକ ମାମଲାତ କଥା କହୁଚୁ ତୁ ?’’

‘‘ନାଇଁ କକେଇ, ମୁଁ କ’ଣ ଏଡ଼େ ଓଲୁ ହେଇଚି । ଆଜି ଘରେ ସବୁ କଥା ପଡ଼ିବ ନାଇଁ-?’’

ଛକଡ଼ି ମିଶ୍ରଙ୍କ ଆଗରେ କହି ଆସିଲା ସିନା ଘରେ କିନ୍ତୁ କିଛି କଥା ପଡ଼ିଲା ନାଇଁ । ସେ ଦିନ ଉପରଓଳି ଛକଡ଼ି ଦେଖିଲା, ବରଜୁ ଦାଣ୍ଡ ପିଣ୍ଡାରେ ବସି ଲେଖନ ତାଳପତ୍ର ଧରି ଦଶମସ୍କନ୍ଧ ଭାଗବତ ନକଲ କରୁଛି । ବୁଢ଼ା ଶାମ ପଧାନ ଚତୁର୍ଥସ୍କନ୍ଧ ଯାଏ ଲେଖିଥିଲା; ତା’ ପରେ ବରଜୁକୁ କହିଥିଲା, ବାକିତକ ଲେଖିବାକୁ–ବାପ ଦେଉଳ ତୋଳିଥିଲା, ପୁଅ ମୁକୁଶିଆଳି ବାନ୍ଧୁଛି । ବରଜୁ ଚର୍‌ର ଚର୍‌ର କରି ଲେଖିଯାଉଛି ଏକ ମନରେ । ଛକଡ଼ି ସେଇଠି ଯାଇ ଲଙ୍ଗର ପଙ୍ଗର ହେଲା । ବରଜୁ ତା’ଆଡ଼କୁ ମୁହଁ ଟେକି ଚାହିଁଲା ନାହିଁ–କାହାରି ଆଡ଼କୁ ତା’ର ନଜର ନାହିଁ ।

ଛକଡ଼ି କେମିତି କହିବ ଭିନେ ହେବା କଥା ? ଥରେ ଦି’ଥର ଘର ଭିତରକୁ ପଶିଲା । ନେତ୍ରମଣିକୁ ଡାକି କହିଲା ‘‘ହଇଲୋ, ଭାଇ ଆଜି ଏକୁଟିଆ ବସିଚି–ଭଲ ବେଳ ପଡ଼ିଚି–ଭିନେ ହବା କଥା କହିବି କି ?’’

‘‘ହଁ କହୁ ନ, କେତେ ସବୁ କଥାରେ ପଚାରି ହଉଚ ମ ?’’ ନେତ୍ରମଣି ମୁହଁ ଛିଞ୍ଚାଡ଼ି ଦେଲା ।

ଛକଡ଼ି ପୁଣି ଦାଣ୍ଡଦୁଆରକୁ ଦଉଡ଼ି ଆସିଲା । ବରଜୁ ସେଇପରି ଲେଖିଯାଉଚି । ଛକଡ଼ି ଏଥିଭିତରେ ଯା’ଆସ କରୁଥିବା କଥା ତାକୁ ଜଣାନାହିଁ । ଛକଡ଼ି ପୁଣି ଟିକିଏ ଏପାଖ ସେପାଖ ହୋଇ ଘର ଭିତରକୁ ଗଲା–‘‘ହଇଲୋ କ’ଣ କହିବି, କହିଲୁ ?’’

‘‘ଯା ଭାରି–ସେ ମାଇଚିଆ କଥାଗୁଡ଼ାକ ମୋ ଆଗରେ କହନା ।’’ ନେତ୍ରମଣି ଏଡ଼େ ଏଡ଼େ ଆଖି ଦେଖେଇଲା । ଛକଡ଼ି ପୁଣି ଦାଣ୍ଡଦୁଆରକୁ ପଳେଇଲା–‘‘ଛି, ଛି, ଏଡ଼ିକି ଅପମାନ ମାଇପିଟାଠାରୁ ! ଏଥର ଯାହା ହବାର ହେବ, ନିଶ୍ଚେ କହିବି !’’

ଦାଣ୍ଡଦୁଆରେ ପହଞ୍ଚି ଛକଡ଼ି ଡାକିଲା, ‘‘ଭାଇ !’’

ବରଜୁ ଏଥର ଲେଖା ବନ୍ଦକରି ଚାହିଁ ଦେଖିଲା–ଛକଡ଼ି ଠିଆହୋଇଚି । ପଚାରିଲା, ‘‘କିରେ, ମତେ ଡାକୁଚୁ ?’’

 

ଛକଡ଼ି ବିଚରାର ପାଟି ଖନି ମାରିଗଲା, ‘‘ନାଇଁ, ମୁଁ ଯାଉଥିଲି ସିଆଡ଼େ ନା !’’ କହି ଏକାବେଳକେ ସେଠୁ ପଳେଇ ଯାଇ ସେ ବଞ୍ଚିଲା ।

 

ବରଜୁ ପୁଣି ଲେଖାରେ ମନ ଦେଲା ।

 

ଛକଡ଼ି ମୁଗ ଘନିଆସିଛି, ଗୁଡ଼ ଘେନିଆସିଛି ଜବରଦସ୍ତି–କାହିଁରେ ତ ଭାଇ ସାଥିରେ କଥା କହିବାକୁ ପଡ଼ି ନାହିଁ । ଏହିକ୍ଷଣି କେମିତି ସେ ଭିନେ ହବା କଥା କହିବ ? ଖାଲି ସମସ୍ତେ ସିନା କହି ପକାଉଚନ୍ତି–ମାଇଚିଆ, ମାଇଚିଆ–କରିବ କିଏ ସେ ଆସୁ ଦେଖି !

 

ତା’ ଆରଦିନ ପାହାନ୍ତାରୁ ଉଠି ବରଜୁ ଗଲା ପାଣି ବୋହି । କାର୍ତ୍ତିକ ମାସ ଶେଷ–ପାଣି ଶୁଖିଗଲା, ବର୍ଷା ନାହିଁ । ଚଷା ଆଉ କରିବ କ’ଣ ? କଥାରେ ତ ଅଛି–ଅନ୍ତରୁ ରୋଗ, ଆକାଶରୁ ମହରଗ ।

 

ବରଜୁ ପଧାନ ଶେଣା କୋଡ଼ି ନେଇ ଶନିଆ ଭୋଇ ସାଥିରେ ପାଣି ବୋହି ଲାଗିଛି–ପାଖରେ ଦୂରରେ ଆଉ ଆଉ ବୁହାଳିମାନଙ୍କ ଗୀତ, କଥାବାର୍ତ୍ତା, ପାଣିବୁହା ଶବଦ ଶୁଭୁଛି । ପାଣି ଭିତରେ କୁଆଁତରା ଜକ ଜକ ହୋଇ ଜଳୁଛି । ଧୀରେ ଧୀରେ ଆଖପାଖ ଗାଁଗୁଡ଼ିକ ଗଛଗୁଡ଼ିକ ଆଗ ଅନ୍ଧାରିଆ ହୋଇ ତା’ପରେ ସଫା ଦେଖାଯାଉଛି । ଭୋରବେଳ- ଫସର ଫାଟି ଗଲାଣି । ବାସିଧୋବ ଲୁଗା ପରି ଧଳା ଧଳା ବଗ ପଲ ପଡ଼ିଆରେ ବସି ପୋକ ଖାଉଛନ୍ତି । କୁଆ, ବଣି, ଚିଲ, ଗେଣ୍ଡାଳିଆ ବିଲ ଆକାଶ ପାଟିକରି କମ୍ପାଉଛନ୍ତି । ପୂର୍ବଆକାଶରେ ମନ୍ଦା ମନ୍ଦା ନାଲି ରଙ୍ଗ ଉକୁଟି ଉଠୁଚି । ଦୂର ଗାଁ ତଳେ ଚାଦରଟିଏ ବେଢ଼େଇ ଦେଲା ପରି କୁହୁଡ଼ି ଘେରି ରହିଛି ।

 

ବରଜୁ ପଧାନ ପାଣି ବୋହିସାରି ଗୋଛାଏ ଘାସ ମୁଣ୍ଡ ଉପରେ ଥୋଇ ଘରକୁ ଫେରୁଛି । ଛୋଟିଆ କରିଆଖଣ୍ଡକ ଧାନ ପତରର କାକର ଟୋପା ଲାଗି ଓଦା ହୋଇଗଲାଣି । ବରଜୁ ପଧାନ ଘର ଦୁଆର ମୁହଁରେ ପହଞ୍ଚି ଦେଖିଲା, ଦାଣ୍ଡପିଣ୍ଡାରେ ହରି ମିଶ୍ରେ ଛକଡ଼ି କ’ଣ ଗପ ଲଗେଇଛନ୍ତି ।

 

ବରଜୁକୁ ଦେଖି ମିଶ୍ରେ କହିଲେ, ‘‘କିରେ ପୁଅ, ତତେ ଆଉ ରାତିରେ ନିଦ ନାଇଁ ପରା ! ହଁ, ସଁହାତି ମଣିଷ ! ନିଜେ ନ କଲେ କେମିତି ହେବ ?’’

 

ବରଜୁ ଗୁହାଳ ଦୁଆର ମୁହଁରେ ଘାସ ଗୋଛାଟା ପକେଇ ଦେଇ ଆସି କହିଲା, ‘‘ସକାଳୁ ୟାଡ଼େ କୁଆଡ଼େ କକେଇ ?’’

 

ମିଶ୍ରେ କହିଲେ, ‘‘ଆରେ, ଏ ଛକଡ଼ି ମତେ ଆଉ ବସେଇ ଉଠେଇ ଦଉନି–ଭିନେ ହବ, ଭାଗ ବଣ୍ଟରା ହବ, ମୁଁ ନ ଗଲେ ତାକୁ ଆଉ କିଛି ଆସିବ ନାଇଁ । ମୋର କାମ ଅଛି ନା–ଏଇ ବେପାର ରୋଜ ରୋଜ ବସି କରୁଚି କିଏ ?’’

 

ବରଜୁ ବକ ବକ କରି ଚାହିଁ କହିଲା, ‘‘କିଏ ଭିନେ ହବ କକେଇ ? ଭିନେଭାନେ କ’ଣ, ମୁଁ ତ କିଛି ବୁଝିପାରୁ ନାଇଁ ?’’

 

ମିଶ୍ରେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ; ‘‘ଏଁ–ତୁ କିଛି ଜାଣି ନାହୁଁ ? ସେ ଟୋକାଟା ମୋତେ ମିଛରେ କହିଲା ! ଆଉ ହବନି ହବନି, ମୋ ସାଙ୍ଗରେ ତିନିମାସ ହେଲା ଲଗେଇଚି–କକେଇ ତମେ ଆସ, ଆମର ଭାଗବଣ୍ଟରା ହବ, ତମେ ଟିକିଏ ବସି ଗୁଳା ପକେଇ ଦବ । ମୁଁ କହିଲି, କିରେ, ତୁ ପିଲା ଟୋକାଟା, ଭିନେ କ’ଣ ହବୁରେ ? କୋଉ କଥା ଶୁଣିଲା ନାଇଁ–କହିଲା, ‘ନାଇଁ କକେଇ, ମାଢ଼େ ମାଢ଼େ ଖରଚ–ଯୋଡ଼ିଏ ଯୋଡ଼ିଏ ଝିଅ ଭାଇ ବାହା କଲେଣି- ସମ୍ପତ୍ତି କେଯାଏ ଯେ, ଏତେଗୁଡ଼ାଏ ଅରଦଳି ମୁଁ ସହିପାରିବି ? ମୋ ଅଧକ ମୋତେ ଦେଇ ଦିଅନ୍ତୁ, ଝିଅ ବାହାଘର ଖରଚତାଲିକା ବୁଝେଇ ଦିଅନ୍ତୁ–ତାଙ୍କର ସେ, ମୋର ମୁଁ । ମୁଁ ଏତେ କାଦୁଅରେ ପଶିବି କାଇଁକି, ଗୋଡ଼ ଧୋଇବି କାଇଁକି ? ରଖି ଥୋଇ ଦଉନି ମାସେ ହେଲା । କ’ଣ କରିବିରେ ବାପା–ସକାଳୁ ସକାଳୁ ଆସିଲି ବାହାରି–ଇଲେ ଫେରିଲା ବେଳକୁ ତିନିଜଣ ମଣିଷ ଦାଣ୍ଡଦୁଆରେ ବସିଥିବେ- ବାହାର ତିନି ଗାଁରେ ମକଦ୍ଦମା ତଦନ୍ତ କରିବି, କାହା ଘର ତକରାଳ ବୁଝିବି–ଏଇ ବେପାରରେ ଦଉଡ଼ି ଦଉଡ଼ି ମୋ ନିଜ ବେଉସା ଆଉ କିଛି ହେଲାନି । ଜମିଗୁଡ଼ାକ ତେଣେ ମରିଯାଉଚି, କୋଉଠିକି ପାଣି ବୁହା ହବ, କି ନାଇଁ- କିଏ ବୁଝିଚି, କିଏ ଦେଖୁଚି ।’’ ଦୀପ ତେଜିଲେ ହାତ ଚିକ୍କଣ–ମିଶ୍ରେ ଯେ ଖାଲି ମକଦ୍ଦମା ସରଜମିନ କରି ନିଜ ବେଉସା ମାଟି କରୁଛନ୍ତି, ଏ କଥା ମୁହଁରେ କହିଲେ ସିନା–ମକଦ୍ଦମା ବୁଝନ୍ତୁ, କଜିଆ ମେଣ୍ଟାନ୍ତୁ, ଭଲଲୋକ ହୁଅନ୍ତୁ, କେଉଁଠି ଆଉ ମିଶ୍ରଙ୍କର ହାତ ଚିକ୍କଣ ନ ହୁଏ !

 

ବରଜୁ ହସି ହସି କହିଲା, ‘‘ଏଇ କିବା କଥା ପାଇଁ ଆପଣଙ୍କୁ ନିକମା କରି ଆଣି ବସେଇଚି–ଭିନେ ହବା, ବଣ୍ଟରା କରିବା–ଏକଥାଟା କ’ଣ ଏଡ଼େ ଭିଡ଼ କାମୁଟାଏ ? ଯା’ନ୍ତୁ ଆପଣ–ସେଇଟା ଚଗଲା ଟୋକାଟାଏ–ତା’ରି କଥାରେ–’’

 

‘‘ଆଉ କହନି ସେ କଥାରେ ପୁଅ–ଯେତେ ବୁଝେଇଲେ କ’ଣ ମାନିଲା ? କହିଲା, ବାପ ବଦଳି ବାପ ତୁମେ, ତୁମେ ନ ଗଲେ ମୁଁ କୁଆଡ଼ୁ କିଛି କରିପାରିବି ନାଇଁ ।’’

 

ବରଜୁ କହିଲା ‘‘ହଁ, ସେ କଥା କିଏ ମନାକଲା–ତା’ ବୋଲି ଏଇ କଥାକୁ ଆପଣଙ୍କର ଏତେ କାମ ମାରା କରି ଟାଣିଆଣିଚି ?’’

 

ମିଶ୍ରେ ଉଠିପଡ଼ି ଗାମୁଛାରେ ଗୋଡ଼ ଦି’ଟା ପିଟି ହୋଇ କହିଲେ, ‘‘ହଁ, ଡାକିଆଣିଲା, କ’ଣ ଏମିତି ଦୋଷ କରି ପକେଇଲା ? ସେଥିପାଇଁ ନୁହେଁ ଯେ–କିରେ ଛକଡ଼ି ! କୁଆଡ଼େ ଗଲା ସେ ? ଦେଖିଲ ?–କଥା ପଡ଼ିଚି, ସେ କୁଆଡ଼େ ପଳେଇଗଲାଣି !’’

 

ଭାଇକୁ ଆସିବାର ଦେଖି ଛକଡ଼ି କେତେ ଆଗରୁ ଖସି ଚାଲିଯାଇଛି । ଛକଡ଼ିର ମନଟା ଚୋରପଟିଆ ଧରିଛି । ମିଶ୍ରେ ମନେ ମନେ ଛକଡ଼ିର ଆଚରଣରେ ବଡ଼ ରାଗ ହୋଇ ଘରକୁ ଫେରିଲେ । କେଡ଼େ ଖରାପ ଟୋକାଟା–ମାହାଳିଆଟାରେ ଚିହ୍ନା ପକେଇ ହେଲା !

 

ବରଜୁ ଆଜି ଭଲକରି ବୁଝିଲା–ଛକଡ଼ି ଲାଗିଲାଣି, ଏଥର ଭିନେ ହବ–ଆଚ୍ଛା, ଦେଖି ତ ଭଲା ! କେମିତି ତୁ ଏ ଘରକୁ ଭାଙ୍ଗିବୁ, ଦି’ଫାଳ କରିବୁ–ବରଜୁ ପଧାନ ଥିବା ଯାଏ କେତେବେଳେ ହେଲେ ଏ କଥା ହବ ନାଇଁ ।

 

ଛକଡ଼ିକୁ ଡାକି ବରଜୁ ମୁରୁକିହସା ଦେଇ କହିଲା, ‘‘କିରେ ଛକଡ଼ି, ଭିନେ ହବା ପାଇଁ ବାହାରୁ ଏତେ ଭଲ ଲୋକ ଡାକୁଚୁ କାଇଁକି ? ସମ୍ପତ୍ତି ତ ଆମର, ଆମ ଭିତରେ ବଣ୍ଟା ହବ; ଭଲ ଲୋକ ଆସି କ’ଣ ତାକୁ ଆଉ ଅଧିକା କରି ଦେବେ ?–ତୁ ଭଲା ଆଗ କହିଲୁ, ତୋର ଭିନେ ହବାକୁ କାଇଁକି ଏତେ ଇଚ୍ଛା ?’’

 

ମାସ ମାସ ଧରି ନେତ୍ରମଣି ଛକଡ଼ିକୁ ତାଲିମ କରିଛି, ଘୋଷେଇଛି–ହରି ମିଶ୍ରେ କେତେ ଲାଗିପଡ଼ି ଶିଖେଇଛି । ସେ କ’ଣ ଏଡ଼ିକି ଅକାମୀ ! ଛକଡ଼ି ଖୁବ୍‌ ସାହସ ବାନ୍ଧିଲା, ମୁହଁ ଟାଣ କରି କହିଲା, ‘‘ଭିନେ ହେବିନି–ଘର ଗୋଟାକାର ଯାହା ଯୋଉଠି ଆୟ ଆମଦାନି ସବୁ ତ ତମରି ଖର୍ଚ୍ଚରେ ପଶିଲା–ଦି’ଦିଟା ବାହାଘର, ଏତେ ମଣିଷଙ୍କର ଖର୍ଚ୍ଚ–ମୁଁ ତ ଏତେ ଅଲେଇ ବଲେଇ ସମ୍ଭାଳି ପାରିବି ନାଇଁ ?’’

 

ବରଜୁ ଅବାକ୍‌ ହେଲା–ଛକଡ଼ି ମୁହଁରୁ ଆଜି ଏକଥା ବାହାରୁଛି ! ଯେଉଁ ଛକଡ଼ି ଆଜିଯାଏ ମୁହଁ ଟେକି ଭାଇ ଆଗରେ କଥା ପଦେ କହି ନାହିଁ ! ନା, ନା, ଏ ଛକଡ଼ି ନୁହେଁ–ଛକଡ଼ି ରୂପରେ ଆଉ ଜଣେ କିଏ ଛିଡ଼ା ହୋଇ କଥା କହୁଛି !

 

ବରଜୁ କହିଲା, ‘‘ହଉ ଭଲ କଥା, ତେବେ ଭିନେ ହବା ତୋର ଇଚ୍ଛା ? ମୋର ଇଚ୍ଛା କ’ଣ ଜାଣୁ ? ମୋର ଇଚ୍ଛା ଭିନେ ହେବି ନାଇଁ; ଏ ଘର, ବାଡ଼ି, ଜମି, ଗୋରୁ, ଗାଈ କିଛି ବଣ୍ଟା ହବ ନାଇଁ । ଆଚ୍ଛା, କେମିତି ତେବେ ତୋ କଥା ହବ, ମୋ କଥା ହବ, କହିଲୁ ଦେଖି ?’’ ବରଜୁ ଛକଡ଼ିକୁ ଚାହିଁ ହସିଲା ।

 

ଛକଡ଼ି ବୁଝିପାରିଲା ନହିଁ, ମୁହଁ ଶୁଖାଇ କହିଲା, ‘‘ମୁଁ ଏତେ ସେତେ ଅଡ଼ୁଆ କଥା ବୁଝିପାରେ ନାଇଁ । ସବୁ ତ ଅଧାଅଧି କରିଦେଲା କଳି ଛିଡ଼ିଯିବ, ଏତେ ଜିଗର ଲାଗିଚି କାଇଁକି ?’’

 

ବରଜୁ କହିଲା, ‘‘କିଛି ପରା ଅଧାଅଧି ହବ ନାଇଁ ବୋଲି ମୁଁ କହୁଛି–ସେମିତି ପୂରାପୂରି ରହିବ ?’’

 

ଛକଡ଼ି ବିରକ୍ତ ହୋଇ କହିଲା, ‘‘ମୁଁ ପରା କହୁଚି, ମୁଁ ଏକାଠେଇଁ ରହିପାରିବି ନାଇଁ !’’

 

‘‘ମୁଁ କ’ଣ ସେ କଥାକୁ ନାଇଁ କରୁଚି କି–ଭିନେକୁ ଭିନେ ହବା ସମ୍ପତ୍ତି ପୂରାପୂରି ରହିବ–ତା’ହେଲେ ତ ତୋ କଥା ମୋ କଥା ଦିହିଙ୍କ କଥା ରହିବ ?’’

 

‘‘ମତେ ଏତେ ବଙ୍କେଇ କରି କହିଲେ ମୁଁ ତ ବୁଝିପାରିବି ନାଇଁ । ହାରା ସୁନାଙ୍କ ବାହାଘର ଖର୍ଚ୍ଚ, ସବୁ ଖର୍ଚ୍ଚ, ହିସାବ ହେଇ ଅଧାଅଧି ହବ ।’’

 

ହାରା ସୁନାଙ୍କ ବାହାଘର ଖର୍ଚ୍ଚ କଥା କହି ପକାଇ ଛକଡ଼ିର ତୋଟିରେ ଲାଗିଲା–ସେ କାଶିଲା ।

 

ବରଜୁ ହସି ହସି କହିଲା, ‘‘ନାଇଁରେ ବୋକା- ସେଇ ଖର୍ଚ୍ଚ ସବୁ କିଏ ଆଉ ବୁଝୁଥାଏ ? ହାରା ସୁନା ବାହାହେଲା, ତାଙ୍କରି ବାହାଘର ଖର୍ଚ୍ଚ ଆଜି ଆମେ ଭାଗବଣ୍ଟାରେ ହିସାବ କରିବା–ଏମିତି ବୁଦ୍ଧି ଆମର ? କାଇଁକି, ମୁଁ ପରା କହୁଚି- ସମ୍ପତ୍ତି ଅଲଗା ହବ ନାଇଁ, ପାଚିରି ଉଠିବ ନାଇଁ, ହିଡ଼ ପଡ଼ିବ ନାଇଁ- ଆମେ ଖାଲି ଭିନେ ହବା- ଏ ଘର ତୋର, ଏ ବାରିବଗିଚା, ଜମିଫସଲ, ଗୋରୁଗାଈ, ଗଛବୃକ୍ଷ ସବୁ ତୋର–ମୋର କ’ଣ ହବ କହିଲୁ ? ଆଉ ତ ଗୋଟାଏ ଝିଅ ମୋତି–ଯୋଉଠି ଠାଏ ବାହା କରିଦେଲେ ଛୁଟି–ଦାମ ତ ଅଣ୍ଡିରି ପୁଅଟା- ଯୋଉଠି ହେଲା ମୁଲଲାଗି ପେଟ ପୋଷିବ–ଆଉ ଆମେ ଦି’ଟା ମଣିଷ କ’ଣ ଚଳି ଯାଇପାରିବୁ ନାଇଁ ?’’ ବରଜୁ ଛକଡ଼ିର ମୁହଁକୁ ଚାହିଁ ପୁଣି–

 

ଛକଡ଼ିକୁ କଥା ପଇଟିଲା ନାହିଁ, ବଲବଲ କରି ସେ ଭାଇ ମୁହଁକୁ ଚାହିଁ ଛେପ ଢୋକିଲା–କେଉଁ କାଳରୁ ଯେମିତି କି ସେ ବରଜୁକୁ ଚିହ୍ନି ନାଇଁ !

 

ଛକଡ଼ି ମୁହଁରୁ ବାହାରିପଡ଼ିଲା, ‘‘ଏଁ–କ’ଣ କହିଲ ?’’ ବରଜୁ କହିଲା ‘‘ବୁଝିପାରିଲୁ ନାଇଁ-? ସମ୍ପତ୍ତି ବଣ୍ଟାହବ ନାଇଁ–ଆମେ ଭିନେ ହବା । ତୋର ସବୁ ହେଲା–ଘରଦୁଆର, ବିଲବାରି, ଗୋରୁଗାଈ, ଯେତେ କିଛି । ମୁଁ କାଲି ପିଲାଙ୍କୁ ଘର ଛାଡ଼ି ଚାଲିଯାଉଚି–ବୁଝିଲୁ ନା ?’’ ବରଜୁ ହସିଲା ।

 

ଛକଡ଼ି ହସିଲା ନାହିଁ କି କାନ୍ଦିଲା ନାହିଁ–ବଲବଲ କରି ଚାହିଁ ରହିଲା । ବରଜୁକୁ ଚାହିଁଥିଲା କି କୁଆଡ଼ୁକୁ ଚାହିଁଥିଲା, ସେ ନିଜେ ମଧ୍ୟ ଜାଣେ ନାହିଁ । ଖାଲି ଗୋଟିଏ ‘ନା’ କରିଦେଇ ସେ ତୁନି ହେଲା ।

 

ବରଜୁ କହିଲା, ‘‘ବୁଝିଲୁ ନାଇଁ ? ମୁଁ କାଲି ମୋତି, ଦାମ ଆଉ ତାଙ୍କ ମା’କୁ ନେଇ ଘରୁ ଚାଲିଯାଉଚି; ସବୁ ସମ୍ପତ୍ତି ତୋର ।’’

 

ଛକଡ଼ି ଆଉ କିଛି କହିଲା ନାହିଁ–ପୁଣି ଥରେ କହିଲା–‘ନା’ । ଏ ‘ନା’ ଟା ତା’ର ମୁହଁ ଉପରୁ ନୁହେଁ–ଏକାବେଳକେ ପେଟ ଭିତରୁ । ଏ ‘ନା’ରେ ନେତ୍ରମଣିର ଜବରଦସ୍ତି ମିଶି ନ ଥିଲା କି ହରି ମିଶ୍ରଙ୍କ ଚାତୁରୀ ମିଶି ନ ଥିଲା । ସଫା ସଳଖ ‘ନା’ ଟାଏ ।

 

ଘର ଭିତରେ ବଶି ବରଜୁ ହାରାବୋଉକୁ ମୁରୁକି ହସି କହିଲା, ‘‘କ’ଣ ସେ ଦିନ ତ ଭାରି ପ୍ରତିଜ୍ଞା ଦେଖେଇ କହୁଥିଲ, ଆଜି ସତକୁ ସତ ସେ ଡାକରା ଆସିଗଲା । ଘରୁ ବାହାରି ଯିବାକୁ ହବ–ସମ୍ପତ୍ତିବାରି ଘର ଦୁଆର ଛକଡ଼ିକୁ ସବୁ ଦେଇ–କେମିତି ପାରିବ ତ ?’’

 

ହାରାବୋଉ ଆଗ ଆଗ ବିଶ୍ୱାସ କଲା ନାହିଁ, କହିଲା, ‘‘ହଁ ମିଛ କଥା ।’’

 

ବରଜୁ କହିଲା, ‘‘ମୁଁ କ’ଣ ତମରି ଆଗରେ ମିଛ କହନ୍ତି ?’’ ବରଜୁ କୋଉଠି ମିଛ କହେ ଯେ, ହାରାବୋଉ ଆଗରେ କହିବ !

 

ତେବେ ହାରାବୋଉକୁ ଯେମିତି ଅପସନ୍ଦ ଲାଗିଲା, ସେମିତି କଉତୁକିଆ ଲାଗିଲା ‘‘କେମିତି ଘର ଦୁଆର ଛାଡ଼ି ପଳାଇଯିବ ମ- କେଉଁଠି ରହିବ ଭଲା ?’’

 

‘‘ଆଉ, କିଛି, ଠିକ୍‌ ଠିକଣା ନାଇଁ, ଘରୁ ପଳେଇବ ଭୂତ ଲାଗିଲା ପରି–ଏ କୁଆଡ଼ କଥା ମ ?’’

 

ବରଜୁ ହସି ହସି କହିଲା, ‘‘ଘରୁ ପଳେଇବି ହାରାବୋଉ–କାଲି ସକାଳେ ! ତମେ ଯେବେ ଯିବ, ତେବେ ଆଜିଠଉଁ ସଜିଲ ହୋଇଥାଅ–ବୁଝିଲ ?’’

 

ହାରାବୋଉର ଆଉ ଚାରା କ’ଣ ? ‘‘ହଉ ତେବେ, କ’ଣ ସାଙ୍ଗରେ ନେବା କହିଥାଅ, ବାନ୍ଧିବୁନ୍ଧି ରଖିଥାଏଁ ।’’

 

‘‘ବିଲେଇ ପିଲାଟାଏ ନୁହେଁ କି କାଣିକଉଡ଼ିଟାଏ ବି ନୁହେଁ–ଖାଲି ଚଳିବା ମୁତାବକ ପୁରୁଣା ଲୁଗା କେତେ ଖଣ୍ଡ ବାନ୍ଧ !’’

 

‘‘ଆଉ କଂସା ବାସନ ?’’

 

‘‘କିଛି ନୁହେଁ । ଆଉ ଗୋଟିଏ କଥା–ଏ ଘରକଥା ନେଇ ଦାଣ୍ଡରେ ହାଟରେ ଡେଙ୍ଗୁରା ପିଟିବ ନାଇଁ ।’’ ହାରାବୋଉ କହିଲା, ‘‘ହଁ, ମୋର ତ ଗରଜ ପଡ଼ିଚି !’’

 

ଛକଡ଼ି ସବୁ କଥା ଯାଇ ନେତ୍ରମଣି ଆଗରେ କହିଲା । ‘ନେତ୍ରମଣି ବିଚାରିଲା, ମାଆ ଲୋ ! ଏଇ କଥାକୁ–ନାଆ ପେଲିଦେଲି କଲିକତାକୁ ।’ ଏଇଥିରେ ସବୁ ଡରିବେ । କି ଡରାଣ ଦେଖଉଚି ? କେତେ ଏମିତି ଘରଦୁଆର ଛାଡ଼ି ପଳେଇଲେଣି, ବାକି ଏଇ ପଳେଇଯିବ ? ବଉଁଶଟାଯାକ ତ ଯୋଉଠି ଅଛି ସବୁ ଖାଇମରୁଛ–ଡରାଣ ଦେଖଉଚ କାହାକୁ ? ଯା’ ଭାରି । ତୁ ଗଲେ ଭାରି, ତୋ ପଛରେ ବସୁ ଗୋଡ଼େଇ ଯିବେ କି ? କିଲୋ, ଭାରି ଡରାଣ ଦେଖଉଚି !’

 

ନେତ୍ରମଣି ଛକଡ଼ି ଉପରେ ବିରକ୍ତ ହୋଇ କହିଲା, ‘‘ତୁ ମାଈମୁହାଁ, ସେଠୁ ଚୋରଙ୍କ ପରି ପଳେଇ ଆସିଲୁ କାଇଁକି ? କହିଲୁନି, କେମିତି ଯିବୁ ଯା ଭାରି । ଏଇ କଥାରେ ସବୁ ଡରିଚନ୍ତି କି ! ମାମଲତକାର ହେଇ କଥା କହିବ କ’ଣ, ଚୋରଙ୍କ ପରି ସେଠୁ ପଳାଇ ଆସିଲା–ତୁଇ ମାଈମୁହାଁ ସବୁ କରିବାକୁ ।’’

 

‘‘ସେମିତି କାଇଁକି କଉଚୁ ବା–ରହ । ସକାଳେ ପରା କୁଆଡ଼େ ଯିବ ! କେମିତି ଯିବେ ଯାନ୍ତୁ–ଆମର ତ ତୁନିହୋଇ ରହିଲେ ଗଲା ।’’ ଛକଡ଼ି ନେତ୍ରମଣିକୁ ବୁଝାଇବାକୁ ଚେଷ୍ଟାକଲା ମୁହଁ ଉପରେ ।

 

ନେତ୍ରମଣି କହିଲା ‘‘ହଁ ସେଇ କଥା !’’ ଆର ଘରେ ବରଜୁ କାନରେ ସାନବୋହୂର କଥା ଶୁଣାଗଲା । ‘‘କହିଲୁନି, କେମିତି ଯିବୁ ଯା ଭାରି !’’

Image

 

ପରିଚ୍ଛେଦ ବାର

 

ଆରଦିନ ସକାଳ ହେଲା ସବୁଦିନ ପରି । ବରଜୁ ବଡ଼ି ଅନ୍ଧାରରୁ ଉଠି ଛକଡ଼ିକୁ ଉଠାଇ ଘରବାରି, ବିଲବଗିଚା, ଗୋରୁଗାଈ- କେଉଁଠି କୋଳଥମଞ୍ଜି, କେଉଁଠି ଧାନବିହନ ସବୁ ବୁଝେଇଦେଲା । କି ଅବା ସମ୍ପତ୍ତି ଯେ–ଘଣ୍ଟାକରୁ ବେଶି ଲାଗିଲା ନାହିଁ ।

ବରଜୁ କହିଲା, ‘‘କ’ଣ, ଏବେ ତ ସବୁ ବୁଝିନେଲୁ–ଏଥର ଭିନେ ହେବା କଥା ନା କ’ଣ-?’’

ଛକଡ଼ି କହିଲା, ’ହଁ–କାଇଁକି ଅଧେ ଅଧେ ବାଣ୍ଟିନେଲେ–’’

‘‘ନାଇଁରେ ଛକଡ଼ି, ମୋର କ’ଣ ସେଥିରେ କଳପଣା ଅଛି ବୋଲି ଭାବୁଚୁ ? –ବାପା ପରା ମନା କରିଯାଇଚନ୍ତି, ଏ ସମ୍ପତ୍ତି ବଣ୍ଟରା ହେବ ନାଇଁ !’’

‘‘ହଉ, ଯାହା କରିବ କର, ଏଥିରେ ଆଉ କିଏ କ’ଣ କହିବ ?’’ ଛକଡ଼ିକି ବିରକ୍ତି ବୋଧ ହେଲା ।

ବରଜୁ ଘର ଭିତରକୁ ଯାଇ ଦେଖିଲା, ହାରାବୋଉ ଘଡ଼ି, ଠେକି, ଲୁଗାପଟା, କେତେ କ’ଣ ଗଣ୍ଠିଲିଟିଏ କରି ବାନ୍ଧି ଲାଗିଚି । ବରଜୁ ପଚାରିଲା, ‘‘ଏ କ’ଣ କାରଖାନା ଚାଲିଚି ?’’

‘‘ସାଙ୍ଗରେ ନେଇକରି ଯିବା ନାଇଁ ?’’

‘‘ଏତେ ଜିନିଷ ବାନ୍ଧିବାକୁ ତମକୁ କିଏ କହିଲା ?–କଂସାବାସନ କିଛି ନବାକୁ ତ ମନା କରିଥିଲି–ଘଡ଼ି କୁଞ୍ଚାଗୁରାଏ ବାନ୍ଧୁଚ କାଇଁକି ଭଲା ?’’

ହାରାବୋଉ ମୁହଁ ଭାରି କରି କହିଲା, ‘‘ଆଉ–ମୁଁ ତାକୁ କିଣି କରି ଥୋଇଥିଲି !’’

‘‘କାଢ଼, କାଢ଼–କିଣିକରି ଥୋଇଥିଲି ! ସବୁ କାଢ଼ି ପକାଅ, ଲୁଗାପଟା ଯାହା ବାନ୍ଧୁଚ, ସାନବୋହୂକୁ ଦେଖେଇ କରି ବାନ୍ଧ ।’’

ହାରାବୋଉ ବରଜୁ ମୁହଁକୁ ଚାହିଁଲା । ବରଜୁ ହସିଲା, ହାରାବୋଉ ହସିଲା । ଦିହେଁ ଦିହିଁକି ବୁଝିଲେ- କଥା ନାହିଁ, ଭାଷା ନାହିଁ ।

ହାରାବୋଉ କିଛି କାହାକୁ କହି ନାହିଁ- ବରଜୁ ଘର ଛାଡ଼ି ଚାଲିଯିବା କଥା ଦଣ୍ଡକ ଭିତରେ କୁଆଡ଼ୁ ଫୁଟି ଗାଁଆଟାଯାକ ଖେଦିଗଲାଣି । ଶରଦୀ ବୋଉ, ନାଣ୍ଡୀ ପଣ୍ଡୀଆଣୀ, ନେତରା ମା, ଶୋଭା ନାନୀ, କେତେ ମାଇପେ ଆସି ପଧାନ ଘରେ ରୁଣ୍ଡ ହେଲେଣି । କାହା ହାତରେ ଦାନ୍ତକାଠି ଖଣ୍ଡେ, କିଏ ଧରିଚି ହଳଦୀ ମେଞ୍ଚାଏ, ତେଲ କାଞ୍ଚୁଲୀଟାଏ, କିଏ ଧରିଚି କଦଳୀପତର ଗୁଡ଼େଇ ଖଣ୍ଡେ ଦରପୋଡ଼ା ଧୂଆଁପତର ପିକା ।’’ ଛିଆ, କୁଆଡ଼ିକା କଥା ଏ, ଘର ଛାଡ଼ି ପଳେଇବ- ଚୋରକୁ ମାନ କରି ଖପରାରେ ଖାଇବା କଥା ! କାଇଁକି ? ସମ୍ପତ୍ତି ବାଣ୍ଟି ଦେଇଥିଲେ କ’ଣ ହେଇଯାନ୍ତା ! ଦି’ଭାଇଙ୍କ ଭିତରେ ମନ ନ ମିଳିଲା, ଏକାଠେଇ ନ ରହିଲେ–ଏକଥା କ’ଣ ହଉ ନାଇଁ ? ସଭିଙ୍କ ଘରେ ତ ଏଇ କଥା–ଆଉ ଏ ଅଭିଆଣ କଥା କୋଉଠି ଅଛି ମ–ଯେତେ ଭାଇ ସେତେ ଘର, ଯେତେ କନିଆ ସେତେ ବର–ଗୋଟାଏ ଭାଇ ଘରଦୁଆର ଛାଡ଼ି ପଳେଇବ !’’

ଦାଣ୍ଡଦୁଆରେ ଯଦୁ, ନିଧିଆ, ଧରମା, ମାଗୁଣିଆ–ପଞ୍ଝାଏ ଆସି ଜମା ହେଲେଣି । ନିଧିଆ ଗାମୁଛା କାନିରେ ଆଖି ପୋଛି ପୋଛି କହିଛି, ‘‘ବରଜୁଆ ଭାଇ ଯାହା ବୁଝିଥିବ ସେଇଆ । ତାକୁ ବଦରେଇବ କିଏ ? ସେ ତ ରୁକୁଣାରଥ ଅଣଲେଉଟା !’’

ଧରମା କହିଲା, ‘‘ଆରେ ହେ, ବରଜୁଆ ଭାଇ ଆମକୁ ଛାଡ଼ି ଚାଲିଯିବ, ଖାଲି ମାହାରିଆ ପଡ଼ିଚି ?’’

ଯଦୁ ହସି ହସି କହିଲା, ‘‘ତୁ ଆଉ କ’ଣ କରିବୁ ଧରମା, କହିଲୁ ?’’

‘‘କ’ଣ କରିବି ? କାଇଁକି, ସେ ଯୁଆଡ଼େ ଯିବ, ମୁଁ ସିଆଡ଼େ ଯିବି–ସେ ତ ଏତେ ସମ୍ପତ୍ତି ଛାଡ଼ି ପରଉଚି–ମୋ ଜମିଦାରି ଗୁରାକ କ’ଣ ଖିନିଖରାପ ହୋଇଯାଉଚି କି ?’’

ମାଗା କହିଲା, ‘‘ଧରମା କ’ଣ କରାପ କଥା କହୁଚି–ଏ ଗାଁରେ ଆଉ ରହିବାରେ କ’ଣ ଲାଭ ଅଛି କି ? ପଧାନ ବୁଢ଼ା ତ ମରିଚନ୍ତି, ବରଜୁଆ ଭାଇ ତ ଘର ଛାଡ଼ି, ଗାଁ ଛାଡ଼ି ଯାଉଚି–ଆଉ ଆମେ କ’ଣ ଏଠି କୋରି ଖାଇ ମଞ୍ଜି ପୋତିଚୁ କି ? ଆମ ରହିବା କଥା ସେମିତି ସେମିତି ।’’

ଧରମା କହିଲା, ‘‘କିରେ, ଖାଲି କହିଦେଲେ ହେଇଗଲା ? ଆମେ ଏତେ ମଣିଷ ଥାଉଁ ଥାଉଁ ସେ ଗୋଟାଏ ଘର ଛାଡ଼ି ପରେଇବ–ଆମେ ବସି କରି ଆଖି ଆଗରେ ଏ କଥା ଦେଖୁଥିବୁ-?’’

ଯଦୁ ଦଳେଇ ମୁରୁକି ମୁରୁକି ହସି କହିଲା, ‘‘ଆଉ କ’ଣଟାଏ ତୁ କରି ପକେଇବୁ, କହିଲୁ ଧରମା ?’’

‘‘କାଇଁକି–ତମେ ତିନିଜଣ ଏଇଠି ଖାଲି ବସ–ଦଣ୍ଡକେ ମୁଁ ତାକୁ ଇଲେ ‘ଘରଟାର ଅଧିକ ସମ୍ପତ୍ତି ବଣ୍ଟେଇ ଦଉନି ! ହେଁ–ଛକଡ଼ି ପଧାନ କଥାରୁ ବାହାରିଯବ, ପଦେ କଥାରେ ଖାଲି–ଇଲେ’ ଅଧେ ଅଧେ ସବୁ ବାଣ୍ଟି ନ ଥୋଇବାକୁ ବାର ସହିବ ନାଇଁ–ହେଁ–ଏ କ’ଣ ଆଉ କିଏ ହେଇଚି କି–ଏ ପରା ଧରମା ଦାସ !’’

ନିଧିଆ କହିଲା, ‘‘ଆରେ, କାଇଁକି ମିଛରେ ଚକ୍ଷୁ କୁଟି ହଉଚୁ କହିଲୁ–ସେ ତ ଭିନେ ହବ ନାଇଁ ବୋଲି ଖୁସିରେ ଘରଦୁଆର ଛାଡ଼ିଦେଇ ଯାଉଚି, ତୁ ଆଉ ତାକୁ ଭାଗ ବଣ୍ଟେଇ ରଖେଇ ଦେବୁ କ’ଣ ?’’

‘‘ହଁ, ଖାଲି ମାହାରିଆ ପଡ଼ିଚି–ଘରଦୁଆର ଛାଡ଼ି ପରେଇବ- ଆମେ–ଖାଲି ଏଠି ଭୂତ ବଇଚୁଁ ?’’

‘‘ୟାଙ୍କୁ କହନ୍ତି ଗୋପାଳପୁରୀ ଗାଲୁଆ ।’’

‘‘ଏ ତ ଭାରି ଭଲଲୋକ !’’

ନିଧିଆ ପୁଣି କ’ଣ କହିବ ବୋଲି ଯାଉଥିଲା । ଯଦୁ ଦଳେଇ ମନା କରିଦେଲା–‘‘ତୁନି ହ, କାଇଁକି ବୃଥା କଥାଟାରେ ଏତେ ଲାଗିଛି ?’’

ବରଜୁ ଦେଖିଲା, ଗାଁଯାକ ହାଟ ହୋଇଗଲାଣି । ଯା- ଚ୍ଛା- ତା’ ହଉ- ତା’କୁ ଯିବାକୁ ହେବ । ଭାଇମୁହଁରୁ ଯେତେବେଳୁ ଭିନେ ହବା କଥା ଶୁଣିଲାଣି, ହାରା ସୁନାଙ୍କ ବାହାଘର ଖର୍ଚ୍ଚର ହିସାବ ଦରକାର ହେଲାଣି–ପଛ କଥାଯାକ ସବୁ ତା’ର ମନେପଡ଼ିଗଲା–ମୁଗ ଅମଳ, ଗୁଡ଼ ବିକିରି- ନା, ଆଉ ନୁହେଁ । ଘରଟାର ମାୟା ତାକୁ ଯାହା ମଝିରେ ମଝିରେ ଟାଣୁଥିଲା–ଯେତେବେଳେ ବୁଝିଗଲା ଯେ, ଭିନେ ହେବା ପାଇଁ ଛକଡ଼ି କେତେ ଆଗରୁ ଯୋଗାଡ଼ ଲଗେଇଛି,- ସେ ମନେ ମନେ କହିଲା, ‘‘ନାଃ, ଆଉ ନୁହେଁ !’’ ସାନବୋହୂ କଥା ମନେପଡ଼ିଲା, ‘କହିଲୁ ନି କେମିତି ଯିବୁ ଯା ଭାରି !’–ନା, ଏ ଘରେ ଆଉ ରହିବାର ନୁହେଁ ।

ବରଜୁ ହାରାବୋଉକୁ ଯାଇ କହିଲା, ‘‘ଦିଅ, ବାହାରିପଡ଼ ଏଥର ।’’

ଗାଁ ମାଇପେ ହାରାବୋଉକୁ ବାର କଥା ପଚାରି ଅଥୟ କରିସାରିଲେଣି–‘‘ହାରାବୋଉ ଏ କୁଆଡ଼ କଥା ମ–ତୁ ଭୁଆଷୁଣୀ ମାଇପିଟା କୁଆଡ଼େ ବାଟରେ ଘାଟରେ ବୁଲିବୁ ମ–କୋଉ ଗାଁରେ ଭଲା ଏ କଥା ଶୁଣାଅଛି ? କାଇଁକି–ତୁ ବରଜୁଆକୁ ମନାକଲୁ ନାଇଁ ?’’ ହାରାବୋଉ ହସିଲା, ‘‘ମୁଁ ମନାକଲେ ମୋ କଥା କିଏ ସିନା ମାନିଲେ ହବ !’’ ଶୋଭାନାନୀ କହିଲା, ‘‘ଆଉ ତୁ ମାଇପିଟା କେମିତି ବାରଆଡ଼ ବୁଲିବୁ ମ ? ଚଷାଘର ଝୁଅ–କ’ଣ ବାଉରି କଣ୍ଡରାଘର ହେଇଚି ?’’ ଶରଦୀବୋଉ କହିଲା, ‘‘ଆଲୋ, ତୁ ଯାହା କହୁଚୁ–‘ବାଟ ଛାଡ଼ ବୋହୂ ହାଟକୁ ଯିବେ !’ ଏକାରେ ତ କେତେ ବଡ଼ ବଡ଼ ଘର ବୋହୂ ଦାଣ୍ଡରେ ବୁଲୁଚନ୍ତି, ଆଉ ହାରାବୋଉ ବାହାରିଲେ ପାପ ଛୁଇଁ ପକେଇବ ?’’

ସାନବୋହୂ, ନାଣ୍ଡୀ ପଣ୍ଡୀଆଣୀ ଛକଡ଼ିର ଶୋଇଲାଘରେ କେତେ ଟୁପୁରୁଟାପର ହସକୌତୁକ ଲଗେଇଛନ୍ତି ।

‘‘ହଁ, ଆଉ ଡେରିକରି ନାହିଁ’’ କହି ବରଜୁ ଲୁଗାବୁଜୁଳାଟି କାଖରେ ଜାକି, ମୁଣ୍ଡରେ ଠେକାଟି ଭିଡ଼ି, ତିନିହାତିଆ ଠେଙ୍ଗାଟି ଧରି ଦାଣ୍ଡ ଦୁଆରକୁ ବାହାରିପଡ଼ିଲା । ପଛରେ ହାରାବୋଉ- କୋଳପୁଅଟିକି କାଖରେ ଧରି, ମୋତିର ହାତ ଧରି ଗାଁ ମାଇପଙ୍କୁ ହସି କଥା କହି ବାହାରି ପଡ଼ିଲା-। ଘର ଭିତରେ କେଉଁଠି କେତେ ପେଡ଼ିପେଟରା, ହାଣ୍ଡି କୁଣ୍ଡେଇ, ଶାଗପଟାଳି, ଲଙ୍କାମରିଚ ଗଛ–କୁଆଡ଼ୁକୁ ଚାହିଁଲା ନାହିଁ, କାହାରି ମାୟା ରଖି ନାହିଁ–ମାଇପିଟାଏ, ଧନ୍ୟ ସେ !

ମାଗା, ନେତେରା, ଚନ୍ଦରା, ଧରମା, ସମସ୍ତେ ଏକାଜୋଟ ହୋଇ ବରଜୁକୁ ଘରକୁ ଫେରାଇ ନେବାକୁ ଠିକ୍‌ କରିଥିଲେ । ଯଦୁ କହିଲା, ‘‘ବୃଥା କଥା, କେହି ପାରିବ ନାହିଁ–ବ୍ରହ୍ମା, ବିଷ୍ଣୁ, ମହେଶ୍ୱର–କାଉଁରିଆ କାଠି ସେ–ଭାଙ୍ଗିଯିବ ପଛେ ନଇଁବ ନାଇଁ । ସେ ଯୋଉ କାମରେ ହାତ ଦେଇଚି, ସେ କାମଟି ପ୍ରଭୁ ସିଦ୍ଧ କରନ୍ତୁ, ଏତିକି ଖାଲି କହ । ଆଉ ଗୁଡ଼ାଏ ଯୋଉ କଥା ନ ହବ, ସେ କଥା କରିବାକୁ ଯାଉଚ ଯେ, କାଇଁକି ?

‘‘କର୍ମ କଷଣ ଦେହ ସହେ,

ଅରଣ୍ୟେ ଅଜଗର ପ୍ରାୟେ ।’’

‘‘ଏ ଦେହ ତ କେତେ କର୍ମ କଷଣ ସହୁଚି, ବରଜୁଆ ଭାଇ ସେ ଦିହକୁ କ’ଣ ପରବାୟ କରିଚି ଯା–’’

ନିଧିଆ କହିଲା, ‘‘ଖାଲି ଗୋଟାଏ ଠିକଣା ଥାନ କୋଉଠି ଥାନ୍ତା କି–ହେଇତି ଅମୁକ ଅମୁକ ଠେଇଁକି ଯିବ ।’’

ଯଦୁ କହିଲା, ‘‘ବରଜୁଆ ଭାଇର ତ ଘର ସବୁଠେଇଁରେ–ତା’ପାଇଁ ଚିନ୍ତା କ’ଣ ଯେ ନିଜର ଘରକୁ ଛାଡ଼ିଦେଇପାରେ, ତାକୁ ଆଉ କ’ଣ ଅପୁରୂବ ହେଇଚି, ନା ଖାଇବା ପାଇଁ ଭାବନା ଅଛି ?’’

‘‘ଆହାରେ ଭଲ ମନ୍ଦ ନାହିଁ ।

ଯେ ସ୍ଥାନେ ଯେମନ୍ତ ମିଳଇ !’’

ବରଜୁ ପ୍ରଧାନ ହସି ହସି ଠେଙ୍ଗାଟା ଧରି ଘର ଭିତରୁ ବାହାରି ଆସିଲା । ପଛରେ ହାରାବୋଉ ମୋତିର ହାତଧରି ସାନ ପୁଅ ଦାମକୁ କାଖ କରି ପଛକୁ ଟିକିଏ ଟିକିଏ ଚାହିଁ ଦେଇ, ଗାଁ ମାଇପଙ୍କୁ ହସି କରି ମୁଣ୍ଡ ଟୁଙ୍ଗାରି ଦେଇ ଚାଲିଯାଉଚି । ବରଜୁ ଯଦୁକୁ ଦେଖିପକେଇ କହିଲା, ‘‘ଯଦୁଆ ଭାଇ, ଏ ଗାଁ କଥା ତତେ ଲାଗିଲା ?’’

‘‘ଯଦୁ ହସି କରି କହିଲା ‘‘ଏକା ସବୁ ପାରିବି ତ ?’’

‘‘ଫେର୍‌ ସେଇ କଥା କହିଲୁ–ଏକା ତୁ ? ମୁଁ କ’ଣ ଆଜି ଏକା ?’’ ଯଦୁ ଦଳେଇ ମନେପଡ଼ିଗଲା–

‘‘କରି କରାଉଥାଏଁ ମୁହିଁ,

ମୋ ବିନା ଆନ ଗତି ନାହିଁ ।’’

ନା, ଯଦୁ ଏକା ନୁହେଁ–ଆଉ ଜଣେ ତା’ପାଖେ ଅଛି–ବରଜୁ ଆଜି ଏକା ହୋଇ ଘରୁ ବାହାରି ନାଇଁ–ଆଉ ଜଣେ ତା’ ପାଖେ ପାଖେ ଚାଲିଚି–ତା’ର ପରବାୟ କ’ଣ, ଭରୟ କାହାକୁ ? ଯଦୁ ଆଖି ପୋଛିଲା ।

ଧରମା, ନିଧିଆ, ମାଗା, ନେତେରା ସମସ୍ତଙ୍କୁ ବରଜୁ କହିଲା, ‘‘ଥାଆରେ ଭାଇ, ଭାବନା କ’ଣ ? ସବୁ କଥାପାଇଁ ତ ସେଇ ଜଣେ ଅଛି ! ମୁଁ ଯୋଉଠି ଥାଏଁ–ସବୁବେଳେ ତୁମ କଥା ଆଗ ଭାବୁଥିବି, ଆଗ ପଚାରୁଥିବି ।’’

ବରଜୁର ଚେହେରା ଆଜି ଦେଖି ସମସ୍ତଙ୍କ ମନରେ କେମିତି ଗୋଟିଏ ଭକ୍ତିଭାବ ଆସିଲା । କେତେ କ’ଣ ଭାବିଥିଲେ କହିବେ ବୋଲି, କେତେ ପାଞ୍ଚ କରିଥିଲେ–କାହାରି ମୁହଁରୁ କଥା ବାହାରିଲା ନାଇଁ । ସମସ୍ତେ ମେଣ୍ଢାପଲ ପରି ପଛେ ପଛେ ଚାଲିଲେ । ହାରାବୋଉ ଭୁଆଷୁଣୀଟା–ଗାଁ ମଣିଷଗୁଡ଼ାକ–କ’ଣ କରିବ, ଟିକିଏ ଓଢ଼ଣା ଟାଣି କାଖରେ ପୁଅ, ପଣତରେ ଝିଅକୁ ଧରି ଚାଲିଛି । ଅଳପଦିନିଆ ବୋହୂଗୁଡ଼ାକ କବାଟକୁ ଦରମେଲା କରି ଫାଙ୍କବାଟେ ଜୁଳୁଜୁଳୁ ଚାହିଁଛନ୍ତି । ଝିଅପୁଅମାନେ ପିଣ୍ଡାରେ ରୁଣ୍ଡହୋଇ ମୋତିକୁ, ଦାମକୁ ଆଖିମିଟିକା ମାରୁଛନ୍ତି-। ବୁଢ଼ା ପଧାନ ଜଣେ–ରୋଗରେ ଉପାସରେ ସରୁ ସରୁ ହାତ ଗୋଡ଼- ପିଣ୍ଡାରେ ବସି କହୁଛି, ‘‘ହଇରେ, ଏ କ’ଣରେ–ଏ ଗାଁରୁ ଧର୍ମ ଉଠିଗଲା କିରେ ?’’

 

ବରଜୁ ପଧାନ ଗାଁରେ ବଡ଼ବଡ଼ିଆଙ୍କୁ ଦେଖି ଗୋଟିଏ ଗୋଟିଏ ଦଣ୍ଡବତ ହୋଇ ମୁଣ୍ଡଟାକୁ ସବୁବେଳ ପରି ତଳକୁ ନୋଇଁ ଚାଲିଯାଉଛି । କେଉଁ କଥାକୁ ଯେମିତି ପରବାଏ ନାହିଁ–ଯେମିତି ଅବା ସୁନା ମୁଣ୍ଡାଟାଏ କେଉଁଠି ପାଇଛି–ଦଉଡ଼ିଛି ଏକାଦିନେକେ କୋଟିପତି ହୋଇଯିବ !

 

ଗାଁ ସୀମାରୁ ସମସ୍ତଙ୍କୁ ଫେରାଇ ଦେଇ, ହସି ହସି ସମସ୍ତଙ୍କ ପିଠିରେ ହାତ ବୁଲାଇ ବରଜୁ ପଧାନ ଚାଲିଲା । ବିଲ ମଝିରେ କିଏ ପାଣି ବୋହୁଥିଲା, କିଏ ବିଲ ବାଛୁଥିଲା, କିଏ ଘାସ କାଟୁଥିଲା–ପଲକୁ ପଲ କଳା କଳା ଜନ୍ତୁ ଉଠି ଧାଇଁଲେ । କିଏ ଜୁହାର ହେଲା, କିଏ ମୁଣ୍ଡିଆ ମାଇଲା- କିଏ ଆଖି ପୋଛି ନାକ ସଡ଼ ସଡ଼ କରି ଠିଆହୋଇ ରହିଲା । ବରଜୁ କାହାକୁ ଦଣ୍ଡବତ ହେଲା, କାହାକୁ ଆର୍ଶୀବାଦ କଲା, କାହାର ମୁଣ୍ଡ ପିଠି ଆଉଁସିଲା–ସମସ୍ତଙ୍କୁ ହସି କଥା କହିଲା ।

 

ବରଜୁ ପଧାନ ଚାଲିଲା ତିନି ହାତରେ ଗୋଟାଏ ଗୋଟାଏ ପାହୁଣ୍ଡ ପକେଇ । ହାରାବୋଉ ପଛରୁ ଡାକିଲା, ‘‘ତମେ ଏମିତି ଡଗ ଡଗ ହୋଇ ଚାଲିଲେ ପରା ମୋତି ଚାଲିପାରୁ ନାଇଁ !’’

 

ବରଜୁ ପଛକୁ ଚାହିଁ ହସି କହିଲା, ‘‘ଆପଣା କଥାଟି କହ, ମୋତି, ନାଁରେ କାହିଁକି ବୋଳି ଦଉଚ- ଆଚ୍ଛା, ଆସିଲାବେଳେ ସାନବୋହୂକୁ କହି କରି ଆସିଚଟିକି ? ମୁଁ ତ କାଇଁକି ଛକଡ଼ିକୁ ପାଇଲି ନାଇଁ ।’’

 

‘‘ହଁ ସାନବୋହୂକୁ କହିଲି ଯେ, ମୁହଁକୁ ଚାହିଁଲା ନାଇଁ କି କଥା ପଦେ କହିଲା ନାଇଁ । ମୁଁ ଆଉ କ’ଣ କରନ୍ତି ?’’

 

ବରଜୁ ଜାଣିପାରିଲା, ପଛରୁ କିଏ ଜଣେ ସଇଁ ସଇଁ ହୋଇ ଦଉଡ଼ୁଛି । ପଛକୁ ଚାହିଁ କହିଲା, ‘‘କିରେ ଗଉରା, ତୁ କୁଆଡ଼େ ?’’

 

ହରିପୁରର ଗୌରାଙ୍ଗ ଶେଣ, ବରଜୁ ପଧାନର ବଡ଼ ଭାବୁସି ଲୋକ । ବରଜୁଆ ଭାଇ ବୋଲି ଗଉରା ପାଣି ପିଏ ନାହିଁ । କଳିତକରାଳ, ମାଲିମକଦ୍ଦମା, ଭଲମନ୍ଦ ଯାହା ହେଲା, ବରଜୁଆ ଭାଇକି ଡାକିବ । ଆଠ ଦିନେ ପନ୍ଦର ଦିନେ । ବରଜୁଆ ଭାଇକି ଗୋଟାଏ ଦଣ୍ଡବତ ପକେଇ ନ ଗଲେ ତା’ ମନଟା ଥୟ ଧରେ ନାହିଁ । ସାଙ୍ଗରେ ବାଇଗଣ ପୁଞ୍ଜାଏ କି କାକୁଡ଼ି ଦି’ଟା ଆଣିଥିବ । ବରଜୁଆ ଭାଇ ପାଖରେ ବସି ଘଣ୍ଟାଏ କଥାବାର୍ତ୍ତା ହେବ, ଦିନେ ଦିନେ ତା’ରି ଘରେ ଖାଇବ, ତା’ପରେ ଆପଣା ଘରକୁ ଫେରିବ ।

 

ଗୌରାଙ୍ଗ କହିଲା, ‘‘ତମରି ଘରଠଉଁ ପରା ବାହାରି ଆସୁଚି !’’ ଗଉରାର ଆଖି ଦି’ଟା ଫୁଲି ନାଲି ଦିଶୁଛି–କଥା ଭଲି କରି କହିପାରୁ ନାହିଁ–ପାଟିଖନି ମାରି ଯାଉଛି, ‘‘ବରଜୁଆ ଭାଇ, ମୋ ଗୋଟିଏ କଥା ରଖିବାକୁ ହବ ।’’

 

ବରଜୁ ଗୌରାଙ୍ଗ ଆଡ଼କୁ ଚାହିଁ ପଚାରିଲା, ‘‘କ’ଣ କଥାରେ ?’’

‘‘ରଖିଲେ କହିବି ସିନା !’’

 

‘‘ନା, ତମେ ଆଗ କହ, ରଖିବ ତ ?’’ ଗଉରା ବରଜୁର ଢଙ୍ଗଟି ଜାଣେ । ଆଗରୁ ତାକୁ ପେଞ୍ଚରେ ନ ପକେଇଲେ ପାରିହେବ ନାହିଁ । ଥରେ ଖାଲି ମୁହଁରୁ ବାହାରିଗଲେ ତେଣିକି ଆଉ କ’ଣ ଅଛି ? ଗଉରା ପିଲାଙ୍କ ପରି ଅଳି କଲା, ‘‘ନା, ତମେ ଆଗ କହ, ରଖିବ ?’’ ବରଜୁ ଆଉ ପାରିଲା ନାହିଁ, ଶେଷରେ କହିଲା, ‘‘ଆରେ, ଆରେ, ମୁଁ କ’ଣ ରାଜା ହରିଶ୍ଚନ୍ଦ୍ର ହେଇଚି ଯେ ଯାହା ସତ୍ୟ କରିବି, ସବୁ ପାଳିବି–ହଉ, କ’ଣ କହୁଛୁ କହ–ରଖିବି ।’’

 

ଗଉରା ଖୁସି ହୋଇ କହିଲା, ‘‘ଆମ ଘର ଆଗେ ଦିନ ଚାରିଟା ରହିବ ବରଜୁଆ ଭାଇ- ସିଆଡ଼କୁ ଯୁଆଡ଼େ ଇଚ୍ଛା, ତେଣେ ଯିବ । ଚାରିଟା ଦିନ ବରଜୁଆ ଭାଇ–ଚାରି ଦିନରୁ ଓଳିଏ ବେଶି ହବ ନାଇଁ ।’’

 

ବରଜୁ କହିଲା, ‘‘ଗଉରା, ମୁଁ ଗୋଟିଏ କଥା କହେଁ-’’

 

‘‘ମୁଁ ଆଉ କୋଉ କଥା ଶୁଣିବି ନାଇଁ–ତମେ କଥା ଦେଇଚ, ରଖିଲେ ରଖିବ, ନଇଲେ ନାଇଁ ।’’ ଗଉରା ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିଲା, ଆଉ କଥା କହିପାରିଲା ନାହିଁ ।

 

ବରଜୁ ଦେଖିଲା, ଆଉ ଉପାୟ ନାହିଁ । ହାରାବୋଉକୁ କହିଲା, ‘‘ଚାଲ, ଏଇ ବାଟରେ ତ ତାଙ୍କ ଗାଁ ପଡ଼ିବ- ଯିବ ତ–ନ ଗଲେ ତ ହବ ନାଇଁ !’’

 

ସକାଳେ ବରଜୁଠାରୁ ସବୁ ବୁଝିନେଇ ଛକଡ଼ି ନାଗପୁର ହାଟକୁ ଚାଲିଗଲା–ହଁ, ସତରେ ଏମିତି କ’ଣ ସବୁ ସମ୍ପତ୍ତି ଛାଡ଼ିଦେଇ ଚାଲିଯିବେ ? ନେତ୍ରମଣି କହିଛି, ହରିମିଶ୍ରେ କହିଛନ୍ତି–କିଏ କୁଆଡ଼େ ଏମିତି ଗଲାଣି ? ଆଉ ନ ହେଲା ବା–କେଉଠିଁ ଭଲା ଏମିତି ଘର ଛାଡ଼ି ଗୋଟାଏ ଭାଇ ଚାଲିଯାଇଛି ? ଛକଡ଼ି କେତେ ଭାବିଲା–ହଁ, ଅଛି ତ ! ରାମ ତ ରାଜା ନ ହୋଇ ଭରତକୁ ରାଜଗାଦି ଦେଇ, ରାଜ୍ୟ ଛାଡ଼ି ଚାଲିଗଲେ ! ହଁ, ତେବେଆଉ ସେକାଳ କଥା ଆଜିକାଲି ଅଛି ! ଆଜିକାଲି ତ ଭାଇ ତୋଟିକି ଭାଇ କାଟୁଛି । ହେଇ, ସେଦିନ ପରା ! ଏତେବଡ଼ ଜମିଦାର ଘରଟାଏ–କେଉଁ ସମ୍ପତ୍ତି ଚେନାକ ପାଇଁ ଗୋଟାଏ ଭାଇ ଆର ଭାଇକି ମିଶେଇ ତା’ର ପୁଅ ମାଇପ ମସସ୍ତଙ୍କୁ ଏକା ରାତିରେ କରତି ଦେଇଗଲା । ଏକାଳେ କେଉଁ ଭାଇଟା ପୁଣି ଗୋଟାଏ ଭାଇକି ସମ୍ପତ୍ତି ଛାଡ଼ିଦେଇ ଚାଲିଯିବ–ଯାହା ନେତ୍ରମଣି କହୁଥିଲା–ସବୁ ଖାଲି ଡରାଣ ଦେଖେଇବା କଥା !

 

ତେବେ ଭାଇ ମଣିଷୁଟା କେମିତି, ଛକଡ଼ି ତାହା ଆଜିଯାଏ ଭଲ କରି ତ ନ ବୁଝିଲା–କେମିତି ଆଡ଼ପାଗଳା ଢଙ୍ଗର–କ’ଣ କରିବ କେଜାଣି !

 

ଛକଡ଼ିର ସଉଦାରେ ମନ ନାହିଁ–ଏହି କଥା ଖାଲି ଭାବନା । ଉଛବା ଭୋଇ ଆସି କହିଦେଲା, ବରଜୁ ଘର ଛାଡ଼ି ପିଲାମାଇପଙ୍କୁ ଧରି ଚାଲିଗଲାଣି ।

 

ଛକଡ଼ି ଶୁଣିସାରି ଆଗ ଆଗ କେମିତି କାବା ହୋଇଗଲା–ସତେରେ ସବୁ ଛାଡ଼ିଦେଇ ଚାଲିଗଲା ! କେମିତି କଥା ଏ, ଆଉ କ’ଣ ଆସିବ ନାହିଁ ? ଭାଉଜ କେମିତି ଗଲା, ମୋତି, ଦାମ କେମିତି ଗଲେ !

 

ଛକଡ଼ି ପଚାରିଲା, ‘‘ଆଚ୍ଛା, ସାଙ୍ଗରେ କିଏ ଗଲା–ଜିନିଷପତର ଧରି ଲୋକବାକ କିଏ ଯାଇଚି ?’’

 

‘‘ଏଁ–କ’ଣ କୁରୁଆଁ ଘର ଯାଇଚି କି ? ଗଇତା ଆଗେ ଆଗେ ଚାଲିଚି, ମାଇପ ତ ଦାମକୁ କାଖେଇ ମୋତିର ହାତ ଧରି ପଛେ ପଛେ ଯାଉଚି–ଅଲାଜୁକ ମୁହଁରୁ ଫେରେ ହସ ବାହାରୁଚି ! ଏ କଥା ଭଲା କୋଉ କାରେ ଶୁଣାଥିଲା ନା ଗୁଣାଥିଲା ?’’

 

‘‘ଆଚ୍ଛା ଭଲା, କେତେ ବାଟରେ ହେବେଣି ? କୁଆଡ଼େ, କଟକ ଆଡ଼େ ଗଲେ ?’’

 

‘‘ଏଁ କ’ଣ ଦଉଡ଼ି ଯାଇଁ ନେଉଟାଇ ଆଣିବ କି ? କେତେ ମଣିଷ ତ ଫାଟି ଫୁଟିଗଲେ, କାଇଁରେ କିଛି ହେଲା ନାଇଁ–’’

 

‘‘ଆଚ୍ଛା, ଏମିତି କ’ଣ କିଏ ପଳେଇ ଯାଏ ?’’

 

‘‘ଦେଖୁଚ ତ, ଶଏ ଲୋକଙ୍କ ଆଗରେ ଆପଣା ଭାଇଟା ପରଉଚି, ଆଉ ପଚାରୁଚ ଫେର୍‌ କ’ଣ ?’’

 

‘‘ହଁ, ପଳେଇଲେ ସିନା, ଆଉ କ’ଣ ଫେରିଆସିବେ ନାଇଁ ?’’

‘‘ଘର ଭିତର ଭାଇଟା, ଜାଣି ନ; ମୁଁ ପର ଲୋକଟା କେମିତି ଜାଣିବି ହେ ?’’

 

ଉଛବା ହାଟସଉଦା କରିବାକୁ ବାହାରିଲା । ଛକଡ଼ି ଡାକିଲା, ‘‘ଉଛବା, ରହବା–କୁଆଡ଼େ ଯାଉଚୁ–ଆଚ୍ଛା, ଭାଇ ଗଲାବେଳେ କଅଣ କହୁଥିଲେ ?’’

 

ଉଛବା ଚିଡ଼ିଯାଇ କହିଲା, ‘‘ମୋର ଆଉ କ’ଣ କାମ ଅଛି ନା, ମୁଁ ଏଇ କଥା ଗପୁଥିବି-?’’

 

ଛକଡ଼ି କଅଁଳେଇ କହିଲା, ‘‘ଉଛବା, ଟିକିଏ ରହ ଭଲା–କହି ଯା, ଭାଇ କ’ଣ କହୁଥିଲେ–ମୋ କଥା କ’ଣ କହୁଥିଲେ କି ?’’

 

‘‘କାହାର ବେପାର ନାଇଁ, କିଏ ବଇଚି ଏଇ କଥା ଶୁଣୁଥିବ ହୋ ! ହାଟ ଭାଙ୍ଗିଯାଉଚି, ମୋର ପରା କେତେ ସଉଦା କରିବାକୁ ଅଛି–’’ ଉଛବା ବାହାରିଲା ।

 

ଛକଡ଼ି ପଛରୁ ଡାକିଲା, ‘‘ଉଛବା, ଉଛବା- ତୋ ପୁଅରାଣ କହି ଯା !’’

 

ଉଛବା ପଛକୁ ଫେରି ଚାହିଁଲା, ‘‘କେମିତି ଲୋକ ହୋ ତମେ ! ଥରେ ପରା କହିଲି, ମୁଁ କିଛି ଶୁଣିନାହିଁ । ପୁଅ–ଆଣ, ବାପ–ଆଣ, ଢିଙ୍କି ଗିର୍‌ ।

 

ଛକଡ଼ି ନିରାଶ ହୋଇ ଘରକୁ ଫେରିଲା । ବାଟରେ ଗାଁ ଭିତରେ କିଏ କେତେ ରକମ କହିଲେ, କିଏ କେତେ ରକମରେ ପଚାରିଲେ । ମିଶ୍ରଙ୍କ କଥା ମନେପଡ଼ିଲା–‘‘ଛୋଟ ଲୋକଗୁଡ଼ାକ କିଏ କେତେ କହିବେ, କରିବେ–କିଏ କାହା ଘର ଭରତି କରିଦେଇ ଯିବ କି ?’’

 

ଦାଣ୍ଡଦୁଆର ମୁହଁରେ ପହଞ୍ଚି ଛକଡ଼ି ଦେଖିଲା, ଘରଟା ଆଜି ନିଶବଦ ହୋଇ ରହିଛି । ସଢ଼େଇ ଭିତରେ ଧୂଳି ପୂରେଇ ଦାମ ମୋତି ଆଜି ଖେଳୁନାହାନ୍ତି । ଭାଇ ଦାଣ୍ଡଦୁଆରେ ବସି ଭାଗବତ ପୋଥି ଲେଖୁ ନାହିଁ କି ବାଣୀ କାଟୁ ନାହିଁ । ଭିତରକୁ ଛକଡ଼ି ପଶିଗଲା, ଘରୁଟା କେମିତି ମାଡ଼ି ମାଡ଼ି ପଡ଼ୁଛି–ସ୍ୱର ଶବଦ କିଛି ନାହିଁ ।

 

ନେତ୍ରମଣି ଘର ସଜାଡ଼ିବାରେ ଲାଗିଛି–ସେ ଆଜି ଏ ଘର ଗୋଟାକର ଘରଣୀ–ଆଉ କେହି କହିବାକୁ ନାହିଁ ବା ବୋଲିବାକୁ ନାହିଁ–ଲୁଚିବାକୁ ଦେଢ଼ଶୁର ନାହିଁ କି କଜିଆ କରିବାକୁ ବଡ଼ ଯା ନାହିଁ । ଏଣିକି ସେ ଯାହା କରିବ, ସେଇୟା- ଘର ଗୋଟାକର ମାଲିକ ସେ ଏକା ।

 

ଛକଡ଼ିକି ଦେଖି ନେତ୍ରମଣି ହସି ହସି କହିଲା, ‘‘ଏତେବେଳକୁ ମନେପଡ଼ିଗଲା କି ଘରକୁ ଫେରିବାକୁ ? ଗୋଟିଏ ମଣିଷ ମୁଁ, କେତେ ସଜଡ଼ା ସଜଡ଼ି କରୁଥିବି–ଘର ଗୋଟାକର ଜିନିଷ ବାରଆଡ଼େ ପଡ଼ିଚି ।’’

 

ନେତ୍ରମଣିର କଥାଗୁଡ଼ାକ ଛକଡ଼ିକୁ ଆଜି କାହିଁକି ଭଲ ଲାଗିଲା ନାହିଁ । ମନ ଭିତରେ ସେ ଭାବିଲା, ‘‘ସବୁ ତ କରିବାକୁ ତୁଇ–ତୁଇ ଘର ସଜାଡ଼ିବାକୁ ନାଇଁ ତ, ଆଉ କିଏ ?’’ ମୁହଁ ଉପରେ ପଚାରିଲା–

 

‘‘ଆଚ୍ଛା, ଏ ସମସ୍ତେ କ’ଣ ଗଲେ, ଆଉ ଫେରିବେ ନାଇଁ ?’’

 

‘‘ଦଉଡ଼ି ଯାଉନୁ ଫେରେଇ ଆଣିବୁ !’’ ନେତ୍ରମଣି କୁଲା ବଉଁଶିଆ ଶିକା ପଲମ ସଜାଡ଼ିବାରେ ମହାବ୍ୟସ୍ତ ।

 

ଛକଡ଼ି ଖାଇସାରି ଦାଣ୍ଡଦୁଆରକୁ ଗଲା । ଘର ଗୋଟାକ ଖାଲି ଅଡ଼ୁଆ ଅଡ଼ୁଆ ଲାଗୁଛି–ହଁ, ଭାଇ କ’ଣ ଫେରିଆସିବନି କି ! କୁଆଡ଼େ ଯାଇ ରହିବ ! ଫେର୍ ତ ପିଲା ମାଇପ ସମସ୍ତେ ଯାଇଚନ୍ତି–କେତେଦିନ କୁଆଡ଼େ ରହିବେ !

 

ଦାଣ୍ଡଦୁଆରରୁ ପୁଣି ସେ ଘର ଭିତରକୁ ଫେରିଲା- ପୁଣି ଦାଣ୍ଡଦୁଆର–ଘରଭିତର । ନାଃ, କିଛି ଭଲ ଲାଗୁ ନାହିଁ–ହଁ, ହଁ, ଭାଇ ଫେରିବ, ନିଶ୍ଚେ ଫେରିବ ।

 

ନେତ୍ରମଣି କହିଲା, ‘‘କାଇଁକି ଏତେ ଟହଲ ପକଉଚ କି–ତାଙ୍କ ଶୋଇଲା ଘରେ କ’ଣ କ’ଣ ଜିନିଷ ଅଛି–ତମକୁ ପରା କଞ୍ଚି ଦେଇ ଯାଇଛନ୍ତି- ସବୁ ବୁଝିମଣି ରଖୁନା ?’’

 

‘‘କାଇଁକି ଗୋଟାଏ ସବୁବେଳେ କଟର କଟର ଲଗେଇଚୁ ହେ ? ସେ ତ ଗଲାଣି ଘରଦୁଆର ଛାଡ଼ି–ଆଉ କ’ଣ କିଏ ଘିନି ପଳାଉଚି ? ଘରେ ତ କୋଲପ ପଡ଼ିଚି, କ’ଣ ଫିଟାଇବାନି ନା ଦେଖିବାନି ।

 

‘‘କିଲୋ, କେଡ଼େ ତମ ଦେଖଉଚି ବା–ସେ ପଳେଇଲେ ତୁ ଗୋଡ଼େଇଲୁ ନି ? ଏଡ଼ିକି ମାଇଚିଆ ହୋଇ ପୁଣି ମରଦ ଜନମ ପା’ନ୍ତି ! ଛିଆ ଲୋ ! ଏଇଟାକୁ ତା’ ବୋପା ମା’ କେମିତି ଜନମ କରିଥିଲେ କେଜାଣି ! ଏକା ମା’ ପେଟରୁ ଯୋଡ଼ାଏ ଭାଇ–ଗୋଟାଏ ଷଣ୍ଢ, ଆଉ ଗୋଟାଏ ଏକାବେଳକେ ଛେଳି ! ଛେଳି ହେଲେ ତ ଟିକିଏ ଖଣ୍ଡିଆ କାନ୍ଥକୁ ମୁଣ୍ଡିଆ ମାରିବ । ଏମିତି ଗୋଟାଏ ଅଇଁଠାଚଟା ମୋରି କପାଳକୁ କେଉଁଠି ଥିଲାଟି ! ସବୁବେଳେ ମତେ ଘର ବାହାରେ ଲୋକହସା କଲା ଏଇଟା !’’ ନେତ୍ରମଣିଠାରୁ ଛକଡ଼ି ଏମିତି ଭାଷା ଶୁଣିବାରେ ସଦା ଅଭ୍ୟସ୍ତ । ସେ ନାକ ମୁହଁପୋଛି ମାଇଲାମୂଷା ହୋଇ କହିଲା, ‘‘ଆଉ ନଇଲେ- ଘରୁ କ’ଣ ଘିନି ପଳେଇଚି ଯେ, ଏଇ ଲାଗେ ନ ଦେଖିଲେ ତର ସଉ ନାଇଁ !’’

 

‘‘ଆରେ ଯା, ଯା ପଛେ ସେମିତି ସୁଆଗୀ ହବୁ; କ’ଣ ଘିନି ପଳାନ୍ତା ବା–କୁଲା ବାଉଁଶିଆ ହାଣ୍ଡିକୁଣ୍ଢେଇ ? ଯାହା ନେଇକରି ଗଲା ସବୁ କ’ଣ ତତେ ଦେଖେଇ କରି ନେଇଚି କି-?’’

 

ଛକଡ଼ିର ମନଟା କାହିଁକି ବଡ଼ ଖରାପ ହୋଇଗଲା । ‘‘ସବୁ ତ ଦେଖେଇଚି–ଲୁଗାପଟାର ବୁଜୁଳାଟି, ଖିସା, ବଟୁଆ, କାହିଁରେ ତ ଗୋଟାଏ ପଇସା ନ ଥିଲା ! ପେଟରାଟାରେ ପାଞ୍ଚଟା ଟଙ୍କା ପଡ଼ିଚି, ଅଧଲା ପାହୁଲା ହେଇ ଚାରିଅଣାର । ଆଉ ନେଲା କୋଉ ବାଟରେ ?’’

 

‘‘ତୋ ଆଖିରେ ଆଙ୍ଗୁଠି ଗେଞ୍ଜିକରି କହିଥାନ୍ତା, ଏଇ ବାଟରେ ନେଲି । ରହ, ଥୟ ଧର–ଚାରିଦିନରେ ଫେରେ ଶୁଣିବୁ, କୋଉଠି ଯାଇ ଘରଦୁଆର ବାରିବଗିଚା କରି ତା’ ମିତି ସେ ରହିଲାଣି । ଥୟ ଧର, ଏମିତି କାଇଁକି ହଉଚୁ ?’’

 

ଛକଡ଼ି ଥୟ ଧରି କହିଲା–ଦିନେ, ଦି’ଦିନ, ତିନିଦିନ । କାହିଁ ? କିଛି ତ ଖବର ଅନ୍ତର ନାହିଁ ? ଜଗା ଶେଠି କହିଲା, ବରଜୁ ହରିପୁର ଗୌରାଙ୍ଗ ଶେଣ ଘରକୁ ଯାଇଛି । ଏତେଦିନ କ’ଣ ତା’ରି ଘରେ ଅଛି ? ନା, ତା’ ଘରୁଟାରେ ମଉ ଏତେଦିନ ରହନ୍ତା ଦିନେ ଦି’ଦିନ ତିନିଦିନ–ଦିନକୁ ଦିନ ଘରଟା ବେଶି ମାଡ଼ି ମାଡ଼ି ପଡ଼ୁଛି । ଘରେ ବାହାରେ କୁଆଡ଼େ ଛକଡ଼ିର ମନ ଲାଗୁନାହିଁ–ଯା ହୋ, ମାହାଳିଆରେ ଭାଇଟା ଏମିତି ଭୂତ ଲାଗିଲା ପରି ପଳେଇଲା କାହିଁକି ଭଲା ? ଭିନେ ନ ହେବା କଥା ଛକଡ଼ିକୁ କହିଥିଲେ ସେ କ’ଣ ମଙ୍ଗି ନ ଥାନ୍ତା ? ଛକଡ଼ିର ନିଜ ଦୋଷ ମନେପଡ଼ିଲା ନାହିଁ ।

 

ଦିନ ଦି’ପହର ହେଲାଣି । ଭାରି ଖରା । ଛକଡ଼ି ଖାଇସାରି ଆଜି ଭାଇର ଶୋଇଲା ଘର କଞ୍ଚି ନେଲା । ଦିହଟା କାହିଁକି ତା’ର ଥରୁଛି । କେମିତି ସେ ଘରଟାକୁ ଫିଟାଇବ ! କ’ଣ ସେ ଘରେ ଅଛି କେଜାଣି–ଛକଡ଼ିକୁ ଦିନ ଦି’ପହରେ ଡର ମାଡ଼ିଲା ।

 

ବାରିପଟ ଆମ୍ୱଗଛରେ ଗୋଟାଏ କପୋତୀ ବସି ଡାକ ଛାଡ଼ୁଛି, ‘‘ଚାଉଳ ମାଣ ପୂରିଲା–ଉଠୁରେ ପୁତା–ଉଠ୍ ଉଠ୍‌ ଉଠ୍ !’’ ଡାମରା କାଉଟା ପିଢ଼ା ଉପରେ ବସି ଘଡ଼ିକେ ପହରକେ ରାବ ଦେଉଛି–‘‘କା–କା- ।’’ ଗାଁଯାକ ଯେମିତି ଚାରିଆଡ଼ ଶୂନ୍‌ଶାନ୍, ସାଙ୍ଗ ଟୋକାଙ୍କ ଭିତରୁ କେହି ଜଣେ ହେଲେ ଆସି ତାକୁ ଡାକୁନି ତାସ୍‌ ଖେଳି ଯିବାକୁ । ସମସ୍ତେ ଯେମିତି ଯେଝା ଘରେ ଲୁଚି ଯାଇଛନ୍ତି ଲାଜରେ କି ଦୁଃଖରେ । କାହାରି ହେଲେ ଯେମିତି ପଦାକୁ ମୁହଁ କାଢ଼ିବାକୁ ସାହସ ନାହିଁ । ଛକଡ଼ିର ମନଟା ଉଦାସ ହୋଇଗଲା । ଭାଇ ବାପ ମା’–ସମସ୍ତଙ୍କ କଥା ମନେପଡ଼ିଲା । ସମସ୍ତେ ଥିଲାବେଳେ ଏ ଘର କ’ଣ ହୋଇଥିଲା–ଆଜି କ’ଣ ହୋଇଛି ! କାହାର ସମ୍ପତ୍ତି, କାହାର ବାରିଘର, ଛକଡ଼ି କିଛି ବୁଝିପାରିଲା ନାହିଁ । ସବୁ ଅନ୍ଧାରିଆ ଦିଶିଲା । ମନଟା ତା’ର ପିତା ପଡ଼ିଗଲା ।

 

ଘରଟାକୁ ଫିଟାଇ ଦେଇ ସେ ଚାରିପଟକୁ ଚାହିଁ ଦେଖିଲା, ସବୁ ଜିନିଷ ଯେମିତି ସେମିତି ! ପେଟରାଟା ଭଙ୍ଗା ହୋଇ ତଳେ ପଡ଼ିଥାନ୍ତା ! ହେଁସଖଣ୍ଡ ଉଈ କାଟି ଦେଇ କିଛି ରଖି ନ ଥାନ୍ତା । ଓଳିଆପତର, ଘଡ଼ିକୁଞ୍ଚା, କିଛି ନ ଥାଇ ଘରଟା ଖାଲି ପଡ଼ିଥାନ୍ତା ହେଲେ ! ତେବେ ଅବା ଛକଡ଼ିକି ଟିକିଏ ଭଲ ଲାଗନ୍ତା । ଖଣ୍ଡେ ଜିନିଷ ହେଲେ ତ କାହିଁ ସେ ସାଥିରେ ନେଲାନାହିଁ, ସେମିତି ସବୁ ଥୁଆ ହୋଇଚି–ଘଡ଼ି, କୁଞ୍ଚା, ହେଁସ, ବିଛଣା ।

 

ଛକଡ଼ି ଚାରିଆଡ଼ ଦରାଣ୍ଡୁଛି, ଅନ୍ଧ ଯେମିତି ଦରାଣ୍ଡି ହୁଏ–ଯେମିତି କି କ’ଣ ଅବା ସେ କେଉଁଠି ହଜେଇ ପକେଇଛି, ଏଇ ଭାଡ଼ିତଳୁ, ଓଳିଆ ସନ୍ଧିରୁ ଖୋଜି ପାଇବ ! ତା’ ଆଖି ପଡ଼ିଗଲା ଗୋଟାଏ ଜିନିଷ ଉପରେ–ସେଇ ରବର ହଂସ–ଛିପିଦେଲେ କୁଁ କୁଁ ବୋବାଏ ! ଛକଡ଼ି ସେଇ କୁଣ୍ଢେଇଟାକୁ ଆଣି ତା’ ଛାତିରେ ଚିପି ଧରିଲା, ଆଉ ତା’ ଆଖିରୁ ଝର ଝର ହୋଇ ଲୁହ ଝରିପଡ଼ିଲା । ଛକଡ଼ି ଛକଡ଼ି ! ବଉଁଶଯାକ ତ ସମ୍ପତ୍ତି ଖାଇ ଯାଉଥିଲେ, ଏବେ ଏ ସମ୍ପତ୍ତି କିଏ ଖାଇବ ! ଛକଡ଼ି ସେ କୁଣ୍ଢେଇଟିକି ହାତରେ ଧରି ଆଉଥରେ ଚାହିଁଲା । ତାକୁ ଦିଶିଲା, ଚାରିଟି ପିଲାଙ୍କର ଆଠଟି ଛୋଟ ଛୋଟ ହାତ ଆଜି ବି ଯେମିତି ଲମ୍ୱ ହୋଇ ଆସୁଛି ଏହି କୁଣ୍ଢେଇଟିକି ଧରିବାକୁ–ଲୁହରେ ସେ ଅନ୍ଧ ହୋଇଗଲା ।

 

ଛକଡ଼ି ନେତ୍ରମଣିକି ଚାହିଁଲା, ହସି କରି ପଦେ କହିଲା ନାହିଁ–ଯୋଉଠି ବସିଛି, ସେଠି ଗଳ ଗଳ ହୋଇ ଲୁହ ଗଳୁ ପଡ଼ୁଛି । ନେତ୍ରମଣି ତାକୁ ଦେଖି ମନେ ମନେ ହସୁଛି–‘‘ମାଇଚିଆଟା–ଭାଇସୁଆଗୀ ହଉଚି–ଦିନେ କି ଦି’ଦିନ ଏମିତି ହବ–ସେଇଥିରୁ ବଳେ ଯୋଉ କଥାକୁ ସେଇ କଥା ହବ ନି !’’

 

ସେଦିନ ଦୋକାନ ଘରକୁ ସେ ସଞ୍ଜବେଳେ ଗଲା ନାହିଁ । ଜାକିଜୁକି ହୋଇ ଦାଣ୍ଡପିଣ୍ଡାରେ ବସିଛି । ସାଧୁଆମାଆ ବୁଢ଼ୀ ହାତରେ ଡାଙ୍ଗ ଦି’ଖଣ୍ଡ ଧରି ଚିରା ଲୁଗାଟିକୁ ଦିହଯାକ ଓଟାରି ଓଟାରି ଚାଲିଛି । ଭାରି ପୁରୁଣା ବୁଢ଼ୀ- କେଉଁ କାଳର- ଏଣିକି ଆଉ ଭଲ ବାଟ ଦିଶୁ ନାହିଁ । ସାଧୁଆମାଆ ବୁଢ଼ୀ ଆପେ ଆପେ କହି ଚାଲିଛି–‘‘ଆହା, ଏଇୟା କଲ, ଏୟିଆ କଲ ଶେଷକୁ–ଏଇତା ତମ ମନରେ ଥିଲା–ଏ ଦାଣ୍ଡ ତ କେଡ଼େ ଅସୁନ୍ଦର ଦିଶିଲା ଲୋ ! କାହାର କ’ଣ ସେ କରୁଥିଲା ? ମୁଣ୍ଡକୁ ତରକୁ କରି ବାଟ ଚାଲୁଥିବ ଯେ, ମାଛିକୁ ମ’ ବୋଲି କହିବ ନାଇଁ, ହଲିଲା ପାଣିକୁ ଗୋଡ଼ ଦବ ନାଇଁ–ଆଉ ଗୋଟାଏ ପୁଅ ଅଛି, ଆଉ ଗୋଟାଏ ପୁଅ ଅଛି ଏ ଗାଁରେ ! ପଧାନ ବୁଢ଼ୀ ଥିଲେ ଏଇ କଥା ହୁଅନ୍ତା–ଶାଶୂଖିଆ ଦିନେ ତ ‘ନରଜୁଆ’ ବୋଲି ଦିନେ ମୁହଁରେ ଧରି ନାଇଁ ।’’ ବୁଢ଼ୀର ଶଶୁର ନାଁ ବରଜୁ–ସେଥିପାଇଁ ସେ ବି ବରଜୁର ନାଁ ଧଇଲା ନାଇଁ; ତା’ ଆଖିରୁ ଲୁହ ଶୁଖିଯାଇଚି । ଆଖିପତା ଟିକିଏ ଓଦା ହୋଇଯାଇଛି–ସେ ତାକୁ କୋତରା କାନିଟିରେ ପୋଛିପାଛି ଦେଉଛି ।

ଚକଡ଼ି ଯାହା ଦାଣ୍ଡପିଣ୍ଡାରେ ବସିଥିଲା, ଘର ଭିତରକୁ ଦଉଡ଼ି ଯାଇ ଭାଇ, ଭାଇ ବୋଲି ଡାକିଲା । ଏ କ’ଣ ? ସେ ପାଗଳ ହୋଇଯିବ କି ! ରାତିରେ ଭାତଥାଳି ପାଖରେ ଛକଡ଼ି ବସିଚି, ଲୁହ ବୋହି ଭାତଗୁଡ଼ାକ ଓଦା ହୋଇଗଲାଣି । ଘର ଭିତରେ ଶୋଇଚି, ରାତି ଅଧରେ ବିଳିବିଳଉଚି–‘‘ଭାଇ, ଭାଇ !’’

ନେତ୍ରମଣି କେତେ କଥା କହୁଚି, କେତେ କଥା ପଚାରୁଚି–ହାଁ, ହାଁ କରି କ’ଣ ସେ ଜବାବ ଦେଉଚି–ମନ ତା’ର ଠିକ୍‌ ନାହିଁ ।

ତହିଁ ଆରଦିନ ସକାଳୁ ନେତ୍ରମଣି ଦେଖିଲା, ଛକଡ଼ି ଘରେ ନାହିଁ । ଦି’ପହର ଦେଲା, ସଞ୍ଜ ହେଲା–କାହିଁକି କୁଆଡ଼େ ଗଲା ? କେତେ ଆଡ଼େ ମଣିଷ ଖୋଜିଲେ, କେଉଁଠି ତ ମିଲିଲା ନାହିଁ ।

ସକାଳୁ ଉଠି ଛକଡ଼ି କୁଆଡ଼େ ଯାଇ ନାହିଁ- ଯାଇ ବସିଛି ହରିପୁର ଗୌରାଙ୍ଗ ଶେଣ ଦୁଆର ମୁହଁରେ । ଦାଦିକି ଦେଖି ପକେଇ ଦାମ ଘର ଭିତରକୁ ଦଉଡ଼ିଯାଇ ଡାକ ପକାଇଲା, ‘‘ବୋଉ ଲୋ, ଦାଦି ଆସିଚି ।’’

ବରଜୁ ଆସି ଦେଖିଲା, ଛକଡ଼ି ଚୁପ୍‌ ହୋଇ ଦାଣ୍ଡ ପିଣ୍ଡାରେ ବସିଚି ।

‘‘କିରେ, ଏଠି କାଇଁକି ବସିଛୁ ? ଆ ଭିତରକୁ ଆ’’ କହି ବରଜୁ ଛକଡ଼ିକୁ ଘର ଭିତରକୁ ଡାକିନେଲା ।

ଘର ଭିତରକୁ ପଶିଯାଇ ବରଜୁ ପଚାରିଲା, ‘‘କିରେ, ତୁ କୁଆଡ଼େ ଆସିଗଲୁ ?’’

ଛକଡ଼ି ଧୀରେ ଧୀରେ କହିଲା, ‘‘ମୁଁ ଯିବି ।’’

ବରଜୁ ପଚାରିଲା, ‘‘ତୁ କୁଆଡ଼େ ଯିବୁରେ ?’’

‘‘ତୁମେ ଯୁଆଡ଼େ ଯିବ !’’

ଠକ୍ ଠକ୍ ହୋଇ ଛକଡ଼ି ଆଖିରୁ ପାଣି ବୋହି ପଡ଼ିଲା–

ଛି, ଛି, ମାଇଚିଆ ଟୋକାଟା !

Image